Unknown

 

 

 

 

 

 

 

 

 

 

 

ପାଷାଣ ଦେବତା

ଶ୍ରୀ ଗୋପୀନାଥ ଖଟୁଆ

 

ଉପହାର

 

ଶ୍ରୀଯୁକ୍ତ/ଶ୍ରୀଯୁକ୍ତା.................................................................. ଙ୍କ କରକମଳରେ ଭକ୍ତିର/ସ୍ନେହର ନିଦର୍ଶନ ସ୍ୱରୂପ ଅର୍ପିତ ହେଲା ।

 

ସ୍ୱାକ୍ଷର........................

ତା.............................

★★★

 

ବାସନାଭରା ଅନ୍ତର ତଳେ, ମନଭରି ଚନ୍ଦନଲେପି ପ୍ରାଣେ ପ୍ରାଣେ ପୁଲକ ମାଖିଦବାକୁ ବରଷକରେ ଗୋଟିଏ ଦିନ ଆସେ–ଫଗୁ ପୁନେଇଁ । ଫଗୁ ଦୋଳ–ଫଗୁ ଖେଳର ଦିନ । ଦୋଳ ଘଣ୍ଟ ବାଜେ, ବଉଳ ଫୁଲର ମହକ ଛୁଟେ, ବଣ ମଲ୍ଲି, ବଣ ପଳାଶର କଅଁଳ କଳିକା ଘେନି ପ୍ରକୃତି ରାଣୀ ରୂପର ପସରା ଖୋଲେ । ସହକାର କୁଞ୍ଜ ଗହଳରେ ଲୁଚି ରହି କୋଇଲି ତା’ର ପଞ୍ଚମ ରାଗିଣୀ ଛୁଟେଇଦିଏ–ଶୁଷ୍କ ତରୁର ଶୁଷ୍କ ପ୍ରାଣକୁ ଚହଲେଇଦବାକୁ । ଗାଁ ମୁଣ୍ଡ ମେଲଣ ପଡ଼ିଆରେ ମେଲଣ ବସେ । କେତେଆଡ଼ୁ କେତେ ଲୋକ ଆସନ୍ତି–ଯାଆନ୍ତି । ହୋରି ଖେଳର ନିଶା ଲାଗେ । ଆନନ୍ଦରେ ମନପ୍ରାଣ କୁରୁଳିଉଠେ ।

 

ସେଦିନ ସେହି ଫଗୁବୋଳା–ଫଗୁ ପୂନେଇଁର ହାଡ଼ଭଙ୍ଗା ଖରାବେଳୁଟାରେ ହଠାତ୍ କାହିଁକି ଚମକିଉଠିଲେ ରତନ ।

 

ଆଗରେ ଗୋବିନ୍ଦ-ଚାକର ।

 

ହାତରେ ଗୋଟିଏ ରଙ୍ଗିନ୍ ଚିଠି ।

 

ଚିଠିଟି ଖୋଲି ଏକ ନିଶ୍ୱାସକରେ ପଢ଼ିଗଲେ ରତନ । କିଛି ମନେରହିଲା ନାହିଁ । ଆଉ ଥରେ ପଢ଼ିଲେ–ପୁଣିଥରେ ପଢ଼ିଲେ । ବାଉଳାହେଲେ ରତନ । ମନତଳେ ଭାବନାର ଅତଳ ସୁଅ–ରଙ୍ଗିନ ଚିତ୍ରର ମନଟଣା ପ୍ରଦର୍ଶନୀ । ମନଭିତରେ ଢେଉଖେଳିଲା ରୂପର ରାଣୀ–ପ୍ରେମର ନିଶାଣ, ମାନସୀ ରେଣୁର ସପନ ଛବି । ମନେପଡ଼ିଲା କେତେ କଥା । ପୁରୀର ସମୁଦ୍ରକୂଳ, ନୀଳ ଲହଡ଼ି, ଢେଉମାଡ଼, ଦୁଇଦେହ ମିଶାମିଶି, କ୍ଷଣିକ ପରଶ, କ୍ଷଣିକ ଉତ୍ତେଜନା–କ୍ଷଣିକ ମୋହ । ଦେହ ଉଲୁସିଆ କ୍ଷଣିକ ଶିହରଣ, ରେଣୁର କୋହବୋଳା ଲାଜରା ମୁହଁ, ତା’ପରେ ଶ୍ରୀକୃଷ୍ଣ ସିନେମା, ସେକେଣ୍ଡ ସୋ, ଆଗରେ ରେଣୁ–ପଛରେ ରତନ । ଖେଳ ଶେଷ–ଲୋକ ଗହଳି, ସେହି ଅବସରରେ ରେଣୁର ବେଣୀଝୁଲା ଗୋଲାପ ଫୁଲର ଚୋରି, ତା’ପରେ ପୁରୀ ଷ୍ଟେସନ; ପହିଲି ଚିହ୍ନାପରିଚ–ପହିଲି କଥା କୁହାକୁହି, ସାମାନ୍ୟ ଟିକେଟ ତିନିଖଣ୍ଡ କିଣିଦେବା ପାଇଁ ଶତ ଅନୁରୋଧ-। ରତନ ଯୁବକ–ଆଗରେ ପହିଲିଯୌବନା ଯୁବତୀ ରେଣୁ, ଆଖିରେ ମିନତି–ମୁହଁରେ ଜ୍ୟୋତି, ଜୁଆରିଆ ବୁକୁତଳେ ଅପରୂପ ରୂପର ସୁଷମା...ଯୁବକ ରତନଙ୍କର ଚଙ୍ଗ ଚଙ୍ଗିଆ ଚପଳ ମନ ଏଡ଼ିପାରିବ କେତେକେ ? ବିନା ବାଧାରେ ଜନଗହଳିର ସମାଗମ ଭିତରେ ଆଗେଇ ଯାଇଥିଲେ ରତନ । ବିଦାୟ ବେଳର କଥା ପଦିକ ଆଜିଯାଏଁ ବି ମନତଳେ ଲହଡ଼ି ଭାଙ୍ଗୁଛି । ‘‘ରତନ ଭାଇ ମୋ ରାଣ, ନିଶ୍ଚୟ ଯିବ ।’’ ସେହି କଥା ପଦକ ଭୁଲିହେଉନି ଜମାରୁ । ଟାଉକା ମନଟା ଅଡ଼ି ଧରି ବସିଲା । ଖାଲି ଗୋଟିଏ କଥା–ଗୋଟିଏ ଜିଗର । ବେଉରା ଆଇଚି ଯେତେବେଳେ ସେ ଯିବ–ନିଶ୍ଚୟ ଯିବ ।

 

ରତନଙ୍କ କରୁଣ ମନରେ ରୂପର ବତାସ ଲାଗିଛି । ସେ ଘରୁ ବାହାରିଲେ । ବାହାରେ ଖରା ତାତି, ପୁଣି ଝାଞ୍ଜି ପବନ ।

 

ଘରୁ ବାହାରିଲେ ଗାଁର ଧୂଳି ଦାଣ୍ଡ । ସପ୍ତା ଘର, ଦଧିବାମନଙ୍କ ଚଉପାଡ଼ି, ପଞ୍ଚବଟି ଗଛ, ବାବାଜୀ ଟୁଙ୍ଗି, ସେ ପାଖକୁ ବାଲି ଗଡ଼ିଆ କଇଁ ପୋଖରୀ, ଆମ୍ବ ତୋଟା, କିଆବୁଦା ଗହଳି, ଟିକିଏ ଆଗେଇ ଗଲେ ଓହଳ ଝୁଲା ଚେକା ବରଗଛ । ଅତି ବଡ଼–ନିହାତି ପୁରୁଣା । ତାଆରି ତଳେ ଯମୁନା ପୋଖରୀ ପାଣି ତୁଠକୁ ବାଟ । ଅମେରଶ୍ୱରଙ୍କ ଭଙ୍ଗା ଦେଉଳ, ଶିଆଳି ଲଟା, କଦମ୍ୱ ଗଛ, କୋଚିଲା ବଣ, ମାଟିଗଢ଼ା ନୂଆ ପୁରୁଣା ହାତୀ ଘୋଡ଼ା ଅରମା କୋଇଲିଖିଆ କଣ୍ଟା, ଭଙ୍ଗା ହାଣ୍ଡି, ମଣିଷ ମୁଣ୍ଡ କେତେ କ’ଣ ।

 

ସବୁ ପଛରେପକେଇ ଆଗେଇଚାଲିଲେ ରତନ । କାଏମା ନାଲିଆ ସଡ଼କର ନାଲିଆ ମାଟି, ଆସ୍ତେ ଆସ୍ତେ ଦେହମୁଣ୍ଡ ରଙ୍ଗା ପଡ଼ିଯାଉଛି । ଝାଞ୍ଜି ପବନର ସୁଅ ଛୁଟିଛି, ଗହିର ମଝିରେ ଖରା ଝାଇଁ ଝାଇଁ ନାଚୁଛି–ତାରି ମଝିରେ ଲାଗିଚି ଖଣ୍ଡିଆଭୂତର ଚେକା ଚେକା ଭଉଁରୀ ଖେଳ । ମନେହେଉଚି, ସତେଯିମିତି ଛୁଟିଆସି ସଡ଼କ ଧୂଳୀ, ବାଉଁଶ ପତର, ଭଙ୍ଗା କାଠି କୁଟାରେ ପୋତିପକେଇ ପଚାରିଦବ ରତନକୁ ‘‘ତୁ ଏତେବେଳେ ମୋ ରାଇଜରେ କିଏରେ ।’’ ସବୁଯାକ ବାଦ ଯିମିତି ତାଙ୍କରି ଉପରେ ।

 

ଆଗକୁ ଚାହିଁଲେ ଦିଶିଯାଉଚି ଢେଉ ଢେଉକା ଗୋଗଳ ପାହାଡ଼ । ଭୁବନପାରି, ମାଳ ଗାଁର ତାଳବଣିଆ, ଡାଳିମି ଘାଇର ଖଜୁରି ବଣ, ଡାଆଣୀ ଗଡ଼ିଆର ଇଟାଭାଟି–ମୋରିଆ ବନ୍ଧ । ଚାରିଆଡ଼େ ଖରା ନାଚୁଚି । ତାରି ମଝିରେ ଡେଇଁ ଡେଇଁ ବୁଲୁଚି–ସପନ ପରୀ । ସପନର ରଙ୍ଗରଙ୍ଗିଆ ପରଦାଗୁଡ଼ିକୁ ସେ ଓଲଟେଇବାରେ ଲାଗିଲେ–ଅବିରାମ ଗତିରେ ।

 

ଅନେକଦିନ ତଳେ ଥରେ ଚଣ୍ଡୀଖୋଲ ଯାଇଥିଲେ–ଧର୍ମଶାଳାରେ ଗୋଟିଏ ଦମ୍ପତିଙ୍କର ହସ ଖୁସିରେ ସେ ତନ୍ମୟ ହୋଇଥିଲେ–ସେ କଳ୍ପନା କରୁଥିଲେ ଠିକ୍ ସେମାନଙ୍କ ପରି ନିଜର ଇତିହାସ ଗଢ଼ିଉଠିବ କି ? କୁମାର ଓ ରେଖା ବଦଳରେ ସେଇଜାଗାରେ ଦିନେ ରେଣୁ ଓ ରତନ ହସି ହସି ଗଡ଼ିଯିବେ–ସେଇ ଛବିକୁ ମନେମନେ ଆଙ୍କି ଚାଲିଥାନ୍ତି ରତନ ।

 

ନିହାତି ଅମାନିଆ ସେ ଭାଲୁ ବୁଢ଼ାଟା । ଯିଏ ଯାହା କହେ ସେ କାହାରି କଥା ଶୁଣେନା-। ପରକଥା ପ୍ରଳୟ, ତା’ ମନକୁ ସେ ଯାହା ବୁଝେ ସେଇଆ । ଦିନଥିଲା, ତା’ର ପିଲା ମାଇପ ଥିଲେ, ଜମିବାଡ଼ି ଥିଲା । ମଇଁଷି ଗୋଠେ ଥିଲେ । ଭାଲୁ ବୁଢ଼ା ପୁରୀ, ଲୁଚି ଖାଇ ଘିଅରେ ହାତ ଧୋଉଥିଲା ଯିମିତି । ଭାଗ୍ୟ ପୁଣି ଓଲଟିଲା, କପାଳ ପୋଡ଼ିଲା, ଗୋଟିଏ ଝାଡ଼ାରେ ମାଇପ ମଲା, ରୋଜଗାରିଆ ପୁଅ ଗଲା । ମଇଁଷି ଗୋଠକ ରେଳଧାରରେ କଟିଗଲେ । ସେଇଦିନୁ ସେ ହେଲା ପାଗଳ । ଜମି ଦି’ମାଣକ ଝିଅ ନାଁରେ କରିଦେଲା । କେତେ ଲୋକ କେତେ କଥା କହିଲେ-। ଝିଅ ଆସି କାନ୍ଦି କାନ୍ଦି ତା’ ଗୋଡ଼ତଳେ ମୁଣ୍ଡ ବାଡ଼େଇଲା, କେତେ କାକୁତିମିନତି ହେଲା, ଭାଲୁ କିଛି ବୁଝିଲାନି, ଝିଅ ଓଳିତଳେ ମୁଣ୍ଡ ଗୁଞ୍ଜିବାକୁ ତା’ ବିବେକ ମନାକଲା । ସେ ହେଲା ବୁଲା ଫକିର, ମୁଣ୍ଡ ବୁଲେଇଲା, ଦେହରେ ଛିଣ୍ଡା ନେକୁଡ଼ି ଘେରେଇହେଇ ମାଗି ଖାଇଲା । ନଳାରୁ ଅଇଁଠା ପତର ଚାଟି ଖାଇଲା, ସମସ୍ତେ ଛି, ଛି, କଲେ । ଭାଲୁ ତାଳିମାରି ଗୀତ ଗାଇ ଗାଇ ଦାଣ୍ଡରେ ନାଚିଲା ।

 

ଦିନେ ପୁଣି ମନ କ’ଣ ହେଲା, ଭାଲୁ ଯାଇ ବାବାଜିଙ୍କ ଗୋଡ଼ତଳେ ପଡ଼ି ମୁଣ୍ଡିଆ ମାଇଲା । ବାବାଜି ତା’ କାନପାଖରେ ଚୁପ୍ ଚୁପ୍ କ’ଣ କହିଲେ । ଧୁନୀରୁ ପାଉଁଶ ଟିକିଏ ଆଣି ତା’ ହାତରେ ଦେଲେ, ସେଇଦିନୁ ଭାଲୁ ଚଣ୍ଡୀଙ୍କ ଆଶରାରେ ରହିଲା । ଖୁବ୍ ନିଅତରେ ଚଳିଲା ।

 

ଭାରି ସ୍ୱାସ୍ଥ୍ୟକର ସ୍ଥାନ ଏ ଚଣ୍ଡୀଖୋଲ । ପାହାଡ଼ର ମଝି ଖୋଲରେ ଏ ଜାଗାଟି, ପାହାଡ଼ ମଥାରୁ ଟିକି ଝରଣାଟି ଝିମିର ଝରି ତଳକୁ ବୋଲି ଗଡ଼ିଆସିଚି । ମଝିରେ ଚଣ୍ଡୀ ଠାକୁରାଣୀଙ୍କ ବିଜେସ୍ଥଳୀ । ପ୍ରତ୍ୟକ୍ଷ ଦେବତା, ଦୟାର ଅବତାର, ଗରିବଙ୍କ ଠାକୁର । ଗରିବଙ୍କର ଦୁଃଖ ଶୁଣନ୍ତି । ଖୁସିହୋଇ ବର ଦିଅନ୍ତି ।

 

ଟିକିଏ ଅଗକୁ ତିନି ଚାରିଟା ଝରଣା କୁଣ୍ଡ । ନଡ଼ିଆ ରସ ପରି ପାଣି, ବାସୁଆ ବଳଦ ପାଟିରୁ ପାଣି ଗଡ଼ି କୁଣ୍ଡ ଉଛୁଳୁଛି । ଛୋଟ କୁଣ୍ଡରେ ନାଲି ନେଳି କେତେ ରଙ୍ଗର ମାଛ । ନଦେଖିଲା ଲୋକ ଘଡ଼ିଏ ଠିଆହୋଇ ଦେଖିବ । ଚାରିପାଖରେ ଫୁଲ ଆଉ ଫଳ ବଗିଚା । ଆମ୍ବ, ପଣସ, ନଡ଼ିଆ, ଅମୃତଭଣ୍ଡା କେତେ ନାଇଁ କେତେ ଗଛ । ସର୍ବସାଧାରଣ ବଗିଚା, ସମସ୍ତଙ୍କର ଅଧିକାର । ବାବାଜିଙ୍କର ହୁକୁମ–କେହି ଗଛ ଭାଙ୍ଗିବେ ନାହିଁ । ଫଳ ପାଚିଲେ ସମସ୍ତେ ଖାଇବେ । କେହି ଘରକୁ ନେବେ ନାହିଁ ।

 

ବେଳେବେଳେ କେତେ ରାଇଜରୁ କେତେ ହାକିମହୁକୁମା ଆସନ୍ତି । ଧର୍ମଶାଳା ଘରେ ଦିନେ ଓଳିଏ ରହି ସବୁ ଦେଖନ୍ତି । ପୁଣି ଫେରିଯାଆନ୍ତି । ଭାଲୁ ବୁଢ଼ା ସମସ୍ତଙ୍କର ହାନିଲାଭ ଖବର ବୁଝେ । ସବୁ ଜିନିଷ ଯୋଗେଇଦିଏ । ବୋଲହାକ କରେ, ଉପରେପଡ଼ି ଗୋଡ଼ ଘଷିଦିଏ । ଖାଇବାଟା ତା’ର ମାହାଳିଆ ମାହାଳିଆ ଉଠିଯାଏ । ବାବୁମାନେ ଗଲାବେଳେ ଖୁସିହୋଇ ଦି’ଅଣା ଚାରିଅଣା ଦିଅନ୍ତି । ସେ ଖୁସିରେ ଅଣ୍ଟାରେ ଗୁଞ୍ଜେ । ଆପତ୍ତି ଓଜର କରେନାହିଁ । ସେଇ ତା’ର ଯଥେଷ୍ଟ । ଧର୍ମଶାଳା ଘରର କାନ୍ଥ ସନ୍ଧି, ପଥର ଖୋପ ତା’ର ପଇସା ରଖିବା ଜାଗା । ଯାହା ପାଏ ସେଇଠି ନେଇ ରଖେ । ସେଇ ସବୁ ତା’ର ଟ୍ରେଜେରି ବାକ୍‌ସ ।

 

ରାତି ନ ପାହୁଣୁ ଭାଲୁ ବୁଢ଼ା ଉଠେ । ନିତ୍ୟକର୍ମ ସାରି କୁଣ୍ଡରେ ବୁଡ଼ଟିଏ ଦିଏ । ପଥର ଖୋପରୁ ଦୁଇଟି ପଇସା ଆଣି ବାଳଭୋଗ କିଣେ । ଠାକୁରଙ୍କର ପାଖରେ ଭୋଗ କରି ମୁଣ୍ଡିଆଟିଏ ମାରେ । ନିଜ କାମରେ ଲାଗିଯାଏ ।

 

ଆଜିକୁ ଚାରିଦିନ ହେଲା କୁଆଡ଼ର କିଏ ବାବୁ ବାବୁଆଣୀ ଦୁଇଟି ଆସି ଧର୍ମଶାଳା ଘରେ ରହିଛନ୍ତି । କୋଳରେ ଗୋଟିଏ ଦୁଇବର୍ଷର ପିଲା । ବାବୁଟି ଟୋକା, ବାବୁଆଣୀଟି ସିମିତି...ମଦନକୁ ରତିପରି ସୁନ୍ଦର । ଦୁହିଁଙ୍କର ମନ ସ୍ୱଚ୍ଛ–ନିର୍ମଳ । ଜଣକର ହସ ହସ ମୁହଁରେ କେତେବେଳେ ଟିକେ ବିଷାଦର ରେଖା ଉକୁଟିଉଠିଲେ ଅନ୍ୟଜଣକ ପ୍ରାଣରେ ଆଘାତ ଆସେ । ଯିମିତି ସେମାନେ ଗୋଟିଏ ବୃନ୍ତରେ ଦୁଇଟି ଫୁଟିଲା ଫୁଲ ।

 

କୁମାର ଆଉ ରେଖା–ଏଇ ଦୁଇ ଆତ୍ମାର ସମ୍ମିଶ୍ରଣ ନିର୍ମଳ ପ୍ରେମ ଭିତରେ ଯେ ପିଲାଟିର ଜନ୍ମ–ଏ କଥା ଭାବିଲେ ଦୁହିଁଙ୍କର ଛାତି ଗର୍ବରେ ଫୁଲିଉଠେ । ସ୍ୱର୍ଗର ପାରିଜାତ ଭଳି ପିଲାଟି ଦୁହିଁଙ୍କ କୋଳରେ ଶୋଭାପାଏ । ପିଲାଟିର ଗୁଲୁଗୁଲିଆ ମୁହଁ କୁଲୁକୁଲିଆ ହସ, ଜୁଳୁଜୁଳିଆ ଆଖିଦୁଇଟି ଦେଖିଲେ ଦୁହିଁଙ୍କର ଆତ୍ମା ହଜିଯାଏ । ସବୁବେଳେ ଦୁହିଁଙ୍କ ମନଭିତରେ ପିଲାଟିର ଭବିଷ୍ୟତ ଉଁକିମାରେ । ଦୁହିଙ୍କର ଖେଳଣା କଣ୍ଢେଇ ଏଇ ଶିଶୁଟି । ସେମାନେ ତାକୁ ପାଠ ପଢ଼େଇବେ । ଦୁନିଆର ମଣିଷ ପରି ଜଣେ ମଣିଷ କରିବେ । କିଏ ଜାଣେ କ’ଣ ହବ, ଗଛର ଫଳ ଆକାଶର ମେଘ । କିଏ ଜାଣେ ହବ କି ନ ହବ । ଅନ୍ଧାରିଆ ଭବିଷ୍ୟତ କାହାରି ହାତରେ ନାହିଁ । କିଏ କହିବ । ଭାବନା ପୁଣି ଭାଙ୍ଗିଯାଏ ।

 

ବେଳେବେଳେ କୁମାର ବାହାର ବାରଣ୍ଡାରେ ବସି ଖବରକାଗଜ ପଢ଼ନ୍ତି । ଭାଲୁ ବୁଢ଼ା ପାଖରେ ଲଣ୍ଡଭଣ୍ଡ ହେଉଥାଏ । କୁମାର–କେତେ କଥା ପଚାରନ୍ତି । ଭାଲୁ ବେଳେବେଳେ ତା’ ଜୀବନର ସବୁ କଥା ଗପିଯାଏ । ଆଖିରୁ ତା’ର ଲୁହ ଗଡ଼ିଆସେ । କଥା ଛନ୍ଦରେ ଭୁଲେଇଦିଅନ୍ତି–କୁମାର ।

 

ବାବୁଆଣୀଙ୍କର କଥା କଥାକେ ଭାଲୁ । ଏଇ ଭାଲୁ ତାଙ୍କୁ ମହାବିନାୟକ–ଶିବଲିଙ୍ଗ, ପାହାଡ଼ ଉପରେ ହାତୀଶୁଣ୍ଢ ଗୁମ୍ଫା, ଗଞ୍ଜେଇ ଗଛ, ସେପଟ ତେଲିଗଡ଼ ମଠ, ଶବର ବିଦ୍ୟାଳୟ ସବୁ ବୁଲେଇ ଦେଖେଇ ଆଣିଚି । ସେ ତା’ ଉପରେ ଖୁସିହୋଇ କେତେ ବକ୍‌ସିସ୍‌ ଦେଇଛନ୍ତି । ସେ ପୁଣି ଆଉ କେତେ କଥା ପାଇଁ କେତେ ଓଜର ଆପତ୍ତି କରିଚି । ସେ ହଁ ଭରିଛନ୍ତି ।

 

ସେଥିପାଇଁ ଭାଲୁର ମନ ଆନନ୍ଦ । ତା’ ଗୋଡ଼ ଯିମିତି ତଳେ ଲାଗୁନି । କେହି ନ କହିବା ଆଗରୁ ସବୁ ଜିନିଷ ଖଞ୍ଜେଇ ଦେଉଚି । ବାବୁଟି ତା’ର ଭଲ । ବାବୁଆଣୀ ଭଲ । ଭାରି ଭଲ ମଣିଷ, ବଡ଼ ଲୋକର ବଡ଼ କଥା–ବଡ଼ ମନ–ବଡ଼ ଆଖି ।

 

ଭାଲୁ ଭାରି ଖୁସିହୁଏ । ଆଙ୍ଗୁଠିର ରେଖା ଗଣିଗଣି ମନକୁମନ କ’ଣ ହିସାବ କରେ । ପୂର୍ଣ୍ଣମୀକୁ ପୂର୍ଣ୍ଣମୀ ମାସେ । ତେଣିକି ଅଷ୍ଟମୀ–ଆଠଦିନ ।

 

ଆଜି ସକାଳୁ ଉଠିଲାବେଳୁ ଭାଲୁ ବୁଢ଼ାଟି କାହିଁକି ମନ ମାରିଦେଇଚି । ମୁହଁରେ ତା’ର ଆଗପରି ହସ ନାହିଁ । ମନଟି ତା’ର ଦୁଃଖ ।

 

ରେଖା କହିଲେ–ଯାଉଛୁଁରେ ଭାଲୁ । ଆଉ କେବେ ଆସିଲେ ପୁଣି ତୋ ସଙ୍ଗେ ଦେଖାହେବ ।

 

ଭାଲୁର ଆଖିରେ ଲୁହ । ଦରଦୀ ଛାତି ଭିତରୁ ତା’ର ଉଠିଆସୁଥିଲା ହାବୁକାମରା କୋହ, ଚାପି ଧଇଲା । ତା’ ଦିହଟାକୁ ଛଟପଟ କରି ଜୀବନଟାକୁ କିଏ କାଢ଼ିନେଇଯାଉଚି ଯିମିତି । କ’ଣ କହିବ କହିବ ବୋଲି କଥା ଉଁକାରି ଆଣୁଥିଲା–କହିପାରିଲାନି । ଢୋକ ଗିଳିଲା ।

 

ରେଖା ତା’ର ମନକଥା ବୁଝିଲେ । କୁମାରଙ୍କୁ ଚୁପ୍ ଚୁପ୍ କରି କ’ଣ କହିଲେ । କୁମାର ମନିବ୍ୟାଗ ଖୋଲିଲେ ।

 

ଆଉ ତ ରେଜା ନାହିଁ, ଏଇ ପାଞ୍ଚଟଙ୍କିଆ ନୋଟଟା,

 

ହଉ ଦିଅମ, ନିହାତି ଗରିବ ନିରାଶ୍ରି ଲୋକଟା । ଆମ ପଛରେ କେତେ ଗୋଡ଼େଇଚି, ନଉ....

 

X X X

 

ରତନଙ୍କ ଭାବନା ଭାଙ୍ଗିଲା । ଲୋକଙ୍କର ଘୋ ଘା–ପାଟିତୁଣ୍ଡ । ଆଜି ହାଟ ପାଳି–ଗୁରୁବାର । ସଡ଼କ କର ପାଣି ଛତର ପାଖରେ ଗୋଠେ ମଣିଷ । ଛୁଆ ଛୁଆଙ୍କ ଭିତରେ କେତେ କଜିଆ । ରତନ ପକେଟରୁ ନିଜ ଫଟୋଟି ବାହାର କରି ମନେମନେ କୁମାରଙ୍କ ରୂପ ସହିତ ମିଳେଇଦେଲେ । ଯା ଦେଖିଲେ ମୁଣ୍ଡ ତାଙ୍କର ସରମରେ ତଳକୁ ନଇଁପଡ଼ିଲା । ପୁଣି ଛାତିରେ ହୋସ୍ ପଶିଲା, ଆଗେଇ ଚାଲିଲେ ରତନ । ସତେ କ’ଣ ରେଣୁ କୋଳରେ ଠିକ୍ ସିମିତି....

 

X X X

 

ଆଗରେ କେଲୁଅ ନଈ, ବାଦୁଡ଼ି ଛନ୍ଦା, ନଈପାରିଆ ଘାଟ, ତାଳଗଛିଆ ନଈବନ୍ଧ । ସେଇଠି ମଫସଲର ରାଜପଥ ଧୂଳି ଧୁଷରିଆ ଗେରୁରଙ୍ଗ ସରସର ସାତବାଙ୍କ ସଡ଼କଟି ପହଞ୍ଚେଇ ଦେଇ କୋଉଠି ନୁଚିଗଲା । ଆଗକୁ ଚାହିଁଲେ ରତନ, ନଈ ମଝି–ବାଲିଶେଷକୁ ଚିରି ଚିରି ବଙ୍କେଇ ବଙ୍କେଇ କୁଆଡ଼େ ନାଇଁ କୁଆଡ଼େ ଚାଲିଯାଉଚି ଚରଚରିଆ ଟିକି ଜଳଧାରଟିଏ । ଆଷାଢ଼ର କୁଆପଥର, ଶରତର ଶେଫାଳି, କାର୍ତ୍ତିକର କାକର, କାଲୁଆ ମାଘର ବାଘୁଆ ଶୀତ ସେ କେତେ ସହିଛି । ଏଇ ମଣିଷ ତାରି ଛାତି ଉପରେ ନାଚି କୁଦି କେତେ ଅନ୍ୟାୟ ଅତ୍ୟାଚାର କରେ, କାହିଁ ସେ ତ ଟିକେହେଲେ ରାଗେନି ବା କାହାଉପରେ ଅଭିମାନ କରେନି । ପୁଷମାସର ଧାନଫୁଲ ଗନ୍ଧମିଶା ପବନ, ଫଗୁଣ ମାସ ଚୁତମଞ୍ଜରୀର ମଉକା ମହକ ବାଜିଲେ ଦିହ ମନ ତା’ର ଶିହରୀଉଠେ । ନଅକା ଢେଉଗୁଡ଼ିକ ତା’ର ସୁଲୁ ସୁଲୁଆ ପବନ ସାଥିରେ ଗୁଗୁପାଞ୍ଚି ଖେଳେ । ସବୁବେଳେ ମନରେ ତା’ର ଗୋଟିଏ କଥା–ଗୋଟିଏ ଲକ୍ଷ୍ୟ । ତା’ର ସୁମଧୁର ଜଳ ଟିକକ ପାଇଁ ସାଗର ତାକୁ ଚାହିଁବସିଚି । ସାଗର ତା’ର ଅତି ଆପଣାର । ସାଗର ତା’ର ସବୁ କିଛି, ତାରିପାଇଁ ସେ କେତେ ପାହାଡ଼ ପର୍ବତର ବୁକୁ ଫଟେଇ ଆସିଲାଣି । ବାଟରେ ପୁଣି ଆଉରି କେତେ କ’ଣ ଅଛି । ତଥାପି ମନରେ ତା’ର ସେଇ ଗୋଟିଏ ଆଶା–ଗୋଟିଏ ଲକ୍ଷ୍ୟ । ସେ ନିଶ୍ଚୟ ତା’ର ପ୍ରିୟ ସାଗରକୁ ଭେଟିବ ।

 

ରତନ ଭାବିଲେ–ଦୁନିଆରେ ସବୁତ ଏଇମିତି । ସମସ୍ତଙ୍କର ସେଇ ଗୋଟିଏ ଆଶା–ଗୋଟିଏ ଲକ୍ଷ୍ୟ । ସେବା ମନୋବୃତ୍ତି । ତେବେ ଏ ମଣିଷ ଜାତିଟା ଏମିତି ନିଉଛୁଣା ହୁଏ କାହିଁକି ? ଏକ ମନ–ଏକ ଲୟରେ ବାଟ ଚାଲେ ପୁଣି ତଳକୁ ଖସିପଡ଼େ । ଲକ୍ଷ୍ୟଭ୍ରଷ୍ଟ ହୋଇଯାଏ, ଭଲ ନ ପାଇ ମନ୍ଦପାଏ । ନିଜକୁ ନ କହି–ପରକୁ କହେ । ପୁଣି ଭାବିଲେ ରତନ–ଦୁନିଆରେ ସମସ୍ତଙ୍କ ଅପେକ୍ଷା ବୁଦ୍ଧିଆ ହେଉଛି ଏଇ ମଣିଷ, ପୁଣି ସମସ୍ତଙ୍କ ଅପେକ୍ଷା ନିର୍ବୁଦ୍ଧିଆ ବି ଏ ମଣିଷ । ଯେଉଁ ପ୍ରାଣ ଅନ୍ୟର ହାହାକାରରେ କାନ୍ଦିଉଠେ–ପୁଣି ସେଇ ପ୍ରାଣ ସଂହାର ମନୋବୃତ୍ତି–ଆଶ୍ଚର୍ଯ୍ୟ ଲାଗେ-

 

ନିଛାଟିଆ ଦି’ପ୍ରହର, ଉପରୁ ଝରୁଚି–ମୁଣ୍ଡଫଟା ଖରା । ଚାରିକଡ଼ରେ ଗହଳିଆ ଗଛର ବହଳିଆ ଛାଇ । ଆବେଗରେ ଔତ୍ସୁକ୍ୟ ନେଇ ରତନ ପକେଟରୁ ବାହାରକଲେ ଗୋଟିଏ ମଉଳା ଗୋଲାପ କଢ଼ି–ସ୍ମୃତିର ନିଶାଣ, ମନରେ ଆବେଗ–ଛାତିରେ ପୁଲକ । ଆଖିଆଗରେ ପୁରୁଣା ସ୍ମୃତିର ମେଞ୍ଚାଏ ଅଡ଼ୁଆ ଖିଅ ।

 

ଚିମିନିର ଧୂଆଁଭଳି ପୁଳାଏ ତତଲା ବତାସ ନାକପୁଡ଼ାରୁ ବାହାରିଆସି ଅନନ୍ତ ବାୟୁମଣ୍ଡଳ ଭିତରେ ମିଳେଇଗଲା । ସେଥିରେ ନିଜକୁ ବଞ୍ଚେଇନେଲେ ରତନ । ପୁଣି ମୁଣ୍ଡରେ ଭାବନାର ବୋଝ ଲଦିହେଲା । ଛିଣ୍ଡା ଖିଅଗୁଡ଼ିକୁ ଯୋଖି ଯୋଖି ଆଗେଇଯିବାକୁ ଲାଗିଲେ ।

 

ଅଦୃଷ୍ଟ ବିହି କି କାଉଁରୀ ମାୟା ଲଗେଇଚି ଏ ଦେହ ମନରେ ।

 

ଏତେ ଆକର୍ଷଣ, ଏତେ ସହୃଦୟତା ପୁଣି ମଣିଷ ମଣିଷ ଭିତରେ ଜନମିପାରେ । ସ୍ନେହର ଯେ ଗୋଟାଏ ସ୍ୱରୂପ ଅଛି । ଜଣକ ପ୍ରାଣରେ ଯେ ଅନ୍ୟଜଣକର ସ୍ନେହର ପ୍ରତିବିମ୍ୱ ଫୁଟିଉଠେ, ହୃଦୟରେ ଯେ ଆସନ ଜମାଏ, ହୃଦୟର ଆବେଗତା ଅନାବିଳ ଆତ୍ମିୟତା ଦାବୀ କରି ଯେ ଜଣେ ଅନ୍ୟ ଜଣକୁ ଅତି ଆପଣାର କରିପାରେ, ସେଇ କଥା ଭାବି ଭାବି ସ୍ତମ୍ଭିତ ହୋଇ ପଡ଼ିଲେ ରତନ ।

 

କାଠିଯୋଡ଼ିର ରେଳପୋଲ ଉପରେ ମାଲଗାଡ଼ି ଗଲାଭଳି ଝିମେଇ ଝିମେଇ ଆଗେଇ ଚାଲିଥାଏ ରତନଙ୍କ ଦି’ଚକିଆ ଗାଡ଼ିଟି । ମନ ଭିତରେ ଉଛୁଳା ପ୍ରେମର ମୋହ, ଆଶା ଆକାଂକ୍ଷାଭରା ଉତ୍ତେଜନା, ଚାରିଆଡ଼କୁ ଦୃଷ୍ଟି ବିଞ୍ଚି ଆଖି ଦି’ଟା ଖୋଜି ବୁଲିଲା ଜଣକୁ । କାହିଁ ? କାହିଁ ସେ ରେଣୁ, ତାଙ୍କ ଜୀବନ ବୀଣାର ମୂର୍ଚ୍ଛନା–କବିତାର ଛନ୍ଦ ।

 

କାହିଁ କେତେଦୂରେ ଦିଶିଯାଉଛି ଗୋଟିଏ ଗାଁ । ମନେପଡ଼ିଲା, ଗାଡ଼ିରେ ଆସିଲାବେଳେ ରେଣୁ ଆଙ୍ଗୁଠିରେ ଗାରଟାଣି କହିଦେଇଥିଲା–ବାଦୁଡ଼ିଛନ୍ଦାଠୁ ଅଳପବାଟ ଗଲେ–ପୀରଙ୍କ ମନ୍ଦିର । ତା’ ସେ ପାଖକୁ ଧୋବାଘର, ସେଇଠୁ ଦି ତିନିଟା ବାଉଁଶ ବାଡ଼ ପାରହୋଇ ଚାରିଟା ଘର ଟପିଗଲେ ପହିଲୁ ପଡ଼ିବ ଆମ ଘର । ଘର ଆଗରେ ଗୋଟିଏ ବୃନ୍ଦାବତୀ ଚଉରା, ଗଜା ବରଗଛ, ଗଛ ଉପରେ ନାଲି ପତାକା ଉଡ଼ୁଚି । ପିଲାଟିକୁ ପଚାରିଲେ ବି କହିଦେବ ।

 

ଆହୁରି ଜୋରରେ ପ୍ୟାଡ଼େଲ ଦାବିଲେ ରତନ । ପ୍ୟାଡ଼ଲ ଘୂରିବା ସଙ୍ଗେ ସଙ୍ଗେ ରତନଙ୍କ ମନ ବି ଘୂରି ଘୂରି ଚାଲିଚି । ସତେଯିମିତି ପବନ ପରି ଉଡ଼ିଯିବ, ଚେନ୍ ଖସିଗଲା ଓଃ କି ହଇରାଣ ।

 

ହଠାତ୍ ଅଟକିଗଲା ରତନଙ୍କ ଗାଡ଼ି, ଆଖିପଡ଼ିଲା ନଈପଠା ଉପରୁ ଉଠିଆସୁଥିବା ଗୋଟିଏ ଯୁବତୀ ଝିଅ ଉପରେ । ଦେହର କ୍ଳାନ୍ତି ବୁଡ଼ିଗଲା ମନର ଉତ୍ତେଜନାରେ । ଏକୁଟିଆ ଜାଗାରେ ଏକୁଟିଆ ରତନ, ଛବିଟା ମନଭିତରେ ଛଟପଟ ହେଲା, ମୁହଁଟେକି ଥରକୁଥର ଚାହିଁଲେ-। ପାଖେଇଆସିଲା ଝିଅଟି ।

 

ରତନ ଚିହ୍ନିଲେ, ଠିକ୍ ତ, ମାସକ ତଳର ରେଣୁ ଇଏ, ଯାହାର ରୂପ ସମ୍ଭାରରେ ଭୁଲି–ଯାହାର ହାତଲେଖା ଚିଠି ପାଇ ସେ ମୁଣ୍ଡଫଟା ଖରାଟାକୁ ପାଣିର ଗାର କରିଛନ୍ତି । ସେଇ ତ ଏ ରେଣୁ । ମୁହଁରେ ହସ ନାହିଁ, ପାଟିରେ କଥା ନାହିଁ । ମୁଣ୍ଡର ବାଳ ମୁକୁଳା । ହାତରେ ହଳଦୀ କାଠୁଆଟି ଧରି ତଳକୁ ମୁହଁପୋତି ନଈକୂଳର କଅଁଳ ସବୁଜ ଘାସ ଉପରେ ଚାଲିଯାଉଚି ଆଗକୁ ଆଗକୁ ।

 

ଆଶ୍ଚର୍ଯ୍ୟ ହେଲେ ରତନ । ମନହେଉଥାଏ, ପାଖକୁ ଧାଇଁଯିବେକି ? ପଚାରିଦେବେ ଗୋଟିଏ କଥା । ‘‘ରେଣୁ କ’ଣ ଅଭିମାନ କରିଚୁ ? ତୋ ଚିଠି ପାଇ ମୁଁ ପରା ଦୌଡ଼ିଆସିଚି ।’’ ପାଦ ଅଟକିଗଲା । ଛାତି ଚମକିଉଠିଲା, ମନହେଉଚି–ପୁଣି ହେଉନାହିଁ । ପଚାରିଲା ବେଳକୁ ସତେଯିମିତି କିଏ ପଛରୁ ଓଟାରି ଧରୁଚି । ପୁଣି ଦବିଆସୁଚି ମନ । କାନ ପାଖରେ କିଏ କହୁଚି–ସେ ଅନୀତି କଥା, ସେ ଅପକୀର୍ତ୍ତି କଥାଠୁଁ ତୁମେ ଦୂରେଇ ରୁହ ରତନ ।

 

ରତନ ଚାହିଁଛନ୍ତି । ଛାତି ଭିତରେ କାଉଁରୀ ଖେଳେଇ ଝଙ୍କାଳିଆ ବରଗଛର ଆରପଟରେ କେଉଁଠି ଲୁଚିଗଲା ଝିଅଟି । ଏକୁଟିଆ ବନ୍ଧଉପରେ ଏକୁଟିଆ ରତନ–ଭଙ୍ଗା ମନକୁ ସାଥିକରି କେତେକଥା ଭାବିଲେ । ଭାବନାରେ ମୁଣ୍ଡଟା ତାଙ୍କର ଆପେ ଆପେ ତଳକୁ ନଇଁପଡ଼ିଲା-। ମନ ଭିତରେ ପ୍ରତିହିଂସାର ତୋଫାନ । ଯେଉଁ ମନ ନାରୀର ରୂପ ସୌରଭର ଉପମା ବାଢ଼ୁଥିଲା–ସେଇ ମନ ଆଗରେ ଆଜି ନାରୀର ଶତ ବିକାର ଭାବ ।

 

କଳ୍ପନା ମନୁଷ୍ୟକୁ ସୁଖଦିଏ, ଚିନ୍ତା ମନୁଷ୍ୟର ଚିତା ଜାଳେ । ବାସ୍ତବତା ସେଇ ମନୁଷ୍ୟର ଦେବତା ପ୍ରାଣରେ କୁଠାର ଆଘାତ ଦିଏ । ରତନ ତାହା ଅଙ୍ଗେ ଅଙ୍ଗେ ଲିଭାଇଲେ ।

 

ମୁହଁ ଫେରାଇ ପଛକୁ ଚାହିଁଲେ ରତନ । ସବୁ ଯିମିତି ଅନ୍ଧାର । ଜୀବନ ଯମୁନାର ସାବଲୀଳ ସ୍ୱଚ୍ଛନ୍ଦ ପ୍ରବାହ ଆଜି ତାଙ୍କର ଯିମିତି ପ୍ରତିହତ ହୋଇଛି । ସେଥିରେ ସେ ବିଚଳିତ ହୋଇପଡ଼ିଚନ୍ତି ଅସ୍ୱାଭାବିକ ଭାବରେ । ଜୀବନର ଯୁଆଖେଳରେ ତାଙ୍କୁ ଆଜି ଜଣେ ହରେଇଦେଇଚି ।

 

ରତନ ଦେଖିଲେ–ଦୁନିଆଟା ତାଙ୍କରି ଆଡ଼କୁ ଆଖିମାରୁଚି, ଆଙ୍ଗୁଠି ଦେଖାଇ ହସୁଚି, ପରିହାସ କରୁଚି । ସତେଯିମିତି ସେ ଆଜି ଗୋଟାଏ ବଡ଼ ଭୁଲ୍ କରିଚନ୍ତି । ସେ ବିପଥରୁ ଉଧୁରିବାର ଆଉ ବାଟ ନାହିଁ । କୂଳ–କିନାରା ନାହିଁ । କିମିତି ସେ ଯିବେ ?

 

କେବଳ ବଞ୍ଚିବାର ଗୋଟିଏ ଅଦ୍ଭୁତ ଖିଆଲ ନେଇ ଅଲକ୍ଷ୍ୟରେ ସେ ଆଗେଇ ଚାଲିଲେ ଆଗକୁ । ମନରେ ସାହସ–ଛାତିରେ ଦମ୍ଭ । ସେ ନିଶ୍ଚୟ ଏ ପାପର ପ୍ରାୟଶ୍ଚିତ କରିବେ ।

 

ଲେଉଟାଣି ।

 

ଦିନ ନଇଁଲାଣି । ଅନ୍ଧାର ହେଇନି । ପୂର୍ବ ଆକାଶରେ ଚଲା ବାଦଲ ତଳେ ଚହଟି ଉଠିଲାଣି ସୁନା ରଙ୍ଗର ପୂନେଇଁ ଚାନ୍ଦ । ରଜନୀ ବଧୂର ଚୂର୍ଣ୍ଣକୁନ୍ତଳ ମଣ୍ଡି ମହକି ଉଠିଲାଣି ନିଶୀଗନ୍ଧା ଫୁଲ । ଶିଶିରର ରେଣୁ ଭେଦି ଝରିଲାଣି ହେନାର ସୁରଭି । ମେଘର ମେଖଳା ଲଙ୍ଘି ବେଦନା–ସିକ୍ତ ବିଦାୟ ସଙ୍ଗୀତ ଗାଇ ଗାଇ ନଈ ସେପାରିକୁ ରାତ୍ରୀଯାପନ ପାଇଁ ଉଡ଼ିଯାଉଚି ଚକ୍ରବାକ । ଏପାରିରେ ଚକ୍ରବାକୀର ମିନତିଭରା ଚାହାଣୀ–ଦରଦ କଣ୍ଠରେ ବେସୁରା କବିତାର ଗୁଞ୍ଜରଣ ।

 

ସାଇକେଲ ଘଣ୍ଟି ବାଜିଲା କ୍ରିଂ–କ୍ରିଂ–କ୍ରିଂ ।

 

ରତନଙ୍କ ଆଖିଆଗରେ ରେଣୁର ପ୍ରତିଚ୍ଛବି ଝଲକ୍ ମାଇଲା । ରତନ ସ୍ଥିର କରିପାରିଲେ ନାହିଁ । ପର ମୁହୂର୍ତ୍ତର ସୁନ୍ଦରୀ ଷୋଡ଼ଶୀ ସରଳା ଝିଅଟି ରେଣୁ, ଆଗରେ ଠିଆହୋଇ ବାଟ ରୋକିଲା । ନେତ୍ର ଯୁଗଳରେ ନୀଳପଦ୍ମର ଠାଣି । କୃତଜ୍ଞତାରେ ନଇଁଲା ମୁଣ୍ଡ । ଭୃଭଙ୍ଗିରେ ସୃଜନର ସ୍ୱପ୍ନ । ଗୋଲାପି ଅଧରରେ ସଲ୍ଲଜ ସ୍ମିତହାସ୍ୟ । ଅନୁପମ ତନୁତଳେ ଯୌବନରେ କବିତାମୟ ଧାରା । ମୁହଁରେ ଭାଷା ନାହିଁ । ବୁକୁତଳେ ଘେରେଇ ରଖିଚି ଚିର ସବୁଜ ଆଶାର ଲତିକା । ରତନ ନିର୍ବାକ ହେଲେ ।

ଦୁହେଁ ନୀରବ......

ଦିନ ରାତିର ମିଳନ ଲଗନ । ସାୟାହ୍ନର ଅନ୍ତିମ ଅସ୍ତରାଗର କେତୋଟି ସ୍ତିମିତ ରଶ୍ମି ରେଖାର ଢାଉରଙ୍ଗ ଗଛର ପତର ଫାଙ୍କ ଦେଇ ରେଣୁର ବର୍ତ୍ତୁଳ ଗାଲ ଉପରେ ଝରିପଡ଼ିଥିଲା ।

ନିମିଷକ ପରେ ।

ଶୁଖିଲା ଓଠରେ ହସର ସରୁ ଗାରଟିଏ ଟାଣି ହୋଇଗଲା ରେଣୁର । ସରମବୋଳା ମୁଣ୍ଡଟି ତା’ର ଆପେ ଆପେ ନଇଁପଡ଼ିଲା ତଳକୁ । ଧୀର ସ୍ୱରରେ ଥରିଲା କଣ୍ଠରୁ କଥା ପଦିଏ ଝରିଆସିଲା–ରତନଭାଇ ତମେ ଏମିତି ?

ଘର ପିଣ୍ଡା ଉପରୁ ମାଉସୀ ପାଟିକରି ଡାକିଲେ–ଆରେ ରତନ, ଏଇଠୁ ଏତେକ ଗରିବ ମାଉସୀଟିକୁ ପରକରି ଚାଲିଯାଉଚୁ ?

ରତନଙ୍କ ବାଟ ହଜା ମନଟା ବାଟକୁ ଫେରିଆସିଲା । ମନଭିତରେ କିଏ ଯିମିତି କହୁଚି–ଏଇ ମଣିଷ, ଏଇ ସମାଜ, ଏଇ ସଂସାର ରଙ୍ଗପାଣି ଭଳି ଘଡ଼ିକି ଘଡ଼ି ବଦଳେ । ସବୁବେଳେ ଦିନ ରାତିର ଲୁଚକାଳି ଖେଳ । ବଡ଼ଭେଳିକି ଦୁନିଆ–ଭେଳିକି ମଣିଷ ।

ଲୁଗା କାନିଟି ଟାଣି ଧରି ଆଗରେ ଚାଲିଲା ରେଣୁ । ନିରୀହ ଶାନ୍ତ ଶିଶୁଟି ପରି ପଛରେ ଚାଲିଲେ ରତନ ।

ମନଭିତରର ସବୁ ରାଗ, ସବୁ ଅଭିମାନ ପଛରେ ପଡ଼ି ରହିଲା ।

ରେଣୁ–ରେଣୁ

ଘର ଭିତରକୁ ପଶିଗଲେ ରତନ । ନିରୋଳା ଖଞ୍ଜାଟା ଭିତରେ କେହି କୁଆଡ଼େ ନାହାନ୍ତି । ତଳଘର ନଙ୍ଘାଚୁଲି ପାଖରେ ରେଣୁ ପିଠା ଛାଣୁଥିଲା । ପୁଣି ଥରେ ଜାଣି ଜାଣି କହିଦେଲେ ରତନ–ରେଣୁ ଘରେ ନାହୁଁ କି ?

ହଠାତ୍ ଗୋଟିଏ ଅଜଣା ଅହେତୁକ ଶୋଚନାରେ ଚମକିପଡ଼ିଲା । ରେଣୁ ଦେହଟା ତା’ର ଶୀତେଇଉଠିଲା । କେତେବେଳେ ତା’ ଛାତିରୁ ଲୁଗାକାନିଟା ଖସିପଡ଼ିଚି । ମୁଣ୍ଡ ମୁକୁଳା, ଫୁରୁଫୁରିଆ ବାଳଗୁଡ଼ାକ ଅଲରା ମଲରା ହୋଇ ପିଠିଉପରେ ପଡ଼ିଚି । ସେଥିପ୍ରତି ତା’ର ନଜର ନାହିଁ । ଲାଜରେ ସଢ଼ିଗଲା ରେଣୁ । ତା’ର ଛାତିଭିତରୁ ଗୋଟାଏ ଦମକା ଝାଳ ବହିଆସି ତା’ର ରଙ୍ଗିଲା ମୁହଁଟାକୁ ଆହୁରି ରଙ୍ଗିଲା କରିଦେଲା । ତରତରରେ ଲୁଗା କାନିଟା ସଜାଡ଼ିନେଇ ତା’ ଟିକି ମୁହଁଟି ଉପରେ ଆଙ୍କିଦେଲା ଗୋଟିଏ ଓଢ଼ଣା । ଗୋଡ଼ହାତ ତା’ର ଥରୁଥାଏ । ରତନଭାଇ କ’ଣ ଭାବିଥିବେ ?

ବନ୍ଧପାଖରେ ଛପିରହି ରତନବାବୁ ଦେଖୁଥିଲେ ରେଣୁର ରୂପ ମାଧୁରୀ । ତା’ର ସେହି ପୁଷ୍ପିତ ସୁନେଲି ଛାତିର ମୁକୁଳା ସୌନ୍ଦର୍ଯ୍ୟରେ ରତନବାବୁ ମୁଗ୍‌ଧ, ଆତ୍ମହରା । ରେଣୁ ଯୁବତୀ । ଅଙ୍ଗେ ଅଙ୍ଗେ ପହିଲି ଯୌବନର ଢେଉ ଖେଳୁଛି । ତା’ର ଅପରୂପ ସୌନ୍ଦର୍ଯ୍ୟର ମୋହିନୀ ଶକ୍ତି ରତନଙ୍କ ଯୁବକ–ପ୍ରାଣ।କୁ ତିଳ ତିଳ କରି ଭାଙ୍ଗି ପକେଇଲା । ରେଣୁର ସଜଫୁଟା ଯୌବନର ମହୁଆ ରୂପରେ ସେ ଆତ୍ମହରା ହୋଇପଡ଼ିଲେ । ଆଖିରେ ପଲକ ନାହିଁ, ମନ ଆୟତରେ ନାହିଁ, ଶିହରିଉଠିଲା ଦିହ । ପ୍ରାଣ ମତୁଆଲା, ଦିହ ମୁଣ୍ଡରେ ଜାଗିଉଠୁଥାଏ ଶତ କଦମ୍ୱର ରୋମାଞ୍ଚ । ହାତରେ ଧରିଥିବା ବହିଖଣ୍ଡକ ତଳକୁ ଖସିପଡ଼ିଲା । ଚମକିପଡ଼ିଲେ ରତନ ।

 

ତରତର ହୋଇ ଆର ଘରକୁ ପଳେଇ ଯାଉଥିଲା ରେଣୁ । ପଛଆଡ଼ୁ ଲୁଗାକାନିଟାକୁ ଟାଣିଧରିଲେ ରତନ । ଏତେ ଲାଜ କାହାକୁ ? ରେଣୁ ମୁହଁରେ ପାଟଳତା । ରତନ ଚାହିଁଥାନ୍ତି । ଆଖିଉପରେ ଆଖି, ଲଗାଲଗି ଦିହ । ଯୁବକ ଯୁବତୀର ପ୍ରାଣ–ଦୁଇଟି ଉଛୁଳା ନଈ ।

 

ମାଉସୀ କୁଆଡ଼େ ଯାଇଛନ୍ତି କି ରେଣୁ ?

 

କିଏ ବୋଉ ନା ? ଏଇନେ ଦାଣ୍ଡରେ କାହାକୁ କ’ଣ କହୁଥିଲା । ଉପର ସାଇ ରାଧିମା ଘରଆଡ଼େ ଗଲାକି କ’ଣ । ଏ ଆମ ଗାଁ ଶେଷମୁଣ୍ଡକୁ ରାଧିମା ଘର । ବିଚାରୀ ନିଆଶ୍ରୀ ଲୋକର ଗୋଟିଏ ବୋଲି ପୁଅ–ରଥିଆ । କୋଡ଼ିଏ ବରଷର ଭେଣ୍ଡିଆ ଟୋକା । ବିଚାରୀ ରାଧିମା କେତେ କଷ୍ଟରେ ଧାନ କୁଟି କୁଟି ନିଳ ଦିହକୁ ଶୁଖେଇ ରଥିଆକୁ ମଣିଷ କରିଥିଲା । ଦି’ବରଷ ତଳେ କେତେ ଟଙ୍କା ଖରଚକରି ବାହା କରିଥିଲା । ଯେଉ ଦିବ୍ୟ ସୁନ୍ଦରୀ ବୋହୂ ଆମ ଆଖପାଖ ମୌଜାରେ ନାହିଁ ନ ଥିବ । ବରଷେ ହେଲା ଘରେ ରହିଲାଣି । ଏ ବରଷ ଆଣିବ ବୋଲି ରାଧିମା ସବୁ ଗହଣା ଗଢ଼େଇ ଥିଲା । ବିଚାରୀ ଯେତେ ଆଶା କରିଥିଲା ସବୁ ତା’ର ଗଲା । ଆଜି ରଥିଆ କାମରୁ ଆସି ନଈକି ଗାଧେଇ ଯାଇଥିଲା । ଆଉ କେତେ ଗାଧୋଉଥିଲେ । ରଥିଆକୁ ମଗର ନେଇଗଲା । ସମସ୍ତେ କିଲିକାଲିଆ ହୋଇ ଉପରକୁ ପଳେଇଆସିଲେ । ଗାଁବାଲା ଡଙ୍ଗା ଛୁଟେଇ ଚାରିଆଡ଼େ ଖୋଜିଲେ । ରଥିଆ କାହିଁ ? ବିଚାରୀ ରାଧିମା ଯିମିତି ଶୁଣିଲା କାନ୍ଦି କାନ୍ଦି ନଈକୂଳକୁ ଛୁଟିଲା । ନଈକି ଡେଇଁପଡ଼ୁଥିଲା । ଲୋକେ ଧରାଧରି କରି ରଖିଛନ୍ତି । ମୁଣ୍ଡ ବାଡ଼େଇ ତା’ ମୁଣ୍ଡ ଫୁଟିଗଲାଣି । ଆଉ କାହିଁ ଥାଏ ? ବିଚାରୀର ଭେଳା ବୁଡ଼ିଗଲା । ବୋଉ ସେଇଠିକି ଯାଇଥିବ କି କ’ଣ....ଏ ବରଷ ଆମ ଗାଁ ଦି’ଟା ଲୋକଙ୍କୁ ମଗର ନେଲାଣି । ଗୋଟେ ହଗୁରା ବୁଢ଼ା, ତା’ର କେହିନଥିଲେ । ମାଗିଜାଚି ଖାଉଥିଲା । ଭାଗବତଘର ପିଣ୍ଡାରେ ଶୋଉଥିଲା । ତାକୁ ମଗର ନେଇଗଲା । ସମସ୍ତେ କହିଲେ ସେ ମଲା ନାହିଁ ଯେ ଏ ସଂସାରୁ ତରିଗଲା । ଆଉ ଏଇ ଯଉ ରଥିଆ କଥା......ଆହା...ତା’ ବୋହୂଟି ଯେଉଁ ସୁନ୍ଦର ! ପୁଆଣିଘର ନ ଯାଉଣୁ ସେ ପୁଣି ହାତରେ କାଚ କାଢ଼ିବ ?

 

ରତନ ହସି ହସି କହିଦେଲେ–ଏତେ ଲୋକଙ୍କୁ ମଗର ଟାଣି ନେଇଯାଉଚି ଆଉ ଏ ଗୋପନଗର ଗାଁର ନିହାତି ଅସନୀ କୋତରୀ ରେଣୁଟାକୁ କିଏ ଟାଣି ନେଇଯାଉନି ?

 

କାହିଁକି ମ, ମତେ କିଏ ଟାଣି ନବ । ତମର ଆଉ ଯିଏ ଅଛି ତାକୁ ଟାଣିନଉନି । ତାକୁ ଲୋଭ ଲାଗୁଛି କି ? ରେଣୁ ହସିଲା ।

 

ସଙ୍ଗେ ସଙ୍ଗେ ରତନ କଥାର ଖିଅଧରି କହିଲେ–ହଉ ହଉ ସେଇ କଥା ଏବେ ହେଲା-। ମୋର ତ ଆଉ କେହିନାହାନ୍ତି । ମୁଁ ଏକୁଟିଆ, ଘରୋଇ ମଠରେ ବାବାଜି । ଏ ଦିହଭିତରୁ ମନଟାକୁ ପୁଣି ଜଣେ ନେଇଚି । ଗୋଟେ ଶକ୍ତ ଦଉଡ଼ିରେ ବାନ୍ଧିଚି । ମୁଁ ଟାଣିଲେ ବି ଛିଣ୍ଡୁନି । ସେଇ ଦଉଡ଼ି ଟଣାରେ ମନ ଭିତରେ ପୁଣି ଗୋଟେ ଦାଗ ବସିଲାଣି । ସେ ଦାଗକୁ ବି ଲିଭେଇ ଲିଭେଇ ଲିଭୁନି । ବରଂ ବେଶୀ ବେଶୀ ଦାଗ ହଉଚି । ରତନ ନିଜ ଆଡ଼କୁ ଚାହିଁ ଟିକେ ଆଖି ଠାରିଦେଲେ । ସେଇ ଆଖି ଠରାରୁ ରେଣୁ କ’ଣ ବୁଝିଲା କେଜାଣି ସରମରେ ତା’ ମୁହଁଟା ତଳକୁ ନଇଁପଡ଼ିଲା । ‘‘ତମେ ଏମିତି ଜଣେ ରତନ ଭାଇ’’, କହି ରେଣୁ ଦୌଡ଼ି ପଳାଇଲା ଆର ଘରକୁ ।

 

ସେତିକିବେଳେ ଘରଭିତରକୁ ପଶିଆସିଲେ ମିନତୀ ଦେବୀ ରେଣୁର ବୋଉ । ରତନକୁ ଦେଖି କହିଲେ–ମୋ ପୁଅ କେତେବେଳେ କିରେ ?

 

ରତନ ନମସ୍କାର କରୁ କରୁ କହିଲେ–ଏହିତ ତମର ଆଗେ ଆଗେ ଆସୁଚି ମାଉସୀ ।

 

–ରେଣୁ ଘରେ ନାହିଁ କି ?

 

ହସି ହସି କହିଦେଲେ ରତନ । ରେଣୁଟା ବଡ଼ ଲାଜକୁରୀ ମାଉସୀ । କଥା କହିବା ତ ଦୂରର କଥା । ମୁଁ ଆସିଲାବେଳେ ରେଣୁ ପିଠା ଛାଣୁଥିଲା । ମତେ ଯିମିତି ଦେଖିଚି ଜଳନ୍ତା ଚୁଲିରେ ତେଲ କରେଇଟା ଛାଡ଼ିଦେଇ ପଡ଼ିଉଠି ଛୁ । ସେତିକି ବେଳୁ ଯାଇଁ କୋଉ ଘରେ ପଶିଛି । ଆଉ ଟିକକରେ ତେଲକରେଇଟା ଜଳିଯାଇଥାନ୍ତା । ମୁ୍ଁ ତଳେ ରଖିଦେଇଚି ।

 

କଥାଟା ଶୁଣି ନ ହସି ରହିପାରିଲାନି ରେଣୁ । ମନେମନେ ଭାବିଲା....ରତନ ଭାଇ ଭାରି ଚାଲାଖ୍ । ଭାରି ବାଗରେ କଥା କହି ଜାଣନ୍ତି ।

 

ମିନତୀ ଦେବୀ ବଡ଼ପାଟିରେ ଡାକିଲେ....ଆଲୋ ରେଣୁ, ଏଣେ ଆସିଲୁ । ତୋର ତ ଭାରି ବହପ । ଆଲୋ ତୋର ଏ ସବୁ କି କଥା । ରତନ ପରିକା ପିଲା, କୋଉ ଘରର ପୁଅ, ସେ କେତେବେଳୁ ଆସି ଠିଆହେଲାଣି । ଏତେବେଳଯାଏ ଗୋଡ଼ ଧୋଇବାକୁ ପାଣି ଢାଳେ ବି ଦେଇନୁ-? ଆଲୋ ଆପଣାର ଲୋକ ସବୁଦିନେ ଆପଣାର ହୋଇ ରହନ୍ତି ନାହିଁ ଲୋ, ଅତି ଆପଣାର ହୋଇ ଅଣ୍ଟିରେ ପଶି ତଣ୍ଟି କାଟନ୍ତି । ବଡ଼ ଅକୃତଘ୍ନ–ନିମକହାରାମ ଗୁଡ଼ାକ । ଯେଉଁମୋନେ ଅତି ଆପଣାର ହୋଇ ପଦିଏ କଥାରେ ଭରା ନଈକି ପାଦ ବଢ଼େଇ ଦଉଥିଲେ ସେମାନେ ଆଉ ଆପଣାର ହୋଇନାହାନ୍ତି । ପରଠୁ ପର ସାତ ପର । ଆଖି ଆଢ଼ୁଆଳରେ ରହି ଆମର ହଟ ଦେଖୁଚନ୍ତି । ଆଉ ଏ ରତନ, ମୋର ପୁଅଠୁ ବଳି.....ଧରମ ପୁଅ । ଆମେ ତାକୁ ଶହେ ଷାଠିଏ କୁଢ଼େଇ ଦଉଚୁ ନା କ’ଣ ? କେବଳ ପଦିଏ କଥା । ମନ ମନର ମିଳନ । ଦେଖା ଚାହାଁର ମୋହ-। ସେଇଥିପାଇଁ ରତନ ଆମ ଘରକୁ ଆସେ । ଭଲମନ୍ଦ ବୁଝି ପୁଣି ଚାଲିଯାଏ । ତାକୁ ପୁଣି ତୁ ଲୁଚୁଚୁ-?

 

ରତନଭାଇ ମିଛରେ କହୁଚନ୍ତି ବୋଉ । ମୁଁ ପରା ପାନ ନବାକୁ ଏ ଘରକୁ ଆସିଥିଲି ।

 

ଆଲୋ, ରତନ ପରା ତୋର ଭାଇଟା ହବ । ଲାଜ ଗୋଟାଏ କ’ଣ ? ଯାଉଚୁ ନା ଗୋଡ଼ତଳେ ପଡ଼ିବୁ ।

 

ସେତେବେଳକୁ ରତନ ଯାଇଁ ବସି ସାରିଥିଲେ ଘର ଭିତର ଖଟଉପରେ । ରେଣୁ ଆସି ହାତଟେକି ନମସ୍କାର କଲା । ପାଖରେ ଥିଲେ ମିନତୀ ଦେବୀ । ସଙ୍ଗେ ସଙ୍ଗେ କହିଲେ–

 

ଦେଉନୁରେ ରତନ ତା’ ଗାଲରେ ଦି’ଚାପୁଡ଼ା । ସିଏ ଏଡ଼େ ବଡ଼ ଚଉଦ ବରଷର ଝିଅଟିଏ ହେଲାଣି, ଟିକେ ବୁଦ୍ଧି ଅକଲ ହେଉନି । ଅଣ୍ଡିରାଙ୍କ ପରି ଠିଆ ଠିଆ ଜୁହାର ହେଉଚି ।

 

ବଡ଼ ଲାଜକୁରୀଟାଏ ହବ ମାଉସୀ । ଏଠିତ ଏମିତି, ପର ଘରକୁ ଗଲେ କିମିତି ଚଳିବ-? ଭାରି ମାଡ଼ଗାଳି ଖାଇବ, ତମକୁ ବୋଲଣା ଶୁଣେଇବ ।

 

ହଠାତ୍ ଚମକିଉଠିଲା ରେଣୁର ଛାତିଟା । ପର ଘର ? କିଏ ପର, ରତନଭାଇ ? ସିଏ କ’ଣ ତାଙ୍କ ଅନ୍ତର ଭିତରର ଖାଲି ଜାଗାଟିକୁ ମତେ ପୂରଣ କରିବାକୁ ଦେବେନି ? ପଚାରି ଆସୁଥିଲା–ତୁମକୁ ପରବୋଲି କିଏ କହୁଚି ରତନଭାଇ ? ତୁମେ ନା ମୁଁ ? ମୁଁ ତ କହୁନି ? ମୁଁ କହୁଚି ତୁମେ ମୋର ନିଜର–ଆପଣାର–ନିହାତି ଆପଣାର । ତୁମ ପାଖରେ ଚଳି ନ ପାରିଲେ ତୁମେ କ’ଣ ମତେ ଚଳେଇ ନବନି ରତନ ଭାଇ ? ଭାବିଲାସିନା କହିବାକୁ, କିନ୍ତୁ ପାରିଲାନି । ପାଟିଯାଏ କଥାଟା ଆସି ପୁଣି ଅଟକି ଗଲା ତଣ୍ଟି ପାଖରେ । ଢୋକ ଗିଳିଲା ରେଣୁ । ମୁଣ୍ଡ ନୂଆଇଁ ନମସ୍କାର ହେଉ ହେଉ ଥିଇରି ଥିଇରି କହିଲା–ତୁମେ କାହିଁକି ଗାଳି ଶୁଣୋଉଚ ରତନ ଭାଇ ?

 

ମୁଁ ତେବେ ଆଉ ଆସିବିନି ?

 

ଆଉ ?

 

+ + +

 

ମିନତୀ ଦେବୀ ଘରେ ନାହାନ୍ତି । ଏକୁଟିଆ ନିରୋଳା ଘର ବଖୁରୀଟିରେ ଏକୁଟିଆ ରତନ–ରେଣୁ । ଗୋଟିଏ ଚାନ୍ଦ, ଗୋଟିଏ କଇଁବଧୂ, କଇଁବଧୂର ପୂରିଲା ମୁହଁ, ସରୁ ସରୁ ତୁଳିରେ ଅଙ୍କା ରଙ୍ଗିଲା ଭ୍ରୂଲତା ଦିଓଟିର ଥର ଥର ଭଙ୍ଗିଦେଖି ଚାନ୍ଦ ହସୁଚି । ହସର ଅର୍ଥ ନ ବୁଝି କଇଁବଧୂ ବି ହସୁଚି, ଦୁହିଁଙ୍କର ପ୍ରାଣ ଛଟପଟ, ଚାହାଣିରେ ଲାଳସା, ଆତ୍ମାରେ ହତାଶ, ଦୁହେଁ ଯାକ ଖୋଜି ବୁଲୁଛନ୍ତି ତାଙ୍କ ଟିକି ସଂସାରଟିକୁ ବାଟ କୁଆଡ଼େ । କେତେ ତ ବାଟ ଅଛି । କେଉଁ ବାଟ ସଳଖ ତ କେଉଁ ବାଟ ବଙ୍କା । କେଉଁ ବାଟ କଣ୍ଟା ତ କେଉଁ ବାଟ ଆବର୍ଜନାପୂର୍ଣ୍ଣ । ଆଉ କେଉଁ ବାଟ ନୀଳ ସାଗର । ଅକାତ କାତ ପାଣି । ଜୁଆରିଆ ଢେଉଗୁଡ଼ିକ ଛୁଟିଆସି ପିଟିହେଉଚି ବାଲିକୁଦ ଉପରେ । ପୁଣି କୁଆଡ଼େ ମିଳେଇଯାଉଚି । ପୁଣି ଆସୁଚି ଆଉ ଗୋଟିଏ ଢେଉ । ମଝି ସାଗରରେ ହୁଲିଡ଼ଙ୍ଗା ଖଣ୍ଡିଏ ଟଳଟଳ ହେଉଚି । ବୁଡ଼ିଯିବକି ଆଉ ?

 

ରତନ ଚାହିଁଲେ ରେଣୁର ମୁହଁକୁ । ଦୃଷ୍ଟି ଆବୋରି ରହିଲା ଗୋଟିଏ ଚଳନ୍ତି ପ୍ରତିମାର ରୂପ ପସରା ଉପରେ । ପୁରାଣର ନୀତିକଥା, ସମାଜର ତାଡ଼ନା, ସାଇ ପଡ଼ିଶାର ଲୋକାପବାଦ ଆଖିଆଗରେ ପରଦା ଟାଣିଲା । ଦୃଷ୍ଟି ଫେରେଇଲେ ରତନ । ଆଖି ରହିଲା କାନ୍ଥରେ ଝୁଲୁଥିବା ଫଟୋ କେଇଟି ଉପରେ । କେତେ ଫଟୋ ତ ଅଛି । ଆଖି ରହୁଛି ଗୋଟିଏ ଉପରେ । ଛଳନା କରି ଚାହିଁଲେ ଅନ୍ୟଆଡ଼େ । ଅମାନିଆ ଆଖି ମାନିଲାନି । ପୁଣି ଧାଇଁଲା ସେଇଆଡ଼େ । ଯେଉଁ କାନ୍ଥରେ ରୂପର ଢେଉ ଛପିଚି । ଯେଉଁ ରୂପ ରତନଙ୍କ ଛାତିତଳେ ଲହଡ଼ି ଭାଙ୍ଗୁଚି । ବୁକୁ ତଳୁ କୁହୁଳିଉଠୁଚି ମନସିଜ ଅଲିଭାନିଆଁ ।

 

ପାଖରେ ରେଣୁ । ବେଳେବେଳେ ଦୁଷ୍ଟାମି ହସ । ଦୁଷ୍ଟାମି କଥା–ନଭେଲ ବହି ପଢ଼ିବ ରତନ ଭାଇ ? ହେଇ ନିଅ–ମଧୁରାତି, ଅଭିମାନ, ବନକେତକୀ, ବାସର ଶେଯ, ଲଭଲିଲେଡ଼ି କାହାକୁ ପଢ଼ିବ ?

 

ରତନଙ୍କ ଦୃଷ୍ଟି ରହିଚି ଅନ୍ୟଆଡ଼େ ।

 

ଗ୍ରାମ୍‌ଫୋନ୍ ଶୁଣିବ ରତନ ଭାଇ । ଭାରି ଭଲ ଗୀତଟିଏ ଗାଇଛନ୍ତି ବାବାଜି ଚରଣ ବାରିକ । କୁଣ୍ଡପାଟଣା ଡ୍ରାମାଟିକ୍ କ୍ଲବର ତବଲା ବାଦକ ଆଉ ସଙ୍ଗୀତ ମାଷ୍ଟର । ଭାରି ଭାବପୂର୍ଣ୍ଣ ଲେଖା । ଶୁଣିଲେ ହସିବ ଯେତିକି କାନ୍ଦିବ ବି ସେତିକି ।

 

ଗ୍ରାମ୍‍ଫୋନ ବାଜିଲା–

 

ପ୍ରାଣ ସହିରେମୋ କଥା କି ମନରେ ନାହିଁ

କେଉଁ ଦୂର ବିଜନରେ ରହିଲ ଯାଇଁ ।

ସୁଲୁ ସୁଲୁ ବାଆା କୋଳେକୁଳୁକୁଳୁ ପାଣି କୂଳେ

ହୋଇଥିବ ତବସାଥେ ପହିଲି ଦେଖା,

ଚକ୍ରବାଳେ ଡୁବି ଡୁବିଯାଉଥିଲେ ଅସ୍ତରବି

ଫିଟୁଥିଲା ତ୍ରିଜାମାର କଜଳ ରେଖା ।

ବାଲି ଶେଯେ–

ଲାଜେ ଲାଜେ–ହସିଲି ମୁହିଁ ।

 

ଗୀତ ପ୍ରାୟେ ଶେଷ । କିଏ ଗୋଟିଏ ଝିଅ ଆସି ଡାକିଦେଲା ଦୁଆରେ–ଶୁଣି ଯିବୁ କିଲୋ ରେଣୁ ଦେଈ ଗୋଟିଏ କଥା । ରେଣୁ ଉଠିଲା, ରତନଙ୍କ ମନର ହରଷତା ଛପିଗଲା ପ୍ରାଣର ହତାଶରେ । ମନର ଉତ୍ତେଜନାରେ ରତନ ଟାଣିଧରିଲେ ରେଣୁର ଲୁଗା କାନି । ପଦାରେ ଥିଲା ଝିଅଟି । ତାଳିମାରି ହସିଦେଇ ଚାଲିଗଲା ପଦାକୁ । ତା’ ପଛରେ ଥିଲା ରେଣୁ । ଏକୁଟିଆ ଘରଭିତରେ ଏକୁଟିଆ ରହିଲେ ସେ–ରତନ । ପାଖରେ ଥିଲା ପୁରୁଣା ସ୍ମୃତିର ମରମଭେଦି କାହାଣୀ କୁହା ସେ ରେକର୍ଡ଼ର ଗୀତଟି । ପୁଣି ଥରେ ବଜେଇଲେ ରତନ । ଖାତା ଧରି ପଦ ପଦ କରି ଲେଖିଲେ । ଆଖିଆଗକୁ ବିସ୍ମୃତିର ପରଦା ଆସ୍ତେ ଆସ୍ତେ ଘୁଞ୍ଚି ଘୁଞ୍ଚି ଆସିଲା । ମନହେଲା ଯିମିତି ସମୟର ଉଜାଣି ସୁଅ ଛୁଟିବ । ସେ ସେଇଥିରେ ପଶି ଉବେଇ ଟୁବେଇ ହେଲେ । ପୁରୁଣା ସ୍ମୃତିର ଅଡ଼ୁଆ ତଡ଼ୁଆ ଖିଅ ଭିତରେ ପଶି ସେ ଖୋଜିବୁଲିଲେ ଏ ଖିଅର କେଉଁଠି ଆରମ୍ଭ, କେଉଁଠି ଶେଷ । ପଛଆଡ଼ୁ ଶୁଭିଲା ଆଗ ଝିଅଟିର ପାଟି । ଯାଉନଉଁ ଲୋ ଟୋକି, ଘଇତାକୁ ପାଖରେ ବସି ମନ ପୂରେଇ ଦେଖିବୁ । ଲୁଚି ଲୁଚି କ’ଣ ଦେଖୁଚୁ ?

 

ରତନଙ୍କ ଭାବନା ଗୋଳମାଳ ହୋଇଗଲା । ପଛକୁ ଚାହିଁଲେ ଝରକାଆଡ଼େ । ଝରକାର ପଛପଟରେ ଲୁଚିଗଲା ଝିଅଦୁଇଟିଙ୍କର ଛାଇ । କାନରେ ବାଜିଲା କିରିକିରିଆ ହସର ଢେଉ । ମନର ଆବେଗରେ ଠିଆହେଲେ ରତନ । ଇଚ୍ଛାହେଉଚି, ଝରକା ପାଖକୁ ଯିବେ । ଦେଖିବେ ସେ ଝିଅ ଦୁଇଟି କିଏ । ପୁଣି ଛାତି ଚମକିଉଠିଲା । ପାଦ ଅଟକିଗଲା । ଠିକ୍ କଲେ, ନା ସେ ଯିବେନି, ଛି ନିହାତି ଅନୀତି କଥା । ଅପକୀର୍ତ୍ତି କଥା । ମାଉସୀ ବା ଆଉ କିଏ ଦେଖିଲେ କ’ଣ ଭାବିବେ ? ରତନ ଭାବନା ରାଇଜର ତଳକୁ ଖସିଲେ ।

 

ଘର ଭିତରକୁ ପଶିଆସୁଥିଲେ ମିନତୀ ଦେବୀ । ରତନ ପଚାରିଦେଲେ–ରେଣୁ କୁଆଡ଼େ ଗଲାକି ମାଉସୀ ?

 

ତା’ର ବଡ଼ ଗଉଁ ପୁଅ । ସେଇଠି ଥିବ ଯେ ଅଠର ପଦରେ ପଦେହେଲେ ଜବାବ ଦେବନି । ଭଲ ମନ୍ଦରେ ପଦିଏ କହିଲେ ତିନିଦିନ ରୁଷି ଶୋଇବ । ସବୁବେଳେ ଖାଲି ମୋ ଜୀବନ ଖାଉଚି–ତୁ କାହିଁକି ମତେ ସ୍କୁଲ ବନ୍ଦ କଲୁ । ମୋର କି ଦୋଷ କହିଲ ପୁଅ । ଯେତେବେଳେ ଝିଅ ଥିଲା ଥିଲା । ବଢ଼ିଲା ଝିଅ । ଆଜିକାଲି ଯୁଗ ଯିମିତି । ଟିକିଏ କ’ଣ ହେଲେ ଗାଁଯାକ ହାଟ ବସାଇବେ, ନାଁ ଗାଁ ପଡ଼ିବ । ସେଥିପାଇଁ ବାପା ମନାକରି ଲେଖିଲେ । ହାତେ ମାପି ଚାଖଣ୍ଡକରେ ଚାଲିବା ଭଲ । ମୁଁ ମନାକଲି । ସେଇ ଉପର ଘରେବସି ସବୁବେଳେ ତା’ର ମନକୁ ମନ କ’ଣ ଲେଖୁଚି, ଲେଖୁ କ’ଣ ଏତେ ଲେଖୁଚି ?

 

ତା’ କଥାର ମୁଁ ଧାଡ଼ି ନା ସାଡ଼ି ପାଉଚି ପୁଅ । ସେଟା ବାଇଆଣୀ ହେଇଯିବ କି କ’ଣ । ଖାଇବା ପିଇବାରେ ଠିକ୍ ଠିକଣା ନାହିଁ । ଡାଆଣୀ ଲାଗିଲା ପରି ସବୁବେଳେ ବାରୁବାରୁ ହେଇ କାହାକୁ କ’ଣ କହୁଚି । କ’ଣ ଲେଖୁଚି । କିଲୋ ରେଣୁ କ’ଣ ଏତେ ଲେଖୁଚୁ । ଯାଉନଉ ଗାଧୋଇ–ଯାଉନଉ ଖାଇବୁ । କେତେ ଗେଧେଇବି । କିଛି କହୁନି । ଖାଲି ହଁ ଯାଉଚି, ହଁ ଯାଉଚି ।

 

ରତନଙ୍କ ମନଭିତରେ ପ୍ରଶ୍ନବାଚିର ମହାନ୍ ଦ୍ରୁମ । ରେଣୁ କ’ଣ ଏତେ ଲେଖୁଚି ? କ’ଣ ନାଟକ ? ନା ଉପନ୍ୟାସ ? ଯାହା କିଛି ଲେଖିଲେ ବି ସେଥିରେ ନାୟକ ନାୟିକା ତ ଦୁଇଜଣ ନିଶ୍ଚୟ ଥିବେ । ରେଣୁ ତ ନାୟିକା ଆଉ ନାୟକ କିଏ ? ଏକ ଅଜଣା ମିଳନ ଆନନ୍ଦର ଆଶାରେ ଦିହଟା ତେଜିଉଠିଲା । ଭୋକିଲା ଆତ୍ମା ତାଙ୍କର ଆହୁରି ଭୋକରେ ଛଟପଟ ହେଲା । ଗୋଟିଏ ଅକୁହା ଗୋପନ ମଧୁର ମିଳନର ପ୍ରବଳ ମୋହରେ ପ୍ରାଣଟା ଉଲ୍ଲସିଉଠିଲା । ମନର ସାନ୍ତ୍ୱନା–ନଈର ବାଲିବନ୍ଧ । ଯୌବନର ଚଳନ୍ତି ସୁଅଆଗରେ ସେ କେଇଦିନ ତିଷ୍ଠିବ ? ମନ ମନର ମିଳନ । ପ୍ରାଣ ପ୍ରାଣର ଦିଆଦିଆ, ଜୀବନର କାମ୍ୟ । ମିଳନ ଆଗରୁ ମିଳନର ଆଶାରେ ରତନଙ୍କ ମନ ସପନ ରାଇଜରେ ବୁଲି ସପନ ଛବି ଆଙ୍କିଲା......

 

......ଝରା ବଉଳର ଗୋଟିଏ ଚଇତାଳି ସଞ୍ଜ । ବସନ୍ତର ଶେଷ ସଙ୍ଗୀତ ଗାଇଗାଇ କୋଇଲିଟି ଫେରିଗଲାଣି କେତେବେଳୁ । ସରଗରେ ଚାନ୍ଦ ହସୁଚି । କାଠଯୋଡ଼ିର ବୁରୁଜତଳ କାଚପାଣିରେ ଚହଲି ଚହଲି ନାଚୁଚି ଚାନ୍ଦର ଛାଇ । ଧୂଆଁ ଉଡ଼େଇ ଉଡ଼େଇ ରେଳପୋଲ ଉପରେ ଛୁଟିଯାଉଚି ଯାତ୍ରୀ ବୁହା ଗାଡ଼ିଟା । କାନଯାଏ ଭାସିଆସୁଚି ତା’ର ବେସୁରା ବଂଶୀର ତାନ । ନରାଜ ପାହାଡ଼ର ପତ୍ର ଗହଳିଆ ବନଲତାର ପଛପଟ ଛବିଳ ଆକାଶରେ ଶେଷ ରବିର ସିନ୍ଦୁର ଆଭା । ତା’ ମଝିରେ ଖଣ୍ଡିଏ ଖଣ୍ଡିଏ ଭସାଣିଆ ମେଘ । ଏ ସବୁ ଶୋଭାରାଶିର କେନ୍ଦ୍ରସ୍ଥଳୀ କାଠଯୋଡ଼ିର ବାଲିଶେଯ ଉପରେ ବସିଛନ୍ତି ରତନ । ପାଖରେ ରେଣୁ । ରତନଙ୍କ କୋଳ ଉପରକୁ ଆଉଜିପଡ଼ି ରେଣୁ କହୁଚି–ଅନେଇଲ, ଉପରେ କିମିତି ଚାନ୍ଦ ହସୁଚି । ତମେ ଏମିତି ହସୁନ । ରତନଙ୍କ ପ୍ରାଣରେ ପୁଲକ, ମୁହଁରେ କଥା । ରେଣୁ, ଜୀବନଟା କେଡ଼େ ସୁନ୍ଦର ସତେ । ମନ ବୀଣାର ତାରେ ତାରେ ଏହି ମିଳନର ଛନ୍ଦ ମୁଁ ଭୁଲିପାରିବିନି ।

 

X X X

 

ରତନଙ୍କ ସପନ ଭାଙ୍ଗିଲା । ଯାଇଁ କବାଟରେ ଟିପା ମାରିଲେ । ଟିକ୍ ଟିକ୍ ଟିକ୍ । କୌଣସି ଏକ ଭାବନାର ଖିଆଲରେ ରେଣୁ କବାଟ ଖୋଲିଲା । ବାହାରେ ରତନ । ଭିତରେ ରେଣୁ । ମୁହାଁମୁହିଁ ଦେଖାଚାହାଁ ନିହାତି ପାଖରେ । ରେଣୁର ଛାତି ଭିତରେ ଚରକି ବାଣ ମାରିଲା ଯିମିତି । ସେହି ମୁହୂର୍ତ୍ତକ ଦେଖାରେ ତା’ର ଆଖିଦିଇଟାରେ ଯିମିତି ଗୋଟାଏ ମୋହ, ଗୋଟାଏ ମାଦକତା କିଏ ଖେଳେଇଦେଲା । ଲାଜରେ କି ଭୟରେ କେଜାଣି କାହିଁକି ତା’ର ଛାତି ଭିତର ଥରିଉଠିଲା । ବାହାରିଥିଲା ରେଣୁ ପଳେଇ ଯିବାକୁ । ରତନ ବାଟ ଅଟକେଇନେଲେ । ରେଣୁର ହାତ ପାପୁଲି ସାଉଁଳଉ ସାଉଁଳଉ ରତନ କଥା ଆରମ୍ଭ କଲେ ।

 

ମାଉସୀ କହୁଚନ୍ତି ନିଜର ଖାଇବା ପିଇବା ଭୁଲି ଦିନରାତି କ’ଣ ଏତେ ଲେଖୁଚୁ । କ’ଣ ନାଟକ ନା ଉପନ୍ୟାସ ? ତୁ କାଳେ କୁଆଡ଼େ ବାଇଆଣୀ ହୋଇଗଲୁଣି ?

 

ରେଣୁ ଲୁଗା କାନି ନେଇ କାମୁଡ଼ିଲା । ବିନୟରେ ତା’ ମୁଣ୍ଡ ନଇଁପଡ଼ିଲା ତଳକୁ ।

 

ଜୀବନରେ ଗୋଟିଏ ସମୟ ଆସେ । ଯେତେବେଳେ ମନହୁଏ ଚଞ୍ଚଳ, ରକ୍ତ ହୁଏ ଗରମ, ଭଲମନ୍ଦର ବିଚାର ରହେନା । ମନ ଭିତରର କେଉଁ ଏକ ସୂକ୍ଷ୍ମତନ୍ତ୍ରୀରେ ଗୋଟାଏ ଅସ୍ପଷ୍ଟ କରୁଣ ରାଗିଣୀ ଝଙ୍କାରିଉଠେ । ପ୍ରତି ଲୋମମୂଳ ଶିହରାଇ ଦିଏ । ମେଘ ସଙ୍ଗେ ଲୁଚକାଳି ଖେଳିଲା ଜହ୍ନ, ଘଡ଼ିଏ ଲୁଚି ଘଡ଼ିଏ ଓଢ଼ଣା ଟାଣିଲା ପରି ମନଟା ସବୁବେଳେ ଲୁଚକାଳି ଖେଳେ । ଘଡ଼ିଏ ଘରେ ତ ଘଡ଼ିଏ ବାହାରେ । ଦିହଟା ଉଚ୍ଚାଟ ହୁଏ । ସେଇ ଉଚ୍ଚାଟ ଭିତରେ ଅକୁଳ ସାଗରରେ ସେ ଭସାଇ ଦିଏ ଆଶାର ତରି । ମୁଁ ଭସେଇଚି । ତୁ ବି ଭସେଇଚୁ । ଆଚ୍ଛା କହିଲ ରେଣୁ, ତୁ ଯୋଉଁ ତରିଟି ଭସେଇଚ, ସେ ଯେଉଁ କୂଳରେ ଲାଗିବ ସେ କୂଳର ନାଁଟି କ’ଣ ?

 

ଅକୁଳ ସାଗର ଭିତରେ କୂଳ ପୁଣି ଆସିବ କୁଆଡ଼ୁ ?

 

ସେଇଠୁଁ ହୁଏ ନୂଆ କୂଳର ସୃଷ୍ଟି । ନୂଆ ଜୀବନର ଆରମ୍ଭ । ଜୀବନଯାତ୍ରାର ପହିଲି ଝରଣାଟି ସେଇଠୁ ଝରେ । ସେ ପୁଣି ସୃଷ୍ଟିକରେ ଆଉ ଗୋଟିଏ ଝରଣା । ଏକରୁ ଦୁଇ, ଦୁଇରୁ ତିନି । ତାପରେ ଆଉ ଆଉ । ସମୟ ଗଡ଼ିଗଲେ ଆଗକୁ ଆଗକୁ ।

 

ରେଣୁ କଥାରେ ବାଧାଦେଇ କହିଲା–ତମର ସେ କବିଭାଷା ଥାଉ । ତମେ ଆଗ କହିଲ ତମେ ଯେଉଁ ତରୀଟି ଭସେଇଚ ସେ କେଉଁ କୂଳରେ ଲାଗିବ ?

 

ସେ ତ ନିହାତି ସହଜ । କୂଳ ଆସି ନିହାତି ପାଖରେ ହେଇଗଲାଣି । ଚାହିଁଲେ ଦିଶିବ ।

 

ମୋର କିନ୍ତୁ କୂଳଠାରୁ ବହୁତ ଦୂରରେ ଅଛି । ଚାହିଁଲେ ଆଖିପାଉନି କି ଭାବିଲେ ଭାବନା ବି ପାଉନି । ଚକ୍ରବାଳର ଅନ୍ତିମ ରେଖା, ଯେଉଁଠି ଲୁଚେ ଶେଷ ସୁରୁଜର ସୁନେଲି ରଶ୍ମି । ଭାବନା ମୋର ତା’ ଚାହିଁ ଆହୁରି ଦୂରରେ ।

 

ମାନେ ?

 

ମାନେ...ଭାବିଲେ ସହଜ । ନ ଭାବିଲେ କଷ୍ଟ ।

 

ବାହାରକୁ ଚାଲିଗଲା ରେଣୁ । ଏକୁଟିଆ ଘରେ ରହିଲେ ରତନ । ମନଭିତରେ ଦୁଃଖ ନୈରାଶ୍ୟର ଯମାଟବନ୍ଧା ବୋଝ । ବୁଢ଼ିଆଣୀ ପେଟତଳେ କଇରି ସୂତା ରହିଲା ପରି ମନଭିତରେ ପ୍ରଶ୍ନବାଚକ ଚିହ୍ନର ପାହାଡ଼, ବିସ୍ମୟସୂଚକ ଚିହ୍ନର ଖରସୁଆ ନଈ । ଜଣ ଜଣକ ପଛେ ପଛେ ଛାଇ ପରି ଧାଇଁଲେ ଆଉଜଣେ ବରାବର ଏମିତି କରଛଡ଼ା ଦିଏ କାହିଁକି ? ତା’ପରେ ଭା–ବି–ଲେ ସ–ହ–ଜ, ନ–ଭା–ବି–ଲେ–କ–ଷ୍ଟ । ଏହାର ଅର୍ଥ କ’ଣ ? ରତନଙ୍କ ମୁଣ୍ଡରେ ଘୁଣପୋକ ଖାଇଲା ।

 

ଘରର କୋଣ, ଆଲମାରୀ ସନ୍ଧି, କିଟିମିଟିଆ ଅନ୍ଧାର । ଅଳିଆ ଯମା ଭିତରେ ପଡ଼ିଥିଲା ଖଣ୍ଡିଏ ମୋଡ଼ା ମକଚା ଲେଖା କାଗଜ । ରତନ କାଗଜଟି ଉଠାଇ ଆଣି ଦେଖିଲେ ଖଣ୍ଡିଏ ଚିଠି । ମନର ଆବେଗରେ କାଗଜଟି ଖୋଲି ପଢ଼ିଲେ । କୋଉ ଦିନର ପୁରୁଣା ଲେଖା କାଗଜ । କାଳି ବିଲ୍ ବିଲ୍, ଭିତରେ ପୁଣି ଧୂଳିଗୁଡ଼ାକ ଲାଗିଚି । ଭଲଭାବରେ ଦେଖିଲେ ଜଣାଯାଉଚି ପ୍ରଥମେ ଲେଖାହେଇଚି ପ୍ରାଣର ଦେବତା, ସେ କଟାହେଇ ତା’ କଡ଼କୁ ଲେଖାହେଇଚି ପ୍ରିୟ, ସେ ବି କଟା ହେଇଚି । ତା’ ତଳକୁ ଆଉ କିଛି ନାହିଁ ଖାଲି ତୁମର ରେଣୁ–ରେଣୁ କାଗଜଟି ଶେଷ ହେବାଯାଏ ଲେଖାହେଇଚି । ରତନ ଆଉ ଟିକେ ନିରୀକ୍ଷଣ କରି ଦେଖିଲେ ପ୍ରାଣର ଦେବତା ତଳ ପ୍ରିୟର ଉପର, ଠିକ୍ ମଝିକି ଛୋଟ ଛୋଟ ଅକ୍ଷରରେ ଲେଖା ହେଇଚି ରତନ ଭାଇ-

 

ରତନଙ୍କ ମନରୁ ସବୁ ସନ୍ଦେହ ଘୁଞ୍ଚିଲା । ଉତ୍ତେଜନା ଆସିଲାବେଳେ ମନ ଯିମିତି ହୁଏ-। ଭଲ ମନ୍ଦ ବାଛିବାର ସମୟ ରହେନା । ଜଣକର କ୍ଷଣିକ ଅଦର୍ଶନରେ ମନଟା ଡହଳ ବିକଳ ହେଲା । ଆଖିଆଗରେ କେତେ ରକମର ଯୁଗଳଛବି ନାଚିଲା । ରତନ ଭାବିଲେ ତାଙ୍କ ମନଭିତରେ ଉଡ଼ା ଚଢ଼େଇଟି ଏତେଦିନ ହାତକୁ ଆସିଚି । ସେ ତାକୁ ଧରିବେ, ମନଭରି ଦେଖିବେ-। ତାଙ୍କର ଅନେକ ଦିନର ଅଭିଳାଷିତ ଆତ୍ମାକୁ ଚରିତାର୍ଥ କରିବେ ।

 

ମନପବନ ସେ ବାଟ ଛାଡ଼ି ଆଉ ଗୋଟିଏ ବାଟରେ ଚାଲିଲା । ପୁଣି ରତନ ଭାବିଲେ ଯେଉଁ ରେଣୁ ପାଖରେ ମହୁ ରଖି ତାଙ୍କୁ ଏତେଦିନ ଯାଏଁ ଗୁଡ଼ପାଣି ଠକି ଆସୁଥିଲା, ସେ ତାକୁ ହଇରାଣ କରିବେ, ମନଇଚ୍ଛା କନ୍ଦେଇବେ ।

 

ଭାବନାର ଖିଆଲ ଭିତରେ ରେଣୁ ଆସି ଡାକିଲା–ରତନଭାଇ, ବୋଉ ଡାକୁଚି ଖାଇବ ଆସ ।

 

କଥାର ଛଳନାରେ ରତନ କହିଲେ–ରେଣୁ ଏ ଚିଠିଟି କାହାର ?

 

ରତନ ଯାହା ଭାବିଥିଲେ ଦେଖିବାକୁ ପାଇଲେ ତା’ର ସମ୍ପୂର୍ଣ୍ଣ ଓଲଟା । ରେଣୁ ମନଦୁଃଖ କରିବା ପରିବର୍ତ୍ତେ ହସି ହସି କହିଲା–ସେ ଚିଠିଟି ତ ମୋର ଆଉ ଏ କବିତା ଖାତାଟି କାହାର । ଏଥିରେ ଯେଉଁ କବିତା ଗୁଡ଼ିକ ଲେଖା ହେଇଚି ତାହାର ରସିକପ୍ରବର ଲେଖକଟି କିଏ ?

 

ରତନ ନିର୍ବାକ୍ । ଆଖିଆଗରେ ଦେଖିଲେ ରେଣୁ ହାତରେ ତାଙ୍କର କବିତା ଖାତା । ଯେଉଁଥିରେ ସେ ରେଣୁକୁ ଲକ୍ଷକରି କେତେଗୁଡ଼ିଏ କବିତା ନିଜ ହାତରେ ଲେଖିଥିଲେ । ଯେଉଁଠି ବେକ ସେଇଠି ପୁଣି ଛୁରି । ରତନ ଆଜି ଧରାପଡ଼ି ଯାଇଛନ୍ତି । ସେ ନିଜକୁ ଅପରାଧୀ ମଣିଲେ । ଭଙ୍ଗା ମନଟା ତାଙ୍କର ଆହୁରି ଭାଙ୍ଗି ଭାଙ୍ଗି ପଡ଼ିଲା । କିଏ ଯିମିତି ତାଙ୍କୁ ଚାବୁକ୍ ପିଟୁଚି । ଲାଜରେ ଆଉ ଦଣ୍ଡେହେଲେ ରହିପାରିଲେନି......

 

ନିଜର ଭଙ୍ଗା ମନକୁ ସାଥୀକରି ରତନ ଆସି ବନ୍ଧଉପରେ ହେଲେଣି ପଛରୁ ଡାକିଲା ରେଣୁ–ରତନ ଭାଇ ରୁହ ରୁହ ଗୋଟିଏ ଜିନିଷ ଛାଡ଼ିଗଲ ।

 

ରତନ ରହିଲେ ।

 

ରେଣୁ ଆସି କାନପାଖରେ ଚୁପ୍ ଚୁପ୍ କହିଦେଲା, ରତନଭାଇ ଆଉ କୋଉଦିନ ଆସିବ-? ତୁମକୁ ମୋ ରାଣ । ଶୀଘ୍ର ଆସିବଟି ?

 

ରତନ ନିରୁତ୍ତର ।

 

ସାଇକେଲ ଘୂରିଚାଲିଲା କର୍‌ର କର୍‌ର କର୍‌ର ।

 

ଜୀବନର ସ୍ୱର ବହୁଛନ୍ଦରେ ବନ୍ଧା, ସେଇଥିପାଇଁ ଏ ଜୀବନ ଏତେ ବିଚିତ୍ର । ବେଳେବେଳେ ମଣିଷ ଜୀବନର ସୁଖ ଦୁଃଖର ଶୋଭାଯାତ୍ରାକୁ ଭାବି ବସିଲେ ତା’ର ଥଳକୁଳ କିଛି ମିଳେନାହିଁ । ଉପରେ ନୀଳ ଆକାଶ ତଳେ ସର୍ବସହଣୀ ଧରିତ୍ରୀ ଦେବୀ । କୋଳରେ ତା’ର କେତେ ନଦୀ, ଉପତ୍ୟକା, ବନ, ପର୍ବତ ଓ ନାନାପ୍ରକାର ଫୁଲ ଫଳର ବାଗ ବଗିଚା । ଇନ୍ଦ୍ରଧନୁର ରଙ୍ଗ ବୈଭବ ଭଳି ସବୁଥିରେ ଛଅ ଋତୁରେ ଛଅ ପ୍ରକାର ରୂପର ଶୋଭା ଫୁଟେ । ଦିଗ ଦିଗନ୍ତ ସ୍ୱଚ୍ଛ ଓ ପରିଚ୍ଛନ୍ନ ଦୃଶ୍ୟରାଜିକୁ ଥରେ ଚାହିଁଲେ ଆଉଥରେ ଚାହିଁବାକୁ ମନହୁଏ । ଆଖି ଚାହେଁ, ମନ ହସେ । ପ୍ରାଣ ପୂରେ । ସବୁଠୁଁ ସୁନ୍ଦର ଶରଦ ଶ୍ୟାମଳିମା । ସବୁଜ ରଙ୍ଗର ଧାନ କିଆରି ଉପରେ ବହିଯାଏ ସୁଲୁସୁଲିଆ ପବନର ଢେଉ । ବିଲ ମଝିରେ କାଶତଣ୍ଡ ଫୁଲ ବିଜୟର ବାନା ଉଡ଼ାଏ । ନିରୀହ ଧାନଗଛଗୁଡ଼ିକ ମଥା ନତ କରି ଧୀରେ ଧୀରେ ରହିଯାଇ ପୁଣି ଉଠନ୍ତି ଉପରକୁ । ଉଠାପଡ଼ା ଦୁନିଆ । ଏହି ଉଠାପଡ଼ାର ରୀତି ଭିତରେ ଛପିଥାଏ ଦୁଇଟି ପ୍ରାଣର ମୋହ । ଗୋଟିଏ ସ୍ତ୍ରୀ, ଗୋଟିଏ ପୁରୁଷ । ପ୍ରାଣ ପ୍ରାଣର ମମତା । ଆନନ୍ଦ ନିରାନନ୍ଦର ପ୍ରଦର୍ଶନୀ ଭିତରୁ ସେମାନେ ତୋଳନ୍ତି ଜୀବନ ସ୍ୱରର ମୂର୍ଚ୍ଛନା । ବେଳେବେଳେ ଦୁହେଁ ହସନ୍ତି । ବେଳେବେଳେ ଜଣେ ହସେ, ଜଣେ କାନ୍ଦେ । ଜଣକର ରକ୍ତକୁ ଆଉଜଣେ ଶୋଷେ । ଜଣକର ଧାରୁଆ ଛୁରିରେ ଜଣକର ମଥା ଭୂଇଁରେ ଲୋଟେ । ତଥାପି ପ୍ରାଣ ପ୍ରାଣର ମୋହ ଭାଙ୍ଗେନା । ଦୁନିଆର ଏଇ ବିଚିତ୍ର ଘନଘଟା ଭିତରେ ନିଜର ବାପ, ମା’, ଭାଇ ଭଉଣୀ ସମସ୍ତଙ୍କୁ ଛାଡ଼ି ଗୋଟିଏ ପ୍ରାଣ ଆଉ ଗୋଟିଏ ନୂଆ ପ୍ରାଣ ସହିତ ମିଶିବାକୁ କାହିଁକି ଯେ ଇମିତି ଆତୁର ହୁଏ ସେଦିନ ରେଣୁ କିଛି ଠିକ୍ କରିପାରିଲା ନାହିଁ ।

 

ସେଦିନ ଆଜିକୁ ବହୁତଦିନ ହେଇଗଲାଣି । କେତେ ଗଛରେ କେତେ ଫୁଲ ଫୁଟିଲାଣି । କେତେ ପୁଣି ଝଡ଼ିଗଲାଣି । କେଲୁଅ ନଈର ଧାରରେ ବିନ୍ଦୁ ବିନ୍ଦୁ ଜଳ କେତେ ବହିଗଲାଣି । କେତେ କାଠିକୁଟା ଭାସିଗଲାଣି ତଥାପି ରେଣୁ ତା’ର ରତନ ଭାଇକୁ ଭୁଲିଯାଇନି । ସେ ମନେମନେ ଗଢ଼ି ଚାଲିଛି ସୁନାର ଦେଉଳ । କେଉଁଦିନ ଦେଉଳର ମୁଣ୍ଡି ମାରିବ ବା ତା’ର ଜୀବନର ପ୍ରବାହ ତାକୁ କେଉଁଠି କେଉଁ ତୀରରେ ଉପଳ ଖଣ୍ଡଭଳି ପକେଇଦେବ, ସେ କଥା କିଏ କହିବ ?

 

ବେଳେବେଳେ ଭାବନାର ଖିଅ ଯୋଡ଼ିଲା ବେଳେ ରେଣୁର ଆଖିଆଗରେ ଘନ ହୋଇଉଠେ ଗଭୀର ଅନ୍ଧକାର । ଆଉଟିକେ ନିରୀକ୍ଷଣ କଲେ ସେ ଦେଖେ ସେଇ ଅନ୍ଧକାର ଭିତରେ ଯିମିତି ଶତସହସ୍ର ସୁନା ରଙ୍ଗର ସୋରିଷ ଫୁଲ ଫୁଟିଚି । ରେଣୁ ହସିଉଠେ ।

 

ପୌଷମାସର ଗୋଟିଏ ପଞ୍ଜରାଥରା ରାତି । ବାହାରେ କାକର ପଡ଼ୁଚି । ଘର ଭିତରେ ମଇଳା ଲଣ୍ଠନଟା ଜଳି ଜଳି ଅଧେ କାଚ କଳା ପଡ଼ିଗଲାଣି । ପୁନେଇଁ ଚାନ୍ଦଟା ମୁଣ୍ଡ ଉପରୁ ନଇଁଯାଇଁ ବଇଦ ଘର ନଡ଼ିଆଗଛ ଅଗ ଧଇଲାଣି । ରାତି ଅଧରୁ ବେଶୀ ହବ କି କ’ଣ । ରେଣୁ ଶୋଇଚି ତା’ ଶୋଇବା ଘର ଖଟ ଉପରେ । ଆଖିରେ ତା’ର ଆଜି ନିଦ ନାହିଁ । ଦିହଟା ହୁତାସନ ପରି ଜଳିଲା । ଘରଟା ନିଛାଟିଆ ନିଛାଟିଆ ଲାଗି ଖାଇ ଗୋଡ଼ାଇଲା । କିଟିକିଟିଆ ଅନ୍ଧାର ଭିତରୁ ଭୁତ କି ରାକ୍ଷସ କିଏ ଗୋଟାଏ ଡିମାଡିମା ଆଖି ବାହାରକରି ତା’ ପାଖକୁ ଛୁଟି ଆସୁଚି । ଟିକିଏ ଛାଇନିଦ ହେଇଆସିଲେ ପୁଣି ସେଇ ଭୂତର କାରସାଦି । ଦିହର ଉଚ୍ଚାଟରେ ରେଣୁ ଆଉ ଶୋଇପାରିଲାନି । ମିଞ୍ଜି ମିଞ୍ଜିଆ ଲଣ୍ଠନକୁ ଟିକେ ତେଜି ଚାରିଆଡ଼କୁ ଅନାଇଲା । କିଛି ତ ନାହିଁ । କାନ୍ଥରେ ଟଙ୍ଗା ହୋଇଥିବା କେଇଟି ଫଟୋ, ଆଲଣାରେ ତାରି ଶାଢ଼ି ବ୍ଲାଉଜ ଦି’ ଚାରିଟା, ଆଉ ଟେବୁଲ୍ ଉପରେ ତାରି ବହିଖାତା ପଡ଼ିଚି । ଏଥର ରେଣୁ ମନରେ ସାହସ ବାନ୍ଧିଲା । ମୋଟା କନ୍ଥାଟା ଘୋଡ଼େଇହେଇ ତଳକୁ ମୁହଁମାଡ଼ି ଶୋଇଲା । ରାତି ଆଉ ଅଳପ ଅଛି । ସେ ନିଶ୍ଚୟ ଶୋଇବ । ଟିକିଏ ଯାଇନି ପୁଣି ତା’ ଛନକା ଛାତିଟା ଚମକିଉଠିଲା । କନ୍ଥା ଭିତରେ ଥାଇ କାନପାରି ଶୁଣିଲା । କିଏ ଯିମିତି ତାକୁ ଡାକୁଚି । ପରିଚିତ କଣ୍ଠସ୍ୱର । ମନରେ ଆଶଙ୍କା । ରତନ ଭାଇ ହେବେ କି ? ଡାକ ଆସି କାନରେ ଢୁ ବାଜୁଚି......ରେଣୁ...ହେ ରେଣୁ ।

 

ଏଥର ରେଣୁ ବିବ୍ରତ ହୋଇପଡ଼ିଲା । ପୋଖରୀତୁଠ, ନଈ ଛନ୍ଦା, କେନାଲ କୂଳ, ବାଟଘାଟ ଚାରିଆଡ଼େ ଅପବାଦର ନାଗରା ବାଜିଲା ପରେ ସେ କେଉଁ ବ୍ୟଥାଭରା ଅତୀତଟାକୁ ଭୁଲିଯିବାକୁ ଚେଷ୍ଟା କରିଥିଲା ପୁଣି ସେଇ ରତନଭାଇଙ୍କର ପିଛିଲା ସ୍ମୃତିଗୁଡ଼ିକ ତା’ର ମନ ତଟିନୀରେ ଜୁଆର ଭାଙ୍ଗିଲା । ମନେପଡ଼ିଲା । ଥରେ ବୋଉ ତାଗିଦକରି କହିଥିଲା......ରେଣୁଲୋ, ଏ ସବୁ କଥାଗୁରା ଯିମିତି ରତନ କାନରେ ନ ବାଜେ । ସିଏ ଯେଉଁ ଘରର ପୁଅ, ଏ କଥା ଶୁଣିଲେ ଆମକୁ ଛି କରିଦବ । ଗୋଲଣୀଗୁରାକ କହନ୍ତୁ । ପଛରେ ଭୁକିଭୁକି ରହିବେ । ରତନ ଭଲ ତ ଆମେ ଭଲ । ସୁନାକୁ ଯେତେ ପୋଡ଼ିଲେ ସେଇ ସୁନା । ଉପରେ ଜଣେ ଦେଖୁଚି ।

 

ଏଣେ ବୋଉର ସାହସ ତେଣେ ଗାଁ ମାଇପଙ୍କ ଟୁପୁଟୁପୁ ଫୁସୁଫୁସୁ । ଘରୁ ଟିକିଏ ପଦାକୁ ବାହାରିଲେ ବାର ଟାହୁଲି, କେତେ ଲୋକଙ୍କର ତେରଛ ଚାହାଣି ତାରି ଉପରେ ପଡ଼େ । ରେଣୁ ସବୁ ଶୁଣେ ପୁଣି କିଛି ଶୁଣେନା । ବାଟଭାଙ୍ଗି ଚାଲିଯାଏ ।

 

ହଠାତ୍ ରେଣୁର ଚମକ ଭାଙ୍ଗିଲା । ସମଗ୍ର ବିପନ୍ନତା ଓ ରୁକ୍ଷତା ଭେଦକରି ତା’ର ଆଖିରେ ଯିମିତି ଆନନ୍ଦର ଝଲକ ଖେଳୁଚି । ଘରର ଚାରିଆଡ଼େ ଦୁଇଜଣଙ୍କର ଯୁଗଳ ଛବି ନାଚୁଚି-। ଦେହରେ କମ୍ପନ । ମଥାରୁ ବାଳ ଆସି ଗାଲ ଉପରେ ଫୁରୁଫୁରୁ ହେଉଚି । ଲୁଗାପଟା ଖେଳେଇ ହେଇ କୁଆଡ଼େ ପଡ଼ିଚି । ଅଲରା ବାଳ କେଇଟା ଆସି ପାଟି ଭିତରେ ପଶୁଚି । ଥିରି କରି ହାତରେ ବାଳତକ ସଜାଡ଼ି ନେଇ ରେଣୁ ଝରକା ଖୋଲି ଚାହିଁଲା ଦୁଆରକୁ । ଶୀତଦିନ ହେଲେ ବି ସଞ୍ଜ ପହରରେ ଅସରାଏ ବର୍ଷା ହୋଇଯାଇଥିଲା । ଦୁଆର ଉପରଟା କାଦୁଅ ପଚପଚ-। ମଝିରେ ମଝିରେ ପାଣି ଜମି ରହିଚି । ଚାଳଉପରୁ ଟୋପି ଟୋପି ପାଣି ପଡ଼ୁଚି । ସେଇ ପାଣିରେ ସାଙ୍ଗେ ସାଙ୍ଗେ ହେଇ ପୁଣି ସାଙ୍ଗେ ସାଙ୍ଗେ ମିଳେଇ ଯାଉଚି କେତେ ପାଣି ଫୋଟକା । ବାହାରଟା ଅନ୍ଧାର ନ ହେଲେ ବି ଆଲୁଅ ନୁହେଁ । ଛିପି ଛିପିକା ଜହ୍ନ ଆଲୁଅ ଆସି କାନ୍ଥି ଲାଗିଲାଣି-। ଆଲୁଅଗୁରା ଘୁଞ୍ଚି ଘୁଞ୍ଚି ଯାଉଚି । ଫୁକିଆ ତରାଟା କେତେ ଉପରକୁ ଉଠିଆସିଲାଣି । ମନେପଡ଼ୁଚି କେତେକଥା-

 

ଆଉ ନିଦ ହେଲାନି । ରେଣୁ ଖଟଉପରେ ପଡ଼ି ଛଟପଟ ହେଲା । ଯେଉଁ ଆଖିଦୁଇଟିକୁ ଯୁଗ ଯୁଗର ସଞ୍ଚିତ ଏକ ଆକୁଳ ପ୍ରତୀକ୍ଷା ଘେରିଚି ତା’ ଭିତରକୁ ନିଦ ଯିବ କେଉଁବାଟେ ? ରେଣୁ ତା’ର ବ୍ୟାକୁଳ ହୃଦୟ ନେଇ ଚାହିଁଚି । ଆଖିରେ ତା’ର କାହାଣୀ–ଚାହାଣୀରେ କାରୁଣ୍ୟ । କେବେ ସେ ଦିନ ଆସିବ । ରତନବାବୁଙ୍କର ଚରଣତଳେ ନିଜ ଜୀବନକୁ ସମ୍ପିଦେଇ ସେ ତା’ର ନାରୀ ଜୀବନର ସମସ୍ତ ଆଶା ଆକାଂକ୍ଷା ଗୁଡ଼ିକ ଚରିତାର୍ଥ କରିବ । ଜୀବନ ସାର୍ଥକ ହେବ ।

 

ଦେହର କ୍ଳାନ୍ତି ବୁଡ଼ିଗଲା ମନର ଉତ୍ତେଜନାରେ । ଛାତିରେ ଚମକ ଲାଗୁଚି, ମନରେ ଆଗ୍ରହ, ପ୍ରାଣରେ ଉନ୍ମାଦନା । ରକ୍ତରେ ନିଆଁ ଜଳୁଚି । ଏହା କମେଇବାକୁ ରତନ ବାବୁ ହିଁ ସମର୍ଥ ।

 

ରେଣୁ ଉଠି ଖଟଉପରେ ବସିଲା । ଟେବୁଲ୍ ଉପରୁ ଖାତା ଖଣ୍ଡିଏ ଆଣି ଓଲଟେଇଲା–ତା’ର ଅତୀତ ଜୀବନର କାହାଣୀ । ରତନବାବୁଙ୍କର ଯେତେଖଣ୍ଡି ଚିଠିଥିଲା ସବୁଗୁଡ଼ିକୁ ଥରେ ଥରେ ପଢ଼ିଲା । ଯେତେବେଳେ ପଢ଼ୁଥାଏ–ମନର ଆଗ୍ରହ ସେତେସେତେ ବଢ଼ୁଥାଏ । ସବାଶେଷକୁ ଆଖି ରହିଲା ଗୋଟିଏ ଫଟୋ ଉପରେ । ରତନବାବୁଙ୍କର ଫଟୋ । ଫଟୋର ଚୁମ୍ୱକ ରେଣୁର ମନକୁ ଟାଣିଲା । ଭାବନାର ଅତିଶଯ୍ୟାରେ ଫଟୋଟିକୁ ତା’ର ମୁକୁଳା ଛାତିଉପରେ ଥରେ ଯାକିଧରିଲା । ଆଗ୍ରହର ଚୁମାଟିଏ ଆଙ୍କି ଥରେ ଚାହିଁଲା । ଇସ୍–କି ସୁନ୍ଦର ରତନଭାଇ !

 

ଖାତା ଭିତରୁ ଅଲେଖା କାଗଜ ଖଣ୍ଡିଏ ଆଣି ରେଣୁ ଆଙ୍କି ବସିଲା ସେଇପରି ଆଉ ଗୋଟିଏ ଫଟୋ । ଫଟୋ ଭିତରେ ଯିମିତି ଦିଶିଯାଉଚି–ହେଇ ରତନବାବୁ ଆସୁଛନ୍ତି । ହେଇ ତାଙ୍କ ସାଇକେଲ୍‌ରେ ବେଲ୍ ଦେଉଚନ୍ତି, ହେଇ ତାକୁ ଆସି ଡାକି ଦେଉଚନ୍ତି । ବୋଉ ଆଗରେ ମିଛ ସତ କହି ତାକୁ କେତେ ଗାଳି ଖୋଉଚନ୍ତି । ତାକୁ କେତେ ହଇରାଣ କରୁଚନ୍ତି । ଏହିପରି ଫଟୋର ପ୍ରତି ଧାରେ ଧାରେ ରତନବାବୁଙ୍କର ସବୁକଥା ରେଣୁର ଆଖିରେ ନାଚୁଚି । ବେଳେବେଳେ ଆଖି ଢାଙ୍କି ପଡ଼ୁଚି । ରେଣୁ ଚମକିପଡ଼ି ଚାରିଆଡ଼କୁ ଚାହିଁଚି–ତାକୁ କେହି ଦେଖୁନାହାନ୍ତି ତ ?

 

ପୁଣି କିଏ ଡାକିଲା–ରେଣୁ, ହେ ରେଣୁ !

 

ରେଣୁ ଗୋଡ଼ ଚିପି ଚିପି କବାଟ ପାଖକୁ ଗଲା । କବାଟ ଫାଙ୍କରେ ଚାହିଁଲା ବାହାରକୁ-। କେହି ନେହାନ୍ତି । ଝଞ୍ଜିର ଖୋଲି ପଦାକୁ ଗଲା । ଚାଳରୁ ଟୋପି ଟୋପି ପାଣି ପଡ଼ୁଚି-। ତଳ କାଦୁଅ । ପିଣ୍ଡାତଳୁ ବେଙ୍ଗଟାଏ କେଁ କଟର କରିଦେଲା । ରେଣୁ ଚମକିପଡ଼ିଲା । ପିଣ୍ଢେଇ ପିଣ୍ଢେଇ ବାଡ଼ି ପଟକୁ ଗଲା । ବନମାଟି ଗଦାତଳେ କୁକୁରଛୁଆଗୁରା ତା’ ମା’ କୋଳରେ ଶୋଇ କେଁ କେଁ ହେଉଚନ୍ତି । ଆଉ କେହିନାହାନ୍ତି । ଟିକେ ଟିକେ ଫରଚା ହେଇଆସିଲାଣି ।

 

ସେତେବେଳକୁ ବୋଉ ଉଠିଲାଣି । ଟିକିଟିକି ଆଲୁଅ ମିଶା ଅନ୍ଧାର ଭିତରେ ପଚାରିଦେଲା–କିଏ ରେଣୁ କିଲୋ ?

 

ରେଣୁର ପାଦ ଅଟକିଗଲା ସେଇଠି । ଛାନିଆରେ ପାଟି ତା’ର ଖନି ବାଜିଗଲା । ବୋଉ ଆଗରେ କ’ଣ କହିବ । କଥା ଖୋଜିଲା-ପାଇଲାନି । କେତେବେଳେକେ କହିଲା–ହଁ ବୋଉ ମୁଁ । ବାହାରକୁ ଉଠିଥିଲି ।

 

ଆଲୋ କାଳବେଳ ଦେଖୁଚୁ କ’ଣ–

 

ମଲା ରାତିପରା ପାଇଲାଣି !

 

X X X

 

ଦିନ କେତେ ହେଲାଣି । ଗୁହାଳ ଘରର ମଥାନ ଡେଇଁ ଖରା ଆସି କାନ୍ଥତଳି ଛୁଇଁଲାଣି-। ଗାଁ ପିଲାମାନଙ୍କର ପାଟିତୁଣ୍ଡ ନାହିଁ । ସାଙ୍ଗ ଝିଅମାନେ ଡାକି ଡାକି ନଈଛନ୍ଦାକୁ ଗାଧେଇ ଗଲେଣି-। ବୋଉ ବିରକ୍ତି ହେଇ ଯାଇଁ ବାଡ଼ିରେ ଧନିଆ ପଟାଳିରେ ପାଣି ଦଉଚି । ଏପର୍ଯ୍ୟନ୍ତ ରେଣୁର ଦାନ୍ତଘସା ହେଇନି । ଫଟୋଟି ତା’ର ଅଧା ହେଇଚି ।

 

ରାଧିବୁଢ଼ୀ ଗୁଣ୍ଡି ମାଗି ଆସିଥିଲା । ରେଣୁକୁ ଯାଇଁ ଘଡ଼ିଏ ଅନେଇଲା । ରେଣୁର ନଜର ନାହିଁ । କେତେବେଳେକେ ମାଠି ମାଠି ପଦିଏ କଥା କହିଲା । ବରର ଫଟଆଙ୍କୁଚୁ କିଲୋ ଟୋକି ? ବଡ଼ ସୁନ୍ତୁରିଆ ଛଇ ଛଟକା ଟୋକା ବରୁଟିଏ ତ ପାଇଛୁ ?

 

ରେଣୁ ଦଉଡ଼ି ଯାଉଥିଲା ବୋଉ ଆଗରେ କହିବାକୁ–ଦେଖିଲୁ ବୋଉ ରାଧିବୁଢ଼ୀ ମତେ କ’ଣ କଉଚି । ବାଟରୁ ପୁଣି ଲେଉଟିଆସିଲା । କିଏ ଯିମିତି ତାକୁ କହିଲା–ରାଧିବୁଢ଼ୀ ତ ମିଛ କହିନି ।

 

ଦିନକର–

 

ରୋଦନଭରା ଆକାଶ ଭସାବାଦଲ ଆରପଟରେ ଚାନ୍ଦ ହସୁଚି । ଛାଇ ଅନ୍ଧାରିଆ ରାତି-। ଆଲୁଅ ମିଶା ଅନ୍ଧାର । ଘରେ ବାହାରେ ଛିପି ଛିପିକା ଜହ୍ନ ଆଲୁଅର ଉଛୁଳା ଲହଡ଼ି । ପବନରେ ରହି ଭାସିଆସୁଚି ଆମ୍ବ ବଉଳର ସୁବାସ, କୋଇଲିର କୁହୁ କୁହୁ ତାନ । ଝାଉଁ ଗଛ ଆଡ଼ୁ ବହିଆସୁଚି ଦିଗ ମହକା ମଳୟ ।

 

ଦ୍ୱିତୀୟ ପ୍ରହର ରାତି । କେତେକ ଖାଇପିଇ ଶୋଇଲେଣି । ନଙ୍ଗା ଚୁଲି ପାଖରେ ଡିବିରି ଆଲୁଅଟା ଜଳୁଚି । ରେଣୁ ବସିଚି ଅଗଣା ଭିତରେ କୁଅ ଚଉତରା ଉପରେ । ପାଖରେ ଦି’ ଚାରିଟା ଗୋଲାପ କୁଣ୍ଡ । ସବୁଥିରେ ଫୁଲ । ପ୍ରତି ଫୁଲକୁ ଧରି ରେଣୁ ଗଣୁଚି–ତା’ର କେଇ କେଇଟି ପାଖୁଡ଼ା ।

 

ମନ ଭିତରେ କେତେ କଥା ।

 

ତାରି ବଅସର ଗାଁରେ କେତେ ଝିଅ ଅଛନ୍ତି । ସମସ୍ତଙ୍କର ତ ହସ ଖୁସିରେ ଦିନ କଟିଯାଉଚି । କେହି ତ କାହାରିକୁ ଝୁରି ହେଉନାହାନ୍ତି । କିଏ ତ କାହାପାଇଁ କାନ୍ଦୁନି । କାହାପାଇଁ କାହାରି ଆଖିରୁ ତ ଲୁହ ଝରୁନି । କିନ୍ତୁ ସିଏ କାହିଁକି ଇମିତି ହୁଏ । ସିଏ କାହିଁକି ଜଣକୁ ଝୁରୁଚି । ଦିହର ରକ୍ତ ପାଣି ଫାଟି ଆଖିବାଟେ ବହୁଚି । ଖାଇବା ପିଇବାରେ ଆନନ୍ଦ ନାହିଁ । ସବୁବେଳେ ଆଖିଆଗରେ ନାଚୁଚି–ଜଣକର ଛବି । ଏକା ସେଇ ରତନ । ଯୁବକର କଣ୍ଠସ୍ୱର ଶୁଣିଲେ ଛାତିରେ ଚମକ ଲାଗୁଛି । ରତନବାବୁଙ୍କ କମନୀୟ ରୂପ ତା’ର ଆଖିଆଗରେ ଝଲସିଉଠୁଛି । କେବେ ତାଙ୍କ ସହିତ ମିଳନ ହେବ ଏଇ ଭାବନାରେ ଦେହ ଉଲ୍ଲସିଉଠୁଛି । କାହିଁକି ସିଏ ଇମିତି ହେଉଚି–ନା ସମସ୍ତେ ଏଇମିତି ହୁଅନ୍ତି ?

 

ଗାଁ ମୁଣ୍ଡରେ ଶଙ୍ଖ ବାଜୁଚି । ହୁଳୁହୁଳି ପଡ଼ୁଚି । ତା’ର ସାଙ୍ଗଝିଅ ରେବର ଆଜି ବା’ଘର-। ରାତି ପାହାନ୍ତାକୁ ବର ଆସିବ । ରେବର ବା’ଘର ହବ । ରାତି ପାହିଲେ ବର ସାଙ୍ଗରେ ରେବ ଚାଲିଯିବ ତା’ର ଶାଶୁଘର ଗାଁକୁ । ସେଥିପାଇଁ ରେବ କେତେ କାନ୍ଦୁଚି । କେତେ ଲୋକଙ୍କ ଗୋଡ଼ତଳେ ମୁଣ୍ଡ ପିଟୁଚି । କେତେ ଡହଳ ବିକଳ ହେଉଚି । ନ କାନ୍ଦିଲା ଲୋକ ତାକୁ ଦେଖି କାନ୍ଦୁଚି । କାହିଁକି ସଏ କାନ୍ଦୁଚି । ତା’ ପ୍ରେମ ରାଇଜରେ ଜଣେ ପ୍ରେମିକ ପାଇବାକୁ ତା’ ପ୍ରାଣ କ’ଣ କଲବଲ ହେଉନି । ନା ଭଲ ପାଇବାର ସିଏ ଗୋଟାଏ ଛଳନା ?

 

ଏଇମିତି କେତେ ଯୁଗର କେତେକଥା ଭାବୁଚି ରେଣୁ । ପାଖରେ ଆସି ବସିଗଲେ ରତନ । ରେଣୁ ଘୁଞ୍ଚିଯାଇ ଦୂରେଇ ବସିଲା । ପାଖକୁ ଲାଗିଗଲେ ରତନ । ଟିକି ମୁହଁରେ ଟିକି ଓଢ଼ଣାଟିଏ ଟାଣି ରେଣୁ ଚାହିଁଲା ରତନଙ୍କ ମୁହଁକୁ । ଜଣେ ହସିଲା, ଆଉ ଜଣେ ହସିଲାନି । ମୁହଁ ବୁଲେଇ ରେଣୁ ଚାହିଁଲା ତଳକୁ ।

 

ରତନ କଥା ଆରମ୍ଭ କଲେ–କ’ଣ ଫୁଲ ମେଳରେ ଫୁଲର ରାଣୀ ସାଜିଥିଲ କି ରେଣୁଦେବୀ ? ଫୁଲ ପାଖରେ ତ ଭ୍ରମର ନାହିଁ । ଭ୍ରମର ଥିଲେ ସିନା ଫୁଲ ତା’ ସାଥିରେ ଦୋହଲି ଦୋହଲି ଖେଳନ୍ତା ? କାଉ ବସାରେ କୋଇଲିର ଛୁଆ, ଫୁଲ ସାଥିରେ ଫୁଲର ମେଳ ଭଲ ସାଜେନା ।

 

ରେଣୁ କଥା ଉଁକାରି ଆଣୁଥିଲା–ତମେ ଭ୍ରମର ହେଉନା ? କିନ୍ତୁ କହିହେଲନି । ଆହୁରି ତଳକୁ ଚାହିଁ ରେଣୁ ଦାନ୍ତରେ ନଖ ଛିଣ୍ଡେଇଲା ।

 

ମାଉସୀ ନାହାନ୍ତିକି ?

 

କିଛି କହିଲାନି ରେଣୁ ।

 

ଦାଣ୍ଡଘରେ କିଏ ଶୋଇଚି ?

 

ଉତ୍ତର ନାହିଁ ।

 

ରତନଙ୍କ ତୃଷିତ ଆତ୍ମା ଅଧିକ ହୋଇଉଠଇ । ଦୁଇ ହାତରେ ରେଣୁର ମୁହଁ ଉପରୁ ଟିକି ଓଢ଼ଣାଟି ଟେକିଦେଇ ରତନ ପଚାରିଲେ–ପ୍ରାଣର କଥା, ମନର ଭାବ ତ ସବୁ କହିଚ । ପାଟିର କଥା କହିବାକୁ ଲାଜମାଡ଼ୁଚି କାହିଁକି ? ମନରେ ଆଶାରଖି ମୁହଁରେ ଭାଷା ରୋକିଲେ ମିଛଟାରେ କଲବଲ ହେବ ସିନା ?

 

ରେଣୁ ଚାହିଁଲା ରତନଙ୍କ ମୁହଁକୁ । ଚାରି ଆଖିର ମିଳନ, ଚୁମ୍ବକରେ ରେଣୁର ଶିରା ପ୍ରଶିରାରେ ବିଜୁଳି ଖେଳିଗଲା । ସରମରେ ମୁଣ୍ଡ ନଇଁଲା ତଳକୁ । ଚାହିଁବାର ଲାଳସା ପ୍ରତି ରକ୍ତ କଣାରେ ଫୁଟିଉଠୁଥିଲେହେଁ ଆଉ ଚାହିଁ ହେଲାନି । ପେଟ ଭିତର ଜଳିଲା, ଆତ୍ମାଟା ଆହୁରି ଜଳିଉଠିଲା । ଦୁଇ ହାତରେ ମୁହଁ ଲୁଚେଇ ରେଣୁ ଚାହିଁଲା ଅନ୍ୟଆଡ଼େ ।

 

ରତନ ଉଠିଲେ ।

 

ଓଢ଼ଣାଭିତରୁ ମୁହଁ ଆଡ଼େଇ ରେଣୁ ଚାହିଁଲା । ରତନଙ୍କ ମୁହଁରେ ଆଗ୍ରହ ଭଙ୍ଗା କଥା ।

 

ରତନ କହିଲେ–ମୁଁ ଯାଉଚି ରେଣୁ । ଭାଗ୍ୟରେ ଥିଲେ ପୁଣି କେବେ ଦେଖାହବ ।

 

ରତନ ଚାଲିଲେ ।

 

ଘର ପାରିହେଲେ ଧାନ ଖଳା । ତପରେ ଦାଣ୍ଡ । ରତନଙ୍କ ମନରେ ଉଦାସୀନତା । ସେ ଘର ପାରହେଇ ଯାଇଁ ଧାନ ଖଳାର ମୁଣ୍ଡ ଧରିଲେଣି । ପଛଆଡ଼ୁ ରେଣୁ ଯାଇଁ ଧଇଲା ରତନଙ୍କ ହାତ ।

 

ରତନ ଚାହିଁଲେ ରେଣୁକୁ । ରେଣୁ ଚାହିଁଲା ରତନଙ୍କୁ । ଗୋଟିଏ ମୁହଁରେ ଅଭିମାନ, ଗୋଟିଏ ମୁହଁରେ କାନ୍ଦ ।

 

ମନଭିତରର କୋହ–ରେଣୁ ଆଉ ସମ୍ଭାଳି ପାରିଲାନି । ତା’ର ଦୁଇ ହାତକୁ ରତନଙ୍କ ବେକ ଚାରିପାଖେ ବେଷ୍ଟନ କରି କାନ୍ଧ ଉପରେ ମୁଣ୍ଡ ନୋଇଁ କହିଲା–ରତନ ଭାଇ, ତୁମେ ଶୁଣିନା-। ବୋଉର କଡ଼ା ତାଗିଦ୍‌ରେ ମୁଁ ବି ତୁମକୁ ଶୁଣିବାକୁ ଦେଇନି । ତୁମରି ବିଷୟ ନେଇ ମୋ ନାଁରେ ଏ ଗାଁସାରା କେତେ କ’ଣ ଘଟିଗଲାଣି । ଲଜ୍ଜା ଅପମାନରେ ମୁଁ ମୁହଁ ଟେକି ଗାଁ ଦାଣ୍ଡରେ ଚାଲିପାରୁନି । ବାର ଲୋକଙ୍କ ଗଞ୍ଜଣା, ସାଙ୍ଗ ଝିଅମାନଙ୍କ ଥଟ୍ଟା ପରିହାସ ସବୁ ମୋ କାନରେ ବାଜୁଛି । ତଥାପି ମୁଁ ନିଶ୍ଚିନ୍ତ । କେବଳ ତୁମରି ପାଇଁ । ତୁମରି ମୁହଁକୁ ଚାହିଁ ମୁଁ ସବୁ ଭୁଲୁଚି-। ମନରେ ମୋର ଏକମାତ୍ର ଆଶା ତୁମରି କୋଳରେ ଶୋଇ ମୁଁ ଧରିବି ସରଗର ଚାନ୍ଦ । ତୁମେ ମୋର ଜୀବନ । ତୁମେ ମୋର ସବୁ ।

 

ଦୁଇଆଖିରୁ ଗଡ଼ି ପଡ଼ୁଥିବା ଲୁହ ଦି’ଧାର ହାତପାପୁଲିରେ ପୋଛିନେଇ ରତନ ରେଣୁକୁ କୋଳକୁ ଆଉଯାଇନେଲେ......

 

ଆଗରେ ରତନ । ଘରର ଅନ୍ଧାର ଭିତରେ ଲୁଚିଗଲେଣି । ପଛରେ ରେଣୁ କବାଟ କିଳି ଯାଉଁ ଯାଉଁ ରାଧିକା ବାଟ ରୋକିଲା । ହସି ହସି ରେଣୁ କହିଦେଲା–କ’ଣ କିଲୋ ରାଧିବୁଢ଼ୀ । ବନ୍ଧ ମାଡ଼ି ବସିଥିଲେ ସିନା ନଣନ୍ଦପୁଟୁଳି ପାଇଥାନ୍ତୁ । ଏଠି ଘେରିଲେ କ’ଣ ପାଇବୁ ?

 

ଆଗରେ ସେ ଟୋକାଟା କିଏ କିଲୋ ଟୋକି ?

 

ମଲା, ରତନଭାଇ ପରା ।

 

ଯିଏ ତୋ ବର, ନା କିଏ ଲୋ ?

 

ରାଧିମା ପାଟିରେ ରେଣୁ ହାତ ଦେଲା, କେଡ଼େ ପାଟିଟାଏ କରୁଚୁ ?

 

କିଲୋ ପୁଲିସି ଦାରୁଗା ହୋଇଚି କି ମୋତେ ବାନ୍ଧିନବ ଥାନାକୁ । କଥା ତ ହାଟରେ ପଡ଼ି ଦାଣ୍ଡରେ ଗଡ଼ଗଡ଼େଇଲାଣି । ଆଉ ଲୁଚା ପଡ଼ିଚି କାହିଁକି ?

 

ଶୁଣିବେ ପରା ।

 

ଯେତେ ଲୁଚେଇଲେ ବି ସେଇ କଥା ଲୋ ଟୋକି, ଅନ୍ଧାରରେ ଖାଇଲେ ଗୁଡ଼, ଆଲୁଅରେ ଖାଇଲେ ବି ଗୁଡ଼ ।

 

ତତେ ଆଉ ପାରିହବନି ।

 

ଆଲୋ ବରଷକଯାକ କୋଉଠି ଥିଲା । ଆମ୍ବ ବଉଳିଲାଠଉଁ କୋଇଲିଟା ଆସି କଉଚି ମୋର ସବୁ । ଛୁଆବୋଉ ଘରେ ନ ଥିବାରୁ ଆଜି ଗୋପନଗର ଗାଁରେ ବାରିଣି ଯୋଗ ପଡ଼ିଚି ।

 

ସେତିକି ଥାଉ । ରେଣୁ ଉଠିଲା ଯିବାକୁ ।

 

ହଉ ଯାଲୋ ଯା । ଘରତାର ଅବସ୍ଥା ତେଣେ ସରିଯିବଣି । ବିଚରା କେତେ ଆଶାକରି ଆଇଚି । ଖାଲି ଛଟପଟ ହଉଥିବ । ବନିଶିରେ ଜିଅଳି ଗୁନ୍ଥି ଯେତେବେଳେ ମାଛ ପୋଖରୀରେ ପକେଇଲାଣି ଶେଉଳ ତ ଜରୁର୍ ଖାଇବ ।

 

ରେଣୁ ଚାଲିଯାଉଥିଲା । ପଛରୁ ପୁଣି କହିଲା ରାଧିମା–ସବୁ କରିଚୁ ଲୋ ଟୋକି । ଆଗକୁ ଟିକେ ନିଘା ରଖିଥିବୁ । ବା’ଘର ଆଗରୁ ଯିମିତି ଚଉଠି ରାତିର କାମଟା ସରି ନ ଯାଏ ।

 

ରେଣୁ ହସିଲା ।

 

X X X

 

ଡିବିରି ବତୀର ଝାପ୍‌ସା ଆଲୁଅରେ ଖଟଉପରେ ବସିଥାନ୍ତି ରତନ । ତାଙ୍କରି କୋଳକୁ ଆଉଜି ପଡ଼ିଥାଏ ରେଣୁ । ରେଣୁର ଅଲରା ବାଳରେ ଆଙ୍ଗୁଠି ପୂରାଇ ବାଳ ସଜାଡ଼ୁ ସଜାଡ଼ୁ ରତନ ମନେମନେ ମାପୁଥାନ୍ତି ତାଙ୍କର ଅନ୍ତରଠାରୁ ରେଣୁର ଅନ୍ତର କେତେଦୂର ବାଟ । ଆଉ ଭାବୁଥାନ୍ତି ଅନ୍ଧାର ଆଲୁଅ କଥା । ଆଲୁଅ ତ ସୁନ୍ଦର । ପୁଣି ଅନ୍ଧାର ? ଆଲୁଅଠାରୁ କେତେ ସରସ । ନିଜ ଗାଲରେ ରତନଙ୍କ ଆଙ୍ଗୁଠିଟିକୁ ଚାପାଦେଇ ଆଙ୍ଗୁଠି ଫୁଟାଉ ଫୁଟାଉ ରେଣୁ କହୁଥିଲା–ରତନ ଭାଇ ! ଆକାଶର ଚଲାବାଦଲ, ଗୋଲାପଫୁଲର ଫୁଟିଲା ପାଖୁଡ଼ା, ଶରତ୍‌ୠତୁର ଚନ୍ଦ୍ରମଣ୍ଡଳକୁ ଚାହିଁ ଏ ଜୀବନଟା ଏମିତି କେଇଦିନ କଟିବ ?

 

ସେତିକିବେଳେ ଦୁଆରୁ ଡାକିଲା ରାଧିମା–

 

ଆଲୋ ରେଣୁ । ଓପର ସାଇ ବାଆଚ୍ଚି ମାଇପଟା ସକାଳ ପହରୁ ମଇଦାନ ଓକାଳ ହଉଚି ଯେ ଘର ଦୁଆର ଭାସୁଚି । କନାପଟା ଧୋଇ ଧୋଇ ପୋଖରୀକ ପାଣି ରଙ୍ଗା ପଡ଼ିଲାଣି । ମନ ବଇଦ ଓଷଦ ଦେଇ ଦେଇ ଥକିଲାଣି । ତିନି ଚାରିଟା କପୁରାଷ୍ଟ ଶିଶି ଉଡ଼ିଗଲାଣି । କାହିଁରେ କିଛି ହଉନି । ସମସ୍ତେ ଆଶା ଛାଡ଼ି ହାଣ୍ଡି ଆଟିକା ଘୋଡ଼ାଇଲେଣି । ମରିବ କି ବଞ୍ଚିବ କିଏ କହିବ । ଯମଗଣଗୁରା ରାସ୍ତାରେ ଯା ଆସ କରୁଚନ୍ତି । କେତେବେଳେ କଉ କଥାଲୋ ମା । ହାବୁଡ଼ରେ ପଡ଼ିଲେ କଥା ସରିବ । ଅଥୁରି ପଥୁରି ବୁଡ଼ିବ । ଦିହଟା ଛାନିଆରେ ଥରୁଚି । ଏଇଠିକି ଆ, ସାଙ୍ଗହେଇ ଶୋଇବା ।

 

ମୁଣ୍ଡ ଭିତରେ କଙ୍କଡ଼ାବିଛା କାମୁଡ଼ିଦେଲା ଯିମିତି । ମୁଣ୍ଡରେ ହାତଭରା ଦେଇ ଘଡ଼ିଏ କାଳ ଗୁମ୍ ହେଇ ବସିଗଲା ରେଣୁ । ମୁଣ୍ଡ ବୁଲେଇଲା । ମନେହେଲା ସଂସାରର ଭାରି ଜିନିଷ ଯେତେକ ଯିମିତି କିଏ ଆଣି ତା’ ଉପରେ ଓଜାଡ଼ି ଦେଉଚି । ଘର ଦୁଆର ସବୁ ତା’ ଚାରିପାଖ ଘୂରୁଚି । ସବୁ ଅନ୍ଧାର । ତା’ର ଭାବନାର ଖିଅ ଛିଡ଼ିଗଲା । ଆଖିବୁଜି ରେଣୁ ମୁଣ୍ଡ ନୋଇଁଲା ତଳକୁ-

 

ପୁଣି ରାଧିମା ଡାକିଲା–ଶୋଇପଡ଼ିଲୁ କିଲୋ ରେଣୁ ?

 

ନାହିଁ ଲୋ ମୁଣ୍ଡଟା କାହିଁକି କ’ଣ ହଉଚି । ରାତି ଆଉ କେତେ ଅଛି ଯେ । ଘଡ଼ିଏ ଆଖି ବୁଜିଦେଲେ ଗଲା । ରତନଭାଇ ତ ଖଟ ଉପରେ ଶୋଇଲେଣି । ଏଇଠିକି ଆ । ତଳେ ମଶିଣା ପଡ଼ିଚି । ମୋ’ରି ପାଖରେ ଶୋଅ । ଡିବିରୀଟା ସଞ୍ଜ ପହରୁ ଜଳି ଜଳି ଏଇକ୍ଷଣି ଲିଭିଲା । ଗୋଡ଼ ଘୋଷାରି ଚାଲିଆ । କବାଟ ମେଲା ଅଛି ।

 

ରାତି ଅନେକ ହେଲାଣି । ରତନ ଶୋଇନାହାନ୍ତି । ଖଟ ଉପରେ ଏପଟ ସେପଟ ହେଇ ହେଇ ବିରକ୍ତ ଲାଗିଲାଣି । ଗରମରେ ଦିହ ମୁଣ୍ଡ ଜଳୁଚି । ରାତି ବଢ଼ିବା ସଙ୍ଗେ ସଙ୍ଗେ ମନର ଉତ୍ତେଜନା ବଢ଼ୁଚି । ତଳେ ଶୋଇଚି ରେଣୁ । ରାଧିମା ପାଖରେ । ମଶା ବାହାନାରେ ଦେହରେ ଚାପୁଡ଼ାମାରି ରତନ ଜଣେଇ ଦେଉଥିଲେ–ଯମାରୁ ନିଦ ହେଉନି । କାଚ ଝଣଝଣ କରି ରେଣୁ ତା’ର ଉତ୍ତର ଦେଉଥିଲା–ମୁଁ ବି ଶୋଇନି ।

 

ରତନ ତଳକୁ ହାତ ବଢ଼େଇଲେ । ରେଣୁ ଶୋଇପଡ଼ିଲାଣି । ଲୁଗା ଟାଣିଲେ । ହେଲାନି । ଚିମୁଟିଲେ । ଆଙ୍ଗୁଠିରେ ନଖନାହିଁ । ଦେହରେ ଟିପା ମାରିଲେ । ନିଦଭାଙ୍ଗୁନି । ନାକ ଚିପିଲେ । ସପନ ଦେଖିଲା ପରି ରେଣୁ ଜାବୁଡ଼ି ଧରିଲା ରତନଙ୍କ ହାତ । ରତନ ଟାଣିଲେ ଉପରକୁ । ରେଣୁ ଟାଣିଲା ତଳକୁ । ଦୁଇ ଛାତିରେ ରାଧିମାର ଭୟ । ରତନଙ୍କ ହାତ ପାପୁଲିରେ ରେଣୁ ଆଙ୍ଗୁଠିରେ ଲେଖିଲା–ରାଧିମା ଜାଣିବ ।

 

ରତନ ଲେଖିଲେ–ମୁଁ ଯିବି ?

 

ରାଧିମା ଜାଣିବ ।

 

କ’ଣ କରିବା ?

 

କ’ଣ କରିବା ?

 

ରାତି ଅଳପ ଅଛି । କେଉଟ ଘରେ ଚୁଡ଼ାକୁଟା ହେଲାଣି । ନଈକୁଦ ମଇଁଷି ଗୋଠରୁ ଘାଗୁଡ଼ି ଶୁଭୁଚି । ରାଧିମା ହାଉଳିଖାଇ ଉଠିଲା । ରେଣୁ ଚେଇଁଥିଲା । ଜାଣିବାକୁ ପେଖେନା କାଢ଼ି ଘୁଙ୍ଗୁଡ଼ି ମାରିଲା । ରାଧିମା ଉଠେଇ କହିଲା–ଆ’ଲୋ ରେଣୁ । ମୁଁ ଯାଉଚି । କାଲି ଦାସଘର ବୁଢ଼ୀ ଆସି ବାରେ ବାରେ କହିଯାଇଥିଲା । ତା’ ନାତୁଣୀ ବୋହୂ ଘରକୁ ସଙ୍କୁଳା ପଠାହବ ବୋଲି । ଅରୁଆ ଧାନ କୁଟାହବ । ସେଟୁ ଆସିଲେ ପୁଣି ନାଖପୋଲ ହାଟକୁ ଯିବି । ବେଳ ପାଇବତ ପାଳକୁ ଯାଇ ଗୋବର ଚାରିଲଣ୍ଡା ଆଣିବି । ପାଞ୍ଚ ଚଉଣୀ ଆଣିଲେ ସିନା ପାଞ୍ଚପା ମିଳିବ । ଘରେ ବସିଲେ କିଏ ଦବଲୋ ଝୁଅ ? ରାତି ତ ପାଇଲାଣି । ମୁଁ ଯାଉଚି । ବୋଉ ଆସିଲେ ମୋ କଥା କହିବୁ ।

 

ରାଧିମା ଚାଲିଗଲା । ରେଣୁ ମନରେ ଅସୁମାରି ହସ । ଉଠିଆସି ହଲେଇ ଦେଇ ରତନଙ୍କୁ–ରତନ ଭାଇ, ହେ ରତନ ଭାଇ । ଆଖି ଖୋଲି ଅନେଇଲ । ମୁଁ ଆସି କଉଁଠି । ତମ ପାଖରେ କିଏ ଶୋଇଚି ।

 

ରତନ ଆଖି ମଳି ଉଠିଲେ ।

 

ରାଧିମା ଗଲାଣି । ଆସ ଗୋଟିଏ ଠା’କୁ ଯିବା । ଆମ୍ବ ତୋଟାକୁ । କାଲି ରାତିରେ ପବନ ଦେଇଥିଲା । ଆମ୍ବ ପଡ଼ିଥିବ । ଆମ ଗଜାଗଛର ଭେଲୁଆ ଆମ୍ବ ଭାରି ମିଠା । ଘରକୁ ଗଲାବେଳେ ଦି’ପୁଞ୍ଜା ବାନ୍ଧିଦେବି । ନେଇ ନୂଆବୋଉଙ୍କୁ ଦବ । କହିବ ବହୁତ ବହୁତ ମନେକରିବେ ।

 

ଗାଁମୁଣ୍ଡରୁ ଅଳପବାଟ ଗଲେ ଆମ୍ବତୋଟା । ଗାଁ ଦାଣ୍ଡର ଦି’ କଡ଼ରେ ଅନାବନା କେତେ କ’ଣ ଗଛ । ଗଛ ତଳେ...ଛାପିଛାପିକା ଅନ୍ଧାର ମିଶା ଆଲୁଅ । ରେଣୁର ହାତଧରି ଆଗେଇ ଚାଲିଯାନ୍ତି ରତନ । ଉପରେ ମଉଜା ଜହ୍ନ । ଭସାଣିଆ ମେଘ ସାଥିରେ ତା’ର ଲୁଚକାଳି ଖେଳ । ସୁଲୁସୁଲିଆ ଶୀତଳ ବାଆ । ବେଳେବେଳେ ରତନ ରେଣୁର ହାତ ଚିପି ମିଳନର ଇସାରା ଦେଉଥାନ୍ତି । ମଝିରେ ମଝିରେ ଦେହକୁ ଦେହ ଲାଗିଗଲେ ଦି’ଦେହରେ ବିଜୁଳି ଖେଳି ଯାଉଥାଏ । ଦୁଇଟିଯାକ ଭୋକିଲା ପ୍ରାଣ ଆହୁରି ଭୋକରେ ଆଉଟି ହେଇଉଠୁଥାଏ । ମନହେଉଥାଏ ଦୁଇଟିଯାକ ଆତୁର ପ୍ରାଣକୁ ପରସ୍ପରଠାରେ ହଜେଇ ଦିଅନ୍ତେ କିମିତି ।

 

ଫାଟକ ଫିଟେଇ ତୋଟା ଭିତରକୁ ଆଗରେ ପଶିଲା ରେଣୁ । ପଛରେ ଗଲେ ରତନ । ତୋଟା ମଝିକି ଆମ୍ବ ଗଛର ନଅକା ଡାଳ । କୋଉଁଠି ଉଚ୍ଚ । କୋଉଁଠି କତି । ତାରି ତଳେ ପଡ଼ିଚି କଞ୍ଚା, ପାଚିଲା, ଖଣ୍ଡିଆ, ଦଢ଼ ବଡ଼ସାନ, ଖଟାମିଠା କେତେ ରକମ ଆମ୍ବ । ରେଣୁ କାନିରେ ଆମ୍ବ । ଡାଳତଳେ ଗଳି ଗଳି ରତନ ପୁରାଉଥାନ୍ତି ଅଣ୍ଟିରେ ଗୋଟିକପରେ ଗୋଟିଏ । ପୁଣି ଗୋଟିଏ ।

 

ହେଇ ଗୋଟିଏ ଭେଲୁଆ ଆମ୍ବ–

 

କିମିତି ନବା ଏଗୁରା ।

 

ସେତିକିବେଳେ ବିଲୁଆଟାଏ ଦଉଡ଼ିଗଲା ସେଇବାଟେ । ରତନ ଟିକେ ପଛେଇ ଯାଇ ପାଟିକରି କହିଦେଲେ–ହେଇ ଭୂତ ଆସିଲା । ଚିହିରାଛାଡ଼ି ରେଣୁ ଯାଇଁ ଯାବୁଡ଼ି ଧରିଲା ରତନଙ୍କୁ । ଶିକାର ପାଇଲେ ଭୋକିଲା ବାଘର ମନ, ରାତି ପାହିଲେ ବିରହା ଚକୋଈର ଆତ୍ମା ଯିମିତି ହୁଏ ରତନ ତାଙ୍କର ଅନେକ ଦିନର ଇପ୍‌ସିତ ଧନ ହୃଦୟର ନିହାତି ପାଖରେ ପାଇଚନ୍ତି । ଦୁଇ ହାତରେ ଭିଡ଼ିଧରିଲେ ଜୋରରେ । ରେଣୁ ଆଖିବୁଜିଲା ।

 

କେତେବେଳକେ...

 

କେଉଁ ଏକ ଦୂରନ୍ତ ତରୁ ଶାଖାରେ କାଉ, କୋଇଲି, କଜଳପାତି ରାବିଉଠିଲେ–ଏକ ସଙ୍ଗରେ । ଚମକିପଡ଼ିଲା ରେଣୁ । ଭାବନାର ଦିଗହଜା ଅତଳ ଦରିଆ ଭିତରୁ ଖସିଆସି ସେ ଦେଖିଲା ତା’ର ସକଳ କେଶ ପ୍ରସାଧନ ଇତସ୍ତତ । କାକକୃଷ୍ଣ କବରୀର ସଜ୍ଜିତ ଫୁଲ ପେନ୍ଥାଟି ଖସିପଡ଼ିଚି ତଳକୁ । ତନୁ ଲତାର ସମସ୍ତ ଆବରଣ ଶିଥିଳ । ଦେହରୁ ଲୁଗା ଯାଇଁ କେଉଁଠି ପଡ଼ିଚି । ରେଣୁ ଦେହ ମୋଡ଼ିଲା ଖସିଯିବାକୁ ରତନଙ୍କ ସୁଦୃଢ଼ ବାହୁ ବେଷ୍ଟନୀ ଭିତରୁ । ସେ ବାହାରିପାରିଲାନି । ନିଜର କ୍ଷୁଧିତ ଆତ୍ମାର ପ୍ରତି ଫାଙ୍କରୁ ହତାଶାର ରେଖା ପୋଛିଦେଇ ରତନ ଆହୁରି ଜୋରରେ ଭିଡ଼ିଧରି ରେଣୁର ଦୁଇପାଖରେ କଅଁଳ ଗାଲରେ ବିଛେଇ ଦେଲେ ଅକଳନ ଚୁମ୍ବନର ଦାଗ ।

 

ରାତି ପାହିଲା । କାଉ ରାବିଲେ । ପଙ୍କଜ ଚାହିଁଲା–କଇଁ ମଉଳିଲା ।

 

ଚକୁଆ ଚକୋଇ ହସିଲେ । ତାଙ୍କ ଆଶା ମେଣ୍ଡିଲା ।

 

ଶାନ୍ତିଲତା ଓ ରଘୁନାଥ–ପରସ୍ପର ସ୍ନେହ ସରାଗ ଭିତରେ ଦଶଟି ବର୍ଷ ସୁଖର ସଂସାର କଲେଣି । ସଂସାରର ଅଭାବ ଅନାଟନ କେବେ ସହିନାହାନ୍ତି । ହସ ଖୁସିରେ ଚଳନ୍ତି । ଦୁହିଁଙ୍କର ମନ ପବିତ୍ର । ଦୁହେଁ ଦୁହିଁଙ୍କର କାୟା ପୁଣି ଛାୟା । ଦିନେହେଲେ କେହି କାହାରିକୁ ସ୍ୱପ୍ନରେ ହେଲେ ବି ସନ୍ଦେହ କରିନାହାନ୍ତି । ଘରକରି ଭଲମନ୍ଦରେ ଜଣେ ରୁଷିଲେ ଆଉ ଜଣକର ପେଟ ଭୋକିଲା ରହେ । ଜଣକ ପ୍ରାଣରେ ଆଘାତ ଲାଗିଲେ–ଆଉ ଜଣେ କାନ୍ଦେ । ଜଣେ ହସିଲେ ଆଉ ଜଣେ ହସେ ।

 

ଦୁଇ ପ୍ରାଣର ସୁଖ ସଂସାର ଭିତରେ ଲିଲିର ଜନ୍ମ । ଦେଢ଼ ବରଷର କଅଁଳା ଝିଅ ଲିଲି । ବାପ ମା’ଙ୍କର ଆଦରର ଧନ । ଯେତେବେଳେ ଲିଲି ହସେ, ଗୁଲୁର ଗୁଲୁର କଥା କହେ, ଦୁଇ ପ୍ରାଣ ଆନନ୍ଦରେ କୁଲୁରିଉଠେ । ଘରପୂରେ । ସବୁବେଳେ ଛାତିଭିତରେ ଆନନ୍ଦରେ ଲହଡ଼ି ଭାଙ୍ଗେ ଲିଲିର ଦରୋଟି କଥା କେଇପଦ । ତାଙ୍କରି ଦିହର ହାଡ଼ ମାଉଁଶ ଫଟେଇ ସେ ସଂସାରକୁ ଆସିଚି-। ତାଙ୍କର ଖୁସିବାସି ଦିନର ଖେଳନା କଣ୍ଢେଇ, ଅନ୍ଧାର ଘରର ଦୀପ, ଆକାଶର ଚାନ୍ଦ ଏଇ ଲିଲି-। ତାଙ୍କର ଜୀବନରୁ ଅଧିକ । ଲିଲି ହସିଲେ ସରଗର ପାରିଜାତ ଫୁଟେ । କାଖରେ କୁତୁକୁତୁ କରି ଦେଢ଼ ବରଷର ଛୁଆ ଝିଅଟି ସାଙ୍ଗରେ ଛୁଆ ହୋଇ ଖେଳନ୍ତି ଶାନ୍ତିଲତା ।

 

ରଘୁନାଥଙ୍କ ସାନଭାଇ ରତନ । ବଡ଼ହେଲେ ବି ତାଙ୍କ ଆଖିରେ ରତନ ପିଲା । ବାପାଙ୍କ ପରଠୁଁ ରତନଙ୍କର ଭବିଷ୍ୟତ ଭାର ତାଙ୍କର ମୁଣ୍ଡ ଉପରେ । ସେ ରତନଙ୍କୁ ପାଠ ପଢ଼େଇବେ । ସଂସାରରେ ମଣିଷ କରିବେ । ରତନ ମାନନ୍ତି ବଡ଼ଭାଇଙ୍କି । ଖାତିରରେ ତାଙ୍କ ଆଗରେ କଥା କହିପାରନ୍ତିନି । ନୂଆବୋଉଙ୍କୁ ମା’ ପରି ଦେଖନ୍ତି । କୁଆଡ଼େ ଗଲା ଅଇଲାବେଳେ ଭାଇ ଭାଉଜଙ୍କ ପାଦଧୂଳି ନେଇ ମୁଣ୍ଡରେ ମାରନ୍ତି । ସେମାନେ ଆଶୀର୍ବାଦ କରନ୍ତି ଟିକିଏ କ’ଣ ହେଲେ ରତନ ଦୌଡ଼ିଯାନ୍ତି ନୂଆବୋଉଙ୍କ ପାଖକୁ । ନୂଆବୋଉ ବୁଝନ୍ତି । ନିହାତି ଦରକାର ପଡ଼ିଲେ ଯାଇଁ ବନ୍ଧୁକୁ ଆଉଜି ଠିଆ ହୁଅନ୍ତି । ବାହାରେ ଥିଲେ ଦୂରଇ ରହି ତଳକୁ ମୁହଁ ପୋତନ୍ତି । ଦାନ୍ତରେ ନଖ କାମୁଡ଼ନ୍ତି, ନଇଲେ ଲୁଗା କାନିରୁ ସୂତାଖିଅ ବାହାର କରି ଥିରି ଥିରି କହନ୍ତି । ରତନଙ୍କର ପିଲାଳିଆ ଢଙ୍ଗଢାଙ୍ଗ ସାନୁନୟ ବିନୀତ କଥା କେଇପଦ ରଘୁନାଥଙ୍କ ତରଳ ମନରୁ ପରଦା କାଢ଼େ । ଭାବନା ଭାଙ୍ଗେ । ମୁହଁ ବୁଲେଇ କଥାର ଉତ୍ତର ଦିଅନ୍ତି ନଇଲେ କହନ୍ତି–ଯା ମୁଁ ଯାଉଛି । ରତନ ସିଧାସଳଖ ଦୌଡ଼ିଆସନ୍ତି ନୂଆବୋଉଙ୍କ ପାଖକୁ । ମୁହଁରେ ଚପଳ ହସ ଉଙ୍କିମାଇଲା ଜହ୍ନପରି ଚହଟେ । ଛାତିରେ କମ୍ପନ । ଏକା ନିଶ୍ୱାସକେ କହିଦିଅନ୍ତି–ନୂଆବୋଉ ଭାଇଙ୍କୁ କହିଲି ।

 

ମାସକରେ ଥରେ କି ଦି’ଥର ରଘୁନାଥଙ୍କର ମଫସଲ ଯିବାକୁପଡ଼େ । ଭାଇଙ୍କର ଅଇଲା ବାଟକୁ ଚାହିଁ ବସିଥାନ୍ତି ରତନ । ଘର ଦୁଆର ମୁହଁରେ ଗାଡ଼ି ଅଟକିଲେ ଦୌଡ଼ିଯାଇଁ ଗାଡ଼ି ଧରନ୍ତି । ଘର ଭିତରେ ଗାଡ଼ି ରଖି ମନ ଆନନ୍ଦରେ ବ୍ୟାଗ୍‌ଟି ନେଇ ଫିଟେଇବସନ୍ତି ନୂଆବୋଉଙ୍କ ଆଗରେ । କିନ୍ତୁ ନଥିଲେ ଲେମନ୍‌ରଷ୍ କି ବିସ୍କୁଟ୍ ପୁଟୁଳାଟିଏ ନିଶ୍ଚୟ ଥାଏ । ହସି ହସି ବଢ଼େଇଦିଅନ୍ତି ନୂଆବୋଉଙ୍କ ହାତକୁ । ଶାନ୍ତିଲତା ଭାରି ସୁନ୍ଦର ପ୍ରକୃତିର ଘରଣୀ । ଲିଲି ପାଇଁ ଦି’ଚାରିଟା ରଖି ପୁଟୁଳି ଛାଏଁ ବଢ଼େଇ ଦିଅନ୍ତି ରତନଙ୍କ ହାତକୁ । ନାହିଁ ନାହିଁ କରି ରତନ ନିଅନ୍ତି । ଖାଇଲା ପାଟିରେ କହନ୍ତି–ଏଗୁରା କାହିଁକି ମତେ ଦଉଚ ନୂଆବୋଉ । ଭାଇ ପରା ଲିଲି ପାଇଁ ଆଣିଚନ୍ତି । ଶାନ୍ତିଲତା କହନ୍ତି–ଲିଲି ଯିମିତି ପିଲା, ତମେ ବି ସିମିତି ପିଲା ।

 

କାମ ବାଉଳାରେ ଯଦି କେତେବେଳେ ଶାନ୍ତିଲତାଙ୍କ ଦିହମୁଣ୍ଡରୁ ଲୁଗା ଖସି ଯାଇଥାଏ, ରତନଙ୍କ ଆଖିରେ ପଡ଼ିଲେ ଜିଭ କାମୁଡ଼ି ଘୁଞ୍ଚି ଆସନ୍ତି ପଛକୁ । ପଛରୁ ଡାକନ୍ତି ଶାନ୍ତିଲତା–କ’ଣ କହୁଥିଲି କି ରତନ । ରତନ ଆଉ ଫେରନ୍ତି ନାହିଁ । ନାହିଁ ନାହିଁ କିଛିନାହିଁ କହି ଦୌଡ଼ିପଳାନ୍ତି କୁଆଡ଼େ ନାଇଁ କୁଆଡ଼େ ।

 

ରତନପୂର ଗାଁ । ଏ ମୁଣ୍ଡରୁ ସେ ମୁଣ୍ଡ ପୁଆଭାୟା ମିଶି ତିରିଶିରୁ ଚାଳିଶି ଭିତରେ ଘର-। ମଝିରେ ଅଣଓସାରିଆ ଦାଣ୍ଡ । ଦି’ କଡ଼ରେ ଦି’ ସାହାଲା ଚାଳଘର । ଖରାଦିନେ ଦାଣ୍ଡ ଧୂଳିରେ ଖଇଫୁଟେ । ବର୍ଷାଦିନେ ଚବଚବିଆ ପାଣିତଳେ ଆଣ୍ଠିଏ ପଙ୍କ । ହାନୀଲାଭ କାମ ହେଲେ ହାକିମ ହୁକୁମାମାନେ ଆସିବାକୁ ଡରନ୍ତି । ବାବୁ ଚଉକିଆ ଆସି ଗାଁରେ ହଲାକରେ ବଡ଼ବାବୁ କଇଚନ୍ତି । ସମତେ ଥାନାକୁ ଚାଲ ।

 

ଗାଁଯାକରେ ଗୋଟିଏ ବୋଲି କୂଅ ରତନଙ୍କ ବାଡ଼ିରେ । ଚାରିପାଖ ପକା ଚଉତରା । ପାଖକୁ ଲାଗି ବଉଳ ଗଛ । ପ୍ରତିଦିନ ଛାଇ ଲେଉଟ ବେଳକୁ ରତନ ବଉଳ ଗଛରେ ବସି ବଇଁଶୀ ବଜାନ୍ତି । ଗଛରୁ ଫୁଲ ତୋଳି ହାର ଗୁନ୍ଥନ୍ତି । ସେତିକିବେଳକୁ କୂଅ ମୂଳକୁ ପାଣି ନବାକୁ ଆସନ୍ତି ଗାଁର ଝିଅବୋହୂ ସମସ୍ତେ । ଗାଁର ଗଜା ଟୋକାମାନଙ୍କ ଭିତରେ ରତନ ସବୁଠୁ ସାନ । ବୋହୂମାନଙ୍କ ଭିତରେ ସମସ୍ତଙ୍କର ଟାପରା । ଦିଅର ଭାଉଜ ସମ୍ପର୍କ । କେତେ ଥଟ୍ଟା ତାମସା କରନ୍ତି । ରତନ ସବୁ ଶୁଣନ୍ତି । ମୁଣ୍ଡ ଟୁଙ୍ଗାରି ହଁ ନାହିଁ କରନ୍ତି । ମନଭିତରେ ହସି ହସି ବେଦମ ହୁଅନ୍ତି । ଫେରିଲାବେଳେ ଆପଣା ଛାଏଁ କାହାକୁ ଗୋଟିଏ ଗଜରା ହାର, କାହା ଅଣ୍ଟିରେ ଅଗୁନ୍ଥା ଫୁଲରୁ ମେଞ୍ଚାଏ ପୂରେଇ ଦିଅନ୍ତି । କେହି ନିଅନ୍ତି ନାହିଁ । ସମସ୍ତେ କହନ୍ତି–ରଖ ଗୋ ରଖ । ଛୁଆବୋଉ ଆସିଲେ ତାଙ୍କ ମୁଣ୍ଡରେ ବାନ୍ଧି ବେକରେ ଝୁଲେଇବ । ପାଖର ବସେଇ ସୁନ୍ଦର ପଣ ଦେଖିବ । ବୋକ ଦେଲାବେଳେ ବାସନା ହବ । ଆମକୁ ଦେଲେ କ’ଣ ମିଳିବ ।

 

ରତନ ଚମକିଉଠନ୍ତି ସେତିକିବେଳେ । ମନଭିତରେ ଜୁଆର ଖେଳେ । କୋଉ ନୂଆବୋଉ ଆସିବ । କାହା ବେକରେ ସେ ବଉଳମାଳି ପିନ୍ଧେଇବେ । ଛାତିତଳୁ ହାବୁକା ଉଠେ । ମନେପଡ଼େ ଜଣକ କଥା । ଆଖିଆଗରେ ରଙ୍ଗ ତରଙ୍ଗ ପର ମେଲେଇ ଉଡ଼ିଯାଏ ମନର ପ୍ରଜାପତିଟି । ଯାହାର ରୂପ ରଙ୍ଗର ଫୁଟିଲା ଫୁଲ, ପୋଟଳ ଚିରା ଆଖିର ଚହଟ, ଗୋଲାପି ଓଠର କୋମଳ ଦରହାସ ଦେଖିଲେ ସେ ଭୁଲିଯାନ୍ତି ନିଜକୁ । ସେଇ ରୂପର ରାଣୀ–ପ୍ରାଣର ପ୍ରତିମା ମାନସୀ ବେଣୁ । ଛାତି ଭିତରେ କୂଳ ଲଙ୍ଘି ବହିଯାଏ ତା’ର ଅନାବିଳ ପ୍ରୀତି–ମନ୍ଦାକିନୀ । ସେଇ ସ୍ୱଚ୍ଛ ସଲାଳରେ ସେ ଦେଖନ୍ତି ନିଜର ପ୍ରତିବିମ୍ୱ ଥରକୁଥର । ବେଳଯାଏ, ଲହଡ଼ିଉଠେ ପୁଣି ଦୋହଲିଉଠେ ପାଣି । ସେଇ ଦୋହଲା ପାଣିରେ ସେ ପୁଣି ଦେଖନ୍ତି ସେ ଦୋହଲୁଚନ୍ତି ନିଜେ । ମନ ଭାଙ୍ଗିଯାଏ ।

 

କାଖରେ ପାଣି ମାଠିଆ ଧରି ଦୂରେଇଯାନ୍ତି ନୂଆବୋଉ ଗୁଡ଼ିକ । ଫୁଲଯାକ ଗୋଟେଇ ଧରି ରତନ ଚାହିଁଥାନ୍ତି ପଛକୁ । ଆଖିରେ ନିରୀକ୍ଷଣ କରନ୍ତି ନାରୀର ରୂପ–ଜଳନ୍ତା ନିଆଁ ଭିତରେ ଗୋଟି ଗୋଟି କରି କିମିତି ପଡ଼ୁଛନ୍ତି ପୁରୁଷ ପତଙ୍ଗଦଳ ।

 

ପ୍ରେମ ପାରାବାର, ମଣିଷ କୀଟ ।

 

ଗାଁରେ ସମସ୍ତଙ୍କ ଘରକୁ ରତନଙ୍କର ଅବାଧ ଗତି । ସମସ୍ତେ ତାଙ୍କୁ ଭଲପାନ୍ତି । ସେ ବି ସମସ୍ତଙ୍କୁ ନିଜର ଲୋକପରି ଦେଖନ୍ତି । ପିଲାଙ୍କ ସହିତ ପିଲା । ଟୋକାଙ୍କ ସହିତ ଟୋକା । ବୁଢ଼ାଙ୍କ ସହିତ ବୁଢ଼ା । ଯାହା ସହିତ ଯେମିତି ଚଳେ । ପିଲାମାନଙ୍କ ସାଙ୍ଗରେ ବୋହୁଚୋରୀ, ଲୁଚକାଳି ଖେଳନ୍ତି । ଆଙ୍ଗୁଠି ଫୁଟାଇ ଚୋର ଧରାନ୍ତି । କଣ୍ଢେଇ ବା’ଘର ହେଲେ ଆଗେ ଆଗେ ଟିଣ ବାଡ଼େଇ ବାଡ଼େଇ ଯାନ୍ତି । ଟୋକାମାନଙ୍କ ସାଙ୍ଗରେ କିତି କିତି ବାଗୁଡ଼ି ଖେଳନ୍ତି । ରାତି ପହରିଆ ନାଳବନ୍ଧକୁ ଗଲାବେଳେ ବାଟରେ ପୁରାଣ ଯୁଗର ବୋଉ ଅଜବ କଥା କହନ୍ତି । ଓଳିଆ ବନ୍ଧା ଖେଳ ଖେଳନ୍ତି । ଚେକା ଚେକା ମୁଣ୍ଡଳା କରି ଝାଡ଼ା ବସନ୍ତି । ଟୋକାଙ୍କ ସାଥିରେ ଗାଁ ଝିଅଙ୍କର ରୂପ ଚର୍ଚ୍ଚାଟା ବେଶ୍ ହୁଏ । ବୁଢ଼ାମାନଙ୍କ ସାଥିରେ ବି ସେଇଆ । ଏ ଯୁଗ ଆଉ ସେ ଯୁଗ । କ’ଣ ଥିଲା କ’ଣ ହେଲା । ଇଂରେଜ ସରକାର ଥିଲା, ସବୁ ଜିନିଷ ଶସ୍ତାରେ ମିଳୁଥିଲା । କଂଗ୍ରେସ ରାଜୁତି କଲା, ସବୁ ଜିନିଷ ମହଙ୍ଗା । କେତେ ଆଇନି ପଇଣ୍ଟ ଶିଖାଇଲା । ଲୋକେ ମଣିଷମାରି ଖଲାସ ହେଲେ । ଚୋରି ସଂଖ୍ୟା ବଢ଼ିଲା । ଆକାଶରେ ଉଡ଼ାଜାହାଜ ଉଡ଼େଇଲା । ଇନ୍ଦ୍ରରଜା ଡରିଲା । ବରଷା କଲା ନାହିଁ । ଭୂଇଁ ଫାଟିଲା । ଫସଲ ମଲା । ଗାନ୍ଧିବୁଢ଼ା ସ୍ୱରାଜ ଆଣିଲା । ପାଣ, ବ୍ରାହ୍ମଣ ଏକାଠି କଲା । ଠାକୁର ମନ୍ଦିରରେ ପାଣ ହାଡ଼ି ପଶିଲେ । ଦିଅଁ ଅଡ଼ା ଛାଡ଼ି ଚାଲିଗଲେ । ଧରମ ସହିଲା ନାହିଁ । ମୁଣ୍ଡରେ ଚଡ଼କ ପଡ଼ିଲା । ଏକା ଗୁଳିରେ ବସିଲାଠାରୁ ଉଠିପାରିଲା ନାହିଁ । ମଲା । ରତନ ସବୁ କଥାରେ ହୁଁ ମାରନ୍ତି । ମନ ହେଲେ ପଦେ କହନ୍ତି–ଗାନ୍ଧିବୁଢ଼ା ସିନା ସ୍ୱରାଜ ଆଣିଲା ବୋଲି ମଲା । ତମେ ତ ସବୁ କେହି ସ୍ୱରାଜ ଆଣି ନାହଁ ? ତମେମାନେ ତେବେ ଯୁଗ ଯୁଗକୁ ଅମର ହୋଇ ରହିବ । ସରଗକୁ ସିଡ଼ି ବାନ୍ଧିବ ନଇଲେ ଯଉଁଦିନ ଇନ୍ଦ୍ରଦେବତା ପୁଷ୍ପକ ବିମାନ ନେଇ ମଞ୍ଚପୂରକୁ ଓହ୍ଲେଇଆସିବ ସେଇଦିନ ଯାଇଁ ତମେମାନେ ଯିବ-। ବୁଢ଼ାମାନେ ଠୋ ଠୋ ହେଇ ହସନ୍ତି । ପାକୁଆା ପାଟିରୁ ଗନ୍ଧିଆ ପାନପିକ ବୋଇପଡ଼େ । ରତନ ବି ହସନ୍ତି ।

 

ଗାଁରେ ଯାନିଯାତ୍ରା, ମେଳା ମହୋତ୍ସବ ବା କୌଣସି ଜାତିଆଣ ଭୋଜି ଭାତ ହେଲେ ରତନଙ୍କ ସବା ଆଗରେ ଆସନ ପଡ଼େ । ପତର ପଡ଼େ ସବା ପଛରେ । ସେଇ ତାଙ୍କର ଆନନ୍ଦ । ସେ ଅପମାନକୁ ଅପମାନ ମଣନ୍ତି ନାହିଁ କି ସମ୍ମାନ ପାଇଲେ ମନରେ ଗର୍ବ ଅନୁଭବ କରନ୍ତି ନାହିଁ । ସେ ଭାବନ୍ତି, ସମସ୍ତେ ଯିମିତି ସେ ବି ସିମିତି । ସମସ୍ତଙ୍କ ସାଥିରେ ଜଣେ । ସମସ୍ତେ ତାଙ୍କର । ସେ ବି ସମସ୍ତଙ୍କର । ସେଥିପାଇଁ ସମସ୍ତଙ୍କ ମୁହଁରେ ତାଙ୍କର ଆଦର । ସମସ୍ତେ କହନ୍ତି ରତନ ବାବୁଟି ଭଲ–ଭାରି ଭଲ ମଣିଷ ।

 

ପରର ଉପକାରରେ ରତନଙ୍କର ଦିନ ବିତେ । ଦିହର ରକ୍ତ–ପାଣି ହୋଇ ନିଗିଡ଼େ ।

 

ଦିନକର ।

 

ପହିଲି ରଜ । ଦିନ ପହଡ଼େ କି ଛ ଘଡ଼ି ହବ । ପାଢ଼ୀଘର ଗୁଆ ବଗିଚା, ଅମାର ବାଡ଼ି, ସମାଦି ତୋଟାରେ ପଟା ଦୋଳି ଝୁଲିଲାଣି । ଗୀତ ଶୁଭୁଚି । ଛୋଟ ଛୋଟ ଛୁଆ ସମସ୍ତଙ୍କ ଦେହରେ କେତେ ରଙ୍ଗର ନୂଆ ନୂଆ ଜାମା କୁରୁତା । ମୁହଁରେ ପୋଡ଼ ପିଠା ଅଇଁଠା । ନାକତଳେ ସିଙ୍ଗାଣି ଭଡ଼କା । ବଡ଼ ବଡ଼ ଛୁଆଙ୍କର ଗୁଡ଼ିଉଡ଼ା ଆନନ୍ଦ । ଘର ଉପରେ ଗୁଡ଼ିମାଳ ଉଡ଼ୁଚି । ଘର ଭିତରେ ଝିଅ ବୋହୂମାନଙ୍କର ତାସଖେଳ, ଲୁଡ଼ୁପାଲିର ଜୋରସୋର ନିଶା । ଅତର ବାସନାରେ ଦାଣ୍ଡ ମହକୁଚି । କିଛି ଚିନ୍ତା ନାହିଁ–ମୁଣ୍ଡ ଉଶ୍ୱାସ । ଚାରିଦିନକୁ ଗୁଆ ଭଙ୍ଗା ହେଇଚି । ଦାନ୍ତକାଠି କଟା ହେଇଚି । ହଳଦି ବଟା ହେଇଚି । ରନ୍ଧାବଢ଼ାରୁ ଖଲାସ । ଚାରିଦିନକୁ ପିଠା ପୋଡ଼ା ହେଇଚି-। ଖାଲି ନେଇ ଆଣି ଦେବା କଥା । ଚାଲୁ ଖେଳ ।

 

ଗାଁଯାକ ମଣିଷ ସମସ୍ତେ ଆସି ରୁଣ୍ଡ ହେଉଚନ୍ତି । ଠାକୁର ଘରେ ସପ୍ତା ବସିବ । ଏତେବେଳଯାଏ ଠାକୁର ଚିତ୍ରା ସରିନାହାନ୍ତି । ଦିଗି ପୋଖରୀକି କିଏ ଫୁଲପାଇଁ ଯିବ । ମାଳି ଘରକୁ କିଏ ଯିବ । ଘିଅ ଆସି ଥୁଆ ହେଲାଣି । ଶାଳୁଆ କାଠ କୋଉଠୁ ଆସିବ । ଯାତ୍ରାଦଳ ବରାଦ କରିବାକୁ କିଏ କିଏ ଯିବେ । ସବୁ ଭାର ରତନଙ୍କ ଉପରେ । ଯାହାକୁ ଯାହା ବରାଦକରି ରତନ ଫେରିଲେ ।

 

ଦାଣ୍ଡଘର ପାରିହେଲେ ଆଟୁଘର ମାଟି ଖଞ୍ଜା । ନଙ୍ଘା ବନ୍ଧ ପାରିହେଇ ଘରଭିତରକୁ ପଶିଯାଉଥିଲେ ରତନ । ହଠାତ୍ ଦେଖି ଘୁଞ୍ଚିଆସିଲେ ପଛକୁ । ଘର ଭିତରେ ଭାଇ ଖାଉଚନ୍ତି । ପାଖରେ ନୂଆବୋଉ । ହାତରେ ଦୁଧ ଗିଲାସ । ଲିଲି ଦୋଳିରେ ଝୁଲୁଚି । ବଳେଇ ବଳେଇ ନୂଆବୋଉ ଖୋଉଚନ୍ତି ଲିଲିକୁ ଦୁଧ । ଲିଲି କାନ୍ଦୁଚି । ସେତିକିବେଳେ କାଳିବିଲେଇଟା ଡେଇଁପଡ଼ିଲା ଚାଳଉପରୁ । ରଘୁନାଥ ଚାହିଁଲେ ପଦାକୁ । ଆଖିପଡ଼ିଲା ରତନଙ୍କ ଉପରେ । ପାଖକୁ ଡାକିଲେ । ନୀରବ ଶିଶୁଟି ପରି ରତନ ଯାଇ ଠିଆହେଲେ ପାଖରେ । ଗୋଡ଼ ହାତ ନିସ୍ତେଜ । ଛାତିଭିତରେ ଦମକା ଛାନିଆ । ଢଳଢଳ ଆଖିଦୁଇଟିରେ ଅତରଛ ଭ୍ରୂକୁଞ୍ଚନ । କିଛି ଅଘଟଣା ଘଟଣା ହେଲାକି ? ପୁଣି ଡାକିଲେ ରଘୁନାଥ–ଖାଇବୁ ଆ । ରତନ ଖାଇବସିଲେ ।

 

ଭାଇ ଭାଇର ସ୍ନେହ । ପରସ୍ପରର ମମତା ଘନେଇଆସିଲା ।

 

ସାହୁଘର ମେଙ୍କୀ ଜୋଇଁ ଭଗିଆ । ପଞ୍ଚାବନ ବର୍ଷର ବୁଢ଼ା । ଛାମୁଦାନ୍ତ ହଲିଲାଣି । ମୁଣ୍ଡବାଳ ଅରୁଆ ଝୋଟ । ଶାହାଡ଼ା ଗଛକୁ ପୂରେଇ ଚାରିଟା ବା’ହବାପରେ ପଛରେ ଦୁତୀଅ ହେଇଚି ମେଙ୍କୀକି । ମେଙ୍କୀର କପାଳ ପୋଡ଼ା । ଯୁବତୀ ବଅସରେ ବା’ ହେଉଥିଲା । ସ୍ୱାମୀ ସୁଖରେ କେଇଟି ଦିନ ଘର ସଂସାର କରିଚି । ଯୁବତୀ ଝିଅର ବା’ ହବାପରେ ଯେଉଁ ଆଶା ଟିକକ ଥାଏ ସେତକ ପୂରଣ ହେଉନି । ଗୋଡ଼ରୁ ଅଳତା ଦାଗ ନିଭିନି । ବରଷ ନ ପୁରୁଣୁ ଖେଦିରପୁର ଚଟକଳରୁ ମଲା ଖବର ଆସିଲା । ମେଙ୍କୀ କେତେ ବାଡ଼େଇ ପିଟି ହେଲା । ମୁଣ୍ଡ ପିଟିପିଟି ତାଳୁ କଣା କଲା । ତା’ ବର ଆଉ ଫେରିଲା ନାହିଁ । ମେଙ୍କୀ ନିରାଶ ହେଇ ମୁଣ୍ଡରୁ ସିନ୍ଦୁର ପୋଛିଲା । ପାଞ୍ଚବରଷ ଫାଙ୍କା ଆକାଶକୁ ଚାହିଁ ରହିଲା । ଶେଷରେ ବାପ ଘରକୁ ଆସିଲା । ଭାଇ ଭାଉଜଘରେ କେଇଦିନ ରହିବ ? ରାତି ପାହିଲେ କଜିଆ । ରାହାବାଳୀ ବଡ଼ବୋହୂର ବୋଲଣା ସହିପାରିଲା ନାହିଁ । ଶେଷରେ ହଁ ନାହିଁ କରି କରି ଭଗିଆ ଘରକୁ ଗଲା । ବା’ଘରର ଛମାସରେ ସେଇ ଭଗିଆ ଆସିଛି ପୂନେଇଁ ଖାଇ । ରତନ ଚାହିଁଥାନ୍ତି । ଭଗିଆ ଆସି ଭାଇ ଆଉ ନୂଆବୋଉଙ୍କ ଗୋଡ଼ତଳେ ମୁଣ୍ଡ ଲଗେଇ ଜୁହାରହେଲା । ରତନଙ୍କ ଆଡ଼କୁ ଆଖିଠାରି ଶାନ୍ତିଲତା ଓଢ଼ଣା ଭିତରେ ହସିଲେ । ରତନ ହସିଲେ । ରଘୁନାଥ ଭଗିଆକୁ କେତେ କଥା ପଚାରିଲେ ।

 

ଭଗିଆ ପଛରେ ଟଙ୍କା ଥଳିଧରି ଆସୁଥିଲା ସରଦୀ ବୁଢ଼ୀ ଦାଣ୍ଡ ଅଧାରୁ ପାଟିକରି କହିଲା–କଇଲାଣ କରଲୋ ବୁଢ଼ାବରକୁ । ପାକେଇ ବାଳରେ ମେଙ୍କୀର ନାଁ ରହିବ ଯିମିତି । ଶାନ୍ତିଲତା ଆହୁରି ହସିଲେ ।

 

କିଲିକିଲି ହେଇ ଖେଳୁଥିଲା ଲିଲି । ଶାନ୍ତିଲତା ଆଡ଼କୁ ଚାହିଁ ସରଦୀ ବୁଢ଼ୀ କହିଲା–କାହିଁ କିଲୋ ଝୁଅ ଏତେ ଗିଳଉଚୁ ? ପୁଅ କୋଉ ହେଇଚି । ଝୁଅଟାତ । ଖୋଇପେଇ ବଢ଼େଇଲେ ବାପାମାଙ୍କୁ କାଙ୍ଗାଳକରି ଘରେ କଳାକନା ବୁଲେଇ ପର ଘରକୁ ପଳେଇବ । ପୁଅ ହେଇଚିକି ପୋଷିବ । ତାକୁ ନ ଦେଇ ମୋତେ ଆଉରି ଖାଇବାକୁ ଦେଲେ ତମର ନଉକରି କରନ୍ତି । ବାଇଜି ଅଟିକା ପର ଘରକୁ ଝୁଅଟାକୁ କାହିଁକି ଏତେ ଆଦର ପଡ଼ିଚି । ପକେଇଦିଅ ଖତଗଦାକୁ ।

 

ଭାଉଁକିନା ଚିହିରିଉଠିଲା ଲିଲି । ଶାନ୍ତିଲତା ଝଟ କରି କୁଣ୍ଢେଇ ପକେଇ ଛାତିରେ ଜାକି ଗେଲ କଲେ । –କିଏ କଉଚିଲୋ ମୋ ଲିଲିକୁ ଝିଅଟା ବୋଲି । ମୋ ଲିଲି ତ ପୁଅ ଆଉ... ।

 

ସରଦୀବୁଢ଼ୀ ଟଙ୍କାଥଳି ତଳେରଖି ପାଖେଇଗଲା ଶାନ୍ତିଲତାଙ୍କ ଆଡ଼କୁ । ଦୁଇହାତ ପକେଇ ହସିଲା ମୁହଁରେ ଡାକିଲା–ଆ, ଆଲୋ ଲିଲି । ଆ–ଆ ।

 

ଲିଲିର କୁଲ୍‌କୁଲିଆ, ଦରହସିଲା ଟିକ ମୁହଁରେ ହସର ଶୋଭା ମନ ରଞ୍ଜେ । କୁଲକୁଲ ହୋଇ ଶାନ୍ତିଲତାଙ୍କ ପଣତ ତଳେ ମୁହଁ ଲୁଚେଇଲା ଲିଲି । ପୁଣି ମୁହଁ ଖୋଲି ଡରି ଡରି ଅନେଇଲା ପଦାକୁ । ସେମାନେ ଗଲେଣି । ମନଭିତରେ ଅମାପ ଆନନ୍ଦ । ଦରୋଟି ପାଟିରେ ମା–ମା–ମା–ମା କହି ଦୁଇ ହାତରେ ଆମ୍ପୁଡ଼ି ଆଣିଲା ଶାନ୍ତିଲତାଙ୍କ ମୁହଁକୁ । କ୍ଷଣ କୋପରେ ଲିଲି ଗାଲରେ ଟିକି ଚାପୁଡ଼ାଟିଏ ଦେଇ ଶାନ୍ତିଲତା କହିଲେ–ତୋ କପାଳରେ ବହୁତ ମାଡ଼ ଅଛିଲୋ ଲିଲି । କାହିଁକି ତୁ ଇମିତି ହଉଚୁ ? ଲିଲି ମୁହଁ ଫଟେଇ ଦେଲା ।

 

ଦୁଆରମୁହଁ କତିକି ଲାଗି ଭେଲୁଆ ଆମ୍ୱଗଛ । ତା’ ତଳକୁ ତୁଳସୀ ଚଉଁରା । ଚଉଁରା ଉପରକୁ ନହକା ଡାଳଖଣ୍ଡେ ଓହଳିପଡ଼ିଚି ଦଶହାତ ହବ । ଥୁଣ୍ଟାଡାଳ ଖଣ୍ଡକରେ ବସି କା–କା କରି ତିନିଥର ରାବିଦେଲା ଡାମରା କାଉଟା । ଶାନ୍ତିଲତା ଦୌଡ଼ିଯାଇଁ ଚଉଁରା ତଳକୁ ଠା–ଠା କରି ତିନିଠା ଥୋଇଦେଲେ ଉଆ ଚାଉଳ ମୁଠିଏ । ଗୋଟିଏଠା ଗଲାଆଇଲା, ଗୋଟିଏଠା ଭଲମନ୍ଦ ଆଉ ଗୋଟିଏ ଦିହପାକୁ । ଚାଉଳ ଥୋଇଲାବେଳେ ଗୁଣୁଗୁଣୁ କରି ଗୀତଟିଏ ଗାଇଲେ–

 

ଶୀତଳ ତୁଣ୍ଡି, ସରଗ ପରୀ

କଳା ଭଅଁର ଶୁଭ କାଉରେ

ଉଅ ଚାଉଳ ଖାଅ,

ଦିହ ପାଆର ଆଗୁଆ କଥା

ଗଲା ଆଇଲା, ଭଲ ମନ୍ଦର

ବେଉରା ଦେଇ ଯା ।।

 

ପଳେଇଆସି କବାଟ କଣରେ ଦିହ ଲୁଚେଇଲେ ଶାନ୍ତିଲତା । ଫାଙ୍କବାଟେ ଅନେଇଲେ ପଦାକୁ । ମନଭିତରେ ଆକଣ୍ଠ ଆନନ୍ଦ ।

 

କାହାକୁ ଖାଇବ କାଉ ?

 

ଭାରି ସିଆଣା ଡାମରା କାଉ । ଚାରିଆଡ଼କୁ ଅନେଇ ଦି’ଥର କା କା କରିଦେଲା । ଉଡ଼ିଆସି ବସିଲା ଚଉଁରା ଦାଢ଼ରେ । ପୁଳେ ବାଳୁଙ୍ଗା ଛୁଆ ସେଇ ବାଟଦେଇ ଦୌଡ଼ିଗଲେ । ସେତିକିବେଳେ ଉଡ଼ିଯାଇ କାଉ ବସିଲା ଫେରେ ଆଉ ଗୋଟିଏ ଡାଳରେ । ମନର ଆବେଗଟା ଧିମେଇଆସିଲା ଛାତିରୁ । ସରାଗ ଭାଙ୍ଗିଗଲା । ନିମିଷେ ଯାଇନି । ଏକାଥରକେ ଉଡ଼ିଆସି ଚାଉଳ ପାଖରେ ବସିଲା ଶୁଭ–କାଉ । ଚାଖଣ୍ଡେ ଦୂରରେ ବସି ତଣ୍ଟ ବଢ଼େଇଲା ଚାଉଳ ଆଡ଼କୁ । ତରତର କରି ଆଗେ ଗଲା ଆଇଲା ତା’ ପରେ ଭଲମନ୍ଦ, ଦିହପା ସବୁଯାକ ଚାଉଳ ଥଣ୍ଟରେ ପୂରେଇ ଉଡ଼ିଗଲା ପାଢ଼ୀଘର ନଡ଼ିଆଗଛକୁ । ଶାନ୍ତିଲତାଙ୍କ ଛାତି ଭିତରେ କ’ଣ ଗୋଟେ ପଶିଗଲା ଯିମିତି-। ମନ ଆନନ୍ଦରେ କାହାକୁ କ’ଣ କହିଲେ ? ପାଟି ଖନି ବାଜିଗଲା । କବାଟ କଣ୍ଟାରେ କେତେବେଳେ ଶାଢ଼ିଟା ଚିରିଗଲାଣି ଖିଆଲ ନାହିଁ । ପୁନେଇଁ ରାତିରେ ସାଗରର ଛାତି ଫୁଲିଉଠେ ଯିମିତି, ସିମିତି ଉତ୍‌ଫୁଲ୍ଲ ହୋଇ ଦୌଡ଼ିଆସିଲେ ଶାନ୍ତିଲତା । ପିଠା ଥାଳିର ଦୁଇକଡ଼ରେ ଦୁଇଭାଇ-। ରତନ ଓ ରଘୁନାଥ । ଟାଉ ଟାଉ କରି କଥା ଛୁଟେଇଦେଲେ–ହେଇ ଶୁଣିଲଣି ? ମୁଁ କହୁଥିଲି ଯାହା ଡାମରା କାଉ କହିଲା ସେଇଆ । ଆଜି ଆମ ଗାଁରୁ ଦିନାଭାଇ ହେଉ କି ବାପା ହେଉନ୍ତୁ ନିଶ୍ଚେ ଜଣେହେଲେ କିଏ ଆସିବେ । ସେଦିନ ରାମ ଭଣ୍ଡାରୀ କହୁଥିଲା–ବାପା କାଳେ ଲତିକା ବାହାଘର ଲାଗି ଭାରି ବ୍ୟସ୍ତ । କେତେଆଡ଼ୁ କେତେ ସମ୍ୱନ୍ଧ ଆସିଲାଣି । ବୋଉର ମନ ମାନୁନି । ସବୁବେଳେ ସେଇ ନାହିଁ ପଦକ ବୋଉର । ବୋଉ କଉଚି, ଶାନ୍ତିର ଭଉଣୀ । ଶାନ୍ତି ତାକୁ ପାଖକୁ ନଉ । ଦି’ଭଉଣୀ ସେଇ ଦି’ଭଉଣୀ ହେଇ ଚଳିବେ । ରତନଙ୍କ ଠେଇଁ ବୋଉର ଭାରି ମନ-। ତମେ କ’ଣ କହୁଚ କହୁନା-। ଲତିକାକୁ ତ ଦେଖିଚ । କୋଉ ଅସୁନ୍ଦର ହେଇଚି ।

 

ରଘୁନାଥ ହସିଲେ ।

 

ଖାଲି ସେଇ ହସ ତ ଆଉ– । ତମେ କିଛି ନ କୁହ । ଆଜି ବାପା ଆସିଲେ ମୁଁ ଜବାବ ଦେଇଦେବି । ରତନ ମୋର ସାନଭାଇ । ମୁଁ ବା’ କରିବି ।

 

ଚାଉଁକିନା ନିଆଁ ରଡ଼ ଖଣ୍ଡେ ପଶିଗଲା ରତନଙ୍କ ଛାତି–ଭିତରେ । ଚମକିପଡ଼ିଲେ ଝଟ୍‌କରି । ତାଙ୍କର ବା’ ଘର । ପୁଣି ଲତିକା ସାଥିରେ ।

 

ରତନ ଉଠ୍ ଉଠ୍ ହେଲେ ଉଠିଯିବାକୁ ।

 

ଥାଳିରେ ପିଠା ସରିଗଲାଣି । ଆଉ ବଳିଚି ଗୋଟିଏ ରସଗୋଲା । ରଘୁନାଥ କହିଲେ–ଖାଇଦେ ଏ ଗୋଟାକ ।

 

ନାହିଁ ତମେ ଖାଇଦିଅ ।

 

ତୁ ଆଗ ଆଁ କଲୁ ।

 

ଆଁ...... ।

 

ବଡ଼ ରସଗୋଲାଟାରେ ପାଟି ବୁଲିଲା ନାହିଁ ରତନଙ୍କର । ତାଳୁକୁ ଉଠିଲା । ପଳେଇଆସିଲେ ପଦାକୁ । ପଛରୁ ଶୁଣିଲେ ନୂଆ ବୋଉ କହୁଚନ୍ତି । ବାପା ତ କହୁଚନ୍ତି ସବୁ ଜିନିଷ ଦେବେ । କ୍ଷତି ହେଉଚି କ’ଣ ?

 

ଯାଉ ଆଉ ଦି’ବରଷ ।

 

ଷୋଳ ବରଷର ଟୋକିଟା ଆସି ହେଲାଣି । ବଢ଼ିଲା ଝିଅ । ମାଠିଆର ଘିଅ । ବେଶୀଦିନ ରହିଲେ ବାପାମାଙ୍କର ନିନ୍ଦା । କେଇଦିନ ଖୁଣ୍ଟରେ ବାନ୍ଧି ରଖିବେ ?

 

ଆଉ କିଛି ଶୁଭିଲାନହିଁ । ରତନ ବାହାରିଗଲେ ଦାଣ୍ଡଆଡ଼େ । ମନଭିତରେ ଖାଲି ଗୋଟିଏ କଥା ହାବୁକା ମାରିଲା । ସେ ବା’ହେବେ ଲତିକାକୁ ।

 

ସେଇଦିନ ଛାଇ ନେଉଟ ବେଳ । ମଉଳିଲା ସୁରୁଜ କାନ୍ଥି ଛୁଇଁଲେଣି । ଦିନ ନଇଁଲାଣି-। ଅନ୍ଧାର ହେଇନି । ପାଢ଼ୀଘର ନଡ଼ିଆ ଗଛ ଆଗରେ ଡାଆଣିଆଁ ଖରା ପଡ଼ିଚି । କୂଅମୂଳ ଚଉତରା ଉପରେ ବସି ରତନ ବଉଳଫୁଲ ଗୁନ୍ଥୁଚନ୍ତି, ଚାରିପାଖେ ଘେରିଚନ୍ତି ଛୋଟ ଛୋଟ ଝିଅ ଚାରିଟି । ସମସ୍ତଙ୍କର ଏକ ସଙ୍ଗରେ ପାଟି ରତନ ଦାଦା ମତେ ଦିଟା ଫୁଲ, ରତନ ଭାଇ ମତେ ଦିଟା ଫୁଲ । କଥାଉପରେ କଥା । ନିଜ ନିଜଭିତରେ କଳି କଜିଆ । ମାଡ଼ ପିଟାପିଟି ।

 

ସବୁଠୁ ସୁନ୍ଦର ନିର୍ମଳ । ଚାରିବର୍ଷର ସାନ ଝିଅଟିକୁ । ଗୁଳୁ ଗୁଳିଆ କଥା । ହସିଲାବେଳେ ପୂରିଲା ଗାଲରେ ସୌନ୍ଦର୍ଯ୍ୟ ଭଉଁରୀ ଖେଳେ । ଓଠତଳକୁ କଳାଯାଇମନ୍ଦା ଦୁଇଟି । ତଳିରେ ଅଙ୍କା ଭ୍ରୂଲତା । ଚାଲିଲା ବେଳେ ଛୋଟ ଛୋଟ ପାଦ ଦୁଇଟିରେ ନୂପୁର ବାଜୁଚି । ତା’ କଅଁଳ ଗାଲରେ କଅଁଳ ଚୁମାଟିଏ ଦେଇ ରତନ କହିଲେ–ନେଇଯା ଏ ଫୁଲମାଳିଟି, ତୋ ବୋଉକୁ ଦବୁ । କହିବୁ ରତନ ଦାଦା ଦେଇଚି ।

 

ତାଠୁ ସାନ ସେବ । କାନ୍ଦି କାନ୍ଦି ଭୂଇଁରେ ଗଡ଼ିଲାଣି । ରତନ ତଳୁ ଉଠେଇ ଧରିଲେ । ସାନ ଝିଅଟି କହିଲା–ତାକୁ କାହିଁକି ଫୁଲ ଦେଲ । ମତେ ଦିଅ । ମୁଁ ନେଇ ମୋ ବୋଉକୁ ଦେବି । କହିବି ରତନଭାଇ ଦେଇଚନ୍ତି ।

 

ବଡ଼ ଅଡ଼ୁଆରେ ପଡ଼ିଲେ ରତନ । ଯେତେ ବୁଝେଇଲେ ଝିଅଟି ବୁଝିଲା ନାହିଁ । ସେଇ ଗୋଟିଏ କଥା ଜିଗର । ତାକୁ କାହିଁକି ଦେଲ । ମତେ ଦିଅ । ମୁଁ ନେଇ ମୋ ବୋଉକୁ ଦେବି ।

 

ପାଖରେ ଆଉ ଫୁଲ ନାହିଁ । ଝିଅଟିକୁ କାନ୍ଧରେ ପକେଇ ବୁଲେଇ ବୁଲେଇ କଣ୍ଟା ବାଡ଼ରୁ ଗୋଟିଏ ପ୍ରଜାପତି ଧରିଲେ ରତନ । ଝିଅଟି ହସିଲା । ରତନ କହିଲେ–ହେଇ ଦେଖିଲୁ ତା’ର କିମିତି ଲମ୍ୱା ଲମ୍ୱା ନିଶ ।

 

ହଠାତ୍ ଆଖିପଡ଼ିଲା ଘରଆଡ଼େ । ରତନ ଦେଖିଲେ କିଏ ଜଣେ ଲୋକ ତାଙ୍କ ଘରଭିତରକୁ ପଶିଗଲା । ପଛକୁ ଝୁଲିପଡ଼ିଚି ଗଣ୍ଡିଗୋଟାଏ । ପଛରେ ଆସୁଛନ୍ତି ଶଶୂର ବୁଢ଼ା । ଛାତିଭିତରେ ଛନକା ଖଣ୍ଡେ ପଶି ଆଖିବାଟେ ଜୁଳୁଜୁଳିଆ ପୋକ ଦିଟା ବାହାରିପଡ଼ିଲା ରତନଙ୍କର-। କିଛି ସ୍ଥିର କରିପାରିଲେ ନାହିଁ । ମନରେ ଶୋଚନା–ନୂଆବୋଉଙ୍କ କଥା ସତ ହବକି-? ମନେପଡ଼ିଲା ନୂଆବୋଉ ବାରିଗଡ଼ିଆକୁ ଗାଧୋଇ ଯାଇଚନ୍ତି । ରତନ ଛୁଟିଲେ ।

 

ବାରିର ଶେଷ ମୁଣ୍ଡକୁ କଳମ ଗଡ଼ିଆ । ଚାରିକଡ଼ରେ କଳମ ଲଟା ଭିତରେ ମଝିକି ଦି’ତିନିଟା ନାଲି କଇଁବୁଦା । ଫୁଲ ଫୁଟିଚି । ପିଲାଦିନର ସାଙ୍ଗସାଥି ମେଳରେ ଗାଧୁଆ ବେଳକୁ ପହଁରା ମନେଅଛି କି ନାହିଁ ମନରେ ଭାବି ପାଞ୍ଚ ଛ ହାତ ପହଁରି ପହଁରି ଯାଇ ଫୁଲଟିକୁ ଛିଣ୍ଡେଇ ଆଣିଲେ ଶାନ୍ତିଲତା । ଫୁଲଟିକୁ ଧରି କୂଳକୁ ଆସିଲେ । ଛାତି ଥରୁଚି । ନାକରେ ଘନଘନ ନିଶ୍ୱାସ-। କଇଁନାଡ଼ ଗୋଡ଼ ଛନ୍ଦି ଦେଇଥିଲା । ଆଉ ଟିକକରେ ବୁଡ଼ି ଯାଇଥାନ୍ତେ । ପାଣି ଦି’ଢୋକ ପି ଯାଇଚନ୍ତି । କେତେବେଳକେ ଦେହକୁ ଚାହିଁଲେ । ମୁଣ୍ଡ ମୁକୁଳା । ପତଳା ଓଦାଲୁଗାଟା ଦେହରେ ଲାଗିଯାଇଚି, ଦରଲଙ୍ଗଳା ଗୋଟାପଣ ।

 

ତରତର ହୋଇ ଲୁଗା କାନିଟା ଚୁପୁଡ଼ି ମୁଣ୍ଡ ପୋଛୁ ପୋଛୁ ଅନେଇଦେଲେ ଉପରକୁ । ତୁଠ ଅଧାରେ ଠିଆହୋଇଚନ୍ତି ରତନ । ରାଗରେ ହାଡ଼ ଜଳିଲା । ଝଟ୍ କରି ଲୁଗାକାନିଟା ଦିହ ମୁଣ୍ଡରେ ଘେରେଇ ମୁଣ୍ଡ ନୁଆଁଇ ପଥର ଉପରେ ବସିପଡ଼ିଲେ । ପୁଣି ଉପରକୁ ଚାହିଁ ପଚାରିଲେ–କ’ଣ କହୁଚ ରତନ ।

 

ରତନ ହସି ହସି କହିଲେ, ଯିମିତି ପହଁରୁଥିଲ ଆଉଟିକେ ସିମିତି ପହଁରିଲ ।

 

–ଏଁ ଛୋପରା ହୋଉଚନ୍ତି ଆଁ... । ଯାଉନା ଏଠୁ ।

 

ତମେ ଆଗ ଏଠୁ ଯାଉଚ ନା । କୁଣିଆ କେତେବେଳୁ ଆସି ଘରେ ବସିଲେଣି ।

 

ସଙ୍ଗେ ସଙ୍ଗେ ହସର ଗୋଟିଏ ପରଦା ଟାଣି ହୋଇଗଲା ଶାନ୍ତିଲତାଙ୍କ ମୁହଁରେ । ପାଣି ଭିତରକୁ ଯାଉଁ ଯାଉଁ ପୁଣି ପଚାରିଦେଲେ–କ’ଣ ସତେ ନା ମିଛେ ମ ?

 

ଯାଉନା ସତ କି ମିଛ ଦେଖିବ । ଚଞ୍ଚଳ ଯା । ଘରେ କେହିନାହାନ୍ତି । ମୁଁ ଯାଉଚି ଠାକୁର ଘରଆଡ଼େ ଲିଲି କାନ୍ଦୁଚି ।

 

ରତନ ଚାଲିଗଲେ ।

 

ରାତି ଅନେକ ହେଲାଣି । ସମସ୍ତେ ଖାଇପିଇ ଶୋଇଲେଣି । ଠାକୁର ଘରର ସବୁ କାମ ଶେଷକରି ରତନ ଫେରିଲେ ଘରକୁ । ଚାକର ଗୋବିନ୍ଦା ଚେଇଁ ବସିଥିଲା । ଦେଖିଲାକ୍ଷଣି କହିଲା–ଏତେବେଳ ଯାଏଁ କୋଉଠି ଥେଲ ବାବୁ । ସମତେ ଶୋଇଲେଣି । ମା’ ଅନେଇ ଅନେଇ ଏଇକ୍ଷିଣା ଶୋଇବାକୁ ଗଲେ । ମା’ କହିଚନ୍ତି–ଶୋଇଲା ଘର ଦୁଆର ମୁହଁରେ କଂସାରେ ପିଠା ଥୁଆହେଇ ଥାଳି ଘୋଡ଼ାହେଇଚି । ପାଖରେ ପାଣି ନୋଟା ଅଛି । ସେଇଠି ଖାଇ କଂସାରେ ହାତ ଧୋଇ ଶୋଇବାକୁ ଯିବ । ରାତି ପାହିଲେ ମୁଁ ଅଇଁଠା ବାସନ ଘେନିଆସିବି ।

 

ରତନ କହିଲେ–ନାହିଁରେ ମୋ ଦେହ ଭଲ ନାହିଁ । ମୁଁ ଖାଇବି ନାହିଁ । ତୁ କବାଟ ଦେଇ ଯା ଶୋଇବୁ । ମୁଁ ଯାଉଚି ।

 

ଶୋଇଲା ଘର ଦୁଆର ମୁହଁଠି ରତନ ଫେରି ଚାହିଁଲେ । ପଛରେ ଗୋବିନ୍ଦା । ପଚାରିଦେଲେ–କ’ଣ କିରେ ?

 

ନାଇଁ ଆଜ୍ଞା । କ’ଣ କହିବାକୁ ଆଙ୍ଗୁପାଙ୍ଗୁ ହେଲା ।

 

ରତନ ପାଖକୁ ଡାକିଲେ ।

 

ଗୋବିନ୍ଦାର କଳା ମିଚି ମିଚି ବରୁଣ ମେଞ୍ଚା ମେଞ୍ଚା ମୁହଁରେ ବଗପକ୍ଷୀ ପରି ଦାନ୍ତ ଝଟକିଉଠିଲା । ରତନ ବାବୁଟି ତା’ର ଭଲ । ଗଲା ଆଇଲାବେଳେ ହାତ ପତେଇଲେ ଚାରି ପଇସା ପକେଇଦିଅନ୍ତି । ଖାଇଲା ପିଇଲା ବେଳେ ପେଟ ଚିପି ମନର କଥା ବୁଝନ୍ତି । ଦାନ୍ତ ନିକୁଟି ଗୋବିନ୍ଦା କହିଲା–ବାଇଧର ପଣ୍ଡିତେ ଆସିଥେଲା ଆଜ୍ଞା । କୁଣିଆଁ ଯଉଁ ଜାତକ ଆଣିଥେଲେ, ମେଳେଇଲା । କଇଲା ରାଜୋଟକ ପଡ଼ିଚି । ସମତଙ୍କ ମନ ଖୁସି । ଦିନ ଠିକ୍ କଲେ । ବଡ଼ବାବୁ ଆପଣଙ୍କୁ ଡକାଉଥିଲେ କ’ଣ ପଚାରିବାକୁ । ମା ମନାକଲେ । କଇଲେ ସିଏ ପିଲାନୋକ କ’ଣ କଇବ । ସମତେ ବି ସେଇଆ କଇଲେ । ଦିନ ଠିକ୍ ହେଲା । ଆଉ ଜମାରୁ ତେରଦିନ ବା’ଘର ଅଛି ।

 

ରତନ ଗୁମ୍‌ଖାଇ ବସିଗଲେ ।

 

ପୁଣି ଗୋବିନ୍ଦା କହିଲା–କ’ଣ ଭାବୁଚନ୍ତି ଆଜ୍ଞା । ବଡ଼ବାବୁ ନ କଇଲା ଆଗରୁ ସିଏ ସବୁ ଜିନିଷ ଦବାକୁ କଇଲେ । ପଲଙ୍କ ଥରକ ଯଉଁ ଝୁଅଟି ମା’ଙ୍କ ସାଙ୍ଗରେ ଆସିଥିଲେ ସେଇକାଳେ ଆଜ୍ଞା । ଭାରି ଭଲଟିଏ ତ ? ହେଲେ...ଆଉ କ’ଣ କହି ଆସୁଥିଲା ଗୋବିନ୍ଦା । ଲାଜରେ କହିପାରିଲା ନାହିଁ ।

 

କଥା ଗୁଡ଼ିକ ଶୁଣି ରତନଙ୍କ ମୁଣ୍ଡରେ ଆକାଶରୁ ବଜ୍ର ଛିଡ଼ିପଡ଼ିଲା ଯିମିତି । ସେ ସଚେତ ନା ଅଚେତ । କଥା ଗୁଡ଼ିକ ସ୍ୱପ୍ନ ନା ସତ୍ୟ କିଛି ସ୍ଥିର କରିପାରିଲେ ନାହିଁ । ମୁଣ୍ଡ ଭିତରେ ତାଙ୍କର ଘୁଣପୋକ ଖାଇଲା । ଏକୁଟିଆ ଘରେ ଗୋବିନ୍ଦା ତାଙ୍କର ଚାକର । ମନଭିତର କଥା ସେ କ’ଣ ବୁଝିବ । ତାକୁ ବା ସେ କ’ଣ କହିବେ । କିଛି ସମୟ ନୀରବ ହେଲା ପରେ କହିଲେ–ହଇରେ ତୁ ଯା । ମୋ ଦେହ ଭଲ ନାହିଁ । ଟିକେ ଶୋଇପଡ଼େ ।

 

ଗୋବିନ୍ଦା କବାଟଦେଇ ଚାଲିଗଲା ।

 

ସମସ୍ତେ ଶୋଇଲେଣି । ଏକା ରତନଙ୍କ ଆଖିକୁ ନିଦ ନାହିଁ । ବାଟଘର ଦୁଆର ମୁହଁ ପାଖରେ ଶଶୁରଘର ଗାଁରୁ ଆସିଥିବା ବାରିକଟି ନିଘୋଡ଼ ନିଦରେ ଶୋଇ ଘଙ୍ଗୁଡ଼ି ମାରୁଚି । ଗାଁ ମୁଣ୍ଡ ବିଶୁଆଳି ପଡ଼ିଆରେ ବିଲୁଆ ଭୁକୁଚନ୍ତି । ଘରପଛ ସଜନା ଗଛ ଖୁଣ୍ଟାରେ ନିଆଁଲଗା ପେଚାଟା ରାବୁଚି । ସବୁ କାନରେ ବାଜୁଚି । ନିଦ ହେଉନାହିଁ । ଖଟଟି ଉପରେ ପଡ଼ି ରତନ ହେଉଚନ୍ତି କଲବଲ । ମନେପଡ଼ୁଚି କେତେକଥା । ଟିକିଏ ଉତ୍ତେଜନା ପାଇଲେ ମନଟା ଚହଲିଉଠୁଚି ଥରକୁଥର । ଯେତେ ଲଗାମ ଦେଇ ରୋକିଲେ ରୋକି ହେଉନାହିଁ । ଲଗାମ ଛିଡ଼ିଯାଉଚି । କେତେ ଯୋଡ଼ିବେ । ସିନେମାର ଛବିଭଳି ପିଛିଲା ଜୀବନର ଅଭୁଲା କଥା ଗୁଡ଼ାକ ଗୋଟି ଗୋଟି ହେଇ ଆଖିଆଗରେ ଭାସିଯାଉଚି । ଭାବି ଭାବି ବେଳେବେଳେ ଚିନ୍ତାଧାରା ଥମିଆସୁଚି । ଶେଷ ପରିଣତରେ ସେ ବିମର୍ଷ ହେଇଉଠୁଚନ୍ତି–ଏ କ’ଣ ହେଲା । ପୁଣି କ’ଣ ହବ ।

 

ମନର ସୁଅ । ପବନର ବେଗ । ଉଛୁଳା ନଈର ଗରଜିଲା ପାଣିକୁ ରୋକିବ ବା କିଏ । ଛାୟାଚିତ୍ରପରି ହୃଦୟ ମୁକୁରରେ ଘନଘନ ପ୍ରତିଫଳିତ ହେଉଚି ରେଣୁର ଛବି । ବେଳେବେଳେ ହସ ଲାଗୁଚି । ବେଳେବେଳେ ଛାତି ଫଟେଇ ଝରିଆସୁଚି ଆଖି କୋଣରୁ ଲୁହଧାର । ବେଳେବେଳେ ଭାବପ୍ରବଣ ହୋଇ ଆନନ୍ଦରେ ମତୁଆଲା ହୋଇଉଠୁଚନ୍ତି । ରେଣୁକୁ ଭୁଲିହେଉନି-। ତାଙ୍କର ମନର ମଣିଷ, ଜୀବନ ମରୁଭୂମିର ଏକମାତ୍ର ପାଦଚଲା ସାଥୀ, ସ୍ନେହମୟୀ ପ୍ରାଣର ରେଣୁ–ବହୁଦିନ ଧରି ତାଙ୍କ ମନଭିତରେ ଯେଉଁ ଗହିରିଆ ଗାର ଟାଣିଚି ଶତ ଚେଷ୍ଟାରେ ବି ସେ ଦାଗ ଲିଭୁନାହିଁ । ରେଣୁର ପ୍ରାଣପୁଲକିଆ କଥା କେଇପଦ ବରଷାର ଅଶ୍ରୁକଣା ପରି ଆପେ ଆପେ ବରଷି ଯାଉଚି । ଭୁଲିହେଉନି । ମନେପଡ଼ୁଚି ରେଣୁର ଆଖିର ଆଗ୍ରହତା । କଥାର ଆନ୍ତରିକତା । କି ମର୍ମଭେଦି ।

 

ରତନ ସ୍ଥିର କରିପାରିଲେ ନାହିଁ । ଯେଉଁ ଭାଇ ତାଙ୍କୁ ଏଡ଼ିଟିରୁ ଏଡ଼େଟେ କରିଚନ୍ତି ପାଠ ପଢ଼େଇଚନ୍ତି ବୁଦ୍ଧି ଅକଲ ଶିଖେଇଚନ୍ତି ସଂସାରରେ ମଣିଷ କରିଚନ୍ତି ଯେତେବେଳେ ଯାହା ଚାହିଁଚନ୍ତି ତାହା ଦେଇଚନ୍ତି ଯେଉଁ ନୂଆବୋଉ ଅଣ୍ଟାରେ ବିଛୁଆତି ଗୁଡ଼େଇ ଲୁଗା ପିନ୍ଧେଇଚନ୍ତି, ମନଜାଣି ଖାଇବାକୁ ଦେଇଚନ୍ତି ପ୍ରାଣରୁ ଅଧିକ କରିଚନ୍ତି ଯେଉଁ ଭାଇଙ୍କ ଆଗରେ ସେ ଆଜିଯାଏଁ ମୁହଁଟେକି ପଦେ କଥା କହିନାହାନ୍ତି କିମିତି ସେ ଆଜି ସେଇ ଭାଇ ଭାଉଜଙ୍କର ଅବାଧ୍ୟ ହେବେ । କିମିତି ସେ ତାଙ୍କ ଆଗରେ ଠିଆହେଇ କହିବେ ମୁଁ ଲତିକାକୁ ବା’ ହେବିନାହିଁ ବୋଲି । କହିଲେ ବା କହିପାରନ୍ତି ‘ମୁଁ ବିଭା ହେବିନାହିଁ’ କିନ୍ତୁ ଦିନେହେଲେ ତ ବିବାହ କରିବାକୁ ପଡ଼ିବ । କେଉଁ ଅନାଦି କାଳରୁ ଯେଉଁ ଜୀବନର ସୁଅଟି ଛୁଟିଆସିଚି, ସେ ସେହି ଜୀବନ ନଈର ଗୋଟିଏ ଧାରା । କେତେ ଜୀବନ ଧାରା ସେଥିରେ ମିଶି ଏକାକାର ହେଇଚି । କେତେ ପୁଣି ଅଲଗାହେଇ ନୂଆଧାର ସୃଷ୍ଟିକରିଚି ଦିନ ନାହିଁ ରାତି ନାହିଁ ଖାଲି ଉଚ୍ଚ, ପାହାଡ଼ ପର୍ବତ, କଣ୍ଟକମୟ ବନ, ତୁଷାର ଶୃଙ୍ଗ ଅତିକ୍ରମ କରି ଯେଉଁ ନଈର ଶାଖାପ୍ରଶାଖା ମେଲେଇ ହସି ହସି ଛୁଟିଚାଲିଚି ସେ ସେଇ ନଈର ଧାରକୁ ବନ୍ଦ କରିବେ କିମିତି ।

 

ରତନ ମନର ନିକିତିରେ ରୂପର ତଉଲ କଲେ । ଲତିକା ଆଉ ରେଣୁ । ଦୁହିଁଙ୍କର ଏକାରୂପ । ଏକା ବଅସ । ଏକା ଭଙ୍ଗି । ସବୁ ଏକା । ଜଣକ ପାଖରେ ଥୁଆହେଉଚି ଅକଳନ ଧନରତ୍ନ । ଆର ଜଣକ ପାଖରେ କିଛି ନାହିଁ । ଶୂନ୍ୟ ଦିହ । ଶୂନ୍ୟ ମନ । ନିକିତି ଟେକିଲେ ଜଣେ ତଳୁ ଉଠୁନି । ଆଉ ଜଣେ ଉଠିଯାଉଚି ଖୁବ୍ ଉଚ୍ଚକୁ । ତା’ ଆଡ଼କୁ ଚାହିଁ ପ୍ରାଣର ବତୀଟିକୁ ଟିକେ ତେଜିଦେଲେ ସେ ଟିକିଏ ଖସୁଚି ତଳକୁ । ବତୀ ନଇଁଲେ ପୁଣି ଉଠିଯାଉଚି ଉପରକୁ । ଶୂନ୍ୟ ଆତ୍ମାଟି ଓଜନ ହେଉଚି ଥରକୁଥର । ସୁନା ସଙ୍ଗେ ପିତଳ । ତେଲ ସାଙ୍ଗେ ପାଣି । ଏକା ରୂପ ଏକା ରଙ୍ଗ ହେଲେ ବି ମିଶିବ କିପରି । ଯେ ସୁନା ସବୁବେଳେ ସୁନା । ଯେ ପିତଳ ସବୁବେଳେ ପିତଳ ।

 

ତେବେ ଉପାୟ କ’ଣ ? ରେଣୁ ପାଇଁ ସେ କ’ଣ ନିଜ ଭାଇ ଆଉ ଭାଉଜଙ୍କର ସମସ୍ତ ସ୍ନେହ ମମତା ତୁଟେଇ ତାଙ୍କର ଅପ୍ରୀତିଭାଜନ ହେବେ । ଲୋକେ କ’ଣ ଭାବିବେ । ଦୁନିଆ କ’ଣ କହିବ । ସମସ୍ତେ ଜାଣନ୍ତି ରତନ ଭଲ ମଣିଷ । ଘରୁଆ ଘରର ପୁଅ । ସମସ୍ତଙ୍କ ମୁହଁରେ ତାଙ୍କର ପ୍ରଶଂସା ପୁରିଉଠିଚି । ଗରିବ ଘରର ଝିଅ ରେଣୁକୁ ବିବାହ କରି ଜାଣି ଜାଣି ସେ ନିଜକୁ ଲୋକଙ୍କ ଆଖିରେ ଘୃଣ୍ୟ କରିବେ କାହିଁକି ? କାହିଁକି ସେ ନିଜକୁ ଛୋଟ କରି ଲୋକଙ୍କ ଆଗରେ ମୁଣ୍ଡ ନୂଆଇଁ ବାଟ ଚାଲିବେ ? ବାର ଲୋକଙ୍କଠାରୁ ବାରକଥା ଶୁଣିବେ । ହେଉ ପଛେ ଲତିକା ଅସୁନ୍ଦରୀ ହେଉ ପଛେ ବେରସିକା ସେ ତାକୁ ବିବାହ କରିବେ । ସେ ପୁରୁଷ । ରେଣୁ ସ୍ତ୍ରୀ । ପୁରୁଷ ପିଲା ମାତ୍ରେ ଟିକେ ଉତ୍ସୃଙ୍ଖଳ । ଅବିବାହିତା ବଢ଼ିଲା ଝିଅ ରେଣୁ । ନିଜର ଭଲ ମନ୍ଦର ଦାୟିତ୍ୱ ସେ ତ ବୁଝୁନାହିଁ ସେ ବା କାହିଁକି ବୁଝିବେ । ସେ କାହିଁକି ତା’ ପାଇଁ ଏତେ ମୁଣ୍ଡ ଘୂରେଇବେ । ଯାହାହେଉ ପଛେ ସେ ଲଳିତାକୁ ନିଶ୍ଚୟ ବିବାହ କରିବେ ।

 

କିନ୍ତୁ ରେଣୁ କ’ଣ କରିବ ? ଭାବି ଭାବି ଚିନ୍ତିତ ହେଇପଡ଼ିଲେ ରତନ । ସେ ଠିକ୍ କରିପାରିଲେ ନାହିଁ । ଦୁନିଆର କୋଟି କୋଟି ଲୋକଙ୍କଭିତରୁ ସେ କାହିଁକି କେଉଁ ଦୁର୍ବଳ ମୁହୂର୍ତ୍ତରେ ଗୋଟିଏ ପ୍ରତିଭାମୟ ଆତ୍ମାକୁ ନଷ୍ଟ କଲେ । ବିଶ୍ୱ ଉପବନରେ ଯେଉଁ ଫୁଲର ମୂଲ୍ୟ ଖୁବ୍ ବେଶୀ ସେ କାହିଁକି ସେ ଫୁଲଟିକୁ ଛିଣ୍ଡେଇ ପାଦରେ ଦଳିଦେଲେ । ବସନ୍ତ ଋତୁରେ ଫୁଲ ତୋଡ଼ାର ମାଦକତା ଯୁବତୀ ପ୍ରାଣରେ ଯେଉଁ ପ୍ରେମର ଆଶା କରାଏ ତାହା ଯିଏ ଜାଣେ ସେହି କେବଳ ଜାଣେ । ସେ ସବୁ ଜାଣି ପୁଣି କିଛି ନ ଜାଣିବେ କିମିତି ? ଦିନେ ହେଉପଛେ, ମୁହୂର୍ତ୍ତେ ହେଉପଛେ ସେ ତ ରେଣୁକୁ ଭଲପାଇଥିଲେ । ସେ ଚାହିଁବା ସଙ୍ଗେ ସଙ୍ଗେ ସେ ବି ତାକୁ ଚାହିଁଥିଲା-। ଦୁଇଟି ଦୃଷ୍ଟିର ଅର୍ଥ ଦୁହିଁଙ୍କର ମନ ବୁଝିଥିଲା । ରେଣୁ ହସିହସି ତା’ର ନାରୀ ଜୀବନର ସବୁକିଛି ତାଙ୍କର ପାଦତଳେ ସମ୍ପି ଦେଇଥିଲା । ସେ ତୋଳି ଆଣିଥିଲେ କୋଳକୁ । ତାଙ୍କର ଜ୍ୱଳନ୍ତା କାମନା, ଅତୃପ୍ତ ବାସନା ପୂରଣ କରିଥିଲେ ସେଇଠୁ । ଯେଉଁ ରେଣୁ ଦିନେ ତାଙ୍କ ଜୀବନରେ ସବୁକିଛି ଥିଲା ଆଜି ସେ ସେଇ ରେଣୁକୁ ପାଦରେ ଠେଲିଦେବେ କିମିତି ?

 

ବିସ୍ଫାରିତ ହେଇଗଲା ରତନଙ୍କ ନେତ୍ରଯୁଗଳ । ଆଖିରେ ଚାହିଁ ବି ସେ ନିଜ ଅଙ୍ଗରେ ସ୍ୱପ୍ନର ଶିହରଣ ଅନୁଭବ କଲେ । ଭାବନା ଖୋଲିଲେ । ମନେପଡ଼ିଲା ଗୋଟିଏ ଜ୍ୟୋତ୍ସ୍ନାରାତିର ଅନୁଭୂତି । ଛାଇ ଅନ୍ଧାର ରାତି । ଗହଳିଆ ଆମ୍ୱବଗିଚା ତଳର ଛାଇ । ତା’ରି ତଳେ ଯେଉଁଦିନ ତାଙ୍କର ଅଧରର ମଧୁ ଚାଖିବା ପାଇଁ ରେଣୁର ତରୁଣୀମନ ପାଗଳ ହେଇଉଠିଥିଲା ଶାନ୍ତ ଶୀତଳ ଚଇତାଳି ପବନର ଅମୃତ ପରଶରେ ବାହାରର ପ୍ରକୃତି ହୋଇଉଠିଥିଲା ଆହୁରି କମନୀୟ । ସେତିକିବେଳେ ସଲକ୍‍ଚ ଲତା ବଧୁର ଅନ୍ତରାଳରେ ଛପି ରହି କୋଇଲି ଗାଉଥିଲା ତା’ର ବସନ୍ତର ବନ୍ଦନା । ସବୁ ତ ମନେଅଛି ।

 

ଟିକିଏ ଆଖିବୁଜିଲେ ଯିମିତି ମନେହେଉଛି ଅତି ଅଲିଅଳୀ ଫୁଲ ସୁକୁମାରୀ ଝିଅଟି ପରି ରେଣୁ ଆସି ତାଙ୍କ ଛାତି ଉପରେ ଘନ ଲୋଟିପଡ଼ୁଚି । ଆଉ ପ୍ରେମରେ କଣ୍ଠଲଗା ହେଇ କହୁଚି–ନା ଗୋ, ନା, ମୁଁ ତୁମକୁ ଛାଡ଼ିବି ନାହିଁ, ଛାଡ଼ିପାରିବି ନାହିଁ । ତୁମେ ମତେ ଆଶାଦେଇ ଆଜିଯାଏଁ ବଞ୍ଚେଇ ରଖିଚ । ମୁଁ ତୁମକୁ ଛାଡ଼ିପାରିବି ନାହିଁ । ତୁମେ ଯୁଆଡ଼େ ଯାଉଚ ମତେ ସଙ୍ଗରେ ନିଅ । ତୁମକୁ ଛାଡ଼ି ମୁଁ ବଞ୍ଚିପାରିବି ନାହିଁ । ଯଦି ତୁମେ ନିରାଶକରି ଲୁଚି ଚାଲିଯିବ ତେବେ ମୁଁ ଏ କଳଙ୍କ ନୀ ଜୀବନଟାକୁ ଆଉ କାହିଁକି ବଞ୍ଚେଇ ରଖିବି । ଗଡ଼ିଆ ପୋଖରୀକୁ ଡେଇଁପଡ଼ିବି ନହେଲେ ଜହର ଖାଇ ମରିବି । କି ମମତା । କି ଅନୁରକ୍ତି ।

 

ହଠାତ୍ ଚମକିଉଠୁଚନ୍ତି ରତନ । ଆରେ ସତେ ତ । ସେ ଯଦି ରେଣୁକୁ ବିବାହ ନ କରୁଚନ୍ତି, ରେଣୁ ଯଦି ତାଙ୍କୁ ଝୁରି ଝୁରି ଗଡ଼ିଆ ପୋଖରୀକୁ ଡେଇଁପଡ଼େ ବା ବିଷଖାଇ ମରେ ତା’ହେଲେ ସେ ଦୋଷ ଦବ କାହାକୁ ? ତାଙ୍କୁ ତ ନିଶ୍ଚୟ । ତାହା ନ କରି ରେଣୁ ଯଦି ଆଉ କେଉଁଠି ବିବାହ ନ କରି ଝୁରି ଝୁରି ଆଖିରୁ ଲୁହ ଝରେଇ ଦାଣ୍ଡେ ଦାଣ୍ଡେ ବୁଲି ଭିକ ମାଗେ, ଘରପାଖରେ ଘର ଯେତେବେଳେ ନିଶ୍ଚୟ ତ ଦିନେ ଦେଖିବ । କିମିତି ସେ ଧୈର୍ଯ୍ୟଧରି ରହିବେ ? କିମିତି ସେ ତା’ ମୁହଁକୁ ଚାହିଁବେ ? ଯାହାକୁ ସେ ହୃଦୟଭରି ଭଲପାଇଚନ୍ତି ଯାହାକୁ ସେ ପ୍ରାଣରୁ ଅଧିକ କରିଚନ୍ତି ସେ ଭଲପାଇବା ଛଳନା କିମ୍ୱା ପ୍ରବଞ୍ଚନାର ଭଲପାଇବା ତ ନୁହେଁ । ଜୀବନ ଦିଆନିଆ ପ୍ରାଣର ଆଦାନ ଯେଉଁଠି ସରିଛି ତା’ର ଏ ନିର୍ଯାତନା ସେ ସହିବେ କେମିତି ?

 

ରତନଙ୍କ ଦେହରେ ଅଗ୍ନି ସଂଯୋଗର ଚେତନା ଆସିଲା । ହଠାତ୍ ଏକ ଅସହନୀୟ ଆବେଗରେ ଭାଙ୍ଗି ଚୁରମାର କରିଦେବାକୁ ମନହେଲା ଲତିକା ସହିତ ବିଭାଘର ଆୟୋଜନକୁ ।

 

ବାଉଳା ହେଇପଡ଼ିଲେ ରତନ । ଭାବନା ତାଙ୍କର ଓଲଟ–ପାଲଟ ହୋଇଗଲା । କର୍ତ୍ତବ୍ୟ କ’ଣ ? ଚହଲା ଚପଳ ମନ ତାଙ୍କର ସ୍ଥିର କରିପାରିଲା ନାହିଁ । ରାତି ପାହାନ୍ତା ହେଲା ।

 

ରାତି ପାହି ଆସୁଥିଲା । ସକାଳର କଅଁଳ ପବନରେ ଟିକେ ଛାଇ ନିଦ ମାଡ଼ିଆସିଚି । ହଠାତ୍ ଏକ ଅଜଣା ପରଶରେ ରତନଙ୍କ ଚେତନା ଭାଙ୍ଗିଲା । ଆଖି ମେଲି ଚାହିଁଲେ–ପାଖରେ ନୂଆବୋଉ । ମୁହଁରେ ମୁରୁକି ହସ ।

 

ସ୍ତିମିତ ଆଖିପତାରେ ପ୍ରଶ୍ନବାଚିରେ ଭାବ କୁହୁଳେଇ ରତନ ପଚାରିଲେ–କ’ଣ ?

 

ଏଣେ ଟିକେ ଆସିବା ହେଉ ।

 

କାହିଁକି ?

 

ତୁମକୁ ପରା ସିଏ ଡାକୁଚନ୍ତି ।

 

କିଏ ?

 

ଆଗ ଶୁଭାଗମନ ହେଉ । ହାତଗଣ୍ଠିଟା ପଡ଼ିସାରିଲେ ବିଭାଘରର ତିନୋଟି ରାତି ପରେ ଯେଉଁ ରାତିଟି ପଡ଼ିବ ସେଇ ଚଉଠିରାତିରେ ଫୁଲ ଶେଯରେ ଶୋଇ ଫୁଲ ରାଣୀଙ୍କ ସହିତ ଆଳାପ କଲାବେଳେ ଜାଣିବ କିଏ, କ’ଣ ଆଉ କାହିଁକି ?

 

ଶାନ୍ତିଲତାଙ୍କ କଥାର ପ୍ରତି ଅକ୍ଷରଗୁଡ଼ିକ ରତନଙ୍କୁ ଛୁଞ୍ଚି ଫୋଡ଼ିଲା ପରି ଲାଗିଲା । ଜଳିଲା ନିଆଁରେ କୁଟା ପକେଇଲେ ଯିମିତି ହୁଏ । ରତନଙ୍କ ଛାତି ଭିତରେ ପ୍ରଳୟ ଅଗ୍ନି ଜଳିଲା । ପାଖରେ ଶାନ୍ତିଲତା । ତାଙ୍କର ନୂଆବୋଉ । ଯିଏ ତାଙ୍କୁ ସଂସାରରେ ମଣିଷ କରିଚନ୍ତି, ଯାହାଙ୍କ ପାଇଁ ସେ ଆଜି ଏତେବଡ଼ । ଭାବିଥିଲେ କେତେ କଥା କହିବାକୁ । କହିହେଲା ନାହିଁ । ଓଠ ଥରିଲା-। ପଞ୍ଜରା ଫଟେଇ ଛୁଟିଆସିଲା ଲୁହ ମିଶା ବେଦନାର କୋହ କେଇଟା ।

 

ରତନ ଲୁଗା କାନିରେ ମୁହଁ ଲୁଚେଇଲେ ।

 

ଟିକିଏ ପରେ ରତନ ଚାହିଁ ଆଶ୍ଚର୍ଯ୍ୟ ହେଲେ । ନୂଆବୋଉ ନାହାନ୍ତି । ତାଙ୍କର ନିହାତି ପାଖରେ ଠିଆହେଇଚନ୍ତି ଭାଇ ଆଉ ଶଶୁର ବୁଢ଼ା । ରତନ ତର ତର ହୋଇ ନମସ୍କାରଟିଏ କରି ଭଦ୍ରତା ଖାତିରିରେ ତଳକୁ ଚାହିଁ ଠିଆହେଲେ । ପୁଣି ମୁଣ୍ଡ ଟେକିଲେ ଉପରକୁ । ଦେଖିଲେ ସେମାନଙ୍କ ମୁହଁରେ ଆନନ୍ଦର ଉତ୍ସ । ହସିଲା ଓଠର କମ୍ପନରୁ ରତନ ସଂକେତ ପାଇଲେ । ଯିମିତି ସେଇ ସରାଗବୋଳା ଦୃଷ୍ଟି ଦୁଇଟିର ଜଳିଲା ନିଆଁ ତାଙ୍କ ଭବିଷ୍ୟତର ସୁଖର ସଂସାରଟିକୁ ପୋଡ଼ିଜାଳି ଧୂଳିସାତ କରିଦେଉଚି ।

 

ପୁଣି ମୁଣ୍ଡ ନୋଇଁଲେ ତଳକୁ । ରକ୍ତରେ ମହୁରା ବିଷ ଘାରୁଚି ।

 

ରଘୁନାଥ ଚୁମ୍ୱକରେ କେତୋଟି କଥା ପଚାରିଲେ ।

 

ରତନ ଉତ୍ତର ଦେଲାନାହିଁ ।

 

X X X

 

ମନର ବେଗ ପକ୍ଷୀରାଜ ଘୋଡ଼ା । ଅନ୍ଧାର ରାତିରେ ନିଜର ଛାଇ ଭୂତ ପାଲଟିଲା ଭଳି ବଖତ ବଖତ ବେଳେ ସେଇ ଘୋଡ଼ା ବି କାଠଗଣ୍ଡି ପାଲଟେ । ଭଙ୍ଗା ମନର ସରାଗ ଆଗ୍ରହ ଭଙ୍ଗା ପ୍ରେମ–ଆଶାଭଙ୍ଗା ମମତା ମଣିଷର ଦରଦୀ ଛାତିରେ ଚିତା ଜାଳେ । ଚିନ୍ତା ରକ୍ତ ଶୋଷେ । ବେଳେବେଳେ ହଁ ବେଳେବେଳେ ନାହିଁ । ଏହି ହଁ ନାହିଁରେ ଠେଲାପେଲା ଭିତରେ ରତନଙ୍କର ଆଠଟି ଦିନ କଟିଲା । ଦିନ ଗଡ଼ିବା ସଙ୍ଗେ ସଙ୍ଗେ ମନଭିତରର ବେଦନା ବଢ଼ୁଚି ।

 

ଏହି କେଇଦିନ ହେବ ରତନଙ୍କ ବାଇଆ ମନ ବାୟାଚଢ଼େଇ ବସାରେ ପଶି ତାଳଗଛ ଆଗରେ ଝୁଲୁଚି । ମନରେ ସରାଗ ନାହିଁ । ପଢ଼ାପଢ଼ି ବନ୍ଦ । ନିଜର କୋଠରୀରେ ଦିନରାତି ବସି ଭାବନାର ସୁଅ ଛୁଟେଇଚନ୍ତି । ବେଶଭୂଷାରେ ଆଦର ନାହିଁ । ସବୁବେଳେ ଚିନ୍ତିତ ଭାବ । କାନ୍ଦ କାନ୍ଦ ମୁହଁ । ଖାଇବା ପିଇବା ପ୍ରତି ବିତସ୍ପୃହ । ନିଜର ପଢ଼ିବା ବହିପତ୍ରରୁ ସମ୍ପର୍କ ତୁଟେଇ ଦେଇଚନ୍ତି-। ଭାଇ ଆଉ ନୂଆବୋଉଙ୍କ ପାଖକୁ ଯିବାକୁ ଲାଜ ମାଡ଼ୁନି । ଟିକେ କେତେବେଳେ ପଦାକୁ ଗଲେ ସାଙ୍ଗସାଥିମାନଙ୍କର କୁହାଟ, ଥଟ୍ଟା ସମ୍ପର୍କୀୟ ଲୋକମାନଙ୍କର ବାରଚାଉଳିଆ କଥା-। କେତେ ଢଗ ଢମାଳି । ଭଲ ଟୋକାଟିଏ ରତନ, ମାଣିକିଚାନ୍ଦି ଗୁଆ । ଆଗେ ଚାନ୍ଦ ପଛେ ଚାନ୍ଦ, ବାହାରେ ସରାଗ–ଭିତରେ କାନ୍ଦ ।

 

କଥାଗୁଡ଼ାକ ବାଟୁଳି ମାରିଲାପରି ଲାଗୁଚି ରତନଙ୍କୁ । ଯୋକ ମୁହଁରେ ଲୁଣ ଦେଲାଭଳି ସିଧାସଳଖ ଫେରିଆସୁଚନ୍ତି ଘରକୁ । ବେଳେବେଳେ ମନମାରି ଅନ୍ୟମନସ୍କ ହେଇ ମୁହଁ ଶୁଖେଇ ବସିବାର ଦେଖି ଭାଇ ଆସି କେତେକଥା ପଚାରୁଚନ୍ତି । ସବୁବେଳେ ସେ ନୀରବ । ବେଳେବେଳେ ମନହେଉଚି ସିଧାସଳଖ ଯାଇଁ କହିଦେବେ ନୂଆବୋଉଙ୍କ ଆଗରେ । ‘‘ନୂଆବୋଉ, ସେ ବା’ଘରଟା ଭାଙ୍ଗିଦିଅ ।’’ କେତେ ପ୍ରତିଜ୍ଞା କରି ଆଗକୁ ଯାଉଚନ୍ତି କହିବାକୁ । ପାଖରେ ପହଞ୍ଚିଲାକ୍ଷଣି ସବୁ ପ୍ରତିଜ୍ଞା କୁଆଡ଼େ ଯାଉଚି । ପଚାରିବାକୁ ସାହସ ହେଉନାହିଁ । ପାଟି ପଲଟୁ ନାହିଁ । ଲାଜମାଡ଼ୁଚି । ତୁଣ୍ଡ ଖୋଲୁନାହିଁ । ନୂଆବୋଉ କୁଆଡ଼େ ଚାଲିଗଲେ ପଛରେ ମନକୁମନ ଗୁଣି ହେଉଚନ୍ତି । –ଆହା ପଚାରିଲା ନାହିଁ କାହିଁକି ? ଯାହାକୁ ନେଇ ମୁଁ ଯୁଗ ଯୁଗକୁ ଘରସଂସାର କରିବି, ସେ କଥା କହିବାକୁ ଲାଜ କ’ଣ ? ଏହିଥର ନିଶ୍ଚୟ କହିବି । କେତେଥର ସେହିପରି ପ୍ରତିଜ୍ଞା କରି ଯାଉଚନ୍ତି । କହି ହେଉନାହିଁ । ଫେରିଆସି ତକିଆ ଉପରେ ମୁହଁ ପୋତି କାନ୍ଦି କାନ୍ଦି ବାଡ଼େଇପିଟି ହେଉଚନ୍ତି ।

 

ଘର ଭିତରେ କଳିର ମଞ୍ଜିଟିଏ କିଏ ପୋତିଦେଇଚି ଯିମିତି । ରଘୁନାଥ ଆଉ ଶାନ୍ତିଲତା ଦୁହିଁଙ୍କର ମନର ମେଳା ଭାଙ୍ଗିଯାଇଚି । ବିଭାଘରର ପ୍ରସଙ୍ଗ ପଡ଼ିଲେ ରଘୁନାଥ ଶାନ୍ତିଲତାଙ୍କ ଉପରେ ପଞ୍ଚମ । ମୁଁ ସେ ସବୁ କଥା କିଛି ଜାଣେନା । ମୁଁ କାହାରି କିଛି ନୁହେଁ କି ମୋର କେହି କିଛି ନୁହନ୍ତି । ତମର ଯଦି ଦରକାର ପଡ଼ୁଚି, ତମ ମନକୁ ଯାହା ଯାଉଚି କର । ମତେ ପଚାରିବା କିଛି ଦରକାର ନାହିଁ । ରାଗରେ ପାଚିଲା ଲୁହା । ଘରୁ ବାହାରି ଚାଲିଯାଉଚନ୍ତି । ପୁଣି ସନ୍ଧ୍ୟାବେଳକୁ ଫେରିଲେ ସେଇକଥା । ଦୁହିଁଙ୍କ ଭିତରେ ଝଗଡ଼ା । ମନ ଅମେଳ । ମୁହଁ ବଙ୍କା । ବେଳେବେଳେ ଶାନ୍ତିଲତାଙ୍କର ଜୁଲମ । ତମ ମନରେ ଯଦି ଏତେ କଥା ଥିଲା ଜବାବ ଦେଉଥିଲ କାହିଁକି । ମୋ ଭଉଣୀ ପଚାଫଳ ହେଇନାହିଁ ମ, ତମ ଘରେ ଆଣି ବଳେ ଗୁଞ୍ଜିଦେବେ । ଜାଣିନଥିଲ କି ବାଇଗଣ ଭିତରେ ପୋକ । ବୁଲା ଫକୀରକୁ ରାଜଗାଦି ସାଜେନା । ଅଙ୍ଗାରକୁ ଯେତେ ମାଜିଲେ ସେଇ କଳା । ଲୋକଙ୍କର ଉପକାର କଲେ ସେ ବୁଝନ୍ତି ଓଲଟା । ଥାଉ ଆମ ଉପକାର । ଯଦି ଭଦ୍ରଲୋକ ଘରର ପୁଅ, କାଲି ମଣିଷ ପଠେଇ ମନା କରିଦିଅ ।

 

ଜଣକର ହଁ । ଜଣକର ନାହିଁ । ଏହାରି ଭିତରେ ଦିନ ଗଡ଼ି ଚାଲିଚି । ରତନ ସବୁ ଶୁଣୁଚନ୍ତି । ସବୁ ଭାବୁଚନ୍ତି । ପୁଣି କିଛି ଭାବିପାରୁନାନ୍ତି । ଆଖିର ପ୍ରଶ୍ନ ପାଟିର ଉତ୍ତରରେ ମନ ବୁଝୁନାହିଁ । ଜୀବନ ସହିତ ଜୀବନ ମିଶେଇ ଆତ୍ମା ସହିତ ଆତ୍ମା ମିଳେଇ ଯେଉଁ ନୂଆ ଜୀବନ ସୃଷ୍ଟିର କଳ୍ପନା ଟିକକ ଅଛି ସେତକ ଉଭେଇ ନିରାଶାରେ ପରିଣତ ହେଇଯାଉଚି । ଘରଟିଏ ଭାଙ୍ଗିବା ସହଜ, ତୋଳିବା କଷ୍ଟ । ସମସ୍ତଙ୍କ ପ୍ରାଣରେ ହସଫୁଟେଇ ସଂସାର ଗଢ଼ିବାହିଁ ମନର ଆନନ୍ଦ । ପରର ହିତ ସାଧନାରେ ଜୀବନ ବିତେଇବାହିଁ ଗୌରବ । ରତନ ଭାବିଲା ତାଙ୍କରି ଯୋଗୁ ଯଦି ଆଉ କେତୋଟି ପବିତ୍ର ପ୍ରାଣରେ ଆଘାତ ଲାଗିଲା ତେବେ ସେ ଅସାର ପ୍ରଣର ପ୍ରୟୋଜନ କ’ଣ ? ସେ କାହିଁକି ଜନ୍ମହେଲେ ?

 

ରତନ ନିଜକୁ ଅପରାଧୀ ମଣିଲେ ।

 

ଆଖିରେ ଲୁହ ଛଳ ଛଳ । ତୁଟା ପ୍ରାଣରେ ଅଞ୍ଜନ କଳାର ଦାଗ । ମନର କଥା ବୁଝିବାକୁ କିଏସେ ଅଛି ନିଜର । କାହା ଆଗରେ ସେ ମନଖୋଲା କଥା କହିବେ । କିଏସେ ଅଛି ଉପଦେଶ ଦେବ ? ଯାହାକୁ ଭାବିଥିଲି ତାଙ୍କୁ ତ ଆଉ ଗୋଟାଏ ମୋହ ଢାଙ୍କିଚି ।

 

ସେଦିନ ରାତି ଅନେକ ହେଲାଣି । ରତନଙ୍କ ନିଦ ଭାଙ୍ଗିଲା । କାନ୍ଥ ଘଣ୍ଟାକୁ ଅନେଇଲେ ଦୁଇଟା ପନ୍ଦର । ତାଙ୍କର ମନେପଡ଼ିଲା ନାହିଁ ସେ ଖାଇଚନ୍ତି ନା ଖାଇନାହାନ୍ତି ? କେତେବେଳକେ ସ୍ଥିର କଲେ–ତାଙ୍କୁ ତ କେହି ଖାଇବାକୁ ଡାକିନାହାନ୍ତି ? ରୋଷେଇ କ’ଣ ହେଇନି ? କେହି କ’ଣ ଖାଇନାହାନ୍ତି ? ଆସ୍ତେ ଆସ୍ତେ ରତନ ପଦାକୁ ଆସିଲେ । ଦାଣ୍ଡ କବାଟ ଦରଆଉଜା । ବନ୍ଧକୁ ଆଉଜି ଗୋବିନ୍ଦା ଘୁମାଉଚି । ଘରକୁ ପଶିଲେ ସବୁ ଘର ମେଲା ହାଣ୍ଡିଶାଳରେ ଭାତ ହାଣ୍ଡି ଖୋଲା ପଡ଼ିଚି । ଡାଲି ହାଣ୍ଡି ମୁକୁଳା । ତରକାରୀ କଢ଼େଇରୁ ଅଧେ ତରକାରୀ ବିଲେଇ ଖାଇଗଲାଣି । ଚୁଲି ଉପରେ ଲିଲିର ଦୁଧ ଗରମ ହେଉଥିଲା । ସବୁ ଦୁଧ ପୋଡ଼ି ଧୂଆଁ ହେଲାଣି । ଆଟୁଘର ଆଲଣା ପାଖକୁ ଦଉଡ଼ିଆ ଖଟିଆ । ଭାଇ ଶୋଇଚନ୍ତି । ରତନ ଘର ଭିତରକୁ ଗଲେ । ଆର ଖଟରେ ନୂଆବୋଉ ଶୋଇଚନ୍ତି । ପାଖକୁ ଲାଗି ଲିଲି । ନିଦରେ ଶୋଇପଡ଼ିଚି । କିଛି ଖାଇନାହିଁ ପେଟ ଯାଇ ପିଠିରେ ଲାଗୁଚି । ସର୍ଦ୍ଦିରେ କଫ ଘଡ଼ ଘଡ଼ ହେଉଚି । ରତନଙ୍କ ପ୍ରାଣ କାନ୍ଦିଉଠିଲା । ତାଙ୍କରି ପାଇଁ ସିନା ଘରେ କଳି ।

 

ରତନ ପାଖରେ ବସିଲେ । ଡିବିରି ଆଲୁଅର ଝାପ୍‌ସା ଆଲୁଅରେ ଶାନ୍ତିଲତାଙ୍କ ମୁହଁକୁ ଅନେଇଲେ । ମଳିନ ମୁହଁ । ଦୁଇ ଆଖି ତଳକୁ ଦୁଇଗୋଟି ଖୁଖିଲା ଲୁହର ଧାର । କୃତଜ୍ଞତାରେ ମୁଣ୍ଡ ନୋଇଁଲେ ତଳକୁ, ହାତ ଥରୁଚି । ଛାତିରେ କମ୍ପନ । କ’ଣ କହିବାକୁ ଜିଭ ପଲଟୁ ନାହିଁ । କିନ୍ତୁ କହିବାକୁ ତ ପଡ଼ିବ । କେତେବେଳକେ ଡାକିଲେ ନୂଆବୋଉ, ନୂଆବୋଉ ।

 

ଶାନ୍ତିଲତା ଶୁଣିଲେ ନାହିଁ ।

 

ପୁଣି ଡାକିଲେ ରତନ–ନୂଆବୋଉ, ନୂଆବୋଉ ।

 

ଶାନ୍ତିଲତା ହାତ ଛିଞ୍ଚାଡ଼ିଦେଲେ ।

 

ରତନ ରାଗିଲେ ନାହିଁ ।

 

ନୂଆବୋଉ ।

 

କାହିଁକି ଏତେ ଡାକୁଚ । ମୁଁ କାହାରି ନୁଆବୋଉ ନୁହେଁ କି କେହି ମୋର କିଛି ନୁହନ୍ତି । ତମେ ଏଠୁ ଯାଅ ।

 

ଭାଇ ପରା ଖାଇନାହାନ୍ତି ?

 

ମୁଁ ତ କାହାରିକୁ ଖାଇବାକୁ ମନା କରିନାହିଁ । ମୁଁ ସିନା ଗଛ ମୂଳରୁ ଆସିଚି । ଆଜି ରୁଷିଚି । କାଲି ସକାଳୁ ଉଠି ବଳେ ବଳେ ଖାଇବି । ତାଙ୍କର ତ ଘରଦୁଆର ସବୁ । ସିଏ ରୁଷିଚନ୍ତି କାହିଁକି ?

 

ତମେ ଉଠ ।

 

ଉ...ହୁଁ ।

 

ରତନ ଶାନ୍ତିଲତାଙ୍କ ହାତଧରି ଟାଣିଲେ । ତମେ ଉଠ ନୂଆବୋଉ–

 

ତମେ ଆଗ ଏଠୁ ଗଲ । ମୁଁ କାହାରି କଥା ଶୁଣିବି ନାହିଁ ।

 

ଲିଲିର ଦୁଧ ପରା ପୋଡ଼ିଗଲାଣି ।

 

ଢାଳରେ ପାଣି ଅଛି ।

 

କିମିତି ସିଏ ବଞ୍ଚିବ ?

 

ଯିମିତି ବଞ୍ଚୁ ।

 

ଶାନ୍ତିଲତା ଉଠିଲେ ନାହିଁ । ରତନ ବସିଥାନ୍ତି ।

 

ଘଡ଼ିଏ ଗଲା । ରତନ ସେଠୁ ଉଠି ରଘୁନାଥଙ୍କୁ ଉଠେଇଲେ । ରଘୁନାଥ ଶୁଣିଲେ ନାହିଁ-। ଭଙ୍ଗା ମନଟି ତାଙ୍କର ଖଣ୍ଡ ଖଣ୍ଡ ହେଇ ଭାଙ୍ଗିପଡ଼ିଲା । ବାଟ ହୁଡ଼ି ଅବାଟରେ ଚାଲିଲା-। ଚାରିଆଡ଼େ ନିସ୍ତବ୍ଧତା ଭିତରେ ଦୁଆରବନ୍ଧକୁ ଆଉଜି କାନ୍ଦଣାର ତାନ ତୋଳିଲେ ରତନ ।

 

ରଘୁନାଥ ପଦାକୁ ଉଠିଲେ ।

 

ରତନ ଠିଆ ହୋଇଥାନ୍ତି ।

 

ପଦାରୁ ଫେରିଲେ ।

 

ରତନ ଠିଆ ହେଇଥାନ୍ତି ।

 

ଘର ଭିତରକୁ ପଶିଗଲାବେଳେ ରତନ ଡାକିଲେ ପଛରୁ–ଭାଇ–

 

ଚାହିଁଲେ ନାହିଁ ରଘୁନାଥ । କହିଲେ–ତୁ ଯା ଖାଇ ଶୋଇବୁ । ମୋ ଦେହ ଭଲ ନାହିଁ । ଆଜି ଖାଇବି ନାହିଁ ।

 

ମନ ଟାଣୁଚି ଆଗକୁ । କର୍ତ୍ତବ୍ୟ ରହିଚି ପଛରେ । ମନ ଭାବୁଚି ପୁଣି କିଛି ଭାବି ହେଉନାହିଁ । ମନ ଛୁଟୁଚି–ପୁଣି ଅଟକି ଯାଉଚି ଅଧା ବାଟରେ । ଏ ପରିସ୍ଥିତିର ଜଟିଳତା, ଜଗତର କୁଟିଳତା ଆଉ ସୃଷ୍ଟିର ଏମିତିଆ ବୈଚିତ୍ର ଭିତରେ ତାଙ୍କର ଯେ କ’ଣ କରିବା ଉଚିତ, ତାହା ତାଙ୍କର ଅସ୍ଥିର ମନ ସ୍ଥିର କରିପାରିଲା ନାହିଁ ।

 

ଧୀରେ ଧୀରେ ଆଗକୁ ପାଦ ଗଣି ଗଣି ପକେଇଲେ ରତନ । ପଛରୁ ଯିମିତି କର୍ତ୍ତବ୍ୟ ଓଟାରି ଧରିଚି । ଜୀବନକୁ ବନ୍ଧନହୀନ ଶୃଙ୍ଖଳହୀନ କରି ସମୟର ଚଳନ୍ତି ସୁଅ ଭିତରେ ଯାହା ସାଥିରେ ଜୀବନଟିକୁ ଭସେଇଦେବାକୁ ଭାବିଥିଲେ, ସେ ଆଶା ତ ଆଉ ନାହିଁ । ଏବେ ଳକ୍ଷ୍ୟହୀନ । ଉଦ୍ଦେଶ୍ୟ ହୀନ । ତୁଛା ପ୍ରାଣଟା ଯେଣେ ଇଚ୍ଛା ତେଣେ ଯାଉ । କାହିଁକି ସେ ଅଟକେଇବେ ?

 

ଶୋଇଲା ଘର ଖଟଉପରେ ନିଜର ଜଡ଼ ଦିହଟାକୁ ଲମ୍ୱେଇ ଦେଉଚନ୍ତି ରତନ, ପଛଆଡ଼ୁ ଶୁଭିଲା ଆଉ କାହାର ପାଟି । ରତନ ବୁଲିପଡ଼ି ଦେଖିଲେ–ପାଖରେ ନୂଆବୋଉ । ତାଙ୍କର ନିହାତି ପାଖରେ ଠିଆ ହେଇଚନ୍ତି । ସୁନା ପାଣିଧୁଆ ରଙ୍ଗିଲା ମୁହଁରେ ଜ୍ୟୋତି ନିଭି କଳା ପଡ଼ିଯାଇଚି । ନିଜର ଆଖି କୋଣରୁ ଟୋପି ଟୋପି ଲୁହ ଆସି ପାଟିରେ ମିଶୁଚି । ଆଶ୍ଚର୍ଯ୍ୟ ହେଲେ ରତନ ।

 

କାନ୍ଦଣା ଲହରୀ ରୋକି ଶାନ୍ତିଲତା କହିଲେ–ରତନ, ମୁଁ କ’ଣ ତୁମର କେହି ନୁହେଁ ?

 

କଥାର ଅର୍ଥ ବୁଝିପାରିଲେ ନାହିଁ । ରତନ ଯେଉଁ ନୂଆବୋଉ ତାଙ୍କୁ ପିଲାଟି ଦିନରୁ ଲାଳନପାଳନ କରି ଦୁନିଆରେ ମଣିଷ କରି ଠିଆ କରିଚନ୍ତି, ଆଜି ସେଇ ନୂଆବୋଉଙ୍କ ମୁହଁରେ ଏକ ଅଲୌକିକ ପ୍ରଶ୍ନ । ସେ କ’ଣ କୃତଘ୍ନ । ସେ କ’ଣ ସ୍ୱୀକାର କରିବେ ନାହିଁ ନୂଆବୋଉଙ୍କ ଯୋଗୁ ସେ ମଣିଷ ହେଇଚନ୍ତି ବୋଲି । ବିସ୍ମୟ ହେଲା । ଯନ୍ତ୍ରଣାରେ ମନଭିତରଟା ଜଳିଉଠିଲା । ଦୁଇହାତରେ ମୁହଁ ଘୋରେଇ ଦୀର୍ଘଶ୍ୱାସ ଛାଡ଼ିଲେ । କ୍ଷୀଣସ୍ୱରରେ କହିଲେ–

 

କିଏ କହୁଚି ?

 

ଦେଖୁଚ ତ ମତେ ?

 

ସବୁ ଦେଖୁଚି ।

 

ଦେଖୁଚ ତ ମୋର ଦିହର ରକ୍ତ ଶୁଖିଗଲାଣି । ଦିହର ମାଉଁସ ହାଡ଼ ସାଥିରେ ଲାଗିଗଲାଣି । ତା’ ଭିତରେ ପେଟରେ ପୁଣି ଗୋଟାଏ ପ୍ଳିହା । ଘର ଗୋଟାକର କାମ ପିଲା ଜଞ୍ଜାଳ । ଦିହ ପା ହେଲେ ଦାଣ୍ଡ ଦୁଆରେ ସଞ୍ଜ ସଳିତାଟିଏ ଦବାକୁ କେହି ନାହିଁ ।

 

ସେଇ କଥା ତ ମୁଁ ଅନେକ ସମୟରେ ଭାବେ । କାମ ପଡ଼ିଲାବେଳେ ମୁଁ ହସି ହସି ତୁମ ପାଖକୁ ଦୌଡ଼ିଯାଏ । ତୁମେ ମନାକର କାହିଁକି ?

Unknown

 

ଏତେବଡ଼ ପୁଅ । ପାଠ ପଢ଼ିଚ । ପାଞ୍ଚ ଲୋକଙ୍କ ପାଖରେ ବସାଉଠା କରୁଚ । ତୁମେ କ’ଣ ରୋଷେଇ କରିବ ?

 

ନିଜର କାମ । ନିଜେ କଲେ ତ କିଛି କ୍ଷତି ନାହିଁ ।

 

ସମସ୍ତଙ୍କ ଆଖିକୁ ଶୋଭା ଦିଶିଲେ ତ ହୁଏ ?

 

ଚାକରାଣୀଟିଏ ରଖ ।

 

ଚାକରାଣୀ ? ପରା ସାତପର । ଝାଟି ମାଟିର କାଦୁଅଛଟା କାନ୍ଥ । ଛଣ ଛପର ଚାଳ । କେଇଦିନ ରହିବ ରତନ ?

 

ଉପାୟ କ’ଣ ?

 

ରତନଙ୍କ ଦୁଇହାତକୁ ଯାବୁଡ଼ିଧରି ଶାନ୍ତିଲତା କହିଲେ–ତୁମେ ବିବାହ କର ରତନ । ଦାଣ୍ଡ ଧୂଳିରେ ନକଲି ଘର କରି, ଧୂଳିରେ ଭାତ ତିଅଣ ରାନ୍ଧି, ଆଙ୍ଗୁଠି ଫୁଟେଇ ବୋଉ ବୋଉକା ଖେଳିବାର ବଅସ ଆଉ ତୁମର ନାହିଁ । ତୁମେ ଯୁବକ । କେଉଁ ଅନାଦିକାଳରୁ ଯେଉଁ ଜୀବନ ସୁଅଟି ତୁମଯାଏ ଛୁଟିଆସିଚି, ତୁମେ ପୁଣି ସେଇ ସୁଅଟିକୁ କିଛିବାଟ ଛୁଟେଇ ନବ । ଘରର କାମ କରିବାକୁ ନୁହେଁ କି ତୁମ ପାଦତଳର ଦାସୀ କରିବାକୁ ନୁହେଁ । ତୁମରି ଭବିଷ୍ୟତକୁ ଭୂମିଷ୍ଠ କରିବାକୁ ହିଁ ତୁମର ବିବାହ ଦରକାର ।

 

ରତନ ନିରୁତ୍ତର ।

 

ପୁଣି ଶାନ୍ତିଲତା ଆରମ୍ଭ କଲେ–ଆଧୁନିକ ଯୁଗର ଶିକ୍ଷିତା ଯୁବତୀ ଲତିକା । ତୁମେ ତାକୁ ଦେଖିଚ । ସେ ବି ତୁମକୁ ଦେଖିଚି । ଦୁହିଁଙ୍କ ଭିତରେ ଦେଖା ଚାହା ସବୁ ହୋଇଚି । ଅସୁନ୍ଦରୀ ତ ନୁହେଁ ? ତୁମେ ତାକୁ ହିଁ ବିବାହ କର ରତନ ।

 

ଲତିକାର କଥା ଶୁଣି ଚମକିଉଠିଲେ ରତନ । କହି ଆସୁଥିଲେ ‘‘ତୁମେ ସେଠୁ ବା’ଘରଟା ଭାଙ୍ଗିଦିଅ ନୂଆବୋଉ । ରେଣୁ ସାଥିରେ ମୋର ବା’ଘର ଅନେକ ଦିନରୁ ସରିଯାଇଚି-।’’ ଭାବିଲେ ସିନା କହିବାକୁ । କହିପାରିଲେ ନାହିଁ । ପାଟିକୁ ବୁଜି ଧରିଲା । ନିଜର ବିବେକ-। ଯେଉଁ ରେଣୁକୁ ନେଇ ସେ ମନେମନେ ସୁନାର ଦେଉଳ ତୋଳିବାକୁ କଳ୍ପନା କରିଚନ୍ତି; ଭାଇ ଆଉ ନୂଆବୋଉ ଦୁଇଜଣକ ଦୃଷ୍ଟିରେ ସେ ଦେଉଳଟି ବେଶିଦିନ ତିଷ୍ଠି ପାରିବ ନାହିଁ । ଦେଉଳ ଭାଙ୍ଗି ମାଟିରେ ମିଶିବ । କାମନା ହିଁ ସେଇ କାମନାରେ ରହିବ । ବିଜୁଳିପରି ଛୁଟିଆସିଲା ମନର ଭାବନା–ପୁରୀ ସମୁଦ୍ର କୂଳରେ ଗୋଟିଏ ଦୃଶ୍ୟ । ବାଲି ଉପରକୁ ଛୁଟିଆସୁଚି ଲହଡ଼ି । କୂଳସାରା ଲୋକ ଗହଳରେ ପୂର୍ଣ୍ଣ । ଲହଡ଼ି ଆଣି ଯେଉଁ ଯୁବତୀ ଝିଅଟିକୁ ତାଙ୍କ ଉପରେ ପକେଇ ଦେଇଥିଲା, ସେଇ ଝିଅଟି ଚାହିଁଚି ତାଙ୍କରି ଆଡ଼କୁ । ସେ ବି ଚାହିଁଚନ୍ତି ତାକୁ । ଦୁହିଁଙ୍କ ଚାହାଣୀର ଅର୍ଥ ଦୁହିଁଙ୍କର ମନ ବୁଝୁଚି । ରତନଙ୍କ ଆଖିରେ ଲୁହ ଛଳ ଛଳ ହେଇଆସିଲା ।

 

ଦିଅର ଭାଉଜ ଥଟ୍ଟା ନକଲ ସମ୍ପର୍କ । ବେଳେବେଳେ ତାଙ୍କର ଟିକି ସଂସାରଟି ବିଷୟ ନେଇ କେତେ ତର୍କ ବିତର୍କ ହୁଏ । ବାଦାନୁବାଦ ହୁଏ ନାହିଁ । ଅକସ୍ମାତ୍ ମତଭେଦ, ମୁହଁ ଶୁଖାଶୁଖି, ମାନାଭିମାନ ହେଲେ ପରକ୍ଷଣରେ ସବୁ କୁଆଡ଼େ ଉଭେଇଯାଏ । ରତନ ଆଗ ଯାଇ ଭାଇ ଭାଉଜଙ୍କ ପାଖରେ ଦୋଷ ମାନିନିଅନ୍ତି । କାହାରି ଇଚ୍ଛା ବିରୁଦ୍ଧରେ ଶାନ୍ତିଲତା କୌଣସି କାମ କରନ୍ତି ନାହିଁ । ଆଜି କିନ୍ତୁ ରତନଙ୍କ ଇଚ୍ଛା ବିରୁଦ୍ଧରେ ଶାନ୍ତିଲତା ଝୁଙ୍କଧରି ବସିଲେ–ତୁମେ ଲତିକାକୁ ବିଭାହୁଅ ରତନ ।

 

ରତନ ନୀରବ । ଶାନ୍ତିଲତାଙ୍କର ଖାଲି ସେଇ ପଦିଏ କଥା–ତୁମେ ଲତିକାକୁ ବିବାହ କର ।

 

ରତନଙ୍କର କର୍ତ୍ତବ୍ୟ କ’ଣ ? ସ୍ଥିର କରିପାରିଲେ ନାହିଁ । ଗୋଟିଏ ଦିଗରେ ରେଣୁର ଆକର୍ଷଣ । ଗୋଟିଏ ଦିଗରେ ଭାଇ ଭାଉଜଙ୍କର ମମତା । କାହାକୁ ଭାଙ୍ଗି କାହାକୁ ରଖିବେ । ଭାବି ହେଉ ନାହିଁ ।

 

ପାଖରେ ନୂଆବୋଉ । ନିହାତି ପାଖରେ । ତାଙ୍କରି ଯୋଗୁ ଆଜି ଘରେ କଳହ । ଭାତହାଣ୍ଡି ଅପଖଳା । କେହି ଖାଇନାହାନ୍ତି । କ’ଣ କରିବେ ?

 

ମୁହୂର୍ତ୍ତକ ପରେ ରତନଙ୍କ ପଞ୍ଜରା ଥରାଇ ରହି ରହି ବାହାରିଆସିଲା ଗୋଟିଏ କ୍ଷୀଣ ଦୀର୍ଘଶ୍ୱାସ । ନାକ ପୁଡ଼ା ଥରି ଥରି ଉଠିଲା । କଣ୍ଠର ସ୍ୱର ଥମିଆସିଲା । ପାଖରେ ନୂଆବୋଉ ଜୁଳୁଜୁଳୁ କରି ଚାହିଁଚନ୍ତି ମୁହଁକୁ । ରତନଙ୍କର ଅନିଚ୍ଛା ସତ୍ତ୍ୱେ ତାଙ୍କର ଲଗାମଦିଆ ମନରୁ ଲଗାମ ଛଡ଼େଇ, ପିଛିଲା ଜୀବନର ଅଭୁଲା ସ୍ମୃତି ଗୁଡ଼ିକ ଉପରେ ଯବନିକା ଟାଣି ତାଙ୍କର ସ୍ତିମିତ କଣ୍ଠରୁ ବାହାରିଆସିଲା ଗୋଟିଏ ହଁ ପଦ ।

 

ଘରେ ସମସ୍ତଙ୍କ ମନ ଆନନ୍ଦ । ସମସ୍ତେ ଖାଇପିଇ ଶୋଇଲେ । ମନଖୁସି । ଏକୁଟିଆ ଖୁସିହେଲେ ନାହିଁ ଜଣେ । ଏକା ସେଇ ରତନ । ମନରେ ଯେଉଁ ଆଶାଟିକକ ଥିଲା ତାକୁ ତ ସେ ପଦିଏ କଥାରେ ହଜାଇଦେଲେ । ପଛରେ ଆଉ ଭାବିଲେ କି ଫଳ ? ଆଖିକୁ ନିଦ ନାହିଁ । ରତନ ବାକ୍‌ସ ଖୋଜିଲେ । ରେଣୁର ଫଟୋ ଆଉ ଚିଠି ସବୁ ବାହାର କଲେ । ଫଟୋଟିକୁ ମନଭରି ଥରେ ଚାହିଁଲେ । ଛାତିରେ ଜାକିଲେ । ମନ ବାଉଳାରେ ଚୁମାଟିଏ ଦେଲେ । ଘଡ଼ିଏ ବିତିଲା ।

 

ପୁଣି ସବୁଯାକ ଏକାଠି କଲେ । ତକିଆ ତଳୁ ଦିଆସିଲି ଆଣିଲେ ପୋଡ଼ିଦବାକୁ । ଦିଆସିଲି ମାରିଲେ ହାତ ଅଟକିଗଲା । ମନରେ ଭାବିଲେ, ବିବାହ ? ଏହାର ଅର୍ଥ କ’ଣ ? ମନ ସହିତ ମନର ମିଳନ ? ଆତ୍ମା ସହିତ ଆତ୍ମାର ମିଳନ । ଦୁଇଟି ମନ ଓ ଦୁଇଟି ଆତ୍ମାକୁ ଏକମୁଖି କରିବା । କିନ୍ତୁ ଦୁଇଟି ମନର ଆଗ୍ରହ ଏକାକାର ନ ହେଲେ ଦୁଇଟି ପ୍ରାଣ ତ ମିଶିପାରିବ ନାହିଁ । ତେବେ ବିବାହର ମୂଲ୍ୟ କ’ଣ ?

 

ରତନ ଠିକ୍ କଲେ ସେ ଲତିକାକୁ ବିବାହ କରିବେ । ତା’ର ସୁଖ ଦୁଃଖର ସାଥୀ ହେବେ-। ତା’ର ସମସ୍ତ ଅଭାବ ପୂରଣ କରିବେ । ହସି ହସି ପାଖରେ ବସି ମନକଥା ବୁଝିବେ, ଆଲିଙ୍ଗନ କରିବେ, କିନ୍ତୁ ଗୋଟିଏ କଥାଠାରୁ ସେ ସବୁବେଳେ ଦୂରେଇ ରହିବେ–ସେ ଲତିକାର ପୁଅ ଝିଅମାନଙ୍କଠାରୁ ବାପା ଡାକ ଶୁଣିବେ ନାହିଁ ।

 

ରତନ ବାବୁଙ୍କ ଘର ଆଜି ଗହଳ ଚହଳ । କାଲି ହବ ବା’ଘର । ଆଜି ମଙ୍ଗନ । ଦାଣ୍ଡ ବା’ । ବନ୍ଧୁ ବାନ୍ଧବ ଝିଅଝିଆଣୀମାନେ ସମସ୍ତେ ଆସିଲେଣି । ସମସ୍ତଙ୍କ ମନ ଆନନ୍ଦ । ଘର ଆରପଟରେ ପୂଝାରି ଆସି ଖନ୍ଦାରେ ନିଆଁ ଦେଲାଣି । ବେଳାବେଳି ରୋଷେଇ ସରିଲେ ସନ୍ଧ୍ୟାସୁଦ୍ଧା ଜାତିଭାଇମାନଙ୍କର ଖିଆପିଆ ସରିଯିବ । ରାତିପାହିଲେ ଦୁନିଆ ଗୋଟାକର କାମ । ଆଗରୁ ସରିଗଲେ ଯାଏ । ସମସ୍ତଙ୍କ ସାଥିରେ ରତନ ବି କାମରେ ଲାଗିପଡ଼ିଚନ୍ତି । ଭଣ୍ଡାରୁଣୀ ଆସି କାନ୍ଥ ଚାରିପଟରେ ଚିତା ପକେଇ ସାରିଲାଣି । ମଝି ଦୁଆରେ ଦିଟା ଶିଳ ପଡ଼ି ବାଟଣ ବଟା ଲାଗିଚି । ପରିବା କଟା ଲାଗିଚି । ଦାଣ୍ଡ ଚଉରା ଚଟାଣ ଉପରେ ବସି ରଘୁନାଥ କାମର ବରାଦ କରୁଚନ୍ତି । ପାଖରେ ବସିଚି ବିଷ୍ଣୁ ଭଣ୍ଡାରୀ । ନିମନ୍ତ୍ରଣ କାର୍ଡ଼ ଉପରେ ନାଁ ଲେଖି ରଘୁନାଥ ତା’ ହାତକୁ ବଢ଼େଇ ଦେଉଚନ୍ତି ଖଣ୍ଡିକପରେ ଖଣ୍ଡିଏ । ଚଉଁରା ତଳକୁ ଯଦୁଆ ପାଣ ପଦ୍ମ ପତର ବୋଝେ ଥୋଇ ପଇସା ମାଗୁଚି । ବନା ଗଉଡ଼ ପାଖରେ ଠିଆହେଇ କହୁଚି ବାବୁ ସବାରୀ ପାଲିଙ୍କି ପାଇଁ ଦୁଇଟା ଟଙ୍କା ଦିଅ । ଆଗରୁ ବଇନା ଦେଇଆସେ । ବା’ଘର ଘଡ଼ି । ଆଉ ଯଦି କିଏ ନେଇଯାଏ ଆମ ବୁଦ୍ଧି ହଜିବ ।

 

କ’ଣ ଗୋଟାଏ କାମରେ ସେଇବାଟ ଦେଇ ଚାଲିଯାଉଥିଲେ ରତନ । ପଛରୁ ଡାକିଦେଲେ ରଘୁନାଥ । ରତନ ଠିଆହେଲେ । ରଘୁନାଥ କହିଲେ–ବିଷ୍ଣୁ ବସିଚି; ତୋର ସାଙ୍ଗ ସାଥି ଯେଉଁମାନେ ଅଛନ୍ତି ସେମାନଙ୍କ ନାଁ ଏ କାର୍ଡ଼ ଉପରେ ଲେଖିଦେ । ସେ ନେଇ ଦେଇଆସିବ-। ଦୋ ଦୋ ପାଞ୍ଚ ହୋଇ ରତନ ପାଖରେ ବସିଲେ । କେତୋଟି କାର୍ଡ଼ ଉପରେ କେତେଜଣ ସାଥିଙ୍କର ନାଁ ଲେଖିଲେ । ମନେପଡ଼ିଲା ତାଙ୍କର ଶ୍ରେଣୀର ଗୋଟିଏ ଝିଅ ସହପାଠିନୀ କୁମାରୀ ମିନତୀ ପ୍ରଧାନ । କାର୍ଡ଼ ଉପରେ ନାଁଟି ଲେଖିସାରି ଅନେଇଲେ । ଲେଖିହେଇଯାଇଚି କୁମାରୀ ରେଣୁବାଳା ପ୍ରଧାନ । ଚମକିଉଠିଲେ ରତନ । ପୁଣି ଭାବିଲେ ହଉ ସେ ମଧ୍ୟ ତାଙ୍କର ଜଣେ ସାଥୀ-। ଜୀବନର ପହିଲି ଯୌବନରେ, ମାଟି ଦେହରେ ପ୍ରତି ଲୋମମୂଳେ ଯେଉଁ ରେଣୁ ପ୍ରଥମେ ଶିହରଣ ଖେଳାଇ ଦେଇଥିଲା, ଜୀବନକୁ ମଧୁମୟ କରିଥିଲା, ଦେହ ଦେହ ଏକାଠି ହେବାର ଅଦମ୍ୟ କାମନା ଭିତରେ ଛାତିକୁ ଛାତି ଲଗେଇ ନୂତନ ଅନୁଭୂତି ଦେଇଥିଲା, ସେ କ’ଣ ଆଜି ତାହା ଅସ୍ୱୀକାର କରିବ ? ଭୁଲି ତ ହେବନାହିଁ ସେଦିନର ସହକାରକୁଞ୍ଜର ମନଟଣା ଦୃଶ୍ୟଟି-। ମନର କାମନାକୁ ଦୂରେଇ ସେ ଆଜି ଗୋଟିଏ ଆଶାତୀତ ନୂଆ ବାଟ ଫିଟାଇବାକୁ ଯାଉଚନ୍ତି-। ତଥାପି ରେଣୁ ତ ତାଙ୍କର ଜଣେ ବନ୍ଧୁ । ଏ ଖବର ପାଇ ସେ ଖୁସି ନ ହେଲେ ବି ସେ ତାକୁ ନିଶ୍ଚୟ କହିବେ ।

 

ବଡ଼ ଭଉଣୀ ସରର ପୁଅ ଠୁକୁନ୍ ଦୌଡ଼ି ଦୌଡ଼ି ଆସି ଓହଳିପଡ଼ିଲା ରତନଙ୍କ ବେକରେ । ଭାବନା ଭାଙ୍ଗିଲା ।

 

ବିଷ୍ଣୁ କହିଲା, ବାବୁ କ’ଣ ଲେଖିବାରେ ଚଞ୍ଚଳ ଲେଖନ୍ତୁ । ଜଣେ ଲୋକ, କେତେବାଟ ବୁଲିବି ।

 

ରତନ କହିଲେ–ନାଁରେ ତୁ ଯା । ଆଉ କେତେଜଣଙ୍କର ନାଁ ମୋର ମନେପଡ଼ୁନି । ପଛରେ ଲେଖି ଗୋବିନ୍ଦାକୁ ସାଇକେଲରେ ପଠେଇବି ।

 

ବିଷ୍ଣୁ ଚାଲିଗଲା । ରତନ ଉଠ ଉଠ ହେଲେ ଉଠିବାକୁ ।

 

ରଘୁନାଥ କହିଲେ–ଗଲୁରେ ମୋ ଶୋଇଲା ଘର ଖଟ ମୁଣ୍ଡକୁ, ତକିଆ ତଳେ ତିନିଟା ଟଙ୍କା ଅଛି ଘେନି ଆସିବୁ ।

 

ରତନ ଉଠି ଚାଲିଗଲେ ।

 

ଭାଇଙ୍କ ଶୋଇଲା ଘର ସବୁବେଳେ ପରିଷ୍କାର ପରିଚ୍ଛନ୍ନ । ଅନ୍ୟଦିନେ ଘର ଭିତରେ କୁଟା ଖଣ୍ଡେ ପଡ଼ିଲେ ନୂଆବୋଉ ଚିଡ଼ନ୍ତି । ଆଜି ସେ ସବୁ ନାହିଁ । ଭାର ବେଭାର, ମିଠେଇହାଣ୍ଡି, ପାଚିଲା କଦଳୀ ବୋଝ, ନଡ଼ିଆ ବୋଝ ପୁରିଛି । ଗୋଡ଼ ବୁଲେଇବାକୁ ଜାଗା ନାହିଁ । ରତନ ଘର ଭିତରକୁ ପଶିଲେ । ଖଟଉପରେ ଲିଲି ଶୋଇଚି ନୂଆବୋଉ ନାହାନ୍ତି । ତକିଆ ଟେକିଲେ–ଟଙ୍କା ନାହିଁ । ରେଜେଇଟା ଟେକିଦେଲା ବେଳକୁ ଆଖିପଡ଼ିଲା ଗୋଟିଏ ଚିରା ଲଫାପାରେ । ଦେଖିଲେ ଚିଠିଟି ନୂଆବୋଉଙ୍କ ନାଁରେ ଆସିଚି । ଚିଠିଟି ଖୋଲିଲେ । ଲେଖା ଶେଷରେ ଲେଖାହୋଇଚି ‘‘ତୋର ଅମାନିଆ ଲତିକା ।’’ ଲତିକା ନାଁଟି ଦେଖି ଚମକିଉଠିଲେ ରତନ । ମନଭିତରଟା ଘାଣ୍ଟି ଚକଟି ହେଲା । ଆଗ୍ରହ ବଢ଼ିଲା, କ’ଣ ଲେଖିଚି ଲତିକା ? ଚିଠିଟି ଫିଟେଇ ପଢ଼ିବାକୁ ସାହାସ ହେଲାନାହିଁ । ହାତ ଥରିଲା । ଚାରିଆଡ଼କୁ ଅନେଇଲେ କେହି ନାହାନ୍ତି । ଚିଠିଟି ଯାକିଯୁକି ଲୁଗାତଳେ ଲୁଚେଇଲେ । ସେପଟ ତକିଆ ଉଠେଇ ଦେଖିଲେ ଟଙ୍କା ଅଛି । ତରତରରେ ଟଙ୍କା ତିନିଟା ନେଇ ଭାଇଙ୍କ ହାତକୁ ବଢ଼େଇଦେଲେ ସିଧାସଳଖ ଚାଲିଲେ ତାଙ୍କ ବୈଠକ ଘରକୁ । ଭିତର ପଟରୁ କବାଟ ବନ୍ଦ କରି ଚିଠିଟି ଖୋଲିଲେ । ଦେହର ରକ୍ତ ଓ ଶିରା ପ୍ରଶିରାରେ ଗୋଟିଏ ଅଜଣା ସ୍ପନ୍ଦନ ଖେଳିଗଲା । ମାଟିର ଦେହଟା ଉଲ୍ଲସିଉଠିଲା । ରତନ ଭାବିପାରିଲେ ନାହିଁ ଯେ ଏ ବିବାହ ଉତ୍ସବରେ ଲତିକା କାହିଁକି ନୂଆବୋଉଙ୍କ ପାଖକୁ ଚିଠି ଲେଖିଚି, ଖୋଲି ପଢ଼ିଲେ । ସେଥିରେ ଲେଖାଥିଲା–

 

ଦେଇ,

 

ମୋର ସସ୍ନେହ ଭକ୍ତିର ପ୍ରଣାମଟି ନେବୁ । ସେଦିନ ବାପା ତୋ ଘରକୁ ଯାଇଥିଲେ । ଶୁଣିଚି ରତନଭାଇଙ୍କ ସହିତ ମୋର ବିବାହ ପ୍ରସ୍ତାବ ଠିକ୍ କରି ଆସିଚନ୍ତି । ବିଭାଘର ଆଉ କମ୍ ଦିନ ରହିଲା । ସେଥିପାଇଁ ଆମ ଘରେ ଧମାଧମ୍ ଯୋଗାଡ଼ ଲାଗିଚି । ଯେତେବେଳେ ସବୁ ଠିକ୍ ସରିଲାଣି ବିବାହ ତ ନିଶ୍ଚୟ ହବ; ତେବେ ବିବାହ ଆଗରୁ ମୋ ଅଙ୍ଗେ ଲିଭେଇଲା କେତୁଟା କଥା ତୋ ଆଗରେ କହିବାକୁ ଉଚିତ ମନେକରି ଆଜି ଏ ଚିଠିଟି ଦେଲି । ଏହାକୁ ସାମାନ୍ୟ ଚିଠି ଖଣ୍ଡିଏ ନ ଭାବି ମୋ ଜୀବନର ଗୋଟିଏ ଛୋଟିଆ ଇତିହାସ ବୋଲି ଭାବିବୁ ।

 

ପାପ କହ, ଅନୀତି କହ ବା ଯା ଇଚ୍ଛା ତା’ କହ ଯେଉଁ ପ୍ରେମ ଭିତରେ ସ୍ୱର୍ଗର ସୁଖ ପୂରି ରହିଚି ତାକୁ ଯେ କାହିଁକି ଲୋକେ ନାନାପ୍ରକାର ନାକଟେକା ଭାଷାରେ ପ୍ରକାଶ କରନ୍ତି ମୁଁ ଜାଣିପାରୁନାହିଁ । ଯାହାକୁ ଭଲପାଇବା କହି ଅହଙ୍କାରୀ ଲୋକଗୁରା ମନ୍ଦ ଆଖିରେ ଚାହିଁ ମୁରୁକି ହସା ମାରନ୍ତି, ସେ ହସର ଅର୍ଥ କ’ଣ ? ନିରର୍ଥକ–ସବୁ ନିରର୍ଥକ । ପରସ୍ପର ପ୍ରେମ ଦିଆନିଆ ତ ବିବାହ ? ପ୍ରେମଲାଗି ବିବାହ ନା ବିବାହ ଲାଗି ପ୍ରେମ ? କେଉଁଟା ଆଗ ?

 

ଜୀବନରେ ଚୋରା ମଳୟ ବହିଲେ–ନୂତନ ଯୁବତୀର ବୁକୁରେ ଯୌବନ କଅଁଳ କଳିକା ମୁକୁଳିଉଠେ । ଆସ୍ତେ ଆସ୍ତେ କଳିକାଟି ମେଲିହୋଇ ଜୀବନର ଆଦ୍ୟ ଫୁଲ ଫୁଟେ । ଦେହ ମନ ଚଞ୍ଚଳ ହୁଏ । ଯୁବକର ଟିକିଏ ପରଶ ପାଇବା ପାଇଁ ଆତ୍ମା କଲବଲ ହୁଏ । ଦିନ ଯାଇ ରାତି ଆସିଲେ ମନହୁଏ ଆନନ୍ଦ । ପୁଣି ଦିନହେଲେ ମଉଳିଯାଏ ଛାଏଁ ଛାଏଁ । ଆଖିକୁ ଆଲୁଅ ଅପେକ୍ଷା ଅନ୍ଧାର ସୁନ୍ଦର ଦିଶେ । ଏହି ଆନନ୍ଦ ନିରାନନ୍ଦ ଭିତରେ ସେ ଦିନ ବିତାଏ । ମନେମନେ ଜୀବନ ତରୀରେ ବସି ଟିକେ ସଂସାରର ଭୁଜୁ ଭୁଜିଆ ଖେଳ ଦେଖିବାକୁ ମନବଳାଏ । ସାଥିର ଡାକରା ଆସେ । ସାଥି ପାଇଲେ ଆଖିବୁଜି ସାଥିର କୋଳକୁ ଆଉଜିପଡ଼େ । ପରକୁ ଆପଣାର କରି ନିଜକୁ ଭୁଲେ । ପିଛିଲା ଜୀବନକୁ–ଭୁଲି ନୂଆ ଜୀବନ ଗଢ଼େ । ସେଇଥିରୁ ସେ ତୋଳେ ସ୍ୱର୍ଗର ପାରିଜାତ । ସୁଖ ଦୁଃଖ ଭିତରେ ଦିନ ଗଡ଼େ ।

 

ନୂଆପାଟଣା ଧୋବାଙ୍କୁ ଚିହ୍ନିଥିବୁ ଦେଈ । ସେ ମୋର କେଉଁ ଲେଖା ଯୋଖାର କ’ଣ ହେବେ କେଜାଣି ? ପହିଲୁ ପହିଲୁ ମୁଁ ତାଙ୍କୁ ଖାଲି ହେ ହେ ବୋଲି ଡାକୁଥିଲି । ଥରେ ବୋଉ ମୋ ଉପରେ ଭାରି ପାଟିକଲା । ସେଦିନ ଠାରୁ ମୁଁ ତାଙ୍କୁ ଭାଇ ଡାକିଲି । ସେ ମୋତେ ମୋ ନାଁ ଧରି ଡାକନ୍ତି । ମତେ ଭାରି ଭଲପାଆନ୍ତି । ଘରୁ ଆସିଲାବେଳେ ସେ ମୋ ପାଇଁ ଲେମନଜୁସ୍ ଚକୋଲେଟ୍ ବିସ୍କୁଟ୍ ଆଉ ମୁଣ୍ଡବନ୍ଧା ରିବନ୍ ଇତ୍ୟାଦି ଅନେକ ଜିନିଷ ଆଣିଥାନ୍ତି । ଆସିଲାକ୍ଷଣି ମତେ ଅଧାବାଟରୁ ଡାକିଦିଅନ୍ତି ଘରେ ଥିଲାବେଳେ ମୁଁ ଦୌଡ଼ିଯାଇ ତାଙ୍କ ବେକକୁ ଧରି ଓହଳିପଡ଼େ । ସେ ମୋତେ କୋଳରେ ପୂରେଇ ଯାକି ଧରନ୍ତି । ମୁହଁରେ ମୁହଁ ଲଗେଇ ବୋକ ଦିଅନ୍ତି । ଅନେକ ବେଳଯାଏ ମୋ ମୁହଁକୁ ବଲବଲ କରି ଚାହାନ୍ତି । ମୁଁ ତାଙ୍କର ଉଦ୍ଦେଶ୍ୟ କିଛି ଜାଣିପାରେ ନାହିଁ । ଖାଲି ହେଁ ହେଁ ହେଇ ହସେ । ଯେତେ ଟାଣିଓଟାରି ହେଲେ ବି ଜମାରୁ ଛାଡ଼ନ୍ତି ନାହିଁ । ଚିଡ଼ିମାଡ଼ିଲେ ବୋଉକୁ ଡାକେ । ବୋଉ ନାଁ ଧରିଲେ ସେ କେଜାଣି କାହିଁକି ମତେ ଚଟ୍‌କିନା ଛାଡ଼ିଦିଅନ୍ତି, ନଇଲେ ମୋ ପାଟିରେ ହାତ ଦେଇ ପାଟି ବୁଜନ୍ତି । କହନ୍ତି–ରଇଥା ଆଉଟିକେ । କେତେବେଳ ସେହିପରି କଟେ । ଖାଲି କହନ୍ତି ଆଉ ଟିକେ–ଆଉ ଟିକେ । କେତେ ଆଉ ଟିକେ ଯାଏ । ମତେ ଗେଲ କରିବାକୁ ତାଙ୍କୁ ଏତେ ଭଲଲାଗେ ଯେ ବେଳେବେଳେ ସେ ମୋ ପାଟିରେ ପାଟି ଲଗେଇ ମୋ ପାଟିର ଅଇଁଠା ପାନ କାଢ଼ି ଖାଇଦିଅନ୍ତି । ଜମାରୁ ଘୃଣା ପାଆନ୍ତି ନାହିଁ । ମୁଁ ଭାରି ଚିଡ଼େ । ତାଙ୍କ ଆଙ୍ଗୁଠିକୁ କାମୁଡ଼ିଦିଏ ।

 

କେତେଦିନ ଗଲାପରେ ମତେ କାହିଁକି ତାଙ୍କ ପାଖକୁ ଯିବାକୁ ଭାରି ଲାଜ ମାଡ଼ିଲା । ସବୁବେଳେ ଆଡ଼ ହୋଇ ରହେ । ପାନଭାଙ୍ଗି କାହା ହାତରେ ପଠେଇ ଦିଏ । କେହିନଥିଲେ ଦୂରରୁ ଠିଆହେଇ ତାଙ୍କ ଉପରକୁ ପକେଇଦିଏ । ମତେ ଧରିବାକୁ ସେ କେତେ ପେଖନା କାଢ଼ି କହନ୍ତି ଆଣିଲୁ ପାଣି ଗିଲାସେ, ଆଣିଲୁ ଟିକେ ନିଆଁ । ଦୌଡ଼ି ଦୌଡ଼ିକା ପଳେଇଯାଏ–ଲାଇବ୍ରେରୀ ଘରଆଡ଼େ । ଥରେ ବୋଉ ହାବୁଡ଼ରେ ପଡ଼ିଲି । ସେ ଆମ ନଙ୍ଘା ପାଖରେ ବସି ଖାଉଥାଆନ୍ତି । ପାଖରେ ବସି ବୋଉ ତାଙ୍କ ଘର ଖବର ପଚାରୁଥାଏ । ଏଣେ ଥାଳିରୁ ଭାତ ସରିଲାଣି । ମୁଁ ଭାତ ପରସା ଧରି ହାଣ୍ଡିଶାଳ ବନ୍ଧ ପାଖରେ ଠିଆ ହୋଇ ବୋଉକୁ ଅନେଇ ରହିଚି । ବୋଉର ନିଘା ଯିମିତି ପଡ଼ିଚି ମୋ ଉପରେ ପାଟି କରି କହିଲା–ଆଲୋ ଭାଇଟା ହବ ପରା । ଆଡ଼ ହଉଚୁ କାହାକୁ ? ଆସୁଚୁ ନା ଏଠିକି । କ’ଣ କରିବି ବାଧ୍ୟହୋଇ ଦେହ ମୁଣ୍ଡରେ ଲୁଗା ଦେଇ ଯାକିଯୁକି ତଳକୁ ଅନେଇ ଥାଳିରେ ନେଇ ଭାତ ଦେଇଆସିଲି । ନୂଆ ବୋଉଟାବି ସେଇମିତି । ଥରେ ମୋ କାନକୁ ଧରି ଘୋଷାରି ଘୋଷାରି ତାଙ୍କ ବସିଲା ଘରକୁ ନେଲା । ଘର ଭିତରେ ଛାଡ଼ିଦେଇ ଚଟ୍‌କିନା କବାଟ ଦେଇଦେଲା । ପଦାରୁ କହିଲା–ଆଜି ତା’ର ଲାଜ ଛଡ଼େଇ ଦିଅ ଧୋବା । ମୁଁ ତ ସେ ଘରେ ଛଟର ପଟର ହେଉଚି ଗଲା....

 

ଅନେକ ଦିନ ପରେ ମୁଁ ତାଙ୍କ ଭିତିରି କଥା ଜାଣିପାରିଲି । ସେ ଯିମିତି ମତେ ପାଇବାକୁ ବ୍ୟାକୁଳ । ମୁଁ ଜାଣେ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନଙ୍କର ଦାୟିତ୍ୱ ବେଶୀ । ଟିକେ କ’ଣ ବିଗିଡ଼ିଗଲେ ଜୀବନ ହେବ ଧିକ୍‌ । ବାର ନିନ୍ଦା । ବାର ବୋଲଣା । ନାଁରେ କେତେ ହାଟ ନାଟ ବସିବ । ସେମାନେ ହେଲେ ଉଡ଼ା ଚଢ଼େଇ । ଆଜି ଏଠି ତ କ’ଣ ହେଲେ ପଳେଇବେ କଟକ କି କଲିକତା । ଆମେ ଯିବା କୁଆଡ଼େ ? ସେଥିପାଇଁ ମୁଁ ସବୁବେଳେ କରଛଡ଼ା ଦେଇ ରହେ । ମୁଁ ଯେତେଯେତେ ଦୂରେଇ ରହେ ସେ କିନ୍ତୁ ସେତେସେତେ ପାଖକୁ ଲାଗିଆସନ୍ତି । ସେତେବେଳକୁ ତାଙ୍କ ମନଭିତରେ ଖଣ୍ଡିଆ ଭୂତ ବସାବାନ୍ଧି ସାରିଲାଣି ।

 

ଉପରେ ସିନା ଭାଇ ଭଉଣୀ ସମ୍ପର୍କ । ଭିତର ସମ୍ପର୍କ ବହୁତ ରକମର । ବେଳେବେଳେ ସେ କହନ୍ତି, ମୁଁ କୁଆଡ଼େ ତାଙ୍କ ଆଖିକୁ ଖୁବ୍ ସୁନ୍ଦର ଦିଶେ । ମୋ ହାତରୁ ପାଣି ଗିଲାସେ ପିଇବାକୁ କି ମୋ ହାତରୁ ପାନଖଣ୍ଡେ ଖାଇବାକୁ ତାଙ୍କୁ କୁଆଡ଼େ ଭାରି ଭଲଲାଗେ । ମୋ ମୁହଁରୁ କଥା ଶୁଣିଲେ ସେ ଭୋକ ଶୋଷ ଭୁଲିଯାଆନ୍ତି । ପାଖରେ ବସିଲେ ସ୍ୱର୍ଗସୁଖ ଅନୁଭବ କରନ୍ତି । ହଠାତ୍ ହାବୁଡ଼ରେ ପଡ଼ିଲେ ସେ ହାତକୁ ଧରି ପାପୁଲିରେ ଦି’ ତିନିଟା ଟିପା ମାରିଦିଅନ୍ତି । ମୁହଁଟାକୁ କଟମଟ କରି ଘଡ଼ିଏ ଅନାନ୍ତି । ସେଥିରୁ ତାଙ୍କୁ କି ଆନନ୍ଦ ମିଳେ କେଜାଣି ? ମୁଁ ଜାଣିପାରେ ନାହିଁ-

 

ଦିନକର–ଦି’ପହର ବେଳ । ବୋଉ ଗାଁ ଆଡ଼େ ବୁଲି ଯାଇଥାଏ । ନୂଆବୋଉ ହାଣ୍ଡି ଧୋଉଥାନ୍ତି । ବାପା ଠାକୁର ଘରେ ପୁରାଣ ବୋଲୁଥାନ୍ତି । ମୁଁ କନକ ଘର ଆଡ଼େ ବୁଲି ଯାଇଥିଲି । ଆସି ଦେଖିଲି ମୋ ଶୋଇଲା ଘର ବଖରାଟା ଧୂଳି ଆଣ୍ଠିଏ ହେଇଛି । ଛାଞ୍ଚୁଣିଟା ଆଣି ଓଳେଇଦେଲି । କନକ ପାଖରୁ ଗୋଟିଏ କବିତା ବହି ଆଣିଥିଲି ‘‘ସେ ଗାଁରେ ପ୍ରିୟାର ଗାଁ’’ । ସେଥିରେ ଗୋଟିଏ ବିଷୟ ଅଛି ‘‘ମହାନଦୀ ବୁକେ କେତେପାଣି ସତେ ଗଲାଣି ବହି ।’’ ବିଷୟଟିକୁ ମୋର ପିଛିଲା ଜୀବନର ଆଖିନଚା ଅଭୁଲା ସ୍ମୃତି–ଗୁଡ଼ିକ ସହିତ ତୁଳନା କରି ଥରକୁଥର ପଢ଼ୁଚି । ପଢ଼ା ନଅସରେ ଦେହରୁ ଲୁଗା ଖସିଯାଇଛି । ସେ ଆଡ଼କୁ ମୋର ନିଘା ନାହିଁ । ଘରେ ତ କେହି ନଥାନ୍ତି । ଆଖି ପଡ଼ିଲେ ବି ସେ ଆଡ଼କୁ ଖାତିର ନ ଥାଏ । ବାପ ଘର ଝିଅ । ରାତି ପାହିଲେ ଦାଣ୍ଡ ଅଧାରେ ଗୋବରା ଚଢ଼େଇ ନାଟ । ଡର କାହାକୁ ? କୋଉ ଶାଶୂଘର ହେଇଚି ? ମଥା ଉପରେ ହାତେ ଓଢ଼ଣା ଟାଣିବି ? କବାଟ କଣରେ ଲୁଚିବି ? କେତେବେଳୁ ଧୋବା ଭାଇ ଆସି ଛପି ଛପି କବାଟ ଉହାଡ଼ରେ ଠିଆହୋଇ ମୋରି ଆଡ଼କୁ ଅନେଇ ମନକୁମନ ହସୁଥାନ୍ତି । ମୋର ମନ ଥାଏ ବହି ଉପରେ । ସେ ମୋ ପଛଆଡ଼ୁ ଆସି ଲୁଚି ଲୁଚି ମୋ ଦି’ଆଖିକୁ ବୁଜି ଧରିଲେ । ମୁହଁ ବୁଲେଇ ଯେତେ ଏପାଖ ସେପାଖ ହେଲି ଛାଡ଼ିଲେ ନାହିଁ । ମୋ ହାତ ଦିଟା ଅକଳରେ ଥାଏ । ଭାବିଲି କନକ କି ନୂଆ ବୋଉ କିଏ ହେବକି କ’ଣ । ଥଟ୍ଟାରେ କେତେ କଥା କହିଦେଲି । ସେ ପାଟିରେ ଲୁଗା ବିଣ୍ଡା ପୂରେଇ ହସୁଥାନ୍ତି । ଯେତେବେଳେ ହାତ କାଢ଼ିଲି ଦେଖେ ତ ଧୋବାଭାଇ । ଲାଜରେ ମୁହଁଟି କଳାକାଠ ପଡ଼ିଗଲା । ତାଙ୍କ ମୁହଁକୁ ଚାହିଁପାରିଲି ନାହିଁ । ତରତରରେ ବହିଟା ପେଟତଳେ ଯାକି ଦୌଡ଼ି ପଳଉଥିଲି ପଦାକୁ । ସେ ବାଟ ରୋକିଲେ । ଆଉ ଯାଉଚି କୁଆଡ଼େ । ଯାକିଯୁକି ହୋଇ କାନ୍ଥ ସନ୍ଧିରେ ମୁହଁ ଲୁଚେଇଲି । ସେ ତାଙ୍କର ଦୁଇ ହାତକୁ ମୋ ଅଣ୍ଟା ଚାରିପାଖରେ ଗୁରେଇ ତାଙ୍କ ଆଡ଼କୁ ମତେ ଟାଣିନେଲେ । ମୁହଁରୁ ଟିକେ ଓଢ଼ଣାଟି ଟାଣି ଥରିଲା ଥରିଲା କଣ୍ଠରେ କଅଁଳେଇ କହିଲେ–କେଉଁଦିନଠୁ ଏତେ କଥା ଶିଖିଲୁଣି ଲତିକା ? ଭାରିତ ଆଡ଼ ହେଉଚୁ ଏଣିକି ? ଭୟରେ ମୁଁ ତଳେ ବସିପଡ଼ି ଆଣ୍ଠୁ ସନ୍ଧିରେ ମୁହଁ ଲୁଚେଇଲି । ହାତ ଦି’ଟା ପେଟ ସନ୍ଧିରେ ପୂରେଇଦେଲି । ଭାବିଥିଲି ସେ ସିନା ଛାଡ଼ିଦେବେ କିନ୍ତୁ କ’ଣ କଲେ । ମୋ ମୁଣ୍ଡକୁ ଧରି ପଛ ଅଡ଼ୁଆ ଓଲଟେଇ ପକେଇଲେ । ମୁଁ ତ ଦରଲଙ୍ଗଳା ଗୋଟା ଛାଆଁ......ବହିଟା ଛଡ଼େଇନେଲେ ।

 

ଦେହଟା ବରଡ଼ାପତର ପରି ଥରୁଥାଏ । କାଳେ ନୂଆବୋଉ କି ଆଉ କିଏ ଆସିଯିବ । ମନଟା କେତେ ପାପ ଛୁଇଁଲା । ସେ ଟିକେ ଆଡ଼େଇ ହେଲାକ୍ଷଣି ମୁଁ ଏକାଥରେ ଛୁ...। ପଛରେ ଭାବିଲି ଯଦି ପାଖରେ ବହିଟା ନ ଥାନ୍ତା ସେ ମତେ ଆଉ କ’ଣ କରି ପକେଇଥାଆନ୍ତେ କେଜାଣି...

 

ମୁଁ ବାରିଆଡ଼େ ପଳେଇଲି । ଦେଖିଲି ସଜନା ଗଛରେ ଛୁଇଁଗୁରା ପାକଳ ହୋଇଗଲାଣି-। ଛଣ ଗଦାତଳୁ ଆଙ୍କୁଡ଼ିଟା ଆଣି ଛୁଇଁପାରିଲି । କାମ ବାଉଳାରେ ଦେହରୁ ଲୁଗାଟା ଅଧା ଖସିଯାଇଥାଏ । ସେ ପୁଣି କେତେବେଳେ ଯାଇ ମୋ ପଛରେ ଠିଆ ହୋଇଥାନ୍ତି । ଯିମିତି ତାଙ୍କୁ ଟାଣିନବାକୁ ମୋଠେଇଁ ଗୋଟିଏ ଚୁମ୍ୱକ ପଥର ଲାଗିଚି । ଟିକିଏ ସୁବିଧା ଦେଖି ସେ ମୋ ଅନାବୃତ ଛାତିଟାରେ ହାତ ମାରିଦେଲେ । ବୁଲିପଡ଼ି ମୁଁ ଯେତେବେଳେ ତାଙ୍କ ଆଡ଼କୁ ଚାହେଁ ରାଗରେ ମୋ ହାଡ଼ ଜଳିଲା । କଟମଟ କରି ତାଙ୍କ ମୁହଁକୁ ଚାହିଁଲି । ପାଟିରୁ କେତେ କଥା ବାହାରି ଆସୁଥିଲା କହିପାରିଲି ନାହିଁ । ଆଙ୍ଗୁଠିଟା ଫୋପାଡ଼ି ଦେଇ ରାଗ ତମତମରେ ପଳେଇଆସିଲି ଘରକୁ ବୋଉ ସେତିକି ବେଳକୁ ଫେରୁଥିଲା ଗାଁଆଡ଼ୁ । ପାଖରେ ଠିଆହେଲି । ଅନେଇଲି କଣ୍ଟିଆ ବଗପରି ଧୋବାଭାଇ ଅନେଇଚନ୍ତି ମୋରି ଆଡ଼କୁ । ଯେମିତି ଦେହରୁ ତାଙ୍କର ଜୀବନ ଉଡ଼ିଯାଇଛି-। ହାତଠାରି କହିଲି–କହିବି ବୋଉ ଆଗରେ । ସେ ମୋ ଆଡ଼କୁ ଚାହିଁ କାନ ମୋଡ଼ିଦେଲେ-। ହାତଟେକି ମୁଣ୍ଡିଆ ମାରିଲେ । ଠାରରେ ବୋଉ ଆଗରେ ନ କହିବାକୁ କହିଲେ । ମୁଁ କହିଲି ନାହିଁ....

 

ସେହି ଦିନଠାରୁ ସେ ମୋ କାନରେ କି ମନ୍ତ୍ରଦେଲେ କି ଜଡ଼ିବୁଟି ସୁଙ୍ଘେଇଲେ କେଜାଣି ମୋ ମନଟା ତାଙ୍କରି ଆଡ଼କୁ ଢଳିପଡ଼ିଲା । ତାଙ୍କରି ସ୍ପର୍ଶ ଟିକେ ପାଇବାକୁ ମନଟା ଖାଲି ଆତୁର ହେଲା । ସବୁବେଳେ କନ କନ ଛନ ଛନ । ଖିଆପିଆ ଭୁଲିଲି । ସଦାବେଳେ ଖାଲି ତାଙ୍କ ଆଇଲା ବାଟକୁ ଚାହିଁବସିଲି । ରାତିରେ ଶୋଇଲାବେଳେ ମନଟା କ’ଣ ହୋଇଯାଏ । ରାତି ଅଧରେ କବାଟ ଖୋଲେ । ଚାରିଆଡ଼କୁ ଅନାଏ । କାଚ ଝଣ ଝଣ କରେ । ଚାବିକାଠି ପେନ୍ଥା ଝଣ ଝଣ କରି ତଳେ ପକାଏ । ଖଣ୍ଡିକାଶ ମାରେ । ମନରେ ଭାବେ–ମୋର ହଟ ଦେଖିବାକୁ ଧୋବାଭାଇ ଲୁଚି ନାହାନ୍ତି ତ ? କେତେବେଳେ କଟେ ଆଖିର ପାଣି ଆଖିରେ ମରେ । ବଳେ ବଳେ ଉତ୍ତେଜନା ଥମିଆସେ । ହାତରେ ମୁଣ୍ଡ ପିଟେ । ନିରାଶ ହେଇ ଫେରେ ।

 

ବେଳେବେଳେ ମୁଣ୍ଡରେ ଚେତା ପଶେ । ଏକୁଟିଆ ବସିଲାବେଳେ ଭାବନାର ସୁଅରେ ସନ୍ତରଣ କରିବାକୁ ଭାରି ଭଲଲାଗେ । ଭାବି ଭାବି ଆଖିରୁ ଲୁହ ପଡ଼େ–ତୁନିହୋଇ ତାଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟାକରେ । ଛଣ ଛପର ଚାଳ ଘର ଉପରେ କେତେ ପ୍ରବଳ ବତାଶ ଅଛି । ତାରି ଉପରେ ବାଉଁଶ ବତା ଆଶ୍ରା । ତାରି ଉପରେ ଭିତ୍ତିକରି ନିଜର ଭବିଷ୍ୟତ କେତେଦିନ ତିଷ୍ଠିବ-? ସ୍ତ୍ରୀ ଜୀବନରେ ଭବିଷ୍ୟତ ଗଢ଼ିବାକୁ ଗୋଟିଏ ମାତ୍ର ବାଟ । ସେ ବାଟ ହୁଡ଼ିଲେ ପଛରେ ଅନୁତାପ ଆସିବ । ସ୍ତ୍ରୀ ଜୀବନ ଅକାରଣ ହବ । ମନରେ ପ୍ରତିଜ୍ଞା କରେ, ଏଥର ଧୋବାଭାଇ ଆସିଲେ ତାଙ୍କ ପାଖକୁ ଯିବିନାହିଁ । ତାଙ୍କଠାରୁ ଦୂରେଇ ରହିବି କିନ୍ତୁ କ’ଣ କହିବି ଦେଈ ପୁଣି ଯେଉଁ କଥାକୁ ସେଇ କଥା । ତାଙ୍କ ମୁହଁକୁ ଚାହିଁଦେଲା କ୍ଷଣି ସବୁଯାକ ପ୍ରତିଜ୍ଞା ମୋର କୁଆଡ଼େ ମିଳେଇଯାଏ । ତାଙ୍କ ଆଖିଠାରକୁ ଅପେକ୍ଷା କରିଥାଏ । ଆଖି ମାରିଲେ ମୁଁ ବେଳେବେଳେ ତାଙ୍କ ପାଖକୁ ଲାଗିଯାଏ । ଭାବେ ଦୁଇ ଦେହର ମିଳନରେ ତାଙ୍କର ଯେତିକି ଲାଭ ମୋର ବି ସେତିକି ଲାଭ । ମିଳନର ପ୍ରବଳ ମୋହ ଆତୁରା ପ୍ରେମର ଜୁଆରିଆ ଢେଉକୁ ବାଲିବନ୍ଧ ସମ୍ଭାଳିବ କେତେକେ ? ମରୁଭୂମି ଧୁ–ଧୁ ତତଲା ବାଲିରେ ମରୀଚିକାକୁ ଚାହିଁ ରହିଲେ କି ମନର ଶୋଷ ମେଣ୍ଟିବ ? ପାଣି ତ ନାହିଁ ନାହିଁ । ପାଖରେ ପାଣି ଦେଖିଲେ ଶୋଷିଲା ଲୋକର ଶୋଷ ବଢ଼େ ।

 

ଅନେକ ସମୟରେ ସେ ମୋ ମନକୁ ଖୁସି କରିବା ପାଇଁ ତୋ ବିରୁଦ୍ଧରେ ଅନେକ କଥା କହନ୍ତି । କହନ୍ତି–‘‘ରଘୁବାବୁ କାଳିଆ ବୋଦାରେ ବାବାଜି ହେଇଗଲେଣି । ଶାନ୍ତିର ଜୀବନଟା ମାଟିହେଲା ।’’ ମୁଁ ଚିଡ଼େ । ଥରେ ବାପା ଶୁଣି ଭାରି ବିଗିଡ଼ିଲେ । ଆଉ ଥରେ ସେ ଭାଇ ସାଙ୍ଗରେ କୁଆଡ଼େ ବୁଲି ଯାଇଥିଲେ । ଫେରିଲାବେଳକୁ ଲାଇବ୍ରେରୀ ଘର ଆଗରେ ସଭା ବସିଚି । ଭାଇ ବୁଲିଆସିଲେ । ସେ କିନ୍ତୁ ଯୋତା ମାଡ଼ ଭିତରେ ପଶି ଆସୁଥିଲେ । ବାପା ଯେମିତିକା ଲୋକ । ଟିକେ କ’ଣ ହେଇଗଲେ ସଫା ସଫା ଆଗରେ କହିଦେବେ । ତାଙ୍କ ଆଗରେ ଏ ବେଢ଼ଙ୍ଗ କଥା ଯାଉଚି କିମିତି ? ସେହି ଲୋକଙ୍କ ଆଗରେ ତାଙ୍କୁ ବହୁତ ଅପମାନ କରି କହିଲେ । ସେ ରାଗରେ ଜର ଜର ହୋଇ ଆସି ଘରୁ ଲୁଗାପଟା ନେଇ ପଳାଉଥିଲେ । ବୋଉ, ନୂଆବୋଉ, ଭାଇ ଯେତେ କହିଲେ କାହାରି କଥା ଶୁଣିଲେ ନାହିଁ । ମୁଁ ବାରି ଦୁଆରେ ବସି ଗୋଟିଏ କନା ବ୍ୟାଗ ବୁଣୁଥିଲି । ପାଟିଶୁଣି ଆସିଲି । ଦେଖିଲି ସେ ଯାଇ ଦାଣ୍ଡ ଅଧାରେ ହେଲେଣି । ମୋ ଦେହରୁ କଞ୍ଚା ମାଉଁସ ଖଣ୍ଡେ କିଏ କାଟି ନେଇଯାଇଚି ଯିମିତି । ମନଟା କିମିତି କିମିତି ହେଇଗଲା । ପଛଆଡ଼ୁ ଡାକି କହିଲି–‘‘ମୋ କଥା ମାନିବ ନାହିଁ ଧୋବାଭାଇ ।’’ ସେ ପଛକୁ ଫେରିଲେ । ନୂଆବୋଉ ସନ୍ଦେହ କଲା ।

 

ଥରେ ଥିଏଟର ହେବବୋଲି ଆମେ ଝିଅମାନେ ମିଶି ଗୋଟିଏ ନାଟକ ଶିଖୁଥାଉଁ । ଥିଏଟର ହେବାକୁ ଚାରିଦିନ ବାକି ଅଛି । ସକାଳୁ ଲାଇବ୍ରେରୀ ଘରେ ରିଅଲ୍‌ସଲ୍‌ ହେଉଥିଲା । ବାରଟା ବେଳକୁ ସମସ୍ତେ ଖାଇବାକୁ ଚାଲିଗଲେ । ମୁଁ ଖାଇପିଇ ପଛରେ ଯାଇଥିଲି । କାହିଁକି ଭାରି ନିଦ ଲାଗିଲା । ସେଇଠି ଶୋଇପଡ଼ିଲି । ଦିନଟାରେ ଗୋଟାଏ ବେଢ଼ଙ୍ଗ ସ୍ୱପ୍ନ ଦେଖୁଥିଲି । ସେଇ ଧୋବାଭାଇ କଥା । ଟିକେ ଛାଇ ନିଦ ହୋଇଆସୁଚି–ଅନୁଭବ କଲି ଗାଲଟା କାହିଁକି ସଲ ସଲ ଲାଗିଲା । ଧୀରେ ଧୀରେ ଆଖି ମେଲି ପଲକ ଫାଙ୍କରେ ଅନେଇଲି । ଦେଖିଲି–ସପନ ରାଇଜର ଅବିକଳ ଫଳ ଫଳିଚି । ସତକୁସତ ଧୋବାଭାଇ ମୋ ଉପରକୁ ଢଳିପଡ଼ିଛନ୍ତି । ଦେହଟା ଶୀତେଇଉଠିଲା । ଆଖିବୁଜିଲି ଉଠିବାକୁ ମନ ହେଲାନାହିଁ । ତାଙ୍କର ସେହି ଚନ୍ଦନ ବୋଳା ଅମୃତ ପରଶରେ ମନଭିତରଟା ପୁଲକରେ ମହକିଉଠିଲା । ଦେହକୁ ସ୍ପନ୍ଦନହୀନ କଲି । ଭାବିଲି–ମୁଁ ଚେଇଁଛି ବୋଲି ସେ କିମିତି ନ ଜାଣନ୍ତୁ ।

 

ଆରଘରୁ କନକର ପାଟି ଶୁଭିଲା । ସେ ଏମିତି ଛେରୁଆ, କେଡ଼େ ଚଲାଖିରେ ଉଠିପଡ଼ି ଯାଇଁ ତବଲା ପାଖରେ ବସି ତବଲା ବଜେଇଲେ । ସେଇ ଆଖିବୁଜିବା ଅବସ୍ଥାରେ ଥାଇ ମୁଁ ଅନୁଭବ କଲି ମୋ ଛାତିରେ ଲୁଗା ନାହିଁ । ଅଣ୍ଟାତଳୁ କାନିଟା ଖସିଯାଇଚି । କ’ଣ କରିବି । ମନରେ ଦକା । କନକ ଆସୁଚି । ଦେଖିଲେ କ’ଣ ଭାବିବ ? କ’ଣ କହିବ । ଛାତିଟା ଭୟରେ ଧଡ଼ପଡ଼ ହେଲା । ହାତ ଉଠେଇ ଘୋଡ଼େଇଦେବାକୁ ଭାବୁଚି । ଏଣେ ହାତ ଉଠୁନାହିଁ । ତାଙ୍କ ପାଖରେ ଧରାପଡ଼ିଯିବି । ଖାଲି କ’ଣ କରିବି–କ’ଣ କରିବି ମନରେ ସେଇ କଥା । ଆଉ ବେଳ ନାହିଁ । ତାଙ୍କର ନିଘା ପଡ଼ିଲାକି କ’ଣ, ଧାଇଁଆସି ଲୁଗାଟା ଘୋରେଇଦେଲେ । କନକ ଆସି ମତେ ହଲେଇଦେଲା । ନିଦ ଘମାଘୋଟ ହେଲାପରି ଏପାଖ ସେପାଖ ଗଡ଼ି କର ଲେଉଟାଇ ଶୋଇଲି । କନକ ହାଣ୍ଡିଆ ପାଟି କରି ଡାକିଲା । କିଛି ନ ଜାଣିଲା ପରି ବିଳିବିଳେଇ ହେଇ ଉଠି ଲୁଗା କାନିରେ ମୁହଁ ପୋଛିଲି । ଟିକିଏ ଚିଡ଼ିମିଡ଼ି ହେଇ ରାଗରେ ଛଳନା କରି କହିଲି–କାହିଁକି ମୋ କଞ୍ଚା ନିଦଟା ଭାଙ୍ଗିଦେଲୁ କହିଲୁ ।

କନକଟା ଏଡ଼େ ଦରହସୀ । ହସିହସି ଘର ଫଟେଇଦେଲା । ଭାରି ଛୋପରୀ ଟୋକୀ-। ମୋ ମୁହଁଟାକୁ ତାଙ୍କରି ଆଡ଼କୁ ମୋଡ଼ିଧରି କହିଲା–ଅନେଇଲୁ ଏପାଖରେ କିଏସେ ?

ପାଟିରୁ ବାହାରିଗଲା–ତୋ ଘଇତା ।

କନକ ମୋ ଗାଲରେ ଗୋଟାଏ ଖୁନ୍ଦାମାରି କହିଲା–ଚୋପ୍ ତୋ ଘଇତା ହେଉନି ? ଟୋକୀ ଭାରିଜଣେ ହେଲାଣି ।

ଆଖି ବୁଲେଇ ଅନେଇଦେଲି ପଛକୁ । ଧୋବାଭାଇ ତଳକୁ ଅନେଇ ମୁରୁକି ମୁରୁକି ହସୁଛନ୍ତି । କନକ ଗାଲରେ ଗୋଟାଏ ଛୋଟିଆ ଚାପୁଡ଼ା ଦେଇ ଉଠି ଆସୁ ଆସୁ କହିଲି–ଥା ଲୋ ଟୋକୀ, ମୁଁ ଯାଉଚି ।

କନକ ପଛଆଡ଼ୁ ଧରିପକେଇଲା ମୋ ଲୁଗା କାନିଟା । କହିଲା–ରଇଥା–ନେଇଯିବୁ ଗୋଟାଏ ଜିନିଷ ।

କ’ଣ ?

କନକ ତାଙ୍କରି ଆଡ଼କୁ ଆଖି ଠାରିଦେଲା ।

ହସିଦେଲି ।

ଠିକ୍ ସେଇଦିନ ରାତି ଅଧ । ଭାଇ ରାମଗଡ଼ ଅପାଙ୍କ ବସାକୁ ଯାଇଥାନ୍ତି । ହରିଭାଇ କାହିଁକି ଖବର ଦେଇଥିଲେ । ମୁଁ ନୂଆବୋଉଙ୍କ ପାଖରେ ଶୋଇଥାଏ । ଶୋଇବାକୁ ଯେତେ ଚେଷ୍ଟା କଲି ନିଦ ହେଲାନାହିଁ । ଛଟର ପଟର ହେଇ ହେଇ ରାତି ନଇଁଲା । ମନର ଉଚ୍ଚାଟଟା ଆଉ ସମ୍ଭାଳି ପାରିଲି ନାହିଁ । ଉଠିବସିଲି । ବସି ବି ହେଲାନାହିଁ । ନୂଆବୋଉଙ୍କ ନାକପାଖରେ ହାତ ଦେଇ ଦେଖିଲି–ଧମାଧମ ନିଶ୍ୱାସ ଚାଲିଚି । ମୋ ଲୁଗା କାନିଟା କିମିତି ତାଙ୍କ କରତଳେ ରହିଯାଇଥାଏ । ଆସ୍ତେ ଆସ୍ତେ ଓଟାରିଆଣିଲି । ଗୋଡ଼ ଚିପି ଚିପି ବାହାରକୁ ଗଲି । ସେତେବେଳକୁ ଅଧାଫାଳିଆ ଜହ୍ନଟା ଆସି ମୁଣ୍ଡଉପରେ ହେଲାଣି । ସଜନା ଗଛରେ ବସି ପେଚାଟା ରାବୁଚି । ତାଳ ଗଛରେ ଶାଗୁଣାଟା ବସି ଡେଣା ଫଡ଼ ଫଡ଼ କରି କେଁ–କେଁ ହଉଚି । ବିଶୁଆଳି ପଡ଼ିଆରେ ମଢ଼ଖିଆ ଭେରଣ୍ଡାଟା ଭୁକୁଚି । ସେତିକିବେଳେ ଦୋକରି ନୋଧା ଉପରୁ କାଳିଆ ଭୁଆବିଲେଇଟା ଡେଇଁପଡ଼ିଲା ତଳକୁ । ଚମକିପଡ଼ିଲି । ଆଗକୁ ଯିବି କି ପଛକୁ ଯିବି କିଛି ଭାବିପାରିଲି ନାହିଁ । କୁଆଡ଼କୁ ଗୋଡ଼ ଚଳିଲା ନାହିଁ । ଘଡ଼ିଏ ଗଲା ।

ଜଣଙ୍କର ମୋହ ଟାଣିଲା । କେତେବେଳେ ଯାଇ ମୁଁ ଧୋବାଭାଇ ଶୋଇଲାଘର ପାଖରେ ହେଇଗଲିଣି–ଖିଆଲ ନାହିଁ । କବାଟ ଠେଲିଲି । ଭିତରୁ ଝଞ୍ଜିର ଦିଆ ହେଇଚି । ଆସ୍ତେ ଆସ୍ତେ ଟିପ ମାରିଲି । କେହି ଶୁଣିଲେ ନାହିଁ । ପଦାପଟକୁ ଯାଇ ଖିଡ଼ିକିବାଟେ ଅନେଇଲି–ଧୋବାଭାଇଙ୍କୁ ନିଦ ଘମାଘୋଟ । ରେଲିଂବାଟେ ହାତ ପୂରେଇଲି ଭିତରକୁ ତାଙ୍କ ମୁଣ୍ଡ ବାଳକୁ ଧରି ଝିଙ୍କିଆଣିବି ବୋଲି । ହାତ ପାଇଲା ନାହିଁ । ମନରେ ଭାବିଲି–କ’ଣ ଫେରିଯିବି ? ଦି’ପାହୁଣ୍ଡ ଆସିଚି ପୁଣି ଲେଉଟିଲି ପଛକୁ । କ’ଣ କରିବି । ବେଳକୁବେଳ ମନଟା ଅଥୟ ହେଉଚି । ପିଣ୍ଡାତଳୁ ଚାରି ଛ’ଟା ଗୋଡ଼ି ଆଣି ତାଙ୍କ ଉପରକୁ ପକେଇଲି । ମନେମନେ କେତେ ଠାକୁରଙ୍କୁ ଡାକିଲି । କେତେବେଳକେ ତାଙ୍କ ନିଦ ଭାଙ୍ଗିଲା । ଆଖି ମଳି ମଳି ପଦାକୁ ଚାହିଁଲେ–ଝରକା ଏପାଖରେ ମୁଁ । ସେଇ ଅନ୍ଧାର ଭିତରେ ପରିସ୍ଥିତିର ଅର୍ଥଟା ତାଙ୍କ ମନ ଜାଣିଲା । ଗୋଡ଼ ଟିପେଇ ଟିପେଇ ଦରଜା ଖୋଲି ମୋ ପାଖକୁ ଆସିଲେ । ପାଖକୁ ପାଖ ଲାଗି ଚୁପ୍‌କରି ମୋ କାନ ପାଖରେ କହିଲେ–ଏତେ ରାତିରେ ତୁ କିମିତି ଆସିଲୁ ଏକୁଟିଆ । କେହି ଦେଖିନାହାନ୍ତି ତ ? ମୁଁ କିଛି କହିଲିନାହିଁ । ସେ ନୀରବ ରହିଲେ । ବହୁତ ବେଳ ଗଲା ।

 

ଉତ୍ତେଜନା ଆସିବାବେଳେ ମନଟା ଯାହାହୁଏ । ପ୍ରାଣଟା ଖାଲି କଲବଲ ହେଉଥାଏ । ନିର୍ଜନ ନିରୋଳା ରାତି । ଦାଣ୍ଡ ପିଣ୍ଡାରେ, ପାଖାପାଖି ଦୁଇଟି ରକ୍ତମାଂସର ଦେହ । ଗୋଟିଏ ବଳିତା । ଅନ୍ୟଟି ତେଲ । ଦୁହିଁଙ୍କ ପାଇଁ ଦୁହେଁ ଲୋଡ଼ା । ଗୋଟିକର ଅଭାବରେ ଆଉ ଗୋଟିଏ ଅଚଳ । ଜଣକର ଦେହ ଫଟେଇ ଯୌବନର ମଶାଲ ଜଳୁଚି । ଆଉ ଗୋଟିଏ ତେଜିଦଉଚି ପାଖରେ ଠିଆହୋଇ । ରକ୍ତଖିଆ ବାଘ ରକ୍ତ ନ ଖାଇଲେ କି ଶାନ୍ତି ହବ ? ମନଟା ଆଉଟିପାଉଟି ହେଲା । ଭାବିଲି–ଧୋବାଭାଇଟା ଏମିତି ବୋକା । ସେ କ’ଣ ଜାଣିପାରୁନାହାନ୍ତି ?

 

ଘର ଭିତରକୁ ପଳେଇଯିବି ବୋଲି ଗୋଡ଼ ଟେକୁଚି, ସେଇଠି ଅଟକିଗଲା ଗୋଡ଼ । ସେ ମୋ ହାତକୁ ଧରି ତାଙ୍କଆଡ଼କୁ ଭିଡ଼ିନେଲେ । ବାଧା ଦେଲିନାହିଁ । ସେଥିପାଇଁ ତ ରାତିଯାକ ଉଜାଗର । କୁଞ୍ଜଲତାଟି ପରି ତାଙ୍କ ଦେହରେ ଗୁଡ଼େଇ ହେଇପଡ଼ିଲି । ସେ ମୋ ଦେହରୁ ଲୁଗାଟିକୁ କାଢ଼ି ପକାଉଥିଲେ । କାନିଟାକୁ ଯାକି ଧଇଲି । ତାଙ୍କର ସେଇ ଝୁଙ୍କ । ଧୀରେ ଧୀରେ ସଙ୍କୋଚଟା ପାଶୋରିଦେଲି । ଥିରି ଥିରି ତାଙ୍କ କାନପାଖରେ କହିଲି–ଇମିତି କ’ଣ ହେଉନାହିଁ । ଲୁଗାଟା କାଢ଼ିଲେ ଆଉ ଅଧିକ ହବ ।

 

ସେ ହସିଲେ ।

 

X X X

 

ତା’ପରେ ହାତ ଧରାଧରି ହୋଇ ଚାଲିଲୁ ବାଲି ପୋଖରୀଆଡ଼େ ।

 

ବାଲି ପୋଖରୀ ହୁଡ଼ା । ମଝିରେ କାଚମୁଣ୍ଡାପରି ପାଣି । ଜହ୍ନ ଆଲୁଅରେ ଜକ ଜକ ଦିଶୁଚି । ଚାରିପାଖରେ ନଡ଼ିଆବଗିଚା । ଆଉ କେତେ ଜାତିର ଫୁଲଗଛ । ଆରପଟରୁ ହେନାଫୁଲର ମହକ ଛୁଟୁଚି । ଥିର ପାଣି ଉପରେ ବଙ୍କୁଲି ଜହ୍ନର ଛାଇ ହସୁଚି । ହୁଡ଼ା ଉପରର ସବୁଜ ଘାସର ନରମ ଶେଯ ଉପରେ ବସିଚନ୍ତି ଧୋବାଭାଇ । ତାଙ୍କରି କୋଳରେ ଶୋଇ ଓଠରେ ଦରଫୁଟା ହସ ଫୁଟେଇ ମୁଁ ଦେଖୁଚି ସୁନୀଳ ଆକାଶର ଶୋଭା ଆଉ ଭାବନାର ମାପକାଠିରେ ମାପୁଚି–ମନଯାନ ଉଡ଼େଇ ଚନ୍ଦ୍ରଲୋକକୁ ଗଲେ କେତେଦିନ ଲାଗିବ । ଦୁଇ ପ୍ରାଣର କାମନା ଚରିତାର୍ଥର ଭେଳିକି ଭୋଗିଚି । ସେ ମୋ ଦୁଇହାତକୁ ତାଙ୍କ ଛାତି ଉପରେ ଚାପିଧରି କହୁଛନ୍ତି–ଆଜି ଏଇ ଆକାଶର ଜହ୍ନକୁ ଚାହିଁ ଶପଥ କର ଲତିକା, ସଂସାରର ବିଶାଳ ଶୂନ୍ୟତା ଭିତରେ ଆମେ ଦୁଇଜଣ–ଦୁଇଟିମାତ୍ର ପ୍ରାଣୀ ଜୀବନର ଶିଖା ଲିଭିଲାଯାଏ ପରସ୍ପର ମଧ୍ୟରେ ବାନ୍ଧିହୋଇ ରହିବ ଯିମିତି । ଥରିଲା କଣ୍ଠରେ ମୁଁ ହଁଟିଏ ଭରି ଆଣିଚି ହଠାତ୍ କାହିଁକି ଚମକିପଡ଼ିଲି । ଆମ ଯୁଗଳ ଛବିଟି ଉପରେ କାହାରି ଛାଇ ପଡ଼ିଲା । ତର ତର ହୋଇ ଉଠି ଠିଆହେଲି । ଦେଖିଲି ନୂଆବୋଉ ପାଖରେ ଠିଆ ହୋଇଚନ୍ତି ଭୟରେ ଛାତି ଦୁଲୁକିଲା ।

 

ଧୋବାଭାଇ ଏମିତି ଧିଟୁଆ ସତେ । ସେ ଯାଇ ଲମ୍ୱାହୋଇ ନୂଆବୋଉଙ୍କ ଗୋଡ଼ତଳେ ପଡ଼ିଗଲେ । ନୂଆବୋଉ ଯିମିତିକା ଭଲ ମଣିଷ । ମୁଁ ତ ପାଖରେ ଠିଆହୋଇଚି । ମନର ଭାବ ବୁଝିଲେ । ମୁଁ କାନ୍ଦୁଥାଏ । ଆଖିରୁ ଲୁହ ପୋଛିଦେଲେ । କିଛି କହିଲେ ନାହିଁ । ମୁଁ ତାଙ୍କର ହାତଧରି ଛାତିରେ ମୁହଁ ଲଦିଲି । ତାଙ୍କ ଦି’ହାତକୁ ଆଣି ମୋ ବେକରେ ଲଗେଇଲି । କାନ୍ଦି କାନ୍ଦି କହିଲି ନୂଆବୋଉ ମୋ ତଣ୍ଟିଟାକୁ ଚିପିଦିଅ । ସେ ହାତ ଖସେଇନେଲେ । ତାଙ୍କ ଆଖିରେ ବି ଲୁହ ଜକେଇଆସିଲା । ସମସ୍ତେ ନୀରବ । ତା’ପରେ ଧୀରେ ଧୀରେ ଘରକୁ ଗଲୁ । ଫୁକିଆ ତାରା ଉଇଁଲା ।

 

ଏଇଥିରୁ ଯାହା ବୁଝିବୁ ଦେଈ । ମୁଁ ମୋ ନାରୀ ଜୀବନର ସବୁ କିଛି ସେଇଦିନରୁ ତାଙ୍କ ପାଦତଳେ ଅଜାଡ଼ି ଦେଇଚି । ନିରାଶା ପ୍ରାଣରେ ଆଶାର ଝର ଖୋଲି ଯୁଗ ଯୁଗକୁ ସାଥୀ ହୋଇ ରହିବି ବୋଲି ଶପଥ କରିଚି । ସ୍ତ୍ରୀ ଜାତିର କର୍ତ୍ତବ୍ୟ ଯାହା, ଯେଉଁ ବାଟରେ ଯିବାର କଥା, ମୁଁ ସେ ବାଟ ହୁଡ଼ି ଯେତେବେଳେ ଅମଡ଼ା ବାଟକୁ ଯାଇଚି ପୁଣି ଭଲ ବାଟକୁ ଫେରି ଅସତୀର ବୋଝ ଆଉ ବୋହିବ କାହିଁକି ? ବରଂ ସେଇ ଅମଡ଼ା ବାଟକୁ ଭଲବାଟରେ ପରିଣତ କରିବାହିଁ ଭଲ ।

 

ଆଜି ତୋ ଆଗରେ ମନତଳର ଛପିଲା କଥାଯାକ ସବୁ କହିଲି । ସବୁ ମନରେ ଭାବିବୁ-। ଯେଉଁ ବାଟଟି ଭଲ ମତେ ସେଇ ବାଟରେ ଚଲେଇବୁ । ଏତିକିରେ ଚିଠି ଲେଖା ବନ୍ଦ କଲି । ତୋ ଚିଠିକୁ ଅନେଇ ବସିଲି । ଅବାଟରେ ଚଳେଇ ମତେ ବୁଡ଼େଇ ମାରିବୁ ନାହିଁ । ମୋ ରାଣ-। ଚଞ୍ଚଳ ଚିଠିଦେବୁ । ଇତି ।

 

ତୋର ଅମାନିଆ

ଲତିକା

 

ଚିଠିଟି ପଢ଼ିସାରିବା କ୍ଷଣି ରତନଙ୍କ ତରୁଣ ଛାତି ଥରାଇ ବାହାରିଆସିଲା ଗୋଟିଏ ଦୀର୍ଘଶ୍ୱାସ । ଆଉ ଥରେ ଚିଠିକୁ ପଢ଼ିବାକୁ ଇଚ୍ଛାକରି ଫରଦ ଲେଉଟାଇଲେ । ପଢ଼ିହେଲା ନାହିଁ । ହାତ ଥରୁଚି ଏଣେ ପାଟି ବି ଥରୁଚି । ଆଖିରୁ ଝରିଆସୁଚି ଅଜସ୍ର ଲୁହର ଧାରା । ଦେହରେ ଘୃଣା ସୃଷ୍ଟି ହେଉଚି । ଆଖିକୁ କିଛି ଭଲ ଦିଶୁନାହିଁ ।

 

ରତନ ମୁଣ୍ଡ ଟେକିଲେ ଉପରକୁ । ଉନ୍ମୁକ୍ତ ବାତାୟନ ଫାଙ୍କରେ ଆକାଶକୁ ଚାହିଁଲେ । ବାହାରେ ଉତ୍ତପ୍ତ ମଧ୍ୟାହ୍ନ । ଝରକାରେ ବେଣାଚେରର ସୁବାସିତ ପରଦା । ବାରଣ୍ଡାରେ ଫୁଲକୁଣ୍ଡ, ଘର ଭିତରେ ବହିପତ୍ର, କାନ୍ଥର ଫଟୋ, କାଚ ଆଲମାରୀର ସାଜସଜା ପ୍ରତ୍ୟେକ ଜିନିଷ ନିଜର ସ୍ୱରୂପ ହରାଇ ଅନ୍ୟରୂପ ଦିଶୁଚି । ସେସବୁ କେନ୍ଦ୍ର କରି ଭଉଁରୀ ଖେଳୁଛି, ଆଖିଆଗରେ ଅଖଣ୍ଡ ନୀରବତା । ତାରି ଭିତରେ ସେ ଶୁଣିପାରିଲେ ଗୋଟିଏ ତରୁଣୀର କଣ୍ଠସ୍ୱର । ସତେଯିମିତି ତାଙ୍କ କାନପାଖରେ କିଏ ଆସି ତୁନି ତୁନି କହିଦେଉଚି–ତୁମେ ମତେ ଭୁଲିଗଲ ରତନ ଭାଇ । ଚମକିଉଠିଲେ ରତନ । ତରୁଣୀର ଅଭିମାନଭରା କଅଁଳ ଥରିଲା ଥରିଲା କଥାର ଲହରରେ ତାଙ୍କର ଶିରା ପ୍ରଶିରାରେ ଛୁଟିଲା ବିଜୁଳିର ପ୍ରବାହ । ଭାବନା ଚହଳିଉଠିଲା । ସ୍ଥିର କରିପାରିଲେ ନାହିଁ କ’ଣ ଏହାର ଉଦ୍ଦେଶ୍ୟ । ଝାଉଁଳିଲା ମୁହଁରୁ କଥା ପଦିଏ ବାହାରିଆସିଲା–କି ସୁନ୍ଦର ରେଣୁ ! ଆଉ ଲତିକା । ରୂପରେ ସୁନ୍ଦର ଗୁଣରେ ସୁନ୍ଦର ନୁହେଁ । ରୂପର ସୁନ୍ଦର ଆଖିକୁ ଦିଶେ, ଗୁଣର ସୁନ୍ଦର ଦିଶେନା । କିନ୍ତୁ ରତନ ସବୁ ତ ଦେଖିଛନ୍ତି । ତା’ର ହାତଲେଖାହିଁ କହୁଚି–ଲତିକା ଅପବିତ୍ରା; ଲତିକା କୁଳଟା; କିମିତି ସେ ତାକୁ ବିବାହ କରିବେ । ସେ ସିନା ଭାବିଛନ୍ତି–ସେ ଲତିକାକୁ ବିବାହ କରି ସବୁବେଳେ ତା’ ଠାରୁ ଦୂରେଇ ରହିବେ । କିନ୍ତୁ ଦୁନିଆ କ’ଣ କହିବ । ସମସ୍ତେ ତ କହିବେ ଲତିକା ତାଙ୍କର ସ୍ତ୍ରୀ । ଉତ୍ସୃଙ୍ଖଳା ପୁରୁଷର ଆତ୍ମା । ଗୋଟିଏ ଅନ୍ଧାର ଘରେ ପାଖାପାଖି ଦିଓଟା ଯୌବନର ଜଳିଲା ଶିଖା । ମିଳନ ପଥରେ ଅଦମ୍ୟ ପ୍ରେରଣା । ଦିନେହେଲେ ଯେ ସେ ତାଙ୍କର ପ୍ରତିଜ୍ଞା ନ ଭାଙ୍ଗି ଲତିକା ଆଡ଼କୁ ଢଳି ନ ପଡ଼ିବେ ଏ କଥା କିଏ କହିପାରିବ । ଚନ୍ଦ୍ରର କଳଙ୍କ ଅଛି-। ସେ ତ ମଣିଷ । ମନର ତାପ ଥମିଗଲା । ଯେଉଁ ପାଣି ମୁଣ୍ଡା ମୁଣ୍ଡା ବରଫ ହୁଏ, ସେଇ ପାଣି ହାତମୁଠାରେ ଲୁଚେ । ପରିବର୍ତ୍ତନ ଜଗତ ।

 

କେଜାଣି କାହିଁକି, ବିଷାଦର ଗୋଟିଏ ବହଳ ଛାଇ ଢାଙ୍କି ହେଇଗଲା ରତନଙ୍କ ମନ ଚାରିପାଖରେ । ସେ ନିଜେ ନିଜର ଦେହକୁ ଚାହିଁଲେ । ରୂପରଙ୍ଗକୁ ଅନେଇଲେ । ଅନୁଭବ କଲେ ତାଙ୍କର ସୁକୁମାର ତନୁଟି ଝାଉଁଳି ପଡ଼ିଚି । ସେ ଗୋଟିଏ ଅପରାଧୀ ପରି ଦେଖାଯାଉଛନ୍ତି । ଯେଉଁ ରେଣୁର ରୂପ ଲାବଣ୍ୟଭରା ଲୋଭନୀୟ ଝଟକିଲା ଯୌବନର ପୂର୍ଣ୍ଣ ସମ୍ଭାର ଉପରେ ଥରେ ଆଖିବୁଲେଇ ଆଣିଥିଲେ ଆଜି ସେ କାହିଁକି ତାକୁ ନିରାଶ କଲେ । କଟକର ପିଚୁରାସ୍ତା, କାଠଯୋଡ଼ି କୂଳ, କଲେଜ ଛକ, ଗଡ଼ଗଡ଼ିଆ ଘାଟ, ଟାଉନ୍ ବସ୍‌ମାନଙ୍କରେ ଯୁବକମାନଙ୍କର ମନଟଣା ଦରଲଙ୍ଗଳା ବେଣୀଝୁଲା ମୂର୍ତ୍ତୀ ଗୁଡ଼ିକ ଉପରେ ଆଖିପଡ଼ି ପୁଣି ଲେଉଟି ଆସୁଥିଲା ଖାଲି ରେଣୁ ମୋହରେ ସିନା । ଆଜି ସେ କାହିଁକି ମୋହ ତୁଟେଇଲେ । ମନଭିତରେ ଯୁକ୍ତି ବାଢ଼ିଲେ ।

 

ପୁଣି ଥରେ ମନଟା ଚହଲିଉଠିଲା । ପଘା ଛିଣ୍ଡେଇ ଘାଉରା ମନଟା ଯୁଆଡ଼େ ଛୁଟିଲା ତା’ର ପଛରେ ଗୋଡ଼ାଇଲା । ଚିଠିର ଶେଷ କେଇ ଧାଡ଼ି ଉପରେ ଆହୁରିଥରେ ଆଖିବୁଲେଇ ଆଣିଲେ ରତନ । ପ୍ରତି ଶବ୍ଦ, ପ୍ରତି ଧାଡ଼ିର ଅର୍ଥକଲେ । ପାଞ୍ଚ ମନ ପଚିଶ ପ୍ରକୃତିଙ୍କର ମତାମତ ନେଇ ଉପସଂହାର ବାଢ଼ିଲେ । ଲତିକା ଯାହା ଲେଖିଚି, ସ୍ତ୍ରୀ ଜୀବନର ଭବିଷ୍ୟତ ଗଢ଼ିବାକୁ ଯେଉଁ ସଳଖ ବାଟଟି ପଡ଼ିଚି, ସେ ସେଇ ବାଟକୁ ବୁଡ଼ିଚି । ଗୋଟିଏ ଅମଡ଼ା ବାଟରେ ଯାଇ ଅଧାବାଟରେ ଅଟକିଚି । ପଛକୁ ଚାହିଁଚି । ମନରେ ଭାବିଚି । ଅନୁତାପ କରିନାହିଁ । ମଡ଼ା ବାଟରୁ ଅମଡ଼ା ବାଟକୁ ଯିବା ସହଜ । ଅମଡ଼ା ବାଟରୁ ମଡ଼ା ବାଟକୁ ଯିବା କଷ୍ଟ । କେହି ନ ଜାଣିଲେ ନିଜର ଚିତ୍ତ ଜାଣିଚି । କେହି ନ ଦେଖିଲେ ଉପରେ ଜଣେ ଦେଖିଚି । ଠାକୁର ବଡ଼ ଲୋକ । ସେ ତାଙ୍କର ଦ୍ରୋହୀ ହେବ ନାହିଁ । ସ୍ଥିର କରିଚି ସେ ସେଇ ଅମଡ଼ା ବାଟକୁ ବାଟରେ ପରିଣତ କରିବ । ସେଇ ବାଟରେ ଯାଇ ସେ ତା’ର ନାରୀତ୍ୱ ଫୁଟେଇବ । ପଥହୁଡ଼ା ହେଲେ ବି ଉଦ୍ଦେଶ୍ୟଟି ତା’ର ଖୁବ୍ ମହତ୍ । ସେ ତ ପତିତା ନୁହେଁ ।

 

ପ୍ରକୃତରେ ଲତିକା ସବୁ ଲେଖିଚି ଏ ଚିଠି ଖଣ୍ଡିକ ଚିଠି ନୁହେଁ ତା’ ଜୀବନର ଗୋଟିଏ ସଂକ୍ଷିପ୍ତ ଇତିହାସ । ଘଟଣା ଗୁଡ଼ିକ କୋଣାର୍କ, ତାଜମହଲ, ଲିଙ୍ଗରାଜ ମନ୍ଦିର ପରି ଗୋଟିଏ କୀର୍ତ୍ତିସ୍ତମ୍ଭ । ସେ କାହିଁକି କଳାପାହାଡ଼ ରୂପ ସାଜି ସେ ସବୁକୁ ଲୁଣ୍ଠନ କରିବେ । ଏ ଇତିହାସ ପୃଷ୍ଠାରୁ ଗୋଟିଏ ଫର୍ଦ୍ଦ ଚିରିଦେବା ଅର୍ଥ ଗୋଟିଏ ଜୀବନର ଶେଷରେ ପୂର୍ଣ୍ଣଛେଦ ଟାଣି ଆଉ ଗୋଟିଏ ନୂତନ ସଂସ୍କରଣ କରିବା । ରତନ ସ୍ଥିରକଲେ ସେ ପୂର୍ଣ୍ଣଚ୍ଛେଦ ଟାଣିବେ ନାହିଁ କି ନୂତନ ସଂସ୍କରଣ କରିବେ ନାହିଁ । ଭାବିଲେ–ଦୌଡ଼ିଯାଇଁ ନୂଆବୋଉଙ୍କୁ ଚିଠିଟି ଦେଖେଇଦେବେ । ମନତଳେ ଯେଉଁ କଥାଗୁଡ଼ିକ ଛାଟିପିଟି ହେଉଛି ସେ ସବୁ କହିବେ । ମନର ଭାବ ପ୍ରାଣର କଥାରେ ମିଶିଲା । କବାଟ ଖୋଲିଲେ ।

 

ମରମ ତଳେ ଆଶା ଛିଡ଼ା ସୁହାଗ ହାତରେ ତା’ର ନିଦର୍ଶନ । ଲତିକାର ହାତଲେଖା ଚିଠି ଖଣ୍ଡିକ । ଛାତି ତଳେ ଯାକି ଦ୍ରୁତ ପଦକ୍ଷେପରେ ଛୁଟିଚାଲିଥାନ୍ତି ରତନ । ତଳଘର ନଙ୍ଘାଡେଇଁ ଉପର ଘର ବନ୍ଧ ପାଖରେ ହେଲେଣି, ପାଦ ଅଟକି ଗଲା । ଶୁଣିଲେ ନୂଆବୋଉ କାହାକୁ କହୁଛନ୍ତି–ଯେଉଁଥିପାଇଁ ବିଭା, ଯେଉଁଥିପାଇଁ ପୁଅଟିଏ ହେଲେ ବୋହୂଟିଏ ଖୋଜା । ଝିଅଟିଏ ହେଲେ ଜ୍ୱାଇଁଟିଏ ଲୋଡ଼ା । ତାହା ତ ହେଲା । ସୁନାର ପିତୁଳି ଲିଲିକୁ କୋଳରେ ଧରିଲ ଆଉ ପୁଣି ହାତ ଖଜବଜ କାହିଁକି ? ଭାଇଙ୍କ ପାଟି ପରି ଶୁଭୁଚି । ଚୁପ୍ ଚୁପ୍ କହୁଛନ୍ତି–‘‘ଦରକାର ନ ଥିଲେ ବି ମଝିରେ ମଝିରେ ତଲାସ ନ କଲେ ଜଜମାନ ଖଇଚା ହୋଇଯିବ । ପର ହାତକୁ ଚାଲିଯିବ ।’’ ପାଟିରେ ଲୁଗାବିଣ୍ଡା ଦେଇ ଆସ୍ତେ କରି ପଛକୁ ହଟିଆସିଲେ ରତନ । ବାହାରେ ଲୋକ ଗହଳ । ଛୁଆପିଲା, ବନ୍ଧୁ ବାନ୍ଧବ ହାଉଯାଉ । ଦାଣ୍ଡ ଦୁଆରେ ଜାତିଭାଇଙ୍କର ଛାମୁଡ଼ିଆ ଡେରାହେଲାଣି । ଗୁଆଧରା ଭାଇ ଆସି ଛାମୁଡ଼ିଆ ମଝିକି ଆସନ ପକେଇ ବସିଲେଣି । ଗାଁରୁ ପଛକୁପଛ ଗୋଟିଏ ଗୋଟିଏ ଗଡ଼ୁଛନ୍ତି । ଟିକିଏ କ’ଣ ଡେରିହେଲେ ଘର ଆରପଟରୁ ରୋଷେଇ ପଣ୍ଡା ଚିହିରା ଛାଡ଼ିଚି । ମଝି ପିଣ୍ଡାରେ ଛୁଆମାନଙ୍କର କଣ୍ଢେଇ ବା’ଘର ଖେଳ ଲାଗିଚି । ନିଜ ଭିତରେ ରାଜା ନିଜ ଭିତରେ ମନ୍ତ୍ରୀ ସାଜି ବିଚାର ଚାଲିଚି । ପାଟିରେ କୁଟା କାମୁଡ଼ି ଦୋଷୀ ଗୋଡ଼ ତଳେ ପଡ଼ୁଚି । ଚାରିଆଡ଼େ ଆଖିବୁଲେଇ ଥରୁଟିଏ ବୁଲିଆସିଲେ ରତନ, କାହିଁକି ମନ ଲାଗୁନି । ଟିକିଏ ଛାଡ଼ି ପୁଣି ଗଲେ ଘରକୁ ।

 

ହାଣ୍ଡିଶାଳ ବନ୍ଧ ପାଖକୁ ବସି ନୂଆବୋଉ ପାନ ଭାଙ୍ଗୁଛନ୍ତି । ଘଡ଼ିଏ କାଳ ଯାଇ ପାଖରେ ଠିଆହେଲେ । କହିବା କହିବା ହେଲେ । କହିପାରିଲେ ନାହିଁ । ସବୁବେଳେ ଖାଲି ଲୋକଗୁଡ଼ାକର ଧାଡ଼ି ଛୁଟିଚନ୍ତି । ଭାରି ଚିଡ଼ିମାଡ଼ିଲା । ସେଠୁ ଉଠି ଆଟୁଘରକୁ ଆସିଲେ । କବାଟ କୋଣରେ ଠିଆହୋଇ ମୁହଁଗଳେଇ ଅନେଇଲେ ପଦାକୁ । କେହି ନାହାନ୍ତି । ଚିଠିଟା ଖୋଲି ଅଳପ ପଢ଼ିଲେ । ପୁଣି ବୁଜି ଲୁଚେଇଲେ କାଖତଳେ । ଘରୁ ବାହାରି ଅଗଣା ଦୁଆରେ ଏପାଖ ସେ ପାଖ ଟହଲ ମାରିଲେ । ପେଟ ଭିତରୁ କଥା ଉକାରି ଆସି ଅଟକି ଯାଉଚି ତଣ୍ଟି ଅଧରେ । ମନ ଖୋଲି ମନ କଥା ସେ କେବେହେଲେ କାହାରି ଆଗରେ ପ୍ରକାଶ କରିନାହାନ୍ତି । ମନର ଭାବ ଆଜିଯାଏଁ ଛପେଇ ରଖିଛନ୍ତି ମନଭିତରେ । ବିଶେଷତଃ ନୂଆବୋଉ । ତାଙ୍କରି ଆଗରେ ଦିନେ ଲଙ୍ଗଳା ହେଇ ବୁଲୁଥିଲେ । ତାଙ୍କରି ସ୍ନେହ ଶ୍ରଦ୍ଧାରେ ସେ ଆଜି ମଣିଷ । ଏ ଲାଜକଥା ଗୁଡ଼ାକ କିମିତି ସେ ତାଙ୍କ ଆଗରେ କହିବେ । କହି ହେଉନାହିଁ । ଭାବୁଚନ୍ତି କ’ଣ କରିବେ । କହିଆସିଲା ବେଳକୁ ପାଟିଟା ଖନି ବାଜି ଯାଉଚି । ଏଇମିତି ଦୋଦୋ ପାଞ୍ଚ କରୁ କରୁ ହଠାତ୍ ଡାକିଦେଲେ–ନୂଆବୋଉ ।

 

ଶାନ୍ତିଲତା ଉପରକୁ ମୁଣ୍ଡ ଟେକିଲେ । ପାନଖିଆ ରଙ୍ଗିଲା ପାଟିରେ ହସର ଗାରଟିଏ ଟାଣିଆଣି ପଚାରିଦେଲେ–କ’ଣ କି ଗୋ ।

 

ଶୁଣିଲ ଟିକେ ଏଣେ ।

 

ଶାନ୍ତିଲତା ଆସିଲେ । ପାଖରେ ଠିଆହେଲେ । କାମରେ ତରତର ହୋଇ କହିଲେ–କ’ଣ......

 

ରତନଙ୍କ କହିବା କଥା ପେଟରେ କେଉଁଠି ଛପିଗଲା । କହିବାକୁ ଯେତେ ଆଙ୍ଗୁପାଙ୍ଗୁ ହେଲେ ମୋଟେ କହିହେଲା ନାହିଁ ଶାନ୍ତିଲତାଙ୍କ ମୁହଁକୁ ଚାହିଁଲାକ୍ଷଣି ମୁଣ୍ଡ ନଇଁଲା ତଳକୁ ।

 

ପୁଣି ଶାନ୍ତିଲତା କହିଲେ–କ’ଣ କହୁନା । ଘରେ କେତେ ପାଇଟି ପଡ଼ିଚି । ଠିଆହେବାକୁ ଫୁରୁସତ କାହିଁ ?

 

କଥା ବାଁରେଇ ରତନ କହିଲେ–ଖଣ୍ଡେ ସିଗାରେଟ୍......

 

କଥାଟା ଶୁଣିଲା ନଶୁଣିଲା ପରି ଖାମଖିଆଲରେ ପଦେ କଥା କହିଦେଇ ପଳେଇଗଲେ ଶାନ୍ତିଲତା । ସିଗାରେଟ୍ ଖାଇଲାବାଲାଙ୍କୁ ପଚାର ।

 

ନିର୍ବାକ ହୋଇ ମାଟିର ପିତୁଳାଟି ଭଳି ଆଖିଦୁଇଟି ଜୁଳୁ ଜୁଳୁ କରି ପଛଆଡ଼ୁ ଚାହିଁଥାନ୍ତି ରତନ । କ’ଣ କରିବେ । ମୁଣ୍ଡରେ ବୁଦ୍ଧି ପଶୁନାହିଁ । ଗୋଡ଼ ବୁଲେଇଲେ ଦାଣ୍ଡ ଆଡ଼କୁ ।

 

ଦାଣ୍ଡଘାଟ ଚାରିଆଡ଼େ ଆନନ୍ଦର ଲହରି ଖେଳୁଚି । ସମସ୍ତଙ୍କ ମନରେ ବା’ଘରର ନିଶା ଲାଗିଚି । ଶାନ୍ତିଲତାଙ୍କଆନନ୍ଦ କହିଲେ ନ ସରେ । ମନ ଖୁସିରେ ଗୋଡ଼ ତଳେ ଲାଗୁନାହିଁ । ଘର ଗୋଟାକର କାମ ତାଙ୍କରି ମୁଣ୍ଡରେ ସବୁ । ହସଖୁସି, ମଉଜ ମଜଲିସ କରିବା ତ ଦୂରର କଥା ଗଣ୍ଡାଏ ବି ଭଲରେ ଖାଇବାକୁ ବେଳ ଅଣ୍ଟୁ ନାହିଁ । ସେଥିରେ ପୁଣି ଲିଲିର ଜଞ୍ଜାଳ । ଦିନେହେଲେ ପିଲାଟିର ଦେହ ଭଲ ରହୁନାହିଁ । ଶାଗୁଣା ହାଡ଼, ଶାଳୁଆପତାନି ଲାଞ୍ଜ ଏମିତି କେତେ ତୁଟୁକା ଓଷଧ ପୁଟୁଳାରେ ବେକ ପୁରିଚି । ବାରଆଡ଼ୁ ବାର ଚିନ୍ତାରେ ଗଣି ହେଇ ହେଇ ସୁନା ପାତିଆପରି ଦେହ ଆସି ବାଉଁଶକଣି ହେଲାଣି । ମନରେ କେତେ ଆଶା କରିଛନ୍ତି ସାଙ୍ଗକୁ ସାଙ୍ଗଲୋକଟିଏ ଆସିଲେ ସେ ଟିକେ ନିଶ୍ୱାସ ମାରିବେ । ସେଥିପାଇଁ ଆଜି ଏ ଆନନ୍ଦ । ରଘୁନାଥଙ୍କର ମନବି ସେଇମିତି । ଭାବିଛନ୍ତି ରତନଟିକୁ ହାତକୁ ଦିହାତ କରିଦେଲେ ତାଙ୍କ ମୁଣ୍ଡରୁ ଯିମିତି ବୋଝ ଯିବ । କିନ୍ତୁ ତାହା ଦ୍ୱାରା ରତନଙ୍କ ବୋଝ ଯେ ବଢ଼ିଯିବ ଏ କଥା କେବଳ ରତନ ଏକୁଟିଆ ଭାବୁଛନ୍ତି ।

 

ଏପାଖ ସେପାଖ ହେଉ ହେଉ ଦୁଇଟି ଘଣ୍ଟା କଟିଲା । ମନରେ ଆଗ୍ରହ ନାହିଁ । କାହାରି ମୁହଁକୁ ଭଲରେ ଚାହିଁ ହେଉନାହିଁ । ଘରର ଏ ସବୁ ଆନନ୍ଦ ଉତ୍ସବ ଦେଖିଲେ ରାଗରେ ନିଆଁ ଜଳୁଚି-। ମନରେ ଅନୁତାପ ଆସୁଚି । ଆହା, ନୂଆବୋଉଙ୍କୁ ନ ପଚାରିଲି କାହିଁକି ? ଯାହାକୁ ନେଇ ମୁଁ ଜୀବନଭରି ନୂଆ ସଂସାର ଗଢ଼ିବି ତାରି ହାନିଲାଭର କଥା କହିବାକୁ ଲାଜ ଗୋଟାଏ କ’ଣ ? ପୁଣି ଥରେ ମନଭିତର କଥାଟା ଦୋହଲି ଉଠିଲା । ଭାବିଲେ–ଯିବି କି ପୁଣି ଥରେ ? ଭଲ ହେଉ ବା ମନ୍ଦ ହେଉ ପଚାରିଦେବି ଥରେ । ମନରେ ସାହସ ବାନ୍ଧି ରତନ ଘରଭିତରେ ପଶିଲେ ।

 

ଖଟଉପରେ ଶାନ୍ତିଲତା ଲିଲିକୁ ଦୁଧ ପିଆଇ ଦେଉଥାନ୍ତି । ରତନ ଯାଇଁ ପାଖରେ ଠିଆହେଲେ । ଲିଲିର ଓଠ ହଲେଇ ଗେଲ କଲେ । ପଚାରିବା ପଚାରିବା ହେଉଚନ୍ତି ପଚାରି ହେଉନାହିଁ । ପେଟ ଭିତରୁ କଥା ଆସି ତଣ୍ଟି ପାଖରେ ଅଟକି ଯାଉଚି । ପହିଲୁ କ’ଣ କହିବେ ମନ ଠିକ୍ କରିପାରୁନାହିଁ । ମୁହଁ ବୁଲେଇଲେ ପଛକୁ । କାନ୍ଥ ଉପରେ ଫଟୋକୁ ଚାହିଁଲେ । ଠଣା ଉଣ୍ଡାଳି କ’ଣ ଖୋଜିଲେ । ଯିମିତି ତାଙ୍କ କହିବା କଥାଟି କେଉଁଠି ରଖିଦେଇଛନ୍ତି । ଦରକାର ବେଳେ ଖୋଜିଲେ ମିଳୁନାହିଁ । ଭାରି ବିରକ୍ତ ଲାଗୁଚି ।

 

ଲିଲିର ଦୁଧଖିଆ ସରିଲା । ଶାନ୍ତିଲତା ଆସିବାକୁ ବାହାରିଲେ । ରତନଙ୍କ ଛାତିରେ ଗୋଟିଏ ଛନକା ପଶିଗଲା । ଆସି କବାଟ ଝଞ୍ଜିରକୁ ଧରି ଠିଆହେଲେ । ଭାବିଲେ ନୂଆବୋଉ ଏଇଠିକି ଆସନ୍ତୁ, ପଚାରିବେ । ଶାନ୍ତିଲତା ଘରୁ ବାହାରି ବନ୍ଧ ଡେଇଁଲେ । ରତନଙ୍କ ପାଟି ଖନି ବାଜିଗଲା । ଗୋଟେ ଖିଆଲରେ ତରତର ହୋଇ ପଛରୁ ଡାକିଦେଲେ ନୂଆବୋଉ ।

 

ଶାନ୍ତିଲତା ପଛକୁ ବୁଲିପଡ଼ି କହିଲେ–କ’ଣ ?

 

ଶାନ୍ତିଲତାଙ୍କ ମୁହଁକୁ ଚାହିଁ ରତନ ଆବାକାବା ହୋଇଗଲେ । ପାଟି ଆଫୁ ଆଫୁ ହୋଇଗଲା । କିଛି କହିପାରିଲେ ନାହିଁ ।

 

ଶାନ୍ତିଲତାଙ୍କ ଆଖି ଉଜଳିଉଠିଲା ମୁହୂର୍ତ୍ତେ । ହସ ହସ ସୁନ୍ଦର ସରସ ମୁହଁରେ ଦରହାସରେ ତରଙ୍ଗ ଖେଳିଲା । ପାଖକୁ ଆସି ଅତି ଆହ୍ଲାଦରେ କହିଲେ–କ’ଣ କି ଗୋ, କହୁନା କାହିଁକି ?

 

କବାଟ ସନ୍ଧିରେ ମୁହଁ ଗୁଞ୍ଜି ରତନ କହିଲେ–ନୂଆପାଟଣାରେ ଧୋବା କିଏମ ଅଛି କି ନୂଆବୋଉ ?

 

ନାଁଟା ଶୁଣି ହଠାତ୍ କାହିଁକି କେଜାଣି ଶାନ୍ତିଲତାଙ୍କ ମୁହଁଟା ଝାଉଁଳିପଡ଼ିଲା । କ’ଣ ଗୋଟିଏ ଭାବିଲାଭଳି ଅନ୍ୟମନସ୍କ ହେଇ କହିଲେ–କାହିଁକି ?

 

ରତନ କଥାକୁ ବଙ୍କେଇ କହିଲେ–ମୁଁ ସକାଳେ ବଜାରକୁ ଯାଇଥିଲି ଯେ ବୃନ୍ଦାବନ ଦୋକାନରେ ତା’ ସହିତ ଦେଖାହେଲା । ବୃନ୍ଦାବନ ମତେ ଦେଖିଲାକ୍ଷଣି ଡାକିଲା । ଆମ ବିଭାଘର କଥା ପଚାରିଲା । ଆମେ କଥାବାର୍ତ୍ତା ହେଉଚୁ, ସେ ସବୁ ଶୁଣିସାରି କାହିଁକି ହସିଲା । ବଳେବଳେ କହିଲା–ଆଜିକାଲି ତ ରାଜିରୁଜା ବା’ଘର ହେଲାଣି । ଲତିକା ରାଜିହେଲେ ତ ହୁଏ ? ମୁଁ ଯିମିତି ଲତିକା ନାଁ ଶୁଣିଚି, ତାକୁ ଆଉ କେତେ କଥା ପଚାରିଲି । ସେ ଲତିକା ବିଷୟରେ ବହୁତ ଖରାପ କଥା ସବୁ କହିଲା । ଶେଷରେ କହିଲା ତା’ର କୁଆଡ଼େ ଲତିକା ସହିତ ବା’ଘର ଲାଗିଚି । ତା’ ପକେଟରୁ କାଢ଼ି ସେ ମଧ୍ୟ ଲତିକାର ଫଟୋଟିଏ ଦେଖାଇଲା । ଏମିତିକା ଖୋଲା ଫଟୋ ସେ କିମିତି ଉଠେଇଲା କେଜାଣି । ବୃନ୍ଦାବନ ହେରିକା ସମସ୍ତ ଦେଖିଲେ । ମତେ ଭାରି ଲାଜମାଡ଼ିଲା । ପଳେଇଆସିଲି ।

 

ସମସ୍ତେ ନୀରବ ।

 

ପୁଣି ରତନ କହିଲେ–ଆମର ସେଠୁ ବା’ଘରଟା ଭାଙ୍ଗିଦେଲେ ଭଲ ହୁଅନ୍ତା ।

 

ଶାନ୍ତିଲତା କହିଲେ–ଆଉ......ମୋ ଭଉଣୀ କାହିଁକି ସେଇଟାକୁ ବା’ ହବ ମ ? ଯୋଉ ଛଇ ଛଟକା ଟୋକାଟା ନା... ତା’ ରୂପକୁ ଦେଖି ମୋ ଭଉଣୀ ତା’ ପଛେ ଗୋଡ଼ାଉଛି...... ? ଲାଜନାହିଁ ଛତରାଟାକୁ ବଜାର ମଝିରେ ମୋ ଭଉଣୀ ନାଁରେ ଏତେକଥା କହୁଚି ? ଘର ବୋଲି କଣେ, ମୂଷା ମାଟିରେ ଗୋଡ଼ ବୁଲୁନି । ସେଇଥିରେ ପୁଣି ଘର ଗୋଟାକର ଜିନିଷ ସବୁ । ରାଜନଅର ଛାଡ଼ି ମୋ ଭଉଣୀ କାହିଁକି ସେଠିକି ଯିବ ମ...... ? ସେଠି ଦେଲେ ଗୋଡ଼ରୁ ଅଳତା ଦାଗ ନ ଲିଭୁଣୁ ମୋ ଭଉଣୀ ଝୁରି ଝୁରି ସଂସାରରୁ ବାଟ କାଟିବନାଇଁ ? କ’ଣ ପାଇବ ମ ତମେ ସେଇଟା କଥାରୁ । ସେଟା ପରା ବଜାର ଝାଡ଼ୁ । କେତେଥର ଇଆ–ତା ନାଁରେ ଚୁଗୁଲିଆ କଥା କହି, ଯାବତ ଲୋକଙ୍କଠୁ ମାଡ଼ ଖାଇଲାଣି । ତା’ରି କଥା ଗୋଟାଏ କଥାରେ ଲେଖା ?

 

ରତନଙ୍କ କଥାର ଓଜନ କମିଗଲା ।

 

ରଘୁନାଥ ଆସି ପହଞ୍ଚିଗଲେ ସେତିକିବେଳେ । ଶାନ୍ତିଲତା ଚାଲିଗଲେ । ଆଖିରେ ଲୁହ ଜକେଇ ଆସୁଥିଲା । ରୁମାଲରେ ଲୁହପୋଛି ରତନ ମୁଣ୍ଡରେ ହାତଦେଲେ । ଆଖିଆଗରୁ କଳ୍ପନାର ଛାୟାଚିତ୍ର ଗୁଡ଼ିକ ଅପସରି ଗଲା । ଦେହ ବଡ଼ ଦୁର୍ବଳ । ଧୈର୍ଯ୍ୟ ଭାଙ୍ଗିଯାଇଚି । ଆଗ୍ରହ ଭଙ୍ଗା ମନରେ ସୁହାଗ ଛାଟିଲେ ଆଉ କି ଆଗ୍ରହ ଫେରେ ? କାନସବୁ ଶୁଣିଲା ସିନା ମନ ବୁଝିଲା ନାହିଁ । ରବର କଣ୍ଢେଇଟି ଭଳି ଆଗକୁ ପାଦ ବଢ଼େଇଲେ ରତନ ।

 

ଦିନ ନଇଁଲା, ସଞ୍ଜ ହେଲା । ଘର ଆଗରେ ଲାଇଟ୍ ଜଳିଉଠିଲା । ଛାମୁଡ଼ିଆ ମଝିକି ଗୁଆ ଧରା ଭାଇ ବସି ସାତ ସାଇକି ଗୁଆ ବାଣ୍ଟିଲେ । ଭାଗବତ ବୋଲା ହେଲା । ଗୀତ ସରିଲା । ଖିଆପିଆ ଶେଷ ହେଲା । ସମସ୍ତେ ଘରକୁ ଗଲେ । ଘରର କାମ ବଢ଼ୁ ବଢ଼ୁ ରାତି ଅଧ । ସମସ୍ତେ ଶୋଇଲେ ।

 

ଘରର ଆଲୁଅ ନିଭିଛି । ନିଛାଟିଆ ନିରୋଳା ରାତି । ଚାରିଆଡ଼େ ସାଇଁ ସାଇଁ ନିଶା ଗର୍ଜୁଛି । ରାତି ଗୋଟାଏ ପାଖାପାଖି । ଆଖିପତାର ଅନ୍ତରାଳରେ ଛପି ରହିଛି ନିଦ୍ରା । ମନ ଉଚ୍ଚାଟ-। ଛାତିରେ ଦକା । ମୁଣ୍ଡରେ ଚିନ୍ତା । ପନ୍ଦର ଦିନ ତଳର ମନ ଗହନର ପରଦା ଖୋଲି ଫୁଟିଆସୁଥିବା ସୁନେଲି ଭାବନା ଆଉ ନାହିଁ । ବେଳେବେଳେ ସ୍ମୃତିପଟରେ ପିଛିଲା ଜୀବନର ରଙ୍ଗିନ୍ ଚିତ୍ର ଗୁଡ଼ିକ ଉଙ୍କିମାରି ଆସୁଥିଲେ ବି ଆଉ ଆଖିରେ ପୁଲକ ଚହଟ ନାହିଁ । ମନ ଭାଙ୍ଗିଚି, ଆଶା ତୁଟିଚି । ତା’ ସାଥୀରେ ସୁଖ ସମ୍ଭୋଗ ବାସନା ଗୁଡ଼ିକ ବି ଯାଇଚି । ଆଜି ଆଉ ଏ ଅଦରକାରୀ ଚିତ୍ରର ଆବଶ୍ୟକ କ’ଣ ? ମରୁଭୂମି ଭିତରେ ରହି ଜଳର ସ୍ୱପ୍ନ ଦେଖିବାରେ କେଉଁ ସାର୍ଥକତା ରହିଚି ?

 

ଘରଟା ନିଛାଟିଆ ନିଛାଟିଆ ଲାଗୁଚି । ଝରକା ପାଖରେ ତୁନି ହୋଇ ଠିଆହୋଇ ରତନ ଦେଖୁଥାନ୍ତି ଭସାମେଘର ପାତାଳ ତଳେ ପଣତ ଲୁଚକାଳି ଖେଳିଲା ଜହ୍ନର ଛବି । ସାତଘଡ଼ି ଅନ୍ଧାର ପରେ ଅଷ୍ଟମୀ ତିଥିର ବଙ୍କୁଲି ଜହ୍ନ ଆକାଶର ମଥା ଉପରକୁ ଉଠିଆସୁଚି । ମଧୁଝରା ଚାନ୍ଦିନୀ ରାତି । କିଲିକିଲିଆ ଶୀତଳ ପବନ ଦେହରେ ବାଜୁଚି । ଝରକାର ଫାଙ୍କବାଟେ ଛୁଟିଆସି ଘରଯାକ ବିଛୁଡ଼ି ହେଇପଡ଼ିଚି ଜ୍ୟୋତ୍ସ୍ନାର ଫଳକ । ନୀରବ ଆକାଶ । ମିଟିମିଟିକା ତାରକା ମଝିରେ ଚହଟିଉଠୁଚି ରୂପେଲି ଚାନ୍ଦ । ନିରନ୍ତର ପଥରୁ ଫେରୁନାହିଁ ପଛକୁ । ଏ ପାଖରେ ଅମାବାସ୍ୟା । ସେ ପାଖରେ ପୂର୍ଣ୍ଣମୀ । ଏହାର ଭିତରେ ତା’ର ଉଠାପଡ଼ା ଓଲଟ ପାଲଟ ଗତି । ମଣିଷର ପ୍ରାଣ । ଜୀବନର ପ୍ରବାହ । ଆତ୍ମା ବି ଚିରନ୍ତନ ପଥରେ ଆଗେଇଚାଲେ । ପିତାମାତା ଦୁଇଟି ପ୍ରାଣୀ । ଦୁଇଟି ଜୀବନ । ଦୁଇଟି ମନ । ଯେତେବେଳେ ସେ ଦୁଇଟି ପ୍ରାଣ ଏକାକାର ହୋଇ ବହିଯାନ୍ତି ଗୋଟିଏ ଧାରରେ, ତା’ର ଭିତରୁ ଜନ୍ମହୁଏ ଗୋଟିଏ ଚଳନ୍ତି ପ୍ରତିମା । ପ୍ରତିମାଟି ବଢ଼େ । ମରଣ ମୁହାଁ ହୋଇ ଛୁଟିଚାଲେ ଆଗକୁ । ବୁଢ଼ା ହୁଏ । ସଂସାରର ଖେଳ ସାରି ଭୂଇଁରେ ମିଶେ । ମଣିଷର ପ୍ରାଣ ପାଣିର ବୁଦ୍‌ବୁଦ୍ । କେତେବେଳେ ଫୁଟିବ । କେତେବେଳେ ବା ଝାଉଁଳିବ । କାହାରି ହାତରେ ନାହିଁ । ଆଖି ଦେଖେ ବାରଟି ମାସରେ ବାରଟି ଚାନ୍ଦ । ଗୋଟିଏ ବସନ୍ତ ପରେ ଆଉ ଗୋଟିଏ ବସନ୍ତର ଓଲଟ ଗତି । କିନ୍ତୁ ଗୋଟିଏ ଜୀବନର ଉଜାଣି ପ୍ରବାହ ବହେନାହିଁ । ଅଦ୍ଭୁତ ପ୍ରଣୀ । ଆଶ୍ଚର୍ଯ୍ୟ ମଣିଷ ।

 

ଯେଉଁ ଆଖିରେ ଚାହିଁଲେ ଆଲୁଅ ଦିଶେ ସେହି ଆଖିରେ ଚାହିଁଲେ ବି ଅନ୍ଧାର ଦିଶେ । ଯେଉଁ ଆଖି ଅନ୍ଧାରରେ ବାଟ କଢ଼ାଏ ସେହି ଆଖି ବି ଆଲୁଅରେ ବାଉଳା ହୁଏ । ସେଥିପାଇଁ ଗୋଟିଏ ମୁହଁରେ ଦୁଇଟି ଆଖି । ଗୋଟିଏ ପଙ୍କରେ ଘାଣ୍ଟିଲେ ଆଉ ଗୋଟିଏ ସୁଧାରିଆଣେ । ଦିବ୍ୟ ଚକ୍ଷୁ ପଲକ ମୁଦିଲେ ପାପ ଚକ୍ଷୁ ଜୀଅନ୍ତା ପ୍ରଣକୁ ସମାଧି ଦିଏ । ଦିବ୍ୟଚକ୍ଷୁ ଉଠିଲେ ପାପ ଚକ୍ଷୁ ଲୁଚେ । ଦିବ୍ୟଚକ୍ଷୁ ତା’ର ନିଷ୍କୃତ କରେ । ରତନଙ୍କ ଦିବ୍ୟଚକ୍ଷୁ ମୁଦିହୋଇ ନାହିଁ କି ପାପଚକ୍ଷୁ ତାଙ୍କର ପ୍ରାଣକୁ ସମାଧି ଦେଇନାହିଁ । ତଥାପି ସେ ଖୋଜୁଛନ୍ତି ନିଷ୍କୃତ ।

 

ନିଷ୍କୃତ କାହିଁ ?

 

ଭାବନାରେ ବହୁତ ଆଗରେ ।

 

ନିଷ୍କୃତିର ବାଟ ଖୋଜୁ ଖୋଜୁ ଶେଷରେ ରତନ ଦୁଇଟି ସିଦ୍ଧାନ୍ତର ସମ୍ମୁଖୀନ ହେଲେ । ପ୍ରଥମରେ ସେ ଯଦି ଲତିକାକୁ ବିବାହ କରନ୍ତି ତେବେ ସେ ନିଜେ ଅଶାନ୍ତି ଭୋଗିବେ । ଲତିକା ଅଶାନ୍ତି ହେବେ । ଶାନ୍ତ ହେବେ କେବଳ ଭାଇ ଭାଉଜ ଦୁଇଜଣ । ଯଦି ବିବାହ ନ କରନ୍ତି ତେବେ ସେ ଖୁସି ହେବେ । ଲତିକା ଖୁସି ହେବ । ଅଶାନ୍ତି ହେବେ ଭାଇ ଭାଉଜ । ଏହା ଭିତରୁ କେଉଁଟି ଭଲ । ସେ କେଉଁଟିକୁ କରିବେ । ପାଗଳ ମୁଣ୍ଡ ଠିକ୍ କରିପାରୁନାହିଁ ।

 

ହଠାତ୍ ଭାବନାର ଏକ ଅଦ୍ଭୁତ ଖିଆଲରେ ରତନ ସ୍ଥିରକଲେ ଯେଉଁଟିକୁ ସେ ନିଜେ ଭଲ ବୋଲି ଭାବୁଛନ୍ତି ସେଇଟିକୁ କରିବେ । ସେଥିପାଇଁ ଅଟଳ ତ୍ୟାଗ ଦରକାର । ତାଙ୍କୁ ଘର ଛାଡ଼ିବାକୁ ପଡ଼ିବ । କିନ୍ତୁ ଯିବେ କୁଆଡ଼େ ?

 

କାନ୍ଥ ଘଡ଼ିକୁ ଅନେଇଲେ ତିନିଟା ବାଜିବାକୁ ପନ୍ଦର ମିନିଟ ବାକି । ରତନଙ୍କ ମୁଣ୍ଡ ଚକର ଖାଇଲା । ତିନିଘଣ୍ଟା ପରର କଥା । ରାତି ପାହିଲେ ବା’ଘର । ବା’ଘର ରୋଷଣୀ ଆଖିଆଗରେ ନାଚିଯାଉଚି । ବାଣ ଫୁଟୁଚି । ବାଣର ଆବାଜରେ ତାଙ୍କର ଛନକା ଛାତି ଚମକିଉଠୁଛି । ବିବାହ ବେଦିରେ ସେ ଲତିକା ପାଖକୁ ଲାଗି ବସିଛନ୍ତି । ମୁଣ୍ଡରେ ମକୁଟ । ହାତରେ କୁଶବଟୁ । ଦାଣ୍ଡଦୁଆରେ ମଙ୍ଗଳ ଶଙ୍ଖ ବାଜୁଛି । ହୁଳହୁଳି ନାଦରେ ଘର ଉଛୁଳୁଚି । ଦୁଇଟା ହାତକୁ ଏକାଠି କରି, ଫୁଲମାଳରେ ହାତକୁ ହାତ ଛନ୍ଦି ପୁରୋହିତ ମନ୍ତ୍ର ପଢ଼ୁଚି–ଯଥା ରାବଣସ୍ୟ ମନ୍ଦୋଦରୀ, ଯଥା ଧୃତରାଷ୍ଟ୍ରସ୍ୟ ଗାନ୍ଧାରୀ । ବେଦିଉପରେ ଉଛୁଳିଉଠୁଚି ମାଟିର ପ୍ରଦୀପ । ତରୁଣୀର ଚାଉଁକା ପରଣ ଦେହରେ ବାକି ତତଲା ଲୁହାପରି ଦେହରେ ଚାଇଁ ଚାଇଁ ଗଳିଯାଉଚି । ପାଖରେ ବସିଛନ୍ତି ଭାଇ । ଆଉ ପଡ଼ିଶାର ଲେଖା ଯୋଖା ବଡ଼ବାପା ଖୁଡ଼ୁତା ମୁରବି ଶ୍ରେଣୀର ଲୋକ କେଇଜଣ । ସମସ୍ତଙ୍କ ବେକରେ ଗଜରା ହାର । ମଥାରେ ଚନ୍ଦନ ଚିତା, କାନ୍ଧରେ ପାକଲା ଗାମୁଛା । ସମସ୍ତେ ମିଳି ତାଙ୍କର ଦରପୋଡ଼ା ଆତ୍ମାଟାକୁ ବଳାତ୍କାର କରି ମିଶେଇ ଦେଉଛନ୍ତି ଆଉ ଗୋଟିଏ ଆତ୍ମା ସାଥିରେ । ଓଃ କି ବିଭତ୍ସ ଅତ୍ୟାଚାର । କିମିତି ସେ ଏ ଦୃଶ୍ୟକୁ ଆଖିରେ ଦେଖିବେ-? ମନ ଭିତରେ କଠୋର ପ୍ରତିଶୋଧର ନିଆଁ ଜଳିଉଠୁଛି । ପୁଣି ଲିଭିଯାଉଚଛି ଛାଏଁ ଛାଏଁ-

 

ହଠାତ୍ ବାହାରେ ବୈଶାଖର ଚାନ୍ଦିନୀଝରା ରାତ୍ରି କଇଁ କଇଁ କାନ୍ଦିଉଠିଲା । କୋଠରି ଭିତରେ ଜଳୁଥିବା ଆଲୁଅଟି ଥରି ଥରି ଲିଭିଆସୁଛି । ରତନ ଠିକ୍ କରିନେଲେ ସେ ନିଶ୍ଚୟ ଘରତ୍ୟାଗ କରିବେ । କୁଆଡ଼େ ଯିବେ ଜାଣିନାହାନ୍ତି ତଥାପି ସେ ଯିବେ । ଆଖି ଯୁଆଡ଼େ ଟାଣିବ ସେ ସେଇ ବାଟରେ ଯିବେ ।

 

ଘରକୁ ଚାହିଁଲେ । ଟକ୍ ଟକ୍ ହୋଇ ମିନିଟ୍ କଣ୍ଟାଟି ବାର ପାଖକୁ ଲାଗିଯାଉଚି । ତିନିଟା ବାଜିବ । ଭାବିବାକୁ ଆଉ ବେଳ ନାହିଁ । ରତନ ତରତର ହୋଇ ର‍୍ୟାକ୍ ଉପରୁ ସିଲକ୍ ପଞ୍ଜାବିଟା ଆଣି ଦେହରେ ଗଳେଇପକେଇଲେ । ବାକ୍‌ସରୁ କାଢ଼ି ମସ୍‌ରାଇଜ୍ ଧୋତିଟା ପିନ୍ଧିଲେ-। ଖଟତଳେ ଯୋତା ଥିଲା ପିନ୍ଧିଲେ । ହାତରେ ଘଣ୍ଟା ବାନ୍ଧିଲେ । ଲୁଗାପଟା କେତେଖଣ୍ଡ ସୁଟକେସ୍‌ରେ ସଜାଡ଼ିଲେ । ଆରସି ପାଖରେ ମୁଣ୍ଡ କୁଣ୍ଡାଉ କୁଣ୍ଡାଉ ଘରର ଚାରିଆଡ଼କୁ ଚାହିଁଲେ-। ସମସ୍ତେ ଯିମିତି ତାଙ୍କରି ଆଡ଼କୁ ଜୁଳୁ ଜୁଳୁ କରି ଅନେଇଛନ୍ତି । ରତନ ବାକ୍‌ସ ଭିତରୁ ବାହାରକଲେ ଗୋଟିଏ ମଉଳା ଗୋଲାପ । ଫୁଲଟିକୁ ନେଇ ଆଲୁଅ ପାଖରେ ଦେଖିଲେ । ତାଙ୍କର ଦୁଇ ଗାଲରେ ଚାପା ଦେଲେ । ଛାତିରେ ଜାକିଲେ । ମନଭରି ତାରି ଉପରେ ଆଙ୍କିଦେଲେ ଗୋଟିଏ ଗାଢ଼ ଚୁମ୍ବନ । ଚାହୁଁ ଚାହୁଁ ଆଖିପତା ତାଙ୍କର ଲୁହେଇଆସିଲା । ବୁକୁଭିତରୁ ଉଠିଆସୁଥିବା କୋହର ଲହରୀକୁ ରୋକି ଫୁଲଟିକୁ ବାକ୍‌ସରେ ରଖି ତାଲା ଦେଲେ । ଯେତେ ଭୁଲାଇଲେ ଅମାନିଆ ମନଟା ମନ ନମାନି କ୍ଷଣକ ଭିତରେ ଅତୀତ ଆଡ଼କୁ ଟାଣି ହୋଇଯାଇଥିଲା-। ମମତା ଓଟାରି ଧରୁଥିଲା । ରତନ ଛାତିକୁ ପଥର କରି ଆଖିବୁଜି ଘରେ ତାଲା ଦେଇ ଚାବିଟି ବନ୍ଧ ଉପରେ ରଖିଲେ । ଗୋଡ଼ ଚିପି ଚିପି ପଦାକୁ ଆସିଲେ ।

 

ଅନେକ ଦିନର ପୋଷା କୁକୁର ପପି । ବନ୍ଧ ତଳକୁ ଶୋଇଥିଲା । ଉଠିପଡ଼ି ବାଟ ଭାଙ୍ଗି ଠିଆହେଲା । କରୁଣ ଆଖିରେ ମୁହଁକୁ ଚାହିଁ ଲାଙ୍ଗୁଡ଼ ହଲେଇ ପାଦ ଶୁଙ୍ଘିଲା ।

 

ରତନ ତା’ର ମୁଣ୍ଡ ଆଉଁସି ଥରିଲା କଣ୍ଠରେ କହିଲେ–ମୁଁ ଯାଉଛିରେ ପପି । ଅନେକ ଦିନରୁ ସାଙ୍ଗ ହୋଇଥିଲେ । ସାଙ୍ଗ ହୋଇ ଖେଳୁଥିଲେ । ମୁଁ ଆଜି ସମସ୍ତଙ୍କଠାରୁ ମାୟା ତୁଟେଇ ଘରୁ ବାହାରିଯାଉଚି । ତୁ ମତେ ଭୁଲିଯିବୁ ନାହିଁରେ । ବେଳେବେଳେ ଭାବିବୁ । ଆଖିରୁ ଲୁହ ଗଡ଼େଇବୁ ନାହିଁ ।

 

ପପି କ’ଣ ବୁଝିଲା କେଜାଣି । ଦୁଇ ଗୋଡ଼ ଆଗକୁ ଲମ୍ବେଇ ଅଳସ ଭାଙ୍ଗିଲା । ମୁଣ୍ଡ ହଲେଇ କହିଲା–ସେ କଥା ହେବ ନାହିଁ, ମୁଁ ତୁମ ସାଙ୍ଗରେ ଯିବି ।

 

ରତନ ବନ୍ଧତଳୁ ଧୂଳିଟିକେ ଆଣି ମୁଣ୍ଡରେ ମାରିଲେ । ତଳକୁ ଗଡ଼ି ଆଗେଇ ଚାଲିଲେ-। ଘର ଭିତରୁ ଲିଲିର କାନ୍ଦଣା ଶୁଭିଲା । ରତନଙ୍କ ଗୋଡ଼ ଅଟକିଗଲା । କାନ ପାରିଲେ-। ପୁଣି ତୁନିତାନି । ଭାବିଲେ–କ’ଣ ଫେରିଯିବେ ? ତା’ର କଅଁଳ ଟିକି ମୁହଁରେ ବୋକଟିଏ ଦେଇ ଥରେହେଲେ ଦେଖିଆସିବେ । କେତେ ସ୍ନେହ କରିଥିଲେ । ମାଙ୍କଡ଼ ଛୁଆପରି ପେଟତଳେ ଯାକି ଗାଁଯାକ କେତେ ବୁଲୁଥିଲେ । ଧୂଳିଟିକେ ଦେହରେ ପଡ଼ିଲେ ଝାଡ଼ି ଦେଉଥିଲେ । ନାକରୁ ସିଙ୍ଘାଣି ବୋହିଲେ ଲୁଗା କାନିରେ ପୋଛି ଦେଉଥିଲେ । ଟିକେ କ’ଣ ଦେହ ହେଲେ ବାର ଓଷଦ ମୁଳୁକା ଖୋଜି ଖୋଜି ଜୀବନ ଯାଉଥିଲା । କିମିତି ସେ ସବୁ ମମତା ତୁଟେଇ ସେ ଆଜି ଚାଲିଯିବେ ? ଛାତିରେ ତୀବ୍ର ଯନ୍ତ୍ରଣା ବୋଧ ହେଲା । ରତନ ଦୁଇ ହାତକୁ ଛାତିରେ ପିଟିଲେ ।

 

ଗାଁର ଦି’କଡ଼ରେ ଦିଶାଆଲା ଚାଳଘର ଉଚ୍ଚ ପିଣ୍ଡା । ତା’ରି ମଝିରେ ଧୂଳିଦାଣ୍ଡ । ରତନ କୁଆଡ଼କୁ ନ ଚାହିଁ ଛୁଟି ଚାଲିଥାନ୍ତି ଆଗକୁ ଆଗକୁ । ଆକାଶରେ ଖଣ୍ଡଖଣ୍ଡିଆ ଭସା ବାଦଲ । ବାଦଲ ଫାଙ୍କରେ ଜହ୍ନମାମୁଁର ଲୁଚକାଳି ଖେଳ । ବେଳେବେଳେ ରାସ୍ତାଟି ଅନ୍ଧାର ହେଇଯାଉଛି । ଗଛ ଆଗରେ ଜୁଳୁଜୁଳିଆ ପୋକମାନଙ୍କର ଖେମଟିନାଚ । ପୋଖରୀ ତଳ ନୂଆ ପାଣିରେ ବ୍ରାହ୍ମଣୀ ବେଙ୍ଗମାନେ ପଦାକୁ ବାହାରି ପଚାରା ପଚରି ହେଉଛନ୍ତି–ତୁ କିଏ ମୁଁ କିଏ । ଗହିରି ମଝିରେ ଭେରେଣ୍ଡା ରଡ଼ି ଛାଡ଼ିଚି । କୌଣସି ଆଡ଼କୁ ଦୃଷ୍ଟି ନ ଦେଇ ଚାଲିଥାନ୍ତି ରତନ ।

 

ଗାଁ ମୁଣ୍ଡ ମଶାଣି ପଡ଼ିଆ ଅଳପ ବାଟ ଅଛି । ମଶାଣି ପାଖକୁ ଲାଗି ଗୋଟିଏ ଝାମ୍ପୁରା ବରଗଛ । ଗଛତଳେ କ’ଣ ଗୋଟିଏ ଆଲୁଅ ଜଳୁଚି । ରତନଙ୍କ ଛାତି ଥରିଲା । ମନେପଡ଼ିଲା–ପୁରୁଖା ଲୋକମାନେ କହନ୍ତି ଏଇଠି ଅଛି ଭୂତକୋଠି । ଭୂତମାନଙ୍କର ଆଡ଼ାଘର । ରାତି ପାହାନ୍ତାକୁ ସବୁ ଭୂତମାନେ ଆସି ଗଛ ତଳରେ ମେଳ ହୁଅନ୍ତି । କିଏ ହାବୁଡ଼ରେ ପଡ଼ିଲେ ତାକୁ ହାଡ଼ରେ ପିଟି ପିଟି ଜୀବନ ନିଅନ୍ତି । ବେଳେବେଳେ ସେଇଠି ଡାଆଣୀ ନିଆଁ ଜାଳି ପିଲା ସେକେ । ନିଆଁ ମାଗିଲେ ଦିଏ । ଚାଲିଗଲେ ପଛରୁ ଡାକି କହେ–ଯା–ଯାରେ । ତୋ ବକତେଇଟା ବଡ଼ । ଭୂତମାନେ ଡରେଇବା ପାଇଁ କେତେ ରୂପ ଦେଖାନ୍ତି । ଘୁଷୁରି, ବାଘ, ଭାଲୁ ରୂପରେ ଆଗରେ ଚାଲିଯାଆନ୍ତି । ସ୍ତ୍ରୀ ରୂପରେ କାଚ ଝୁଣୁଝୁଣୁ କରନ୍ତି । ଗଛ ଅଗରୁ ଢେଲା ଫିଙ୍ଗନ୍ତି । ହାଣ୍ଡି ବୋଝ କଚାଡ଼ି ଦିଅନ୍ତି । ଚଡ଼େଇ ରୂପରେ ଚେଁ ଚେଁ ହୋଇ ଆଗରେ ଉଡ଼ିଯାଆନ୍ତି ତେବେ ଇଏ କ’ଣ ସେଇ ? ରତନଙ୍କୁ ଛାତି ବରଡ଼ା ପତର ପରି ଥରିଲା । ଛାନିଆରେ ରାସ୍ତା କଡ଼କୁ ଗଡ଼ିପଡ଼ିଲେ । ଭଇଁଚକୋଳି କଣ୍ଟାବଣ । ତାରି ଭିତରେ ପଶିଗଲେ ।

 

ପଛରେ ଆସୁଥିଲା ପପି । କ’ଣ ଦେଖି ଭାଉ କରି ଭୁକିଉଠିଲା । ରତନ ଚମକପଡ଼ିଲେ-। ଉପରକୁ ଆସି କହିଲେ–ତୁ କୁଆଡ଼େ ଆସିଚୁରେ ? ଯେଉଁମାନେ ରକ୍ତର ସମ୍ପର୍କ ସେମାନେ ତ ମନକଥା ଜାଣିଲେ ନାହିଁ, ତୁ କ’ଣ ଜାଣିବୁ ?

 

ନିଜ ଭାଷାରେ ପପି କହିଲା–ମୁଁ ତ ରକ୍ତର ସମ୍ପର୍କ ନୁହେଁ ।

 

ରତନ ତା’ ପିଠିରେ ହାତମାରି କହିଲେ, ତୁ ଯାରେ ଯା । ମୁଁ ତ ଆସିଲି । ତୁ ଯଦି ଯିବୁ ଲିଲି କାହା ସାଥିରେ ଖେଳିବ । କାହା ପିଠିରେ ଘୋଡ଼ା ଚଢ଼ିବ ।

 

ପପି କିଛି ବୁଝିଲା ନାହିଁ । ଆଗ ଗୋଡ଼ରେ ଭୂଇଁ ରାମ୍ପି ତାଙ୍କର ମୁହଁକୁ ଚାହିଁ ତାଙ୍କ କଥାର ପ୍ରତିବାଦ କଲା । ପୁଣି କ’ଣ ଭାବି ତାଙ୍କ ଆଗେ ଆଗେ ଚାଲିଲା ।

 

ମଶାଣି ତୋଟା ପାରିହବା ପରେ ଦି’ଚାରି ଖଣ୍ଡ ଧାନବିଲ । ରତନ ଅଧା ବିଲରେ ହୋଇଛନ୍ତି ମଟର ଆଲୁଅ ଦିଶିଲା । ରତନ ଦୌଡ଼ି ଦୌଡ଼ି ଯାଇ ମଟର ଆଗରେ ଠିଆହେଲେ । ହାତ ଟେକିଲେ । ମଟର ଅଟକିଲା । ରତନ ଚଢ଼ିଲେ ।

 

ମଟର ଛୁଟିଲା ।

 

ମଟର ଭିତରେ ଥାଇ ରତନ ପଦାକୁ ଅନେଇଲେ । ଜହ୍ନ ଆଲୁଅର ଝାପ୍‌ସା ଆଲୁଅରେ ଟିକେ ଟିକେ ଦିଶୁଚି–ପପି ମଟର ପଛରେ ଛୁଟିଚି ।

 

କଟକରେ ମକର ବାବୁଙ୍କର ଅଶୀ ଟଙ୍କାର ଚାକିରି । ପାଖରେ ନିଜର ସ୍ତ୍ରୀ, ପୁଅଝିଅ ଦୁଇଟି । ବୋଲହାକ କରିବାପାଇଁ ପୁଣି ଗୋଟିଏ ଚାକର ଟୋକା । କଟକ ସହର ଜାଗା । ରାତି ପାହିଲେ ସବୁ ଜିନିଷ କିଣା । ମାସ ପୂରିଲେ ପୁଅର ସ୍କୁଲ ଦରମା । ଚାକରର ଦରମା । ଘରବାଲାର ତାଗିଦ୍ । ଦୋକାନୀର ଧମକ । ମୁଣ୍ଡ ଘୂରିଯାଏ । ପ୍ରେସ୍ ଚାକିରି । ମାସକର ଦରମା ତିନିମାସରେ ତୁଟେ । ପ୍ରତିଦିନ ଆଠଣା, ଚାରଣା ନେଇ ନେଇ ତିନିମାସରେ ଖାତାରେ ମଜୁରା ହୁଏ । ଏକକାଳିନ ମାସକର ଦରମା ହାତ ଧରେନାହିଁ କି ଆଖି ଦେଖେ ନାହିଁ । ଦୁଃଖ କଷ୍ଟରେ ଦିନ ଗଡ଼େ ଆଗକୁ ।

 

ସେଥିରେ ପୁଣି ନିଜ ଗାଁର ଆଉଜଣେ ନିରାଶା ଅତିଥି ରତନ । ଫାଙ୍କା ମନ ସାଥିରେ ହାଲୁକା ଦେହଟାକୁ ଯୋଖି ଦିନସାରା ବୁଲିବୁଲି ସନ୍ଧ୍ୟାବେଳକୁ ଫେରନ୍ତି । ପିଣ୍ଡା ଉପରକୁ ଉଠିଲା କ୍ଷଣି ମୁଣ୍ଡଟା ଓଜନିଆ ହୋଇପଡ଼େ । ବାଟ ଅବାଟ ଦେଇ ମନଟା କେତେଆଡ଼େ ଛୁଟେ । ବାଁଆଖିର ଓପର ପତା ନାଚେ । ତଳ ପତାରୁ ଲୁହଧାର ଛୁଟେ । ମକରବାବୁଙ୍କର ଟିକି ସଂସାରଟିକୁ ଚାହିଁଲେ ନିଜର ଲାଜ ନିଜକୁ ଖାଏ । ଘରକଥା ମନେପଡ଼େ । ଲିଲିର ଗୁଲୁଗୁଲିଆ କଥା, ହସହସ କଅଁଳ ମୁହଁଟିକୁ ଦେଖିବାକୁ ମନଟା ଆତୁର ହୁଏ । ମନ ଭିତରର ସବୁ ମାନ ଅଭିମାନ ମିଳେଇଯାଏ । ଛାତି ତଳର ଶାଣଦିଆ ପ୍ରତିଜ୍ଞାଗୁଡ଼ିକୁ ଠେଲି ମନ ଛୁଟେ ଗୋଟିଏ ଆଡ଼େ । ଆଖିର ଲୁହ ପୋଛି ତଳକୁ ଓହ୍ଲାନ୍ତି । ଲୁଗାପଟା କେଇଖଣ୍ଡ କାଖରେ ଯାକି ବାହାରିପଡ଼ନ୍ତି ଝଅଟକିନି ।

ମକରବାବୁଙ୍କର ସ୍ତ୍ରୀ କମଳା ଦେବୀ, ଦୌଡ଼ିଆସି ବାଟ ରୋକନ୍ତି । କହନ୍ତି–ନାହିଁ ତମେ ଆଜିକ ରୁହ, କେଇଦିନ ହେଲା ତ ଆସିଚ । ଯାଉ ଆଉ ଦି’ଦିନ । ତାଙ୍କ ପୁଅ ରବି । ପଛରୁ ଲୁଗାକାନି ଟାଣିଧରେ । ଦି’ଗୋଡ଼କୁ ଯାବୁଡ଼ି ଧରେ । ସେଦିନଟା ଯାଏ ।

କେତେଦିନ ପରେ ।

X X X

ଦିନକର କଥା । ଦିପାବଳୀ ଅମାବାସ୍ୟା ।

ସଞ୍ଜବେଳ ଗଡ଼ିଗଲାଣି । ଆକାଶରେ ଚାନ୍ଦ ନାହିଁ । ଅମେଇଶିଆ ରାତି । କିନ୍ତୁ ରାତିଟା କିଟିମିଟିଆ ଅନ୍ଧାର ନୁହେଁ । ଚାରିଆଡ଼ ହାଲୋରମୟ । ଏକମହଲା, ଦି’ମହଲା କୋଠାଗୁଡ଼ିକ ଉପରେ ଧାଡ଼ି ଧାଡ଼ି ହୋଇ ଦୀପାଳିଗୁଡ଼ିକ ଏକାବେଳକେ ଜଳିଉଠୁଚି । ମାଢ଼ୁଆଳୀପଟିର ସାଜସଜା ଦୋକାନ । ରାସ୍ତାର ଦି’କଡ଼ରେ ଦି’ଶାହାଲା କଦଳୀ ଗଛ । ଠାଏ ଠାଏ କଦଳୀ ଗଛରେ କଦଳୀ ଫଳିଚି । ବାଣ ଫୁଟାରେ ପିଲାମାନଙ୍କର ପେଟପୂରା ଆନନ୍ଦ । କେତେ ରକମର ବାଣ ଫୁଟୁଛି । ହାବେଳି ବାଣ ସର୍ କରି ଉପରକୁ ଉଠିଯାଇ ଅଧା ଆକାଶରେ ମିଶିଯାଉଚି । ଫୁଲଝର, କୁମ୍ପିବାଣର ନେଳିଆ ନାଲିଆ ଫୁଲଗୁଡ଼ିକ ବିଛୁଡ଼ି ହୋଇ ଚାରିକଡ଼କୁ ପଡ଼ୁଚି ।

ଦୂରରୁ ହୁଳହୁଳୀ କମ୍ପିଉଠୁଛି, ତା’ ସାଙ୍ଗରେ ବାଜା ଶୁଭୁଛି । ସବୁ ଆଖି ଦେଖୁଛି । ସବୁ କାନ ଶୁଣୁଛି । ଯିମିତି ଆଜି ଦୁନିଆଟା ଖାଲି ଆଲୁଅମୟ । ସବୁଠି ଆନନ୍ଦର ରୋଳ । କିନ୍ତୁ ଗୋଟିଏ ପ୍ରାଣ ହସୁନାହିଁ ।

 

କାଠଯୋଡ଼ିର କୂଳେ କୂଳେ ପିଚୁ ତଳା ସଡ଼କଟା ଅଳସ ଅଜଗର ଭଳି ଶୋଇଚି । ବତୀଖୁଣ୍ଟର ଆଲୁଅ ନିର୍ଜୀବ ଆଖିରେ ଚାହଁଚି । ସଂସାରରେ ସମସ୍ତ ବିସ୍ମୟ ଆଉ କୌତୂହଳ ପୂରି ରହିଛି ସେ ଆଖିରେ । ଦିନଯାକ ଆଖିବୁଜେ । ସନ୍ଧ୍ୟାହେଲେ ବିସ୍ମୟରେ ଚାହେଁ । ଯେତେ ଦେଖେ ସେତେ ଅବାକ୍ ହୁଏ । ଦୁନିଆର ଭଳିକିଭଳି ମଣିଷ । ଭଳିକିଭଳି ଗତି । ମଣିଷ ମଣିଷପାଇଁ ରକ୍ତ ଦିଏ । ମଣିଷ ମଣିଷର ରକ୍ତ ପିଏ । ଦୁନିଆର ଗତି । ସବୁ ବିଧାତାର ଖେଳ ।

 

ନଈର ଧାରେ ଧାରେ ରାତିର ପାତଳ ଅନ୍ଧାର ଭିତରେ ଏକୁଟିଆ ଚାଲିଥାନ୍ତି ରତନ । ରାତି ନ’ଟା ପାଖାପାଖି । ନିର୍ଜନ ରାସ୍ତା । ଡାହାଣ କଡ଼ରେ କାଠଯୋଡ଼ିର ପଠା । ବାଁ କଡ଼ରେ ବଡ଼ ସାନ ବଙ୍କା ବଙ୍କା କେତେ ରକମର କୋଠାଘର । କୋଠା ଉପରେ ଦୀପାଳି ସବୁ ମୁକ୍ତାମାଳ ପରି ଖଞ୍ଜା ହୋଇଛି । ଲୁହା ଫାଟକ ଆଉ ପକା ମହଲା ଭିତରେ ବିଜୁଳି ପଙ୍ଖା ବୁଲୁଛି । ପାଖର ନୀଳ ଆଲୁଅ ଜଳୁଛି । ଝରକା ପାଖରେ କେତେ ରକମର ଫୁଲକୁଣ୍ଡ । ମହକରେ ବଖରା ଉଛୁଳୁଛି । ପିଲାମାନେ ସମସ୍ତେ ତଳେ । ଉପରେ ସ୍ତ୍ରୀ ପୁରୁଷ ଦୁଇଟି । ପରସ୍ପର ଭିତରେ ଆନନ୍ଦ ନିରାନନ୍ଦର ଖେଳ ଲାଗିଛି । ଜଣେ ଅଭିମାନ କରି ଝରକା ରେଲିଙ୍ଗକୁ ଧରି ମିଛିମିଛିକା ଆଖିରୁ ଲୁହ ପୋଛୁଛି-। ଆଉଜଣେ ହାତଧରି କ୍ଷମା ମାଗୁଛି । ଏଇତ ଦୁନିଆର ଓଲଟା ଗତି ।

 

ସନ୍‌ସାଇନ୍ ଫିଲ୍‌ଡ଼ ଟପି ଆଉ ଦୁଇଟା କୋଠା ପାରିହେବାକୁ ଯାଉଚନ୍ତି ରତନ, ପାଦ କାହିଁକି ଅଟକିଗଲା । ମୁଣ୍ଡଟେକି ଆଗକୁ ଚାହିଁଲେ । କେହି ନାହାନ୍ତି । ବାଁ ପାଖରେ ଗୋଟିଏ ନେପଟିଆ କୁଡ଼ିଆ ଘର, ଦି’ପାଖରେ ବଡ଼ ବଡ଼ କୋଠାଘର ମଝିରେ କୁଆଡ଼େ ଲୁଚିଯାଇଚି । ଦି’ପାଖ କୋଠା ଉପରେ ଦୀପାଳିର ଧାଡ଼ି । ମଝି ଘରଟି ଅନ୍ଧାର । ଘର ଭିତରୁ ନଇଁ ନଇଁ ଦରମଲା ବୁଢ଼ୀଟିଏ ଆସି ଘର ଆଗ ତୁଳସୀ ଚଉରା ମୂଳେ ଢୋ ଢୋ ମୁଣ୍ଡପିଟି କହିଲା–ହେ ଧରମଦେବତା, ତୁ ଏକା ଏ ଉଗୁରି ସହିଲେ ହେଲା । ପୁଣି ଛୁଟିଲା ବୁଢ଼ୀ ଘରକୁ । ଘରଭିତରୁ କ’ଣ ଦୁମୁ ଦୁମୁ ଶୁଭିଲା । ଚିହରିଉଠିଲା କିଏ ଗୋଟିଏ । ଝିଅର ପାଟି, କଇଁ କଇଁ କାନ୍ଦଣା ଭିତରେ ପାଟିକରି କହୁଚି–ଖଦୀପଟା କିଛି ନାଇଁ, ଏ ସାତ ଗଇଁଠା କନାଧଡ଼ିଟାକୁ ବେଢ଼େଇହେଇ କିମିତି ଯିବ ଦୋକାନକୁ ।

 

କିଲୋ ଯାଉନୁ ଛତରଖାଇ । କିଏସେ ଅନେଇ ବଇଚି ତତେ ନେଇଯିବାକୁ । ସକାଳ ପହରୁ ବାସି ମୁହଁରେ ବୁଢ଼ାଟା ଯାଇଚି । ଯାଉନୁ ତେଲ ଲୁଣକରି ଦି’ପଇସାରେ ଆଣିବୁ ।

 

ପୁଣି ଶୁଭିଲା ଘରଭିତରୁ ଦୁମୁଦୁମୁ । ହାତରେ ତିନିଟା ବୋତଲ ଝୁଲେଇ ଘରଭିତରୁ ବାହାରିଆସିଲା ଯୁବତୀ ଝିଅଟିଏ । ଦେହମୁଣ୍ଡ ମୁକୁଳା ସାତଗଇଁଠା କନାଧଡ଼ି ଖଣ୍ଡକରେ ଦେହ ଲୁଚୁନାହିଁ । ମୁଣ୍ଡର ଫୁଙ୍ଗୁଳାବାଳ କେରାଏ ପବନରେ ଫରଫର ଉଡ଼ୁଚି । ଆଖିର ଲୁହ ପୋଛିବାକୁ କାନିଟା ପାଉନାହିଁ । ରୂପଟି ସୁନ୍ଦର । ସ୍ୱାସ୍ଥ୍ୟଟି ସୁନ୍ଦର । ଯୌବନ ଉଛୁଳିପଡ଼ୁଚି ଦେହରେ । ଗରିବ ଘରର ଝିଅ । ତିନିଦିନରେ ବାସି ପଖାଳ ଖାଇ ଜୀବନଟାକୁ ବଞ୍ଚେଇଚି । ପାଖ ବଜାରରେ ସବୁଲୋକ ତା’ର ଚିହ୍ନା । କାଲି ସକାଳେ ସେ କିମିତି ଥିଲା । ଲଙ୍ଗଳାହୋଇ ବସ୍ ପାଖକୁ ଦୌଡ଼ି ଯାଉଥିଲା । ହାତ ପତେଇ ବାବୁମାନଙ୍କୁ ପଇସାଟିଏ ମାଗୁଥିଲା । ଆଜି ତା’ର ଏ ପରିବର୍ତ୍ତନ କାହିଁକି ? ଆଜି କାହିଁକି ଘରୁ ବାହାରିଲେ ତାକୁ ବାରଲୋକ ଚାହୁଁଛନ୍ତି । ଛିଣ୍ଡା କବାଟ ଖଣ୍ଡିକରେ ଦେହ ଲୁଚାଇ ନ ପାରି ନିଜ ଦେହକୁ ଚାହିଁଲେ କାହିଁକି ନିଜକୁ ସରମ ମାଡ଼ୁଚି । ସେ କଥା ସେ ଭାବିପାରୁନାହିଁ ।

 

ଆଗେଇ ଚାଲିଛି ଝିଅଟି ।

 

ଆଗରେ ବରଗଛ ଛାଇତଳକୁ ଦି’ଟା ମଟର ଗାଡ଼ି । ମଟର ଭିତରୁ କିଏ ଗୋଟିଏ ବାବୁ ଛପି ଛପି ଆସି ଆଗରେ ଠିଆହେଲା । ପଛକୁ ଘୁଞ୍ଚିଆସିଲା ଝିଅଟି । ବାବୁଟିର ହାତରେ ନୋଟ ବିଡ଼ା । ଚାରିଆଡ଼କୁ ଚାହିଁଲା ଝିଅଟି । ଭଲ ମନ୍ଦ କିଛି ବିଚାର କଲାନାହିଁ । ନେବ କି ନ ନେବ ମୋଟେ ଭାବିଲା ନାହିଁ । ଅଭାବ ହେତୁ ନିଜର ଫୁଙ୍ଗୁଳା ଦେହଟାକୁ ଘୋଡ଼େଇଦବ ବୋଲି ହାତ ପତେଇଦେଲା ।

 

ରତନଙ୍କ ପରପଞ୍ଚିଆ ଆଖି ଦି’ଟା ବୁଜିହେଇପଡ଼ିଲା ଆପେ ଆପେ ।

 

ଆଗରେ ନଈଘାଟ । ନଈ ଆରପଟରୁ କଳା କଳା ଦି’ଗୋଡ଼ିଆ ଜୀବଗୁଡ଼ିଏ ଲୁହ ଆଉ ଲହୁ ମିଶେଇ ମାଟି ସାଥିରେ ଲଢ଼େଇ କରି କରି ଫେରୁଛନ୍ତି ଏତେବେଳକେ । ସେମାନେ ଗରିବ । ନିହାତି ଛୋଟ । ଅଛୁଆଁ ଜାତି । ସେଇମାନଙ୍କ ଦେହରୁ ଯେଉଁ ଝାଳ ନିଗିଡ଼ି, ରକତ ପାଣି ଫାଟି ଅନ୍ୟର ଅମାର ପୂର୍ଣ୍ଣ ହୁଏ ଜମା ଖାତାରେ, ଅଙ୍କପରେ ଅଙ୍କ ଯୋଖାହୁଏ, ବଙ୍କାବଙ୍କା କୋଠା ଉପରେ ନେଳୀ ଆଲୁଅ ଜଳି ପଙ୍ଖା ଘୁରେ, ରାସ୍ତାଉପରେ କେତେ ରକମର ମଟରଗାଡ଼ି ଛୁଟେ । ସେମାନେ ଯାହା କରନ୍ତି ସବୁ ଅନ୍ୟପାଇଁ । କିନ୍ତୁ ସେମାନେ ତାହା ବୁଝନ୍ତି ନାହିଁ । ସେମାନେ ବୁଝନ୍ତି ଯାହା ସେମାନେ କରନ୍ତି ସବୁ ନିଜପାଇଁ । ନିଜର ପେଟ ଚାଖଣ୍ଡକ ପାଇଁ । ସେମାନଙ୍କର ଧାରଣା, ସଂସାର କର୍ତ୍ତା ଯିମିତି ସେମାନଙ୍କୁ କେବଳ ସେଇଥିପାଇଁ ଜନ୍ମ ଦେଇଛନ୍ତି । ନିଜର କଲାକର୍ମର ଫଳ । ଦଇବ ଭିଆଣ କଲା ଲୋକ ଠାକୁର ।

 

ବିଚିତ୍ର ଦୁନିଆଁ ।

 

ଆଗେଇ ଚାଲିଲେ ରତନ । ପଛରୁ ଯିମିତି ତାଙ୍କୁ କିଏ ଠେଲି ଠେଲି ନେଉଚି । ଆସ୍ତେ ଆସ୍ତେ ଆଗର ଜିନିଷ ସବୁ ପଛରେ ପଡ଼ିଲା ।

 

କଟକ ଷ୍ଟେସନ । ଲୁହା ଫାଟକ ଭିତରେ କଲିକତା ପାସେଞ୍ଜର ଠିଆହୋଇଚି । କେତେ ଲୋକ ଆସୁଛନ୍ତି ଯାଉଛନ୍ତି । ପାଟି ଗୋଳରେ ଏ କାନର କଥା ସେ କାନକୁ ଶୁଭୁନାହିଁ । ମୁଶାଫିର ଖାନାର ଗୋଟିଏ କଣକୁ ଏକୁଟିଆ ବସିଥାନ୍ତି ରତନ । ଆଗରେ ବିଜୁଳିବତୀ ପାଖକୁ ବିଜୁଳି ପଙ୍ଖା ଘୂରୁଚି । ତାରି ଆଡ଼କୁ ଅନେଇ ରତନ ଲକ୍ଷ୍ୟ କରୁଥାନ୍ତି ଜୀବନର ଗତି । ତାରି ଭିତରେ ଯିମିତି ଗୋଟିଏ ପଥହରା ବାଟୋଇ ବାଟବଣା ହୋଇ ଚକର ଖାଉଚି । ଚାରିଆଡ଼ ଅନ୍ଧାର । କୁଆଡ଼େ ଯିବ ବାଟପାଉନି ଯିବାକୁ । ଆହୁରି ଟିକେ ନିରୀକ୍ଷଣ କଲେ ରତନ । ତା’ରି ଭିତରୁ ଆହୁରି ଗୋଟିଏ କ’ଣ ନୂଆ ଜିନିଷ ଖୋଜିବାକୁ । ମୁଣ୍ଡଟା ଘୂରେଇଦେଲା ।

 

ଟିକେଟ୍ କରିବା ପାଖରୁ ଲୋକ କମିଗଲେଣି । ଯନ୍ତ୍ର ଚାଳିତ ପରି ରତନ ଯାଇଁ କାହିଁକି ସେଇଠି ଠିଆହେଲେ । ଗାଡ଼ି ଛାଡ଼ିବାକୁ ଗାର୍ଡ଼ ହୁଇସିଲ୍ ଦେଲା । ଚମକିପଡ଼ିଲେ ରତନ । ଟିକେଟ୍ ମାଷ୍ଟର ପଚାରିଦେଲା କୁଆଡ଼େ ଯିବେ ? କ’ଣ କହିବେ ? ରତନଙ୍କ ପାଟି ଆଫୁ ଆଫୁ ହୋଇଗଲା । ହଠାତ୍ ପାଟିରେ ପଶିଗଲା କଲିକତା । ଟିକେଟ୍ ମାଷ୍ଟର ଟିକେଟ୍ ଖଣ୍ଡିଏ ବଢ଼େଇଦେଲା ।

 

ରତନ ଗାଡ଼ିରେ ଚଢ଼ିଲେ । ଗାଡ଼ି ଚାଲିଲା ।

 

ଦିନ ଯାଏ, ରାତି ଆସେ । ମାସଯାଏ, ବର୍ଷ ପୂରେ । ବରଷା ପରେ ଶରତ, ତା’ ପରେ ବସନ୍ତ । ବସନ୍ତ ପରେ ବସନ୍ତ ଯାଇ ପୁଣି ଗୋଟିଏ ବସନ୍ତ ଆସିଲାଣି । ଚାହୁଁ ଚାହୁଁ ଦୁଇଟି ବର୍ଷ କଟିଗଲାଣି । ତଥାପି ଆଖିପତା ତଳର ଶୁଖିଲା ଲୁହଧାର ସେଇପରି ରହିଚି । ଦାଗ ନିଭିନାହିଁ । ଦୀର୍ଘଦିନ ଧରି ଅପେକ୍ଷା କରି ରହିଚି ରେଣୁ–ତା’ର ରତନ ଭାଇ ଆସିବେ । ରତନ ଆସିନାହାନ୍ତି–ହୁଏତ ଆସି ନପାରନ୍ତି କିନ୍ତୁ ତାଙ୍କର ପ୍ରତୀକ୍ଷାରେ ଯେପରି ସେ ଆନନ୍ଦ ପାଏ । ଜୀବନ୍ତ ହୋଇଉଠେ ତା’ର ସମଗ୍ର ଅବୟବ । ଦିନ ଦିନ ଧରି କର୍ମମୟ ଦିନଗୁଡ଼ିକ ଅତିବାହିତ ହୋଇଯାଏ-। ଋତୁର ବର୍ଣ୍ଣୋତ୍ସବରେ କେତେ ପରିବର୍ତ୍ତନ ହେଲାଣି । କିନ୍ତୁ ରେଣୁର କିଛି ପରିବର୍ତ୍ତନ ହୋଇନାହିଁ-। ହେବାର ଆଶା ବି ତା’ର ନାହିଁ । ସେ ଦୁଇବର୍ଷପରେ ଯେପରି ଅପେକ୍ଷା କରିଥିଲା ଆଜି ବି ସେହିପରି ଅପେକ୍ଷା କରିଛି ବରଂ ତାଠାରୁ ଆହୁରି ଅଧିକା ଆଗ୍ରହ ଓ ଉଦ୍‌ବେଗ ନେଇ ସେ ଅପେକ୍ଷା କରି ରହିଛି ତା’ର ରତନ ଭାଇ ଆସିବେ–ନିଶ୍ଚୟ ଆସିବେ ରେଣୁ ଅବିଶ୍ୱାସ କରିପାରୁନାହିଁ । ମନରେ ତା’ର ଦୃଢ଼ତା–ସେ ନିଶ୍ଚୟ ଆସିବେ ।

 

ଏହା ଭିତରେ କେତେ ଘଟଣା ଘଟିଗଲାଣି । କେତେ ଝଡ଼ଝଞ୍ଜା ବହି ଗଲାଣି; ସବୁ ଏ ମାଟିର ଦେହ ସହିଚି । ତଥାପି ରେଣୁ ତା’ର ରତନ ଭାଇଙ୍କୁ ଭୁଲିପାରୁ ନାହିଁ । ବାପା କଲିକତା ଯିବାର ଗୋଟିଏ ମାସ ନ ପୁରୁଣୁ ଚଟକଳରୁ ଡବଲ ତାର ଆସିଲା–ବାପା ବେମାର । ବେଉରା ପାଇ ବୋଉ କେତେ କାନ୍ଦିଲା । ସିଏ କେତେ କାନ୍ଦିଲା । ଦୁଆର ବନ୍ଧରେ ମୁଣ୍ଡ ପିଟିଲା । ବେକରୁ ହରଡ଼ଫାଳ କଣ୍ଠିମାଳକ ବନ୍ଧାପକେଇ ବୋଉ ବାହାରିଲା କଲିକତା ଯିବାକୁ । ଗାଁର ସମସ୍ତେ ଛି ଛି କଲେ । କୁହୁଳିକା ନିଆଁକୁ ପାଳଦୋ ଭିତରେ ରଖି ଛାତି ପତେଇଲା ନାହିଁ ଯିବାକୁ । ନଈ ସେପାରି ପହଲା ତନ୍ତି ଦି’ପିଠର ଗାଡ଼ିଭଡ଼ା ନେଇ କଲିକତା ବାହାରିଲା । ବୋଉ ନେଇ ମଟର ଚଢ଼େଇ ଦେଇଆସିଲା । ତିନିଦିନ ଘରେ ରନ୍ଧାବଢ଼ା ନାହିଁ । ନିର୍ଜ୍ଜଳା ଉପାସ । ଚାରିଦିନ ବେଳବୁଡ଼କୁ ଛୋଟ ଝିଅଟିଏ ଆସି କହିଲା–ରେଣୁ ଦେଈ ଲୋ ତୋ ବାପା ଆସିଲାଣି । ଦୌଡ଼ି ଯା ଦେଖିବୁ । ଚମକିପଡ଼ିଲା ରେଣୁ । ତିନିଦିନ ପରେ ନଙ୍ଘାଚୁଲି ଉପରେ ଗଣ୍ଡାଏ ଭାତ ବସେଇ ନାଗୁଆଣି ଦେଉ ଦେଉ ବୋଉ ତା’ର ସେଇଠି ଟଳିପଡ଼ିଚି । ଉଠେଇଦେଇ ଧାଇଁଗଲା ଗାଁ ମୁଣ୍ଡକୁ । ଯାହା ଦେଖିଲା ଛାତି ସହିବା କଥା ନୁହେଁ । ପହଲା କାନ୍ଧରେ ପକାଇ ଆଣୁଚି । ବାପାଙ୍କର ବାଁ ଗୋଡ଼ଟା ବିଲକୁଲ ନାହିଁ । ଚଟକଳରେ କଟିଯାଇ ପଟିବନ୍ଧା ହୋଇଚି । ମା’ ଝିଅ ଦୁହେଁଯାକ ଭୋ କରି କାନ୍ଦିଉଠିଲେ-

 

ଠିକ୍ ଆଠଦିନ ପୂରି ନ’ଦିନ ରାତି ଅଧକୁ ରେଣୁର ଛାତି ଭିତରୁ ଗୋଟାଏ ସୁହାଗତୁଟା ଦମକା ବତାସ ଚମକନେଇ ଉଛୁଳିଆସିଲା । କାନ୍ଦି କାନ୍ଦି ଆଖିପତା ଫୁଲିଲା । ଦୁଆର ବନ୍ଧରେ ମୁଣ୍ଡ ପିଟି ପିଟି ବୋଉର ତାଳୁ ଫୁଲିଲା । ଗାଁର କେତେ ଲୋକ ଆସିଲେ । ସମସ୍ତଙ୍କ ପାଟିରେ ଆହା ପଦ । ବାହୁଡ଼ିଲାବେଳେ ସମସ୍ତେ ରେଣୁକୁ ଚାହିଁ କହିଲେ–ଝୁଅ ଲୋ ତୋ’ରି କରମ ହୀନ ।

 

ରାତି ପାହିଲା ବେଳକୁ ରେଣୁ ଦେଖିଲା ତାଙ୍କର ଘରଠାରୁ ଟିକିଏ ଦୂର ଛାଡ଼ି କେଲୁଅ ନଈର ଖରାଟିଆ ବାଲି ଗୋଟାଏ ଗହଳିଆ ବାଉଁଶ ବଗିଚା ଭିତରୁ ଆଖି ମିଟି ମିଟି କରୁଚି, ସେଇ ବାଲି ଅଧାରେ ତାରି ବାପାଙ୍କ ଚିତା ଜଳୁଚି । ରେଣୁ କେତେ କାନ୍ଦିଲା । ଆଖିରୁ କେତେ ଲୁହ ଗଡ଼େଇଲା କିନ୍ତୁ ହଜିଲା ଜିନିଷଟି ସେ ଆଉ ଫେରିପାଇଲା ନାହିଁ ।

 

ଗୋଟିଏ ବରଷ ପୂରିଗଲାଣି । ଚୋରା ଚଇତାଳି ଯେତେବେଳେ ବସନ୍ତର ଶେଷ ସଙ୍ଗୀତ ଗାଇ ଗାଇ ଦେହ ଓ ମନରେ ସୃଷ୍ଟି କରୁଥିଲା ଏକ ବେସୁରା ରାଗିଣୀ, ଠିକ୍ ସେତିକିବେଳେ ତାଙ୍କ ମା’ ଝିଅ ଦୁହିଁଙ୍କୁ ଛାଡ଼ି କେଲୁଅ ନଈରେ ଭୁଷା ବାଲିରେ ବାପା ତା’ର ଜଳିଲା ଚିତାରେ କୁଆଡ଼େ ଉଭେଇଗଲେ । ସେଦିନର କଥା ବି ଆଜିଯାଏଁ ଜୀବନ୍ତ ହୋଇ ରହିଚି ରେଣୁର ମନରେ । ଯେତେବେଳେ ଘରର ଦୈନନ୍ଦିନ କାର୍ଯ୍ୟ ଶେଷ ହୁଏ ରେଣୁ ଏକୁଟିଆ ବସି କେତେ ଭାବେ । କେତେ କାନ୍ଦେ । ଜୀବନର ଓଲଟା ସୁଅ ତା’ର କୁଆଡ଼େ ଛୁଟୁଚି–ଠିକ୍ କରିପାରେ ନାହିଁ । ମନରେ ଅହେତୁକ ଭାବନା ଆସେ–ଆଜି ଯଦି ରତନ ଭାଇ ଥାନ୍ତେ...

 

ଏଥର ରେଣୁ ଦେଖୁଚି ତାକୁ କାହିଁକି ବୋଉ ଆଉ ଦଣ୍ଡେହେଲେ କୁଆଡ଼କୁ ଛାଡ଼ୁନାହିଁ । ଦେହ ମୁଣ୍ଡରୁ ଟିକେ କାନି ଖସିଗଲେ ନାଲି ନାଲି ଆଖିକରି ଚାହୁଁଚି । ସବୁବେଳେ ଦାବଦାରୀ କରି କହୁଚି । ଭିତରେ ଭିତରେ ତାକୁ ଦେଖିବାପାଇଁ କେତେ ଲୋକ ଆସୁଛନ୍ତି । ରେଣୁ କିଛି ବୁଝିପାରୁ ନାହିଁ । ଛୋଟ ଝିଅଟି ପରି ତାଙ୍କ ଆଗକୁ ଯାଉଚି । ହସି ହସି କଥା କହୁଚି । ବୋଉ କଥାରେ ସମସ୍ତଙ୍କୁ ଜୁହାର ହେଉଚି । କେତେ ଲୋକ ତା’ ହାତରେ ଟଙ୍କା ଦେଉଛନ୍ତି । ଟଙ୍କା ଆଣି ବୋଉ ହାତରେ ଦେଲାବେଳେ ସେ ହସି ହସି ବୋଉକୁ ପଚାରିଦଉଚି–କିଏ କିଲୋ ବୋଉ ସିଏ ? ବୋଉ କିଛି କହୁନାହିଁ ।

 

ଦିନକର ରେଣୁ ଦେଖିଲା ତାକୁ କାହିଁକି ଗାଁ ଝିଅମାନେ ସମସ୍ତେ ଦେଖିବାକୁ ଆସୁଛନ୍ତି । ଦାଣ୍ଡ ଦୁଆରେ ଦି’ଜଣ ବଣିଆ ଆସି ତା’ ହାତରୁ କିଛି ନେଇ ଗହଣା ତିଆରି କରୁଛନ୍ତି । ସକାଳେ କିଏଜଣେ ଅଚିହ୍ନା ଲୋକ ଆସିଥିଲା । ବୋଉ ତାକୁ ଘରଭିତରେ ବସେଇ ଚୁପ୍ ଚୁପ୍ କରି କ’ଣ କହିଲା । ଲୋକଟି ଗଲାବେଳେ କହିଗଲା ସନ୍ଧ୍ୟାବେଳକୁ ସବାରି ବେହେରା ଆସିବେ । କଥା ପଦିକ ରେଣୁର କାନରେ ବାଜିଲାବେଳୁ ସେ ମନେମନେ ଘାଣ୍ଟି ଚକଟି ହେଉଛି । ସବାରୀ ବେହେରା ଆସିବେ କାହିଁକି । କଥା ଆଉ ଅଛପା ରହିଲା ନାହିଁ । ରେଣୁ ବୁଝିଲା ବୋଉ ତାକୁ କୁଆଡ଼େ ଉଠେଇଦବ ।

 

ରେଣୁର ମୁଣ୍ଡ ବିଗିଡ଼ି ଗଲା । ଏ ଅବସ୍ଥାରେ ତା’ର କ’ଣ କରିବା ଉଚିତ ଭାବିପାରିଲା ନାହିଁ । ଭାବିଲା ଆତ୍ମହତ୍ୟା କରିଦେବ । ନଈ ଗଣ୍ଡକୁ ଡେଇଁପଡ଼ିବ ନହେଲେ ଘର ଓରାରେ ରସି ଲଗେଇଦବ । ମନହେଉଛି, ପୁଣି ହେଉନାହିଁ । ମନେପଡ଼ୁଚି ରତନଭାଇଙ୍କ କଥା । କି ସୁନ୍ଦର ମୁହଁ-। କି ସୁନ୍ଦର କଥା । ସେ’ କ’ଣ ଆସିବେ ନାହିଁ ? ହଁ ହଁ ନିଶ୍ଚୟ ଆସିବେ । ସେ କ’ଣ ତାକୁ ଭୁଲିଗଲେଣି ? ନା–ଭୁଲିନାହାନ୍ତି । ଭୁଲି ବି ପାରିବେ ନାହିଁ । ଉଚ୍ଛୁଳା ପ୍ରେମର ମୋହ । ପ୍ରାଣ ପ୍ରାଣର ମମତା । କମ୍ କଥା ନୁହେଁ । ସେ ଆସିବେ । ସେ ନିଶ୍ଚୟ ଫେରିଆସିବେ ।

 

ପୁଣି ଭାବିଲା ସେ ଦୌଡ଼ିଯିବ ତା’ର ରତନ ଭାଇଙ୍କ ପାଖକୁ । ମନଖୋଲି ସବୁଯାକ କଥା କହିଦେବ । ସେ ଯଦି ତାକୁ ଗ୍ରହଣ ନ କରିବେ, ତେବେ ସେ ଆଉ ଘରକୁ ଫେରିବ ନାହିଁ । ସିଧା ସିଧା ବାହାରିଯିବ ଜଗନ୍ନାଥ ରାସ୍ତା ଉପରକୁ । କେତେ ଯୋଗୀ ଭିକାରି ତ ଭିକମାଗି ଚଳୁଛନ୍ତି । ସେ ସେଇପରି ଚଳିବ । ତାଙ୍କର ନା ଧରି ସେ ଚାରିଆଡ଼େ ବୁଲିବ । ପ୍ରୟୋଜନ ନାହିଁ ଏ ଅଲୋଡ଼ା ଜୀବନର । କିନ୍ତୁ ସେ କୁଆଡ଼େ ଯିବ ? ବାଟ କ’ଣ ଦେଖିଚି ? ରେଣୁର ଆଖିରୁ ଝରିପଡ଼ିଲା ଦୁଇଗୋଟି ଲୁହର ଧାର ।

 

ଦୌଡ଼ି ଦୌଡ଼ି ଯାଇଁ ରେଣୁ ବୋଉକୁ କୁଣ୍ଢେଇ ପକେଇଲା । ପାଦତଳେ ମୁଣ୍ଡ ପିଟିଲା । ମା’ ନିଜର ପ୍ରାଣର କୋହ ଏଡ଼ିପାରିଲା ନାହିଁ । ଦି’ ଆଖିପତା ଓଦେଇଆସିଲା । ରେଣୁ ଦେଖିଲା ତା’ ଲୁହ ସାଥିରେ ବୋଉର ଆଖିରେ ବି ଲୁହ । ବୋଉର ମୁହଁକୁ ଜୁଳୁଜୁଳୁ କରି ଚାହିଁ ରେଣୁ କହିଲା–ବୋଉ ତୁ ମତେ ପାଖରୁ ଛାଡ଼ିବାକୁ କିମିତି ମନେକରୁଚୁ । ମୁଁ ତତେ ଛାଡ଼ିପାରିବି ନାହିଁ । ଯାହାକୁ ତୁ କରିଥିଲୁ ପ୍ରାଣରୁ ଅଧିକ ଯିଏ ଥିଲା ତୋର ଜୀବନର ଦୀପ ଆଜି ପୁଣି ତାରି ବେକରେ ଛୁରି ଚଳେଇ ଦବାକୁ, ତୋର କିମିତି ସତ ବଳୁଚି । ଟିକିଏ ରହିଲା ପରେ ପୁଣି କହିଲା, ବା’ଘରଟା ଭାଙ୍ଗିଦେ ବୋଉ । ମୁଁ ତତେ ଛାଡ଼ିପାରିବି ନାହିଁ । ତୁ ମୋ ପାଇଁ ଚିନ୍ତା କରନା । ତୁ ଭାବିନେ ମୁଁ ତୋର ଝିଅ ନୁହେଁ । ଗୋଟିଏ ଛୋଟା ବିକଳାଙ୍ଗ ପୁଅ ।

 

ଭାଉକରି କାନ୍ଦିଉଠିଲେ ଦୁହେଁଯାକ ।

 

ପୁଣି ଥରେ ବୋଉର ଦୁଇ ବାହାକୁ ହଲେଇଦେଇ ରେଣୁ କହିଲା–କହ, କହ ବୋଉ ତୁ କ’ଣ ଏ ଛୋଟା ପୁଅଟାକୁ ପାଖରୁ ତଡ଼ିଦେବୁ ?

 

ଝିଅର ଆକୁଳ କଥାରେ ମା’ର ମନ ବୁଝିଲା ନାହିଁ । ତା’ର ଦୁଇଆଖିରୁ ଲୁହଧାର ଦୁଇଟି ପୋଛି ତାକୁ କୋଳକୁ ଆଉଯାଇ ଆଣିଲେ ମିନତୀ ଦେବୀ । ତା’ର ଅସଜଡ଼ା ବାଳ କେରାକ ସଜାଡ଼ିଦେଲେ । ପିଠି ଆଉଁସି ଦେଉ ଦେଉ ବହୁତ ବୁଝେଇଲେ । ଯେଉଁ ପ୍ରାଣ ମହୁର ସୁଆଦ ପାଇଛି ତା’ ପାଖରେ ଗୁଡ଼ପାଣି ଦେଇ ଭଣ୍ଡେଇଲେ କି ସେ ବୁଝିବ ? ରେଣୁ ବୁଝିଲା ନାହିଁ-। ସେଇ ଗୋଟିଏ ଅଝଟ ମୁଁ ଘର ଛାଡ଼ିବି ନାହିଁ । ଯଦି ଜୋର୍ କରି ପଠେଇବୁ ମୁଁ ବିଷଖାଇ ମରିବି-। ଦିନ ଗଡ଼ିଲା ।

 

ସଞ୍ଜବେଳ ପାଖେଇଆସିଲାଣି । ସାଙ୍ଗ ଝିଅମାନେ ଦଳଦଳ ହୋଇ ଯେତେକ ଦେଖିବାକୁ ଆସିଲେ ସମସ୍ତେ ଲେଉଟିଲେ । କେହି ରେଣୁକୁ ଦେଖିଲେ ନାହିଁ । ବାରିକିଆଣୀ ବିଷ୍ଣୁ ମାଇପ ଗୋଡ଼ରେ ଅଳତା ଦବାକୁ ଆସି ବସି ବସି ଫେରିଲା । ଗଲାବେଳେ ଗୁଣ ଅବିଗୁଣ ଯେତେକ ସବୁ କାନ କାନ କରି କହିଲା । ବୋଉ ଡାକି ଡାକି ଥକିଲା । ରେଣୁ କାହାରି କଥା ମାନିଲା ନାହିଁ । ଘର ଭିତରେ କିଟିକିଟିଆ ଅନ୍ଧାରରେ ଅଣଆଡ଼ିଆ ହୋଇ ଭୂଇଁଟାରେ କାନିପାରି ଶୋଇଲା । ଘର ଭିତରୁ କବାଟ ଖୋଲିଲା ନାହିଁ । ମନଭିତରେ କେତେ ଠାକୁରଙ୍କୁ ଡାକିଲା । କେତେ କଥା ମାନସିକ କଲା । ହେ ବାବା ଶ୍ୟାମସୁନ୍ଦର, ହେ ମା’ କଟକଚଣ୍ଡୀ, ହେ ମା’ କାଳୀ ସମସ୍ତେ କ’ଣ ମୋରି ବେଳକୁ ପଥର ପାଲଟିଲ । ହେ ରତନ ଭାଇ ତମେ କେଉଁଠି ଅଛ ଏହି ବେଳରେ ଦୌଡ଼ିଆସ । ଏ ବିପଦରୁ ମତେ ବଞ୍ଚେଇନିଅ । କିନ୍ତୁ କିଛି ହେଲା ନାହିଁ । ଅଭାଗୀ କପାଳକୁ ସମସ୍ତେ ନୀରବ ।

 

ରାତି ପହଡ଼େ ହେଲାଣି । ରେଣୁର କାନରେ ବାଜିଲା ଦାଣ୍ଡରେ ବହୁତ ଲୋକଙ୍କର ପାଟି ଶୁଭୁଚି । ଘର ଭିତରେ କେହିନାହାନ୍ତି । ଏକୁଟିଆ ବୋଉ । ଶିଳରେ କ’ଣ ବାଟୁଚି । ଦାଣ୍ଡଆଡ଼ୁ ରାଧିମା ବୁଢ଼ୀ ପାଟି କରିକରି ଆସୁଚି । ରେଣୁ ଯାଇ ଝରକାପାଖରେ ଠିଆହେଲା । ଶୁଣିଲା–ରାଧିମା ଚୁପ୍ ଚୁପ୍ କରି ବୋଉକୁ ପଚାରୁଚି ଇମିତିଆ କଥା କ’ଣ ଶୁଣାଯାଉଚି କିଲୋ ଛୁଆ ବୋଉ । ବୋଉ ବଟା ଛାଡ଼ିଦେଇ କହୁଚି–କ’ଣ କହିବି ଲୋ ରାଧିମା । ହଟହଟା କହିଲେ ନ ସରେ । ଭାଗ୍ୟର ଦୋଷ । ନିଜର ଅରଜିଲା ଫଳ । ଦୋଷ ଦେବି କାହାକୁ । ତା’ପରେ ତାରି ଅବିଗୁଣ ଯାକ ସବୁ କହୁଚି ।

 

ରେଣୁ ଆଉ ସହିପାରିଲା ନାହିଁ । ଶିଳଉପରେ ଡିବିରି ଆଲୁଅଟା ଜଳୁଥିଲା । ତାରି ଝାପସା ଆଲୁଅରେ ଅନେଇଲା । ଶିଳ କଡ଼କୁ କନିଅର ମଞ୍ଜି ଖୋଳପାଗୁଡ଼ାକ ପଡ଼ିଚି । ମନଟାକୁ କେତେ ଆଡ଼ର ପାପ କଥା ଛୁଇଁଲା । ତାରି ପାଇଁ ସିନା ଏତେ କଥା । ରେଣୁ କବାଟ ଖୋଲି ଦୌଡ଼ିଗଲା ପଦାକୁ । ଶିଳଉପରେ ବଟା ତାଟିଆଟା ଥୁଆ ହେଇଥିଲା । ଝଟ୍‌କିନା ଉଠେଇଆଣି ଢକ୍ ଢକ୍ କରି ପିଇଦେଲା–ତାଟିଆ ଯାକର ସବୁଯାକ ଗୋଳିଲା ବିଷ ।

 

ଚିହିରା ଛାଡ଼ି ମିନତୀ ଦେବୀ କୁଣ୍ଢେଇ ପକେଇଲେ ରେଣୁକୁ । ତାଟିଆଟା ହାତରୁ ଛଡ଼େଇଆଣିଲେ । ସେତେବେଳକୁ କଥା ସରିଯାଇଥିଲା । ଖାଲି ତାଟିଆାଟା ଫୋପାଡ଼ିଦେଲେ ଦୁଆରକୁ । ପାଟିକରି ଉଠିଲେ–ଇଲୋ ମୋ ସଂସାର ସରିଗଲା ।

 

ଦେଖୁ ଦେଖୁ ଦୁଆରଟା ଯାକ ଲୋକରେ ପୂରିଗଲେ । କେତେ ଲୋକ କେତେପ୍ରକାର ବଢ଼େଇଲେ । ରାଧିମା ବୁଢ଼ୀ ଭାରି ପର ଉପକାରୀ । ଭାଡ଼ି ତଳ ଖୋଜି ଗୁଳାଏ ବିଲେଇ ଘୁଅ ଆଣିଲା । ରେଣୁର ଦାନ୍ତ ଯାବ ହୋଇଯାଇଥାଏ । ଖରିକା ପୂରେଇ ସବୁଯାକ ପାଣିମିଶା କରି ପିଆଇଦେଲା । ସାଙ୍ଗେ ସାଙ୍ଗେ ଭକ୍ ଭକ୍ ବାନ୍ତି ହୋଇଗଲା ରେଣୁର । ତାରା ଫୁଟିଲା ଆକାଶରେ ଗଚ୍ଛିଲା ମେଘ ଚାରିଆଡ଼ ଅନ୍ଧାର କରି ଘୋଟିଆସିଲା । ଆଖିଆଗରେ ପ୍ରଳୟ ବିଜୁଳି–ତୋଫାନ । ରେଣୁ ଆଖି ଖୋସିଦେଇ ଟଳିପଡ଼ିଲା ତଳକୁ । ହତଜ୍ଞାନ ।

 

ଯେତେ ଡାକିଲେ ରେଣୁ ଆଉ ଣୁଣିଲା ନାହିଁ ।

 

ସେଇଦିନ ପ୍ରାୟ ରାତିଅଧ ପାଖାପାଖି ଟିକେ ଚେତା ଆସିଲା । ରେଣୁ ଠଉରେଇ ପାରିଲା । ବୋଉକୁ କିଏ କହୁଚି–କୁଣିଆଁ ଫେରିଗଲେ । ବା’ଘର ଭାଙ୍ଗିଗଲା । କଥା ପଦକ ଶୁଣି ରେଣୁର ମନଟା କାହିଁକି ଟିକେ ସରସି ଆସିଲା । ଧୀରେ ଧୀରେ ଆଖିଖୋଲି ଅନେଇଲା । ପାଖରେ ବୋଉ । ଆଖିପତା ଦୁଇଟି ପୁଣି ତା’ର ଲୁହରେ ଜକେଇଆସିଲା । ବୋଉର ମୁହଁ ଚାହିଁ ହାତ ଠାରିଲା କ’ଣ କହିବାକୁ । କହିପାରିଲା ନାହିଁ । ବୋଉର ହାତରେ ନିଜର ହାତକୁ ଛନ୍ଦିଲା । କେତେବେଳେ ଖନ ଖନ କରି କହିଲା–ବୋଉ ତୋ ଆଖିର ଲୁହ ଦେଖିବାପାଇଁ ମୁଁ କାହିଁକି ବଞ୍ଚିଲି-। ତୁ କାହିଁକି ମତେ ମରଣ ବାଟରୁ ଟାଣିଆଣିଲୁ । ଆଉ କିଛି କହିହେଲା ନାହିଁ ।

 

ପୁଣି ହତଜ୍ଞାନ ।

 

ତହିଁଆରଦିନ ଦିନ ଆସି କେତେ ହେଲାଣି । ରେଣୁର ନିଦ ଭାଙ୍ଗି ଆସୁଥାଏ । ସ୍ୱପ୍ନରେ ତା’ ସହିତ କିଏ କଥା କହିଲା ପରି କଥା ଗୁଡ଼ା ତା’ର କାନରେ ବାଜିଲା । ତାଙ୍କରି ଘର । ସିଏ ଖଟଉପରେ ଶୋଇଚି । ତା’ର ରତନ ଭାଇ ଆସିଛନ୍ତି । ତାକୁ ଉଠଉଛନ୍ତି । ସିଏ ନିଦରେ ପେଖନା କାଢ଼ି ଘାଲେଇ ପଡ଼ିଚି । ହଲେଇଦେଲେ କାଠ ଗଡ଼ଟି ଭଳି ଏପାଖ ସେପାଖ ଗଡ଼ିଯାଉଚି । ଜମାରୁ ଶୁଣୁନାହିଁ । ସେଇଠୁ କ’ଣ କରୁଛନ୍ତି ନା ରତନ ତା’ ବ୍ଲାଉଜ ତଳେ ହାତ ପୂରେଇ ତା’ କାଖରେ କୁଲ୍ କୁଲ୍ କରୁଛନ୍ତି । ସିଏ ସମ୍ଭାଳିପାରିଲା ନାହିଁ । ହସିଉଠିଲା । ହାତ ବଢ଼େଇଲା ରତନକୁ କୋଳକୁ ଟାଣିଆଣିବ ବୋଲି । ରତନ ଧରାଦେଲେ ନାହିଁ । ହସି ହସିକା ଦଉଡ଼ିଗଲେ ବଗିଚା ଆଡ଼େ । ସେ ଗୋଡ଼େଇ ଗଲା । ଯାଉ ଯାଉ ବଗିଚା ଅଧାରେ ଝୁଣ୍ଟିପଡ଼ିଲା । ଉଠି ଅନେଇଲା ବେଳକୁ ରତନଭାଇ ନାହାନ୍ତି । ବଗିଚାଯାକ କେତେ ଖୋଜିଲା । ପ୍ରତି ଫୁଲର ପାଖୁଡ଼ା ତଳ ଦେଖିଲା । ଘାସଗଛ ଆଡ଼େଇଲା । ନିଜର ପିନ୍ଧିଲା ଲୁଗା ଝାଡ଼ିଲା । କେଉଁଠି ହେଲେ ତା’ର ରତନ ଭାଇକୁ ପାଇଲା ନାହିଁ । ବଗିଚା କୂଅମୂଳେ ବସି କାନ୍ଦୁଛି ରତନଭାଇ କେଉଁଠିଥିଲେ–ଛପି ଛପି ଆସି ତା’ ଆଖିକୁ ବୁଜି ଧରିଲେ । ବୁଲିପଡ଼ି ଚାହିଁଲା ବେଳକୁ ପୁଣି ସେଇକଥା । ରତନଭାଇ ନାହାନ୍ତି । ଆଶ୍ଚର୍ଯ୍ୟ କଥା ।

 

ରେଣୁ ଆଖି ଖୋଲିଲା । ଦେହଟା ଅବଶ ଲାଗୁଚି । ବାରକଥା ଭାବି ଭାବି ମୁଣ୍ଡଟା ବଥାଉଚି । ଆଖିପତା ପୁଣି ମାଡ଼ିପଡ଼ୁଚି । ବହୁତ କଷ୍ଟରେ ଉଠି ପଦାକୁ ଗଲା । ରାଧିମା କୁଆଡ଼େ ଯାଉଥିଲା, ଦେଖିଲାକ୍ଷଣି ପାଖକୁ ଆସିଲା । ବଳେ ବଳେ କହିଲା–ତୋର ଗେଟିଏ ଖବର ଆଣିଚି ଲୋ ଟୋକି । କାଲି ବଜାର ହାଟକୁ ଯାଇଥିଲି । ଫେରିଲାବେଳେ ଅଧବାଟରେ ତୋର ସେଇ ରସିକ ବରକୁ ଦେଖିଲି । ଦେଖିଲାକ୍ଷଣି ମତେ ଅଟକେଇଦେଲା । ତୋ କଥା କେତେ ପଚାରିଲା ।

 

ରେଣୁ ଆଉ ଧୈର୍ଯ୍ୟ ରଖିପାରିଲା ନାହିଁ । ମନ ଆନନ୍ଦରେ କୁଣ୍ଢେଇ ପକେଇଲା ରାଧିମାକୁ । କହିଲା–ସତ କହୁଚୁ ରାଧିମା । ମୋ ଦେହ ଛୁଇଁ କହିଲୁ । ସତରେ ରତନଭାଇ ମୋ କଥା ପଚାରୁଥିଲେ ?

 

ସାଙ୍ଗେ ସାଙ୍ଗେ ବଦଳିପଡ଼ିଲା ରାଧିମା । ମୁହଁଟାକୁ କିମିତି କିମିତି କରି କହିଲା–ଏଡ଼ିକି ନିର୍ଲଜ୍ଜୀ ଲୋ ତୁ ଟୋକି । ଅମୂକ ଗାଁକୁ ବାଟ କୁଆଡ଼େ ନା, ଧୋବା କହୁଚି ଏସବୁ ମୋର ଗାଁ । ମନରେ ନାହିଁ ନା ମାଳାରେ ନାହିଁ ଭଜି ଭଜି କରି ପାଇବ କାହିଁ ! କିଲୋ ସିଏ ତ ଟିକିଏ ହେଲେ ତୋ କଥା ଭାବୁ ନାହିଁ । ତୁ କାହିଁକି ଝୁରିହେଉଚୁ । ଶୁଣିବୁ ? ସେଇ ଗାଁକୁ ଖାସେ ତୋରି କଥା ବୁଝିବାକୁ ଯାଇଥିଲି । ସେ ପୁଅକୁ ପାଇଲି ନାହିଁ । ଗାଁରୁ ବୁଝିଲି ସିଏ କାଳେ ଭାରି ଥିଲା ଘରର ପୁଅ । ଦେଢ଼ ବରଷ ହେଲା ବା’ଘର ସରିଲାଣି । ବୋହୂଟି କୁଆଡ଼େ ଦିବ୍ୟ ସୁନ୍ଦର । ସ୍ୱର୍ଗର ଅପସରୀ । କୋଳରେ ଗୋଟିଏ ଦଶ ମାସର ପୁଅ ।

 

ରାଧିମା ପାଟିରୁ କଥା ନ ସରୁଣୁ ଦୁଲ୍ କରି କଚାଡ଼ି ହେଇପଡ଼ିଲା ରେଣୁ ।

 

ସବୁଦିନ ପରି ଆଜି ମଧ୍ୟ ପୂର୍ବଦିଗରେ କଅଳ ସୂର୍ଯ୍ୟ ହସିଉଠିଲେ । ଗଛ ପତରରୁ ଟୋପି ଟୋପି କରି ଶିଶିର ବିନ୍ଦୁ ଝରିପଡ଼ିଲା । ବସା ଆଗ ଗଙ୍ଗଶିଉଳୀ ଗଛମୂଳେ ମୁଠେ ବହଳର ଫୁଲ ଜମାହେଲା । ଦିନ ଘଡ଼ିଏ ହେଲାଣି । କଅଁଳ ଖରା ପାକଳ ହେଲାଣି । ରତନ ବିଛଣାରୁ ଉଠିନାହାନ୍ତି । ଉଠିବାକୁ ମନ ବି ହେଉନାହିଁ ।

 

କଲିକତା ପରିବାବୁଙ୍କର ଭୂଷି ଗୋଦାମ । ଗୁମାସ୍ତା ଯୁଗଳବାବୁ । ତାଙ୍କରି ସାଥିରେ କାମ କରିବା ଦୁଇବର୍ଷ ହେଲାଣି । ଏହି ଦୁଇଟି ବର୍ଷ ଦୁଇଶହ ବର୍ଷ ପରି ଲାଗୁଚି । ମନେପଡ଼ୁଚି କେତେ କଥା । ଛାତି ଭିତରେ ତୁମୂଳ ଆନ୍ଦୋଳନ । ଗୋଟିଏ କଥା ମନକୁ ତୁହାଇ ତୁହାଇ ଘାଣ୍ଟି ଚକଟି ପକାଉଚି । ସେହି ପୁରୁଣା ମୋହ । ପୁରୁଣା ସ୍ନେହ । ଗୋଟିଏ ଯୁବତୀ ଝିଅର କଥା । ଅତୀତଟା ସଜୀବ ହୋଇ ଠିଆହେଉଚି ଆଗରେ ।

 

ପୁରୀ ସମୁଦ୍ର କୂଳର ସେହି ଯୁବତୀ ଝିଅଟି–ରେଣୁ । ସଜ ଫୁଲଟି ପରି ତା’ର ମନ ମତାଣିଆ ଯୌବନ । ଗରିବ ଘରର ଝିଅ । ଯୁବତୀ ଅବସ୍ଥାରେ ଗୋଟିଏ ଯୁବକଠାରୁ ଯାହା ପାଇବାର କଥା ତାଙ୍କରି କୋଳକୁ ସେ ହସି ହସି ଆଉଜିପଡ଼ିଥିଲା । କେତେ ଅଳି କରିଥିଲା । ମନର କଥା କହିଥିଲା । ଏହି କ’ଣ ସେ ସ୍ନେହର ପ୍ରତିଦାନ ? ଭାଇ ଭାଉଜଙ୍କର ଅବାଧ୍ୟ ହେବେନାହିଁ ବୋଲି ସେ କ’ଣ ଗୋଟିଏ ନିରୀହା ଝିଅଟିକୁ ଜାଣି ଜାଣି ନରକକୁ ଠେଲିଦେବେ । ରତନଙ୍କ ଆଖିରୁ ଦୁଇଟୋପା ଲୁହ ଝରିପଡ଼ିଲା ।

 

ତକିଆ ଟେକି ଦେଖିଲେ ଥାକ ଥାକ କରି ଥୁଆହେଇଚି ଶହେଟଙ୍କିଆ ଦଶଖଣ୍ଡ ନୋଟ୍-। କାହାପାଇଁ ଏ ସବୁ ସାଇତା ହେଇଚି । ଚାହିଁବାକୁ ମନ ହେଉନାହିଁ । ଭାବୁଛନ୍ତି ସବୁଯାକ ନୋଟକୁ ଦୁଇ ହାତରେ ଧରି ଟିକିଟିକି କରି ଚିରିଦିଅନ୍ତେ । ପୁଣି ଭାବୁଛନ୍ତି–ଆହା ଆଜି ଯଦି ରେଣୁ ପାଖରେ ଥାଆନ୍ତା, କେଡ଼େ ଖୁସି ହେଉନଥାନ୍ତା । କିନ୍ତୁ ସେ କାହିଁ ? ହୁଏତ ରେଣୁ ଥିବ । ଆଖିରୁ ଲୁହ ଗଡ଼େଇ ତାଙ୍କର ଯିବା ବାଟକୁ ଚାହିଁଥିବ । କେତେ ଆଉଟି ପାଉଟି ହେଉଥିବ । ପୁଣି ହୁଏତ ରେଣୁ ନ ଥିବ । ତାଙ୍କୁ ଚାହିଁ ଚାହିଁ ସେ ଆଉ କେଉଁଠି ବା’ ହୋଇସାରିବଣି । ସ୍ୱାମୀଟି ନିଶ୍ଚୟ ତା’ର ସୁନ୍ଦର ହୋଇଥିବ । ଶାଶୁଘରେ ଶାଶୁ ଶ୍ୱଶୁରଙ୍କର ସ୍ନେହ, ସ୍ୱାମୀଙ୍କର କଅଁଳ କଥା, ଅମୃତ ପରିଶରରେ ସେ ହୁଏତ ତାଙ୍କୁ ଭୁଲିଯିବଣି । କିନ୍ତୁ ସେ ତ ଭୁଲିନାହାନ୍ତି । ସେ କାହିଁକି ତାକୁ ଏତେ ଭାବୁଛନ୍ତି । ତା’ରି ପାଇଁ ସେ ଘର ଛାଡ଼ିଲେ । ସମସ୍ତେ କେଜାଣି ରତନ କୁଆଡ଼େ ଚାଲିଯାଉଛି । କିନ୍ତୁ ରେଣୁ ତ ଜାଣିଲା ନାହିଁ ରତନ କେଉଁଥିପାଇଁ ପାଗଳ ।

 

ରତନଙ୍କ ଚିନ୍ତାଧାରା ରୋକି ହେଲାନାହିଁ । ଭାବନା ଗଭୀର ହୋଇଉଠିଲା । ମନଭିତରେ ଜାଗିଲା ଦୁର୍ବଳତା । ରେଣୁପାଇଁ ଦୁଃଖରେ ଭାଙ୍ଗିପଡ଼ିଲେ ସେ । ଯୁଆଡ଼େ ଚାହିଁଲେ ଚାରିଆଡ଼େ ରେଣୁର ମନଭୁଲା ରୂପ । ଯେତେ ଦୂରକୁ ଆଖିପାଇଲା ସେତେଦୂର ପର୍ଯ୍ୟନ୍ତ ବ୍ୟାପିଛି ତା’ର ଶରୀର । ଭିତରେ ବାହାରେ ସବୁଥିରେ ।

 

ରତନଙ୍କ ମନ ବାତଚକ୍ର ପରି ଧାଇଁବୁଲିଲା ।

 

କେତେ ଆଡ଼ର କଥା ଭାବୁଭାବୁ ପହଡ଼େ ବିତିଗଲା । ଆଖିଦୁଇଟି ଲୁହରେ ଭରିଗଲା । ଉପରକୁ ଚାହିଁଲେ । ଘରର ଛାତକୁ । ତାଙ୍କର ରଙ୍ଗିଲା ଆଖିଆଗରେ ଉଭାହେଲା ଦୁଇବର୍ଷ ତଳର ଦେଢ଼ବରଷର ଝିଅ ଲିଲିର ପ୍ରତିଛବି । ଦରଫୁଟିଲା ନାଲି ଗୁଲୁଗୁଲୁ ପଦ୍ମକଢ଼ ଦେହରେ ପାହାନ୍ତି କାକର ପରି ତା’ର ଦରହସିଲା ମୁହଁ । ଢଳ ଢଳ ଚାଲି । ଗୁଲୁଗୁଲିଆ କଥା । ବୁଦ୍ଧି ବିଚାରଣାର ଶକ୍ତି ନ ଥିଲେ ବି ସେ ତାଙ୍କୁ ଚିହ୍ନୁଥିଲା । ହାତ ପତେଇଦେଲେ ମା’ କୋଳରୁ ଦୁଧ ଖାଇବା ଛାଡ଼ି ହସି ହସି ତାଙ୍କ କୋଳକୁ ଡେଇଁପଡ଼ୁଥିଲା । ଅବୁଝା ଭାଷାରେ କେତେକଥା କହୁଥିଲା । ଛାତି ବାଳକୁ ଆମ୍ପୁଡ଼ୁଥିଲା । ଆଖିର ପୁଅ ଡୋଳାକୁ ଦେଖି ଆଙ୍ଗୁଠି ହଲାଉଥିଲା । ପାଟିରେ ହାତମାରି ଆ–ଆ କରୁଥିଲା । ସେଇଥିରେ ସେ ପାଉଥିଲେ ଆନନ୍ଦ । ରବର କଣ୍ଢେଇଟି ପରି ହାତରେ ନଚେଇ ନଚେଇ ଗାଁଯାକ ବୁଲୁଥିଲେ । ଆହା–ସେ କାହିଁକି ସେ ସବୁ ଛାଡ଼ି ଘରୁ ପଳେଇଆସିଲେ-। ରତନ ନିଜକୁ ଅପରାଧୀ ମଣିଲେ । ଆଖି ବୁଜି ହେଇଗଲା ।

 

ପୁଣି ଚାହିଁଲେ ଆଖିଆଗରେ ପୁଣି ସେଇ ମନଟଣା ଛବି । ତାଙ୍କୁ ଝୁରି ଝୁରି ଲିଲି ସବୁବେଳେ କାନ୍ଦୁଚି । ତାଙ୍କୁ ଖୋଜୁଚି । ହାମୁଡ଼େଇ ହାମୁଡ଼େଇ ଦାଣ୍ଡଘର ବନ୍ଧ ପାଖକୁ ଆସୁଚି । ବନ୍ଧଡ଼େଇଁ ପାରୁନାହିଁ । ମୁହଁ ବଢ଼େଇ ପଦାକୁ ଚାହୁଁଚି । ଚାହିଁ ଚାହିଁ ନିରାଶ ହେଉଚି । ମନର କଥା ପ୍ରକାଶ କରିପାରୁନାହିଁ । କାନ୍ଦିଉଠୁଚି । ଆଗର ରୂପ ଆଉ ନାହିଁ, ଆଖି ଯାଇଁ ତାଳୁରେ ଲାଗିଲାଣି । ଦେହର ମାଉଁସ ହାଡ଼ ସାଥିରେ ମିଶିଲାଣି । କେବଳ ଜୁଳୁଜୁଳୁ କରି ସେଇ କୋରଡ଼ ଆଖିଦୁଇଟିରେ ଚାହିଁଚି । ହାତଠାରି କାହାକୁ ଡାକୁଚି ।

 

ରତନ ଆଉ ଭାବିପାରିଲେ ନାହିଁ । ପ୍ରାଣଟା ତାଙ୍କର ଆକୁଳ ହୋଇଉଠିଲା । ସେ ଯେଉଁ ଭୁଲ୍ କରିଛନ୍ତି ସେଥିପାଇଁ ସେ ନିଜେ ଦାୟୀ । ସାମାନ୍ୟ ଟିକିଏ ମନର ଉତ୍ତେଜନା । ସେ ଭାବିଲେ ନାହିଁ । ବିଚାର କଲେନାହିଁ । ମନର କଥା ମନରେ ଛପିଲା । ପ୍ରକାଶ କଲେ ନାହିଁ । ପର ଉପରେ ଅଭିମାନ କରି ଆପଣା ଉପରେ ଦାଉ ସାଧିଲେ । ନିଜର ସର୍ବନାଶ କଲେ । ନିଜର ପ୍ରାଣଟାକୁ ଜଳାଇ ପୋଡ଼ାଇ ମାରିଲେ । ଯାହାକୁ ସେ ସୁଖ ବୋଲି ଭାବିଥିଲେ, ସେଇ ପୁଣି ହେଲା କୋଚିଲା ଫଳଠୁଁ ବଳି ଆହୁରି ପିତା । ଯେଉଁ ଅନ୍ଧାରିଆ ଭବିଷ୍ୟତକୁ ଚାହିଁ ସେ ଘର ଛାଡ଼ି ଚାଲିଆସିଥିଲେ କିଏ ଜାଣିଥିଲା ସେଇ ଅନ୍ଧାର ଭିତରେ ପୁଣି ଏତେକଥା ଅଛି ବୋଲି । ସେଇ ଅନ୍ଧାର ଭିତରୁ ବାହାରିଲା ନାଗସାପ । କାଳିଆ ନାଗ ଫଣା ଟେକି ତାଙ୍କର ବାଟ ରୋକିଲା । ରତନ ଛାନିଆ ହୋଇପଡ଼ିଲେ ।

 

ରତନ ଠିକ୍ କଲେ ସେ ଘରକୁ ଫେରିଯିବେ । ଜନ୍ମମାଟିର ଆକର୍ଷଣ ଟାଣିଲା । ରତନ ଭାବିଲେ–ତାଙ୍କର ଅଇଲା ବାଟକୁ ଚାହିଁ ଚାହିଁ ଯେଉଁ ଗାଁର କଅଁଳ ମାଟି ଶୁଖିଲା ଟାଙ୍ଗରା ହେଇଛି, ସେ ସେଇ ଗାଁର ଫଟାଭୂଇଁରେ ପୁଣି ଥରେ ପଦ୍ମଫୁଲ ଫୁଟେଇବେ ।

 

ଖରାବେଳର ପିଚୁଢ଼ଳା ରାସ୍ତା । ପାଦରେ ଚାଇଁ ଚାଇଁ ଗଳିଯାଉଚି । ତାରି ଉପରେ ଡେଇଁ ଡେଇଁ ରତନ ଚାଲିଥାନ୍ତି ଆଗକୁ । ପଛକୁ ଚାହିଁବାକୁ ମନ ହେଉନାହିଁ । ଆଗରେ ଉଡ଼ୁଚି ମନପବନ । ପଛରୁ ବାଜୁଛି ବିବେକର ଚାବୁକ । ରତନ ନୀରବ । ଆସ୍ତେ ଆସ୍ତେ ଆଗର କୋଠା, ଆଗର ମଟର ଗାଡ଼ି, ଆଗର ସବୁ ପଛକୁ ପଡ଼ୁଛି । ରତନ ଚାଲିଛନ୍ତି ।

 

ଗୋଟିଏ ବଡ଼ ଲୁହା ଫାଟକ ଡେଇଁଲାକ୍ଷଣି ହଠାତ୍ ଆଖିରେପଡ଼ିଲା ଗୋଟିଏ ଚଳନ୍ତି ରେଳଗାଡ଼ି । ଭୀମ ଭୟଙ୍କର ଗର୍ଜନ କରି ମାଡ଼ିଆସୁଚି ଆଗକୁ । ଆଖି ଝଲସିଗଲା । ଗାଡ଼ି ଅଟକିଲା ।

 

ରତନ ଗାଡ଼ିରେ ବସିଲେ । ପୁରୁଣା କଥା ମନରୁ ବାହାରି ନୂଆ କଥା ପଶିଲା । ଗାଡ଼ି ଚାଲିଲା ।

 

ଧାରା ଶ୍ରାବଣର କ୍ଳାନ୍ତ ମଧୁର ସନ୍ଧ୍ୟାଟି ଗଡ଼ିଗଲାଣି । ରାତି ଦି’ ତିନିଘଡ଼ି ହବ । ଗାଁ ଦାଣ୍ଡର କୋଳାହଳ, ରାସ୍ତାର ଯିବାଆସିବା କମିଗଲାଣି । କେଜାଣି କେଉଁ ତିଥିର ବଙ୍କୁଲି ଜହ୍ନଟି ଖଣ୍ଡେ ଖଣ୍ଡେ ଉଡ଼ାଣିଆ ପତଳା ଧୋବ ଫର ଫର ବାଦଲ ପଛଆଡ଼େ ମୁହଁ ଲୁଚାଇ ଦେଉଚି । ଚାରିଆଡ଼େ ଛାପି ଛାପିକିଆ ଅନ୍ଧାର ଆଲୁଅ ମିଶା ଜ୍ୟୋତ୍ସ୍ନାର ଢେଉ । ପୃଥିବୀର ମନମତାଣିଆ ଭାବ । ରାସ୍ତାକଡ଼ ବରଗଛ ତଳ ଚବ ଚବିଆ ପାଣିରେ ବରଫଳ ଟୁବ୍ ଟାବ୍ କରି ପଡ଼ୁଚି । ଗଛ ଉପରେ ବାଦୁଡ଼ିମାନଙ୍କର ବିବାହ ଭୋଜି । ଭାଗ ବଣ୍ଟରା, କଳି କଜିଆ । ଗଛତଳେ ବିଲୁଆମାନଙ୍କର ବାଗୁଡ଼ି ଖେଳ । ଦୂର ପାହାଡ଼ ଆରପଟରେ ବିଜୁଳି ହସୁଚି । ପାହାନ୍ତି ଆଲୁଅ ଭ୍ରମରେ କେତେବେଳେ କିମିତି ଗଛଉପରୁ କାଉଗୁଡ଼ାକ ରାବିଉଠୁଛନ୍ତି । ନିଜର ପରିଚିତ ବିଲ ବନ ଭିତର ନାଲିଆ ସଡ଼କ ଉପରେ ଗାଡ଼ି ଛୁଟିଛି ଆଗକୁ । ସବୁଗୁଡ଼ିକ ଯିମିତି ବିସ୍ମୟଭରା ଆଖିରେ ଚାହିଁ ଦୋ–ଦୋ ଚିହ୍ନା ହେଉଛନ୍ତି । ଏଇ କେତୋଟି ବର୍ଷ କେତୋଟି ଯୁଗପରି ଲାଗୁଚି । ସମସ୍ତଙ୍କ ଆଗରେ ରତନ ଆଜି ଅପରାଧୀ । ମନ ଭାବୁଚି ସମସ୍ତଙ୍କ ପାଖରେ ସେ ଆଜି କ୍ଷମାଭିକ୍ଷା ଚାହିଁବେ-। ନିଜର ଅପରାଧ ସମସ୍ତଙ୍କ ଆଗରେ ସ୍ୱୀକାର କରିବେ । ନିଜର ପ୍ରାୟଶ୍ଚିତ କରିବେ । କିନ୍ତୁ ପରିସ୍ଥିତି ହେଇଯାଇଚି ଓଲଟା । ରତନ ଅନୁଭବ କରୁଛନ୍ତି–ପଦାକୁ ଚାହିଁ ସମସ୍ତଙ୍କ ଆଗରେ କ୍ଷମାଭିକ୍ଷା ଚାହିଁବା ପୂର୍ବରୁ ସମସ୍ତେ ଯିମିତି ତାଙ୍କୁ ପରିହାସରେ ଉଡ଼େଇ ଦେଉଛନ୍ତି । ଆପେ ଆପେ ମୁହଁ ବୁଲିଆସୁଚି ମଟର ଭିତରକୁ । ଗାଡ଼ି ଚାଲିଚି ।

 

ରତନ ଚାହିଁଛନ୍ତି । ତାଙ୍କୁ ଛାଡ଼ିଦେଇ ମଟର ଗାଡ଼ି ଛପିଗଲା କଙ୍କିଆବର ଆରପଟରେ-। ମୁହଁ ବଙ୍କେଇ ଚାରିଆଡ଼କୁ ଚାହିଁଲାକ୍ଷଣି ଦେହଟା ଶୀତେଇଉଠିଲା । ଦୀର୍ଘ ନିଶ୍ୱାସଟିଏ ପକେଇ ଘଡ଼ିଏକାଳ କ’ଣ ଭାବିଲେ । ସମୟ ଯେତିକି ଗଡ଼ିଯାଉଚି–ମନପ୍ରାଣ ଉଦ୍‌ବେଗ ହେଇଉଠୁଚି ସେତିକି । ଚିନ୍ତାଧାରା ଫେରିଯାଉଚି କେତୋଟି ଦିନ ତଳକୁ । ମନ ବୁଝୁଚି–ପୁଣି ବୁଝୁ ନାହିଁ-। ମନଆଗରେ ବଳେ ବଳେ ଆସି କେତେକଥା ଉଁକିମାରୁଚି । ଏଇ ପଲ୍ଲୀ ଗାଁ । ଏଇ ସବୁଜ କ୍ଷେତ-। ଯାହାର ପାଣି ପବନରେ ଦେହର ହାଡ଼ ମାଉଁସ ତିଆରି । ଯେଉଁ ପଲ୍ଲୀ ହେଉଚି ଦେଶର ପ୍ରାଣ । ଯେଉଁ ପଲ୍ଲୀର ହାତ ଟେକାକୁ ଦୁନିଆ ଚାହିଁଚି । ସେଇ ପଲ୍ଲୀକୁ ତୁଚ୍ଛକରି ସେ ଚାଲିଯାଇଥିଲେ ଅଭିମାନ କରି । ନିଜକୁ ଶତଧିକ୍‌କାର କଲେ ରତନ । ଲୁହଧାରରେ ଆଖିପତା ଓଦେଇଆସିଲା-। ଲୁଗାକାନିରେ ଲୁହ ପୋଛି ଜନମ ମାଟିର ଧୂଳି ଟିକିଏ ଆଣି ମୁଣ୍ଡରେ ମାରିଲେ ରତନ-

 

କେଇଖଣ୍ଡ କଳାମେଘର ପଛପଟରେ ଲୁଚିଗଲା ଆକାଶର ଚାନ୍ଦ । ପୂର୍ବ ଆକାଶରୁ ଝରିଆସୁଥିବା କଳା ପାଣିଚିଆ ଅନ୍ଧାର ଭିତରେ ଧୀରେ ଧୀରେ ଆତ୍ମହତ୍ୟା କଲା ଜ୍ୟୋତ୍ସ୍ନାର ଲହର । ଅନ୍ଧାର ଖୁନ୍ଦିହୋଇ ଆସିଲା । ବାରବୁଲା ଚିନ୍ତାଧାରାର ଉପସଂହାର ବାଢ଼ି ରତନ ପାଦ ପକେଇଲେ ଆଗକୁ ।

 

ଆସ୍ତେ ଆସ୍ତେ ଘର ପାଖେଇଆସୁଚି । ଦୁଇପାଖ ଧାନକିଆରୀ । ମଝି ପାଦଚଲା ହିଡ଼ଉପରେ ରତନ ଚାଲିଛନ୍ତି ଗାଁମୁଣ୍ଡ ଅମରେଶ୍ୱରୀ ମନ୍ଦିର ପତାକାକୁ ଲକ୍ଷ୍ୟକରି । ମନଭିତରକୁ ନୂଆ ପୁରୁଣା କେତେ ରକମର କଥା ପଶିଆସି ପୁଣି ହଜିଯାଉଚି କୁଆଡ଼େ । ଏଇ ଦୁନିଆର କାଉଁରୀ ମାୟା, କୁହୁକ ମନ୍ତ୍ରର ଆକର୍ଷଣ ଚିନ୍ତାରେ ସେ ଆତ୍ମହରା । ବିଲ କେଇଖଣ୍ଡ ପାରହେବା ପରେ ପଳାଶ ବଣ । ମଶାଣି ପଡ଼ିଆ । ପାଖକୁ ଲାଗି ଅମରେଶ୍ୱରୀ ମନ୍ଦିର । ରତନ ଧୀରେ ଧୀରେ ଯାଇ ଗ୍ରାମ ଦେବତୀଙ୍କ ଦେଉଳ ଦୁଆରେ ପ୍ରାଣଭରି ନମସ୍କାରଟିଏ କଲେ । ଝାମ୍ପୁରାବନର ଛାଇତଳେ ପାଦ ପକେଇଲା କ୍ଷଣି ମନେପଡ଼ିଲା କେତେଦିନର ପୁରୁଣା କଥା । ଧାରା ଶ୍ରାବଣର ମେଘମହ୍ଲାର, ଶୋଭା ଶରତର ସଞ୍ଜ ପ୍ରଭାତୀ, ଶେଷ ପଉଷର ଶୀତ ଶୀତ୍‌କାର, ଚୋରା ଚଇତର ପ୍ରୀତି ପାର୍ବଣୀ...ଏଇ ଗଛତଳେ ମଲ୍ଲୀ ଫୁଲିଆ ଜହ୍ନରାତିରେ କେତେପ୍ରକାର ଖେଳ ସେ ଖେଳୁଥିଲେ । ବର ଓହଳକୁ ଧରି କେତେ ଦୋଳି ଖେଳୁଥିଲେ । ସେଇ ବରଗଛ ଅଛି, ସେଇ ଓହଳ ଝୁଲୁଚି କିନ୍ତୁ ଖେଳ ହେଉନାହିଁ । ସବୁକଥା ସ୍ୱପ୍ନ ଦେଖିଲାପରି ଆଖିଆଗରେ ନାଚିଯାଉଚି । ମନ ହେଉଥିଲା ବରଗଛ ଶିଅ ଉପରେ ଟିକେ ବସିପଡ଼ନ୍ତେ । କିନ୍ତୁ ବସି ହେଲା ନାହିଁ । ଗୋଡ଼ ଥରୁଚି, ଛାତି କାହିଁକି ଉଠ୍ ପଡ଼୍ ହେଉଚି । ଦରମଲା ପ୍ରାଣଟାକୁ ସାଇତିଧରି ରତନ ଚାଲିଲେ ଆଗକୁ ।

 

ଆମ୍ବତୋଟା ଟପିଗଲା ପରେ ବାଲିଗଡ଼ିଆ ପୋଖରୀ । ପଞ୍ଚବଟୀ ଗଛ । ଧୀର ପବନରେ ପୋଖରୀର ଜଳ ଅଭିସାର କରି ଫୁଲି ଫୁଲି ନାଚୁଚି । ପୋଖରୀ ମୁଣ୍ଡକୁ ଠିକ୍ ସେଇ କେତକୀ ବଣ । ଗଛମୂଳକୁ ପାଣି ଜମି ରହିଚି । ଆଉ ତାରି ପାଖକୁ ଲାଗି ଆକାଶର ଚାନ୍ଦକୁ ଅନେଇ କଇଁଫୁଲଟିଏ ଫୁଟିଚି ।

Unknown

 

ରତନ ଧୀରେ ଧୀରେ ଗାଁ ଦାଣ୍ଡ ପାରହୋଇ ଘର ଆଗକୁ ଆସିଲେ । ଚାରିଆଡ଼ ଶୂନଶାନ୍ । ଝରକା ଫାଙ୍କବାଟେ ଘରଭିତରୁ କ୍ଷୀଣ ଆଲୁଅର ଆଭାସ ଦିଶୁଚି । ଅଗଣା ଭିତରକୁ ପଶିଯିବାକୁ ସାହସ ହେଉନାହିଁ । ଦାଣ୍ଡ ଫାଟକକୁ ଆଉଜି ଠିଆହେଲେ । କିଛି ବେଳ ବିତିଲା । ମନରେ ସାହସ ବାନ୍ଧି ଢୋକଟିଏ ଗିଳି ଆସ୍ତେ ଆସ୍ତେ ଫାଟକ ଖୋଲି ଭିତରକୁ ପଶିଲେ । ଅଧା ଅଗଣାରେ ହୋଇଛନ୍ତି ହଠାତ୍ ପାଦ ଅଟକିଗଲା । କୁକୁରଟାଏ ଭୋ ଭୋ ହୋଇ ତାଙ୍କ ପାଖକୁ ଛୁଟିଆସିଲା । ରତନ ଚିହ୍ନିଲେ ତାଙ୍କର ପପି । କେଇଦିନର ଅଦେଖାରେ ସେ ଆଜି ମଣିଷ ଚିହ୍ନୁନାହିଁ । ନିଜ ରକ୍ତର ଭାଇ ଭାଉଜ ଏତେ ସ୍ନେହ, ଏତେ ମମତା ତୁଟେଇ ସେ ତ ମଣିଷ ଚିହ୍ନିଲେ ନାହିଁ । ପପି ତ ପଶୁ ସେ କିମିତି ଚିହ୍ନିବ ? ରତନ ଚୁ ଚୁ କରି ତା’ ନାଁ ଧରି ଡାକିଲେ । ହାତ ବଢ଼େଇ ପିଠି ଆଉଁସିଦେଲେ । କଟମଟ କରି ପପି ଚାହିଁଲା ରତନଙ୍କ ମୁହଁକୁ । ଚାରିପାଖ ବୁଲି ଗୋଡ଼ ହାତ ଶୁଙ୍ଘିଲା । ଗନ୍ଧବାରି ଚିହ୍ନିଲା ତା’ରି ଛୁଆ ବାବୁ । କୃତଜ୍ଞତାରେ ଲୋଟିଗଲା ରତନଙ୍କ ପାଦତଳେ । ପୁଣି କ’ଣ ଭାବିଲା–ଠିଆହୋଇ ଦେହ ଝାଡ଼ିଲା । ଉପରକୁ ଚାହିଁ କହିଲା ଭୋଓ...ଭୋଓ ।

 

ରତନ କହିଲେ–ଚିହ୍ନିପାରୁନୁ କିରେ ପପି ? ଏତେ ଚଞ୍ଚଳ ଭୁଲିଗଲୁ ?

 

ପପି କିଛି ବୁଝିପାରିଲା ନାହିଁ । ଅଳସ ଭାଙ୍ଗି ମୁହଁକୁ ଚାହିଁଲା । ଭାବୁଥିଲା କ’ଣ କହିବାକୁ । କିନ୍ତୁ ମନର କଥା ତୁଣ୍ଡରୁ ଫିଟିଲା ନାହିଁ ।

 

ରତନ ପପିର ମୁଣ୍ଡ ଆଉଁସିଲେ ।

 

ପପିର ଆଖି କୋଣରେ ଶୁଖିଲା ଲୁହ ।

 

ରତନ ଚାହିଁଛନ୍ତି ।

 

ପପି ଆଉ ଅପେକ୍ଷା କଲାନାହିଁ । ଦୌଡ଼ିଗଲା ଦୁଆରମୁହଁ ପାଖକୁ । ମୁହଁରେ ଦୁଆର କବାଟକୁ ଠେଲିଲା । କୁଁ କୁଁ ହୋଇ ଦୁଇଗୋଡ଼ରେ କବାଟକୁ ରାମ୍ପିଲା ।

 

ରତନ ନିର୍ବାକ୍ ।

 

ଅଳ୍ପସମୟ ପରେ କବାଟ ଖୋଲିଲା । ରତନ ଦେଖିଲେ ଏକ ଅଦ୍ଭୁତ ମୂର୍ତ୍ତି । ମୁଣ୍ଡରେ ବାବୁରି ବାଳ । ମୁହଁରେ ଲମ୍ବା ଦାଢ଼ି । ଦେହରେ ମଇଳା ଲୁଗା । ଆଖି ସହିତ ଆଖି ମିଶିବାକ୍ଷଣି ଲୋକଟି ଉଚ୍ଚ କଣ୍ଠରେ କହିଲା–କୋନ୍ ବେ ଶାଲା ।

 

ପାହାଚ ଉପରୁ ରତନ ତଳକୁ ଖସିଆସିଲେ । ଆକାଶରେ ଅଞ୍ଜନ କଳା ବାଦଲ । ଚାରିଆଡ଼େ ଅନ୍ଧାର ଖୁନ୍ଦିହୋଇ ରହିଚି । ତଥାପି ସେହି ସୂଚିଅଭେଦ୍ୟ ଘନଅନ୍ଧାରକୁ ବିଦାରି ତାଙ୍କର ଅନ୍ତର ଚିହ୍ନିଲା–ସେ ତାଙ୍କର ଭାଇ । ଛାତି ଫଟେଇ ପେଟ ଭିତରୁ ଛୁଟିଆସୁଥିବା ହାବୁକାମରା କୋହ ରତନ ଆଉ ସମ୍ଭାଳିପାରିଲେ ନାହିଁ । କିଏ ଯିମିତି ତାଙ୍କ ପଛଆଡ଼ୁ ତାଙ୍କୁ ତଣ୍ଟିଆ ମାରିଲା । ଅଧୈର୍ଯ୍ୟରେ କୁଣ୍ଢେଇପକେଇ ଉଚ୍ଚ ସ୍ୱରରେ କହିଲେ–ମୁଁ, ମୁଁ ତୁମରି ରତନ ।

 

ସେତିକିବେଳେ ପାଗଳାମି ଉଠିଲା ।

 

ନା ନା, ତୁ ମୋ ରତନ ନୋହୁଁରେ ତୁ ମୋ ରତନ ନୋହୁଁ । ମୋ ରତନ ଭାରି ଭଲ ପିଲା । ସେ ମତେ ଛାଡ଼ି ଯାଇନଥାନ୍ତା । ତତେ କାହିଁକି ମୋର ଦେଖିଲା ପରି ମନେହେଉଚି । ହଁ–ହଁ ମୋର ମନେଅଛି । ତୁ ଥରେ ଆମ ଘରକୁ ଆସିଥିଲୁ, ଆମ ଘରେ ବସିଲୁ, ମୋ ରତନକୁ ଶିଖେଇ ନେଇଗଲୁ । ଏବେ ପୁଣି ଆସିବୁ ମତେ ଶିଖେଇ ନବୁ । ଶାନ୍ତିକି ନବୁ । ଲିଲିକି ନବୁ । ନା-ନା ତୁ ଫେରିଯା । ଆମେ କେହି ଯିବୁ ନାହିଁ ।

 

ରତନ କୁଣ୍ଢେଇ ଧରିଲେ । ଭାବନା ବଦଳିଗଳା ।

 

ହେ–ହେ ବାବୁ–ମୁଁ ତୁମ ଗୋଡ଼ ଧରୁଚି, ତମେ କଉଁଠି ଲୁଚେଇ ରଖିଚ ମୋ ରତନକୁ ଫେରେଇଦିଅ । ହେଇ ଦେଖୁଚନା ମୋ ମୁଣ୍ଡରେ କିମିତିକା ଝାମ୍ପୁରା ବାଳ । କାଲି ରାତିରେ ରତନ ମୋ ପାଖକୁ ଆସିଥିଲା । ମତେ ଧରାଦେଲା ନାହିଁ । ଘର ଚାଳଉପରେ ବସି ମତେ ଖତେଇହେଲା । ମାରିବାକୁ ବିଧା ଉଞ୍ଚେଇଲା । କହିଲା–ମୋ ମୁଣ୍ଡରେ ନିଆଁ ଲଗେଇଦବ । ମୁଁ ଦୌଡ଼ିଗଲି ତାକୁ ଧରିଆଣିବାକୁ । ସେ ଉଡ଼ିଯାଇ ନଡ଼ିଆ ଗଛରେ ବସିଲା । ଯେତେ ଡାକିଲି–ଆସିଲା ନାହିଁ, ଆସିଲା ନାହିଁ ।

 

ଏ ଦୃଶ୍ୟ ଦେଖିଲାବେଳୁ ରତନଙ୍କ ଦେହରୁ ଜୀବନଟାକୁ କିଏ କାଢ଼ିନେଇ ଗଲାଣି ଯିମିତି । ମୁହଁରେ କଥା ନାହିଁ । ନିସ୍ତେଜ ଦୃଷ୍ଟିରେ ଖାଲି କଟମଟ କରି ଅନେଇଛନ୍ତି । ଆଖିର ଜ୍ୟୋତି ଆସ୍ତେ ଆସ୍ତେ ନିଭି ନିଭି ଯାଉଚି ।

 

ରତନ ମୁହଁ ବୁଲେଇଲେ ପଛକୁ । ଆଉ ଗୋଟିଏ ଦୃଶ୍ୟ ଦେଖି ତାଙ୍କର ଅଧାମୁଦା ପଲକହୀନ ଆଖି ଦୁଇଟି ଚମକିଉଠିଲା । ତାଙ୍କରି ନାଁ ଧରି ଗୋଟିଏ ସ୍ତ୍ରୀ ଆରଘରୁ ଘୁଷୁରି ଘୁଷୁରି ଆସୁଚି । ରତନ ଜାଣିଲେ ତାଙ୍କରି ନୂଆବୋଉ । ପୂର୍ବପରି ରୂପ ଯୌବନର ଢଳ ଢଳ ସୌନ୍ଦର୍ଯ୍ୟ ଆଉ ନାହିଁ । ସବୁ ଓଲଟି ଯାଇଚି । ଚିରା ମଳି ମସଆ ସାତ ଗଇଁଣ୍ଠା ଲୁଗା ଖଣ୍ଡକରେ ଅଧା ଲଙ୍ଗଳା ଦେହ । ଅସଜଡ଼ା ମୁଣ୍ଡବାଳ ଗୁଡ଼ାକ ନୁଖୁରା ରହି ରହି କହରା ହୋଇଆସିଲାଣି । ପୂରିଲା ପୂରିଲା ଗାଲ ଦି’ଟା ଦାନ୍ତ ସାଙ୍ଗରେ ମିଶିଗଲାଣି । ପଞ୍ଜରାହାଡ଼ ଗୁଡ଼ାକ ଦି’ ଦି’ ଆଙ୍ଗୁଳ ବାହାରକୁ ଫୁଟି ଦିଶୁଚି । ଅଦ୍ଭୁତ ପରିବର୍ତ୍ତନ । ପଞ୍ଜରା ଫଟେଇ ପଛକୁ ପଛ ଛୁଟିଆସୁଚି ଦମକା କାଶ । ଅଣନିଶ୍ୱାସୀ ହୋଇ ପେଟ ଭିତରର କଥା ତଣ୍ଟି ପାଖରେ ଅଟକିଯାଉଚି । ଛେପଖଙ୍କାର ସାଥିରେ ଟେଳା ଟେଳା ରକ୍ତ ବିନ୍ଦୁ ।

 

ସେତେକିବେଳେ ଘରଭିତରୁ ଆଲୁଅ ଲଗେଇ ଆଣିଲା ଗୋବିନ୍ଦା । ଆଲୋକର ରକ୍ତିମାରେ ଦୁହିଁଙ୍କର ଶୁଖିଲା ମୁହଁକୁ ଦେଖି ଭୋ–ଭୋ କରି କାନ୍ଦିଉଠିଲେ ରତନ । ଛାତି ଭିତର ଥରିଉଠିଲା । କଳଙ୍କ ଲଗା ମୁହଁଟା ମେଘୁଆ ସକାଳପରି ବିରସ ହେଇଉଠିଲା । ଭରିଲା ଆଖିର ଲୁହକୁ ପାପୁଲିରେ ପୋଛି ଶାନ୍ତିଲତାଙ୍କ ପାଦ ଉପରେ ମୁଣ୍ଡ ରଖିଲେ । ବ୍ୟଥାଭରା କଣ୍ଠରେ କହିଲେ ମତେ କ୍ଷମାକର ନୂଆବୋଉ ।

 

ବାହାରେ ଧାରା ଶ୍ରାବଣର ବାଦଲଘେରା ରାତି କାନ୍ଦିଉଠୁଥିଲା କଇଁ କଇଁ । ଡିବିରିବତୀର କ୍ଷୀଣ ଆଲୋକରେ ରତନଙ୍କ କାନ୍ଦୁରା ମୁହଁ ଦିଶୁଥିଲା ଜକଜକ । ରଘୁନାଥ ଘୁଞ୍ଚିଆସିଲେ ପାଖକୁ । ସନ୍ଦେହ ଆଖିରେ ଜଳଜଳ କରି ଚାହିଁରହିଲେ ରତନଙ୍କ ମୁହଁକୁ । ସତେକି ଜନମ ଅନ୍ଧର ଆଖି ଖୋଲିଲା । ଜନମ ଦୁଃଖୀର ଲଙ୍ଗଳା ବେକରେ କିଏ ଯିମିତି ଲମ୍ବେଇ ଦେଲା ମୁକ୍ତାର ପଦକ । ପିଲାଦିନ ପରି କୁଣ୍ଢେଇପକେଇ ଆନନ୍ଦ ଗଦ୍‌ଗଦ୍‌ ସ୍ୱରରେ କହିଲେ–ସତେ ? ସତେ ତୁହି ମୋର ରତନ ? ଆଜି ଦୌଡ଼ିଆସିଚୁ ଏ ଦରମଲା ପ୍ରାଣ ଦୁଇଟାକୁ ସମାଧି ଦେବାକୁ ?

 

ସରମରେ ରତନଙ୍କ ପାଟି ଫିଟିଲା ନାହିଁ ।

 

କେତେଦିନର ବାଦଲ ଆକାଶ ପରିଷ୍କାର ହୋଇ ସତେକି ଉଜଳିଉଠିଲା ହସିଲା ଜହ୍ନ, ପୁନେଇଁ ଚାନ୍ଦ । ଏତେଦିନକେ ରଘୁନାଥ ଆଉ ଶାନ୍ତିଲତାଙ୍କ ଶୁଖିଲା ଓଠରେ ଖେଳିଲା ହସ ।

 

ଭାଇଙ୍କର ଧରମଝିଅ ଚାରୁ କାଖରେ ଧରି ଠିଆ ହୋଇଥିଲା ଚାରିବର୍ଷର ଝିଅ ଲିଲିକୁ-। ରତନ ହାତ ପକେଇଲେ ଧରିବାକୁ ।

 

ଲିଲି ଚିହ୍ନିଲା ।

 

ଟିକିଏ ଠାରରେ–ଧୀର ପବନର ମୃଦୁ ପରଶ । କିଞ୍ଚିତ ଦୋହଲାରେ ଝରିପଡ଼େ ଯିମିତି ଝରା ବଉଳର ଫୁଲ ଝରଝର । ବିକଶିଲା ସ୍ଥଳ ପଦ୍ମ ଫୁଲଟି ପରି ତା’ର ହସହସ ମୁହଁଟି ।

 

ଆନନ୍ଦରେ କୁରୁଳିଉଠିଲା ଲିଲି, ଡେଇଁପଡ଼ିଲା ରତନଙ୍କ କୋଳକୁ ।

 

X X X

 

ରତନଙ୍କ ଫେରିବାର ୟା’ଭିତରେ ପାଞ୍ଚଟି ମାସ ବିତିଗଲାଣି । ତାଙ୍କର ଛୋଟ ଗାଁ ଖଣ୍ଡିକରେ କେତେ କେତେ ନୂଆ କଥା ଘଟିଗଲାଣି । କେତେ କେତେ ପୁରାତନ କଥା ଧ୍ୱଂସ ପାଇଲାଣି । କେତେ କେତେ ନିରାଶ ରଜନୀ ବିତି ଆଶା ସକାଳର ଆଗମନରେ ପଥଘାଟ ଦୀପ୍ତ ହୋଇଉଠିଲାଣି । ସାମନା ଫୁଲ ବଗିଚାରେ କେତେ ଫୁଲଫୁଟିଲାଣି, କେତେ ବି ଝଡ଼ିଲାଣି ।

 

ରତନଙ୍କ ମଉଳା ଆଶା ଏବେ ବିକଶିଉଠିଚି । ଡାକ୍ତର ଲାଲମୋହନ ନାୟକ ରତନଙ୍କର ପିଲାଦିନର ସାଙ୍ଗ–ସଙ୍ଗାତ । ଘନିଷ୍ଠ ସମ୍ପର୍କ । ଦୁହିଁଙ୍କ ଆପ୍ରାଣ ଚେଷ୍ଟାରେ ରଘୁନାଥ ଓ ଶାନ୍ତିଲତାଙ୍କ ଦେହ ଅପେକ୍ଷାକୃତ ହୋଇଆସିଚି ।

 

ରଘୁନାଥ ବାହାରକୁ ଯିବାଆସିବା କଲେଣି । ଶାନ୍ତିଲତା ବାଡ଼ି ଖଣ୍ଡିଏ ଧରି ଟିକିଏ ଟିକିଏ ଚାଲିବୁଲି ପାରିଲେଣି । ଉଦ୍ୟାନର ନୂଆ ନୂଆ ଫୁଲ ଫୁଟିବାର ଶୋଭା ଦେଖିବାକୁ ତାଙ୍କୁ ଭାରି ଭଲ ଲାଗୁଚି । ମନପ୍ରାଣ ତାଙ୍କର ଆନନ୍ଦରେ ଭରିଉଠୁଚି । ସଞ୍ଜ ପବନ ଦେହରେ ବାଜିଲେ ଦେହକୁ ବେଶ୍ ଆରାମ ଲାଗୁଚି । ସେ ଧୀରେ ଧୀରେ ବୁଲୁଛନ୍ତି । ଉଦ୍ୟାନର କଅଁଳ କେରି କେରି ଘାସ ଉପରେ ବସିଲେ ଫେରିଆସୁଚି ଶାନ୍ତି । ଦେହ ଦୁର୍ବଳ । ସକଳ ଅବୟବ ଶୀଥଳିକୃତ–ଅଚଞ୍ଚଳ । ପ୍ରାଣରେ ପରତେ ହେଉନଥିଲା ମୁକ୍ତ ପ୍ରକୃତିର ମନଲୋଭା ଶୋଭା ପୁଣିଥରେ ସେ ଉପଭୋଗ କରିପାରିବେ ବୋଲି ।

 

X X X

 

ଦିନକର ଗୋଟିଏ ସନ୍ଧ୍ୟା । ଉଦ୍ୟାନରେ ବୁଲୁ ବୁଲୁ ଶାନ୍ତିଲତାଙ୍କର ପାଦ ଥକିଗଲା । ଆଉ ଆସିପାରିଲେ ନାହିଁ । ଗୋବିନ୍ଦାକୁ ଡାକିଲେ । ଗୋବିନ୍ଦା ନ ଥିଲା । ଦୌଡ଼ିଗଲେ ରତନ । ରତନଙ୍କ କାନ୍ଧରେ ହାତଭରା ଦେଇ ଅଳପ ବାଟ ଆସିଲେ, ଆଉ ଆସିପାରିଲେ ନାହିଁ । ସେଇଠି ବସିପଡ଼ିଲେ । ପାଖରେ ବସେଇଲେ ରତନଙ୍କୁ । ନୀରବରେ କେତୋଟି ମୁହୂର୍ତ୍ତ କଟିଲା । ତା’ପରେ ମୁହଁ ଟେକି ଅନେଇଲେ ରତନଙ୍କ ମୁହଁକୁ । କ’ଣ ଭାବିଲେ–ଆଖିପତା ଦୁଇଟି ତାଙ୍କର ଓଦା ହୋଇଆସିଲା । କେତେବେଳକେ ରତନଙ୍କ ଦୁଇହାତକୁ ଧରି ରୋଗୀଣା କଣ୍ଠକୁ ରୋକି ରୋକି କହିଲେ–ତମେ ମତେ କାହିଁକି ବଞ୍ଚେଇଲ ରତନ ? ଯେତେବେଳେ ଏ ଦୁନିଆର ଏ ପାରିର କଥା ଭୁଲି ମୁଁ ସେ ପାରିର ସ୍ୱପ୍ନ ଦେଖୁଥିଲି ସେତେବେଳେ ତମେ ମତେ କାହିଁକି ବଞ୍ଚେଇଲ-। ଠିକ୍ ତମର ଆସିବା ପନ୍ଦରଦିନ ପୂର୍ବର କଥା । ଯେତେବେଳେ ଏ ଛାତିର କୋମଳ ମାଂସରେ ଜାଲିବାନ୍ଧି କଲିଜାଟାକୁ ପଳପଳ କରି କାଟିପକେଇଲେ ଯକ୍ଷ୍ମାକୀଟ, ସେତିକିବେଳେ ଆସିଥିଲେ ଡାକ୍ତର ମଦନମୋହନ । ଡାକ୍ତର କହିଲେ–ଦେହ ରକ୍ତଶୂନ୍ୟ ହୋଇଯାଇଚି । ରକ୍ତ ଦେବାକୁ ହେବ-। କିନ୍ତୁ ରକ୍ତ ଆସିବ କେଉଁଠୁ ? ନିଜର ଜୀବନକୁ କଲବଲ କରି ପର ପ୍ରାଣଟା ପାଇଁ କାହାର ସତ ବଳିବ ରକ୍ତ ଦେବାକୁ ? କେତେ ଲୋକ ଆସିଲେ, କେତେ ଲୋକ ଗଲେ । ସମସ୍ତଙ୍କ ପାଟିରେ ଆହା ପଦ । ପେଟରେ ଗୋଳିଆ । ଆମ ଘରକୁ ଖବର ପଠେଇଲି । ବାପା ଆସିଲେ । ଭାଇ ଆସିଲେ । ନିଜର ଲୋକ ଭାବି ପେଟ ଭିତରର ସବୁକଥା ଖୋଲି କହିଲି । କାହାରି ହୃଦୟରେ ତ ଟିକିଏ ହେଲେ ଦୟା ହେଲାନାହିଁ । କଥା ଶୁଣି ସମସ୍ତେ ମୁହଁ ବଙ୍କେଇ ଫେରିଗଲେ । କେହି ତ ଚାହିଁଲେ ନାହିଁ । ତମେ କାହିଁକି ଚାହିଁଲ ରତନ ? ତମେ କାହିଁକି ନିଜର ଦେହକୁ ଚିରି ରକ୍ତ ଦେଲ-?

 

ରତନ ନୀରବ ।

 

ପୁଣି ଶାନ୍ତିଲତା କହିଲେ–ତମେ ହିଁ ମତେ ବଞ୍ଚେଇଲ ରତନ । ଜୀବନର ଶେଷ ଅଙ୍କ ନିଭି ନିଭି ଯାଉଥିବାବେଳେ ମତେ ଯେଉଁ ମହତ ଦାନ କରିଚ, ମୁଁ ତାକୁ କିମିତି ଶୁଝିବି ?

 

ଶାନ୍ତିଲତାଙ୍କର ପାଦରୁ ଧୂଳି ନେଇ ମୁଣ୍ଡରେ ମାରୁ ମାରୁ ଅଶ୍ରୁଳ କଣ୍ଠରେ ରତନ କହିଲେ–ଏଇ ମୋର ଯଥେଷ୍ଟ ନୂଆବୋଉ, ଏଇ ମୋର ଯଥେଷ୍ଟ ।

 

X X X

 

ସେହିଦିନଠାରୁ ୟାରି ଭିତରେ ବିତିଗଲାଣି ଦୀର୍ଘ ତିନୋଟି ବର୍ଷ–ତଥାପି ଭୁଲିହୋଇନି-। ଅନୁଭବ ଶକ୍ତି ଯାଇଛି ସିନା, ଅନୁଭୂତି ଯାଇନାହିଁ । ତିନୋଟି ହଜିଲା ଜିନିଷ ଭିତରୁ ମିଳିଲାଣି ଦୁଇଟି । ଗୋଟିଏ ଭାଇ–ଆରଟି ଭାଉଜ । ଆଉ ବାକି ରହିଚି ଗୋଟିଏ । ଅତୀତକୁ ଫେରି ଚାହିଁଲେ ସ୍ପଷ୍ଟ ଦିଶୁନି । ଧୂଆଁଳିଆ ପାତଳ ଛାଇଭଳି ସବୁ ଦିଶୁଚି ମନରାଇଜର ପାତାଳପୁରେ-। ବେଳେବେଳେ ନିରୋଳାରେ ବସିଲେ ମନ ଓଲଟାଇ ଅଫେରା ଅତୀତର ପୃଷ୍ଠା ଖୋଲିବାକୁ ଭାରି ଭଲ ଲାଗୁଚି । ତା’ରି ଭିତରୁ ଝରିଆସୁଚି ଆନନ୍ଦ, ସୁଖ ଶାନ୍ତି ସବୁକିଛି । କ୍ଷଣକ ପାଇଁ ମନଘୋଡ଼ା ଲଗାମ ଫାଡ଼ି ଚାଲିଯାଉଚି ସେହି ବିସ୍ତୃତ ଗର୍ଭ ଉପରକୁ । ତାରି ଉପରୁ ସେ ଦରାଣ୍ଡି ଖୋଜୁଚି କେତୋଟି ମଧୁମୟ ସ୍ମୃତି । ଭାବି ଭାବି ଅନ୍ତର କାନ୍ଦୁଚି–ଆଖିରୁ ଲୁହ ଝରୁଚି । ମନ ହେଉଚି ଦୌଡ଼ିଯାଇଁ ଡାକିଆଣନ୍ତେ ଜଣକୁ କିନ୍ତୁ......କାହିଁ ? ଏହାକି କେବେ ସମ୍ଭବ ହୋଇପାରେ-? ଆଗରେ ଠିଆହେଇଚି ହିମାଳୟର ଚୂଡ଼ା ପରି ସମାଜର ଜାତି ପାଟକ ପ୍ରଥାର ସୁଦୀର୍ଘ ପାହାଡ଼-। ଦୁହେଁ ଦୁହିଁଙ୍କଠାରୁ ଭିନ୍ନ । ବିରାଟ ବ୍ୟବଧାନ । ଯାହାକୁ ଡରି ସେ ନିଜର ଭାଇ ଭାଉଜଙ୍କ ଆଗରେ ମନର କଥା ଖୋଲିପାରିନଥିଲେ ପର ଉପରେ ମନମାରି ନିଜ ଉପରେ ଦାଉସାଧି ଘର ଘର ଛାଡ଼ିଥିଲେ ଆଜି ପୁଣି ସେଇ କଥା । ସେ ସୁଦୀର୍ଘ ପାହାଡ଼କୁ ଡେଇଁ ପାରିହେବା କ’ଣ ସହଜ କଥା-?

 

ରାତିସାରା ବିଛଣା ଉପରେ ଏପଟ ସେପଟ ହେଇ ହେଇ ରାତିଟା କଟେ । ନିଦ ହୁଏନାହିଁ । ମନେପଡ଼େ ଖାଲି ଜଣକ କଥା । ଜଣକର ପ୍ରତିଛବି ହଜାର ହଜାର ସଂଖ୍ୟାରେ ଆଖିଆଗରେ ନାଚିଉଠେ । ଟାଉକା ମନଟା ଖାଲି ମନକୁ ମନ କହିହୁଏ–ଯୌବନର ଏ ରଙ୍ଗିମା ଅବସରେ ପାଖରେ ଯଦି ସେ ଜଣକ ଥାନ୍ତା, ତେବେ ଆଜିର ଏ ରାତିଟା କେଡ଼େ ମଧୁମୟ ହୋଇନଥାନ୍ତା ? ପର ମୁହୂର୍ତ୍ତରେ ସେଇ ମନ ପୁଣି କୋରଡ଼ା ପିଟେ । ପର ଝିଅ, ପର ବୋହୂ । ପାଣି ଟିକକ ପାଇଁ ମରୀଚିକା ପଛରେ ଧାଇଁଲେ ଶୋଷ ତ ମରେନାହିଁ ବରଂ ବେଶୀ ହତାଶ ହୁଏ । କ’ଣ ମିଳିବ ସେଥିରୁ ।

 

କିନ୍ତୁ ଭୁଲି ତ ହୁଏନାହିଁ । ଭାବି ଭାବି ଆଖିଦୁଇଟା ଓଦା ଓଦା ହୋଇଆସିଲେ ମଧ୍ୟ ଗୋଟିଏ ତିକ୍ତ ହସ ଫୁଟିଉଠେ ମୁହଁରେ । ତକିଆ ତଳୁ ଫଟୋଟି ଆଣି ଟିକି ଟିକି କରିଦେବାକୁ ମନହୁଏ ସିନା, ଚିରିଦେବାକୁ ସତ ବଳେନି ଜମାରୁ । ଟିକିଏ ଭୁଲିଗଲେ ଚିତ୍ରପଟଟି ମନଘୋଡ଼ାରେ ଚାବୁକ ଦେଇ ପୁଣି ମନରେ ଜଗାଇଦିଏ ସେହି ଅଫେରା ଅତୀତର ଅଭୁଲା ସ୍ମୃତି ।

 

ତିନିବରଷ ତଳର ସେଇ ସୁପରିଚିତ ଯୁବତୀ ଝିଅଟିର ମୁହଁଟି ପାଶୋରି ହୁଏନି ମନରୁ-। ଆଶ୍ଚର୍ଯ୍ୟ ଲାଗେ । ଛାତ୍ର ଜୀବନରେ ସେ ଅନେକ ସହପାଠୀ ବନ୍ଧୁଙ୍କ ସଂସର୍ଗରେ ଆସିଛନ୍ତି-। କେତେଆଡ଼େ ବୁଲିଛନ୍ତି । କେତେ ଶିକ୍ଷିତା, ଆଧୁନିକା ଝିଅଙ୍କ ସଙ୍ଗେ ଭାବର ଆଦାନ ପ୍ରଦାନ କରିଛନ୍ତି । ପାଖାପାଖି ବସି ହସଖୁସି କରିଚନ୍ତି । ତା’ ଅପେକ୍ଷା ବହୁତ ସୁନ୍ଦରୀ ଝିଅକୁ ଦେଖିଛନ୍ତି କିନ୍ତୁ କାହିଁ ? କେଉଁଠି ତ କେବେ ଏପରି ଉତ୍ତେଜିତ ହେଲାଭଳି ମନେହେଉନି । ଏ ଝିଅଟି କଥା ଭାବିଲେ ମନ ଭିତରର ସରାଗ କାହିଁକି ଯେ ଏପରି ଅଚାନକ ଭାବରେ ଚହଲିଉଠୁଛି ସେ କଥା ଭାବିପାରିଲେ ନାହିଁ ରତନ ।

 

ଭୁଲି ହେଉନାହିଁ ଗୋଟିଏ ଦିନର କଥା ।

 

ସବୁ ମନେଅଛି ।

 

ସେଦିନ ହୋଇଥିଲା ଚାନ୍ଦିନୀରାତି । ମିନତି ଦେବୀ ଘରେ ନ ଥିଲେ । ତାଙ୍କର ଗଲା ବାଟକୁ ଚାହିଁ, ରେଣୁ ବସିଥିଲା ଝରକା ପାଖରେ । ଭାବବିହ୍ୱଳ ହୋଇ ଦେଖୁଥିଲା ଚାନ୍ଦ ତଳର ସେଇ କଳା ମେଘଟାକୁ । ଆକାଶରେ କେତେ ଛବି । କେତେ ଦୃଶ୍ୟ । ଅନନ୍ତ ଆକାଶ । କୋଟିଏ ତାରା ମଝିରେ ଗୋଟିଏ ଚାନ୍ଦ । ପ୍ରତ୍ୟେକ ଯିମିତି ଗୋଟିଏ ଗୋଟିଏ କାହାଣୀ । ସେତିକିବେଳେ ସେ ପଛଆଡ଼ୁ ଛପି ଛପି ଯାଇଁ ବୁଜିଧରିଲେ ରେଣୁର ଆଖି । ଚମକିପଡ଼ିଥିଲା ରେଣୁ । ସେ ଜୋର କରି ନିଜ କୋଳକୁ ଟାଣି ଆଣୁ ଆଣୁ କହିଦେଇଥିଲେ–ଦେଖି, ଦେଖି ସେ ଗୋଲାପି ମୁହଁଟି । ମାଉସୀ ତ କହୁଛନ୍ତି ରେଣୁଟି ମୋର ଗୋଲାପଠୁଁ ବଳି, ପଦ୍ମରୁ ଅଧିକ । ଦେଖି ସେ ମୁହଁଟା ପଦ୍ମ ନା କଇଁ ?

 

ଲାଜରା ହୋଇପଡ଼ିଥିଲା ରେଣୁ ।

 

ନା, ନା ମୁଁ ପଦ୍ମ ନୁହେଁ କି କଇଁ ନୁହେଁ ।

 

ଆଉ ?

 

ରଜନୀଗନ୍ଧା ।

 

ସେ ତ ସବୁଠୁ ସୁନ୍ଦର ।

 

ତା’ପରେ ଦୁହେଁ ଯାଇଥିଲେ ଘରକୁ । ପଲଙ୍କର ଗୋଟିଏ ପାଖକୁ ବସିପଡ଼ିଥିଲେ ସେ ନିଜେ । ହସି ହସି ତାଙ୍କରି କୋଳକୁ ଆଉଜି ପଡ଼ିଥିଲା ରେଣୁ । ସେ ତ ପର ବୋଲି ଭାବିନଥିଲା । ଅତି ଆପଣାର ଭାବି ପେଟ ଭିତରର ସବୁ କଥା ଖୋଲି ଦେଇଥିଲା । କେହି କାହାରିକୁ ଭିନ୍ନ ବୋଲି ଭାବିନଥିଲେ । ଦୁଇଟି ଅଙ୍ଗ–ଦୁଇଟି ଆତ୍ମା ଏକାକାର ହୋଇଥିଲା । ଦୁଇଟି ଝରଣାର ଦୁଇଟି ଧାର ଗୋଟିଏ ନଈରେ ବହି ଯାଉଥିଲା । ହସିଉଠିଥିଲା ପ୍ରକୋଷ୍ଠ । ବାହାରର ସୁଲୁସୁଲିଆ ପବନ ହେନା ଫୁଲର ମହକରେ ଓଜନ ହୋଇ ଦମକାଏ ପଶିଆସିଥିଲା ଘର ଭିତରକୁ । ଦେହ ଶୀତେଇଉଠିଥିଲା ଦୁହିଁଙ୍କର । ମନର ଆବେଗରେ ଘୁଞ୍ଚି ଯାଇଥିଲେ ପାଖକୁ ପାଖକୁ । ଫୁଲର ବିଛଣା । ହେନା ଫୁଲର ମହକ । କାନ୍ଥରେ ଫୁଲର ଛବି । କେବଳ ଫୁଲର ମିଳନ ନୁହେଁ–ସେଦିନଟି ଗୋଟିଏ ଫୁଲର ରାତି ।

 

ପୁଣି ମନଟା ବିମର୍ଷ ହୋଇଉଠେ ।

 

ରେଣୁ କ’ଣ ଆଜିଯାଏଁ ଥିବ ?

 

ସେଦିନ ଫଟୋଟିର ଅବିକଳ ଛବିଟି ଆଙ୍କୁ ଆଙ୍କୁ କାନ୍ଥ ଘଡ଼ିରେ ଛ’ଟା ବାଜିଲା । ଦଦରା ଛାତ ଭିତରେ ନୀଡ଼ ଫେରନ୍ତା ପକ୍ଷୀ ଦଳର କଳରବ ଯିମିତି ଏକ ଆଶାୟୀ ବାୟୁମଣ୍ଡଳ ସୃଷ୍ଟି କରୁଚି । ବେଳେବେଳେ ପଥହୁଡ଼ା ବାଟୋଇର ମଉଳା ମନଉପରେ ସାଦା ମେଘ ଖଣ୍ଡେ ଖୋଜି ବୁଲୁଚି । ତଥାପି ଶିଳ୍ପୀ ପ୍ରାଣରେ ତା’ର ପ୍ରତିଚ୍ଛବି ।

 

ଘରଭିତରକୁ ଶାନ୍ତିଲତା ପଶିଯାଇଁ କହିଲେ–କ’ଣ ଦେଖୁଛକି ରତନ ?

 

ଦେଖୁଛି–ଗୋଟିଏ ବନ ହରିଣୀ ଶିଶୁର ସୁଗୋଲ ନେତ୍ର ଯୁଗଳ ମଝିରେ କଳା କଳା ପୁଅ ଡୋଳା ଦୁଇଟି କିମିତି ଢଳଢ଼ଳ ହେଉଛି ।

 

ଦେଖେ କିଏ ସେଇ ହରିଣୀ ଶିଶୁଟି ?

 

ଫଟୋଟିକୁ ତାଙ୍କରି ହାତକୁ ବଢ଼େଇ ଦେଲାବେଳେ ରତନ ଦେଖିଲେ ସେ ଯାହାକୁ ଭାବି ଫଟୋଟି ବଢ଼େଇ ଦେଉଛନ୍ତି ସେ ନୁହନ୍ତି । ତାଙ୍କର ନିହାତି ପାଖରେ ଠିଆହୋଇଛନ୍ତି ତାଙ୍କର ନୂଆବୋଉ । ହଠାତ୍ ଚମକିଉଠିଲା ରତନଙ୍କ ଛାତି । ସେ ଜିଭ କାମୁଡ଼ି ପକେଇଲେ । କିନ୍ତୁ ଉପାୟ ନାହିଁ । ଭାବିଲେ–ଏତେଦିନ ଯାଏଁ ଲୁଚେଇ ରଖିବାର ଫଳ ତ ଇଏ । ପୁଣି ଆଉ ଲୁଚେଇବି କାହିଁକି ? ତାଙ୍କର ଅଜାଣତରେ ଫଟୋଟି ଚାଲିଗଲା ଶାନ୍ତିଲତାଙ୍କ ହାତକୁ ।

 

ଫଟୋଟିକୁ ଚାହିଁ ରହିଲେ ଶାନ୍ତିଲତା ।

 

ରତନ ଦେଖିଲେ–ମାର୍ବଲର ଏକ ପ୍ରତିମୂର୍ତ୍ତି ଭଳି ଛିଡ଼ାହୋଇଛନ୍ତି ନୂଆବୋଉ । ନିରୀକ୍ଷଣ କରି ଚାହିଁଲେ–ଆଖିପତାରେ ତାଙ୍କର ପଲକ ନାହିଁ । ହସି ହସି କହିଲେ–କ’ଣ ଦେଖିଲ ନୂଆବୋଉ ?

 

ଶାନ୍ତିଲତା କିଛି କହିପାରିଲେ ନାହିଁ । ଆଖିପତା ତାଙ୍କର ବୁଜିହେଇ ଆସୁଛି । ଛାତି ଥରୁଛି ।

 

ରତନଙ୍କ ପ୍ରାଣରେ ଉଠୁଛି ସ୍ମୃତିର କରୁଣ ଝଙ୍କାର ।

 

କିଛି ସମୟ ପରେ ଲୋତକଭରା ଆଖିରେ ଶାନ୍ତିଲତା ଧରିଲେ ରତନଙ୍କ ହାତ, ଥରିଲା କଣ୍ଠରେ କହିଲେ–ମତେ କ୍ଷମାଦବ ରତନ । ମୁଁ ବଡ଼ ଅପରାଧ କରିଚି । ରେଣୁ ବୋଲି ଏ ଯେଉଁ ଛିଅଟି ସେ ଆଉ ଏ ସଂସାରରେ ନାହିଁ । ସେ ମରିଯାଇଚି ?

 

ତନ୍ଦ୍ରା ଯିମିତି ତୁଟିଗଲା ରତନଙ୍କ ଆଖିରୁ । ଚମକିଉଠିଲା ପରି ସେ ଅତି ରୁକ୍ଷ ଗଳାରେ କହିଲେ–ରେଣୁ ମରିଯାଇଚି ? କେବେ କେଉଁଦିନ ?

 

ଠିକ୍ ତୁମରି ଯିବା ପରର କଥା । ତୁମେ ଯିବାପରେ ମୁଁ ଏ ଝିଅଟିଠାରୁ ବହୁତ ଚିଠି ପାଇଲି । ସବୁ ପଢ଼ିଲି । ସବୁ ଜାଣିଲି । ତୁମେ ତ ଚାଲିଗଲ । ଝିଅଟି କାହିଁକି ହତାଶରେ ବୁଡ଼ି ମରିବ । ଜଳଜଳିଆ ମରିଚିକାର ସ୍ୱପ୍ନ ଦେଖୁଥିବା ଏ ଝିଅଟିକୁ ସେ ଅବାଟରୁ ସୁଧାରି ଆଣିବା ପାଇଁ ତୁମର ନାଁକୁ ଜାଲକରି ମୁଁ ଗୋଟିଏ ନିରାଶ ବାଣୀର ଚିଠି ଦେଲି । ଭାବିଥିଲି ଯାହା, ଫଳ ହେଲା ତା’ର ସମ୍ପୂର୍ଣ୍ଣ ବିପରୀତ । ଚିଠି ଦେବାର ଠିକ୍ ଦୁଇଦିନ ଆଉ ଖଣ୍ଡେ ଚିଠି ପାଇଲି । ସେ ଚିଠିରେ ଯାହା ଲେଖାଥିଲା ଧୈର୍ଯ୍ୟ ରହିବ ନାହିଁ ପଢ଼ିଲେ । ସଙ୍ଗେ ସଙ୍ଗେ ପ୍ରକୃତ କଥା ଲେଖି ମୁଁ ଅବଶ୍ୟ ଖଣ୍ଡେ ଚିଠି ଦେଇଚି । କିନ୍ତୁ କାହିଁ ଥାଏ ? ସେ ଚିଠିଟି ପହଞ୍ଚିବା ପୂର୍ବରୁ ସରିଯାଇଥିବ ସବୁ-

 

କଥାଶୁଣି ବିବ୍ରତ ହୋଇପଡ଼ିଲେ ରତନ । ମୁଖର ଜ୍ୟୋତି ତାଙ୍କର ନିଷ୍ପ୍ରଭ ହୋଇଆସିଲା । କମ୍ପିଉଠି କହିଲେ–କ’ଣ କଲ, କ’ଣ ତୁମେ କଲ ନୂଆବୋଉ ।

 

ତାପରେ ଆସିଲା ବଜ୍ର । ଆସିଲା ତୋଫାନ । ପ୍ରଳୟ କାଳିନ ମୂର୍ତ୍ତି ଧରି କମ୍ପିଉଠିଲା ମେଦନାର ବକ୍ଷ । ରତନଙ୍କ କଟକଣାରୁ ବାହାରି ତାଙ୍କରି ହାତ ଯାଇଁ ଠାଏ କରି ବସିଲା ଶାନ୍ତିଲତାଙ୍କ ଗାଲରେ ।

 

ଚିହରିଉଠିଲେ ଶାନ୍ତିଲତା ।

 

ତଳଘରୁ ଧାଇଁଆସିଲେ ରଘୁନାଥ । ସବୁ ଦେଖିଲେ । ସବୁ ଶୁଣିଲେ । ରତନଙ୍କୁ ଖୋଜିଲେ । ରତନ ନାହାନ୍ତି ।

 

ତାଙ୍କ ଶୋଇଲା ଘରକୁ ଯାଇଁ ଦେଖିଲେ–ରତନ ବିଛଣା ଉପରେ ଅର୍ଦ୍ଧଶାୟିତ ହୋଇ ତକିଆ ଉପରେ ମୁହଁ ଲୁଚେଇ କଇଁ କଇଁ ହୋଇ କାନ୍ଦୁଛନ୍ତି । ରଘୁନାଥ ଡାକିଲେ । ଶାନ୍ତିଲତା ଡାକିଲେ ରତନ ମୁହଁ ଫେରାଇ ଚାହିଁଲେ ନାହିଁ । ମନଭିତରେ ଅସ୍ପଷ୍ଟ ଭାଷା ଭାଇଙ୍କ ପାଖରେ କେତେ କ’ଣ ଆପତ୍ତି ଅଭିଯୋଗ । ତଥାପି ବଡ଼ଭାଇ ପାଖରେ ଯେତେ କହିବାର ଥିଲେ ବି ରତନ ଚୁପ୍ ରହିଲେ । ତାଙ୍କର କଳଙ୍କିତ ମୁହଁଟିକୁ ନିଜର ଭାଇ ଭାଉଜଙ୍କ ଆଗରେ ଦେଖାଇବାକୁ ଧୈର୍ଯ୍ୟ ନ ଥିଲା । ସେ ନିଜକୁ ନିଜେ ଧିକ୍କାର କରୁଛନ୍ତି–ଆହା ସେ କ’ଣ କଲେ ?

 

ଅଳ୍ପ ସମୟରେ ରତନ ମୁହଁବୁଲେଇ ଅନେଇଲେ । ଦେଖିଲେ–ଭାଇ ନାହାନ୍ତି । ଖଟର ଗୋଟିଏ କୋଣକୁ ଆଉଜି ବସିଛନ୍ତି ନୂଆବୋଉ । ଡାହାଣ ହାତ ପାପୁଲିକୁ ଗାଲରେ ଭରାଦେଇ କ’ଣ ଭାବୁଛନ୍ତି । ଦୁଇଆଖିରୁ ଥୋପି ଥୋପି ହୋଇ ଝରିପଡ଼ୁଛି ତତଲା ଲୁହ । ସେ କାନ୍ଦୁଛନ୍ତି । ଠିକ୍ କାନ୍ଦ ନୁହେଁ ତ ଆର୍ତ୍ତନାଦ, ବିଳାପ ନୁହେଁ–ଅଭିଶାପ ।

 

ସମ୍ଭାଳି ହୋଇ ରହିପାରିଲେ ନାହିଁ ରତନ । ଅଧୀର ହୋଇ ଯାଇଁ ଲୋଟିପଡ଼ିଲେ ଶାନ୍ତିଲତାଙ୍କ ପାଦତଳେ । ବିନମ୍ର ସ୍ୱରରେ କହିଲେ–ମୁଁ ଅପରାଧ କରିଛି ନୂଆବୋଉ, ମତେ ଶାସ୍ତି ଦିଅ ।

 

ତା’ ପରଦିନ ସକାଳ । ରତନ ଶୋଇଛନ୍ତି । ସକାଳର ସୂର୍ଯ୍ୟକିରଣ ଝରକାର ପତଳା ପରଦାରେ ଛାଙ୍କିହୋଇ ତାଙ୍କର ଶୟନ କକ୍ଷରେ ପ୍ରବେଶ କଲାଣି । ତୁହାକୁ ତୁହା ପବନ କେତେଥର ଆସି ତାଙ୍କ ବିପର୍ଯ୍ୟସ୍ତ କେଶରାଶି ସହିତ ଲୁଚକାଳି ଖେଳିଲାଣି । ତଥାପି ସେ ଶୋଇଛନ୍ତି ।

 

କିଏ ଯିମିତି କାନପାଖରେ ଆସି ଚୁପ୍ ଚୁପ୍ କହୁଛି–ସଇଲା ସଇଲାରେ ରତନ, ସଇଲା ସଇଲା । ଯାହାକୁ ତୁ ଆଶାଦେଇ ଶେଷରେ ନିରାଶା କଲୁ, ସେ ତତେ ଆଜିଯାଏଁ ଅନେଇଲା । ତୋ’ରି ଲେଉଟିବା ବାଟକୁ ଚାହିଁ ଚାହିଁ ଆଖିରୁ କେତେଲୁହ ଗଡ଼େଇଲା । ବାର ଲୋକଙ୍କଠାରୁ ବାରକଥା ଶୁଣିଲା । କେତେ ଗାଳିମାଡ଼ ଖାଇଲା । କୁଆଡ଼କୁ ମନଦେଲା ନାହିଁ । ତୋ’ରି ଲାଗି ଦେହକୁ ମୁଗୁନି ପଥର କରି ସବୁ ସହିଲା । ତୁ ତାକୁ ପଚାରିଲୁ ନାହିଁ । ଶେଷରେ ନିରାଶ ହେଲା । ଦିହର ଦହଗଞ୍ଜା ସହିପାରିଲା ନାହିଁ । କେଳୁଆ ନଈର ଉଛୁଳା ଗଣ୍ଡରେ ଆତ୍ମହତ୍ୟା କଲା । ସପନରେ ଚମକିଉଠିଲେ ରତନ । ଆଖି ଖୋଲି ଚାହିଁଲାବେଳକୁ ସତକୁ ସତ୍ ରେଣୁ ପାଗଳି ହୋଇଛି । ମୁଣ୍ଡବାଳ ମୁକୁଳା, ସାତ ଚିରାଲୁଗା ଖଣ୍ଡିକରେ ଦେହ ଲୁଚୁନାହିଁ । ତାଙ୍କରି ଗାଁ ମଝି ଗାଁ । ଗୋଟାକର ସବୁ ପିଲାଛୁଆ ରୁଣ୍ଡ ହୋଇଛନ୍ତି । ତାଙ୍କରି ମଝିରେ ହସି ହସି ନାଚ କରୁଛି ରେଣୁ ।

 

ପୁଣି ଦେଖିଲେ–ନଈପଠାରେ ଖାଲଢ଼ିପ ଢେଲା ବିଲରେ ପଡ଼ିଉଠି ନଈଧାର ଆଡ଼େ ଛୁଟିଯାଉଚି ରେଣୁ ଆତ୍ମହତ୍ୟା କରିବାକୁ । ଗାଁର କେତେ ଲୋକ ପଛରେ ଧାଇଁଛନ୍ତି ସେ ବି ଧାଇଁଛି ତାଙ୍କରି ସାଥିରେ । ଗଣ୍ଡ ପାଖରେ ପହଞ୍ଚିଲା ବେଳକୁ ରେଣୁ ଆଉ ନାହିଁ । ଅଥଳ ଜଳ ଭିତରୁ ଟୁବ୍ ଟୁବ୍ ହୋଇ ଭାସିଉଠୁଛି କେତେ ଗୋଟି ଫୋଟକା ।

 

ଦେହଟା କାହିଁକି ଶୀତେଇଉଠିଲା । କାନ୍ଦିଉଠିଲା ରତନ ।

 

ଲିଲି ଯାଇଁ ଡାକିଲା–ସାନବାପା, ହେ ସାନବାପା ।

 

ତନ୍ଦ୍ରଳସ ଦେହରେ ଭିଡ଼ିମୋଡ଼ି ହୋଇ ରତନ ଚାହିଁଲେ–ପାଖରେ ଲିଲି ।

 

ଦରୋଟି ପାଟିରେ ଲିଲି ପଚାରିଲା–ତୁମକୁ କିଏ ମାଇଲା କି ସାନବାପା । କାନ୍ଦୁଥିଲ କାହିଁକି ।

 

ଚାରି ବରଷର ସାନ ଝିଅଟି ଲିଲି । କ’ଣ ସେ ବୁଝିବ ? ଭୁଲାଇ ଦେବାପାଇଁ ରତନ କହିଲା–ଗୁଗୁପାଞ୍ଚି ଖେଳିବୁକି ଲିଲି ?

 

ନାଇଁ, ନାଇଁ ବୋଉ କଇଚି ତମେ ଆଗ ପିଠା ଖାଇବ ଆସ । ହେଇ ଦେଖିଲ ମୋର କିମିତିକା ନୂଆ ଜାମା, ନୂଆ ପେଣ୍ଟ । ମୁଣ୍ଡକୁ ଅନେଇଲ ବୋଉ କିମିତି ଚିତା ନାଇ ଦେଇଚି ।

 

ଆରେ ବାଃ, ଭାରି ଭଲ ହୋଇଚି ତ ?

 

ଲିଲିକୁ ଧରି ରତନ ଗେଲ କଲେ ।

 

ଥଙ୍ଗେଇ ଥଙ୍ଗେଇ ଲିଲି କହିଲା–ତାଙ୍କ ଝୁଅ ଯିମିତିକା ନାଲି ଲୁଗା ପିନ୍ଧିଛି, ତମେ କାହିଁକି ମୋ ପେଇଁ ସିମିତିକା ଆଣିଲ ନାଇଁ ?

 

ତାଙ୍କ ଝୁଅ ତ ବଡ଼ୁଟିଏ ହେଲାଣି ତୁ କାଇଁକି ଛୁଆଟିଏ ହୋଇଚୁ ?

 

ଆର ଘରୁ ଶାନ୍ତିଲତା ଡାକିଲେ–ଲିଲି......ସାନବାପାଙ୍କୁ ଡାକିଆଣିଲୁ ?

 

ଡାକଶୁଣି କୋଳଉପରୁ ଡେଇଁପଡ଼ିଲା ଲିଲି । ଦ୍ୱାର ମୁହଁକୁ ଯାଇଁ ବଡ଼ପାଟି କରି କହିଲା–ସାନବାପା ଉଠୁନାଆଁନ୍ତି ବୋଉ । ପୁଣି ରତନଙ୍କ ଆଡ଼କୁ ଚାହିଁ ଦୁଇହାତରେ ତାଳିମାରି ମୁଣ୍ଡ ହଲେଇ ହଲେଇ କହିଲା–ହେଇଚି । ବୋଉ ଆଗରେ କଇଦେଲି । ହେଇଚି–ହେଇଚି ।

 

ହସି ହସି ଖଟଉପରୁ ଉଠିଆସିଲେ ରତନ ।

 

ଆଗରେ ଦୌଡ଼ି ପଳାଇଲା ରେଣୁ ।

 

ସେଦିନ ହୋଇଥିଲା ପ୍ରଥମାଷ୍ଟମୀ । ଆଟୁଘର ଦୁଆର ବନ୍ଧକୁ ଆଉଜି ପିଠାଖାଇ ବସିଥାନ୍ତି ରତନ । ପାଖରେ ବସିଥାଏ ଲିଲି । ଦରୋଟି ପାଟିରେ ବେଳେବେଳେ ଅନ୍ତର ମହକିଲା କଥା–ମୁଁ ପୁଲ ଖାଇବି ସାନବାପା । ଛୁଆଟି ପାଟିରେ ଟିକି ଟିକି ଛେନାପୁର ଦେଇ ଛୁଆ ସାଥୀରେ ଛୁଆ ହୋଇ ଖେଳୁଥାନ୍ତି ରତନ । ତା’ରି ଭିତରେ ସେ ଲକ୍ଷ୍ୟ କରୁଥାନ୍ତି ଶାନ୍ତିଲତାଙ୍କର ଅପୂର୍ବ ଭାବଭଙ୍ଗି । ସବୁଦିନର ନୂଆବୋଉ ଆଉ ସେଦିନର ନୂଆବୋଉ ଭିତରେ ସେ ଦେଖୁଥାନ୍ତି ଆକାଶ ପାତାଳର ପ୍ରଭେଦ । ଏତେ କଥା ହେଲା । ଦିନ ଗୋଟିଏ ପୂରିନାହିଁ । କେତେ କ’ଣ ଘଟିଲା । ତଥାପି ଚହଟିଲା ମୁହଁ ମଉଳି ନାହିଁ । ସେଇ ହସ ହସ ମୁହଁ, ଆଗପରି ରହିଚି । ନିଜର ଅଜଣାରେ ଗୋଟିଏ ଉତ୍ତେଜନାରେ ସେ ଯେଉଁ ଭୁଲ୍‍କଲେ ସେଥିପାଇଁ ତ ସେ ଟିକିଏ ହେଲେ ରାଗିନାହାନ୍ତି, ବରଂ ଅଧିକ ସ୍ନେହ ଆଦର କରୁଛନ୍ତି । ନିଜର ଭୁଲ୍ ପାଇଁ ନିଜେ ଲଜ୍ଜିତ ହେଲେ ରତନ ।

 

ଶାନ୍ତିଲତାଙ୍କ ମୁହଁରେ ଲାଗି ରହିଥାଏ ଏକ ଅଜଣା ଆନନ୍ଦ । କ’ଣ କହିବା କହିବା ହୋଇ ଘର ଭିତରକୁ ଆସୁଥାନ୍ତି ରତନଙ୍କ ପାଖକୁ । ପାଖରେ ଠିଆହୋଇଥାନ୍ତି, ମୁହଁକୁ ଚାହୁଁଥାନ୍ତି ସାହସ ପାଉନଥାନ୍ତି କହିବାକୁ । କାଳେ ଭଲ କଥାଟା ଭେଲ ପାଲଟି ଯିବ କି ? ପୁଣି କ’ଣ ଭାବି ଲେଉଟି ଯାଉଥାନ୍ତି ଘରକୁ । ଘରେ ମନ ରହୁନଥାଏ । ପୁଣି ଆସୁଥାନ୍ତି ପାଖକୁ । ମନରେ ସାହସ ବାନ୍ଧନ୍ତି । ଏଥର ନିଶ୍ଚୟ କହିବେ ।

 

କିନ୍ତୁ ରତନଙ୍କ ଖିଆ ସରିଲା । ହାତ ଧୋଇ ଘର ଭିତରକୁ ଯାଇଁ ତଉଲିଆରେ ମୁହଁ ପୋଛି ପଦାକୁ ଫେରିଲେ ତଥାପି ସେ କହିପାରିଲେ ନାହିଁ । ପେଟ ଭିତରୁ କଥାଟା ଆସି ଅଟକି ଯାଉଥାଏ ତଣ୍ଟି ଅଧରେ ।

 

ଏ ଭଙ୍ଗୀର ଛାୟାଚିତ୍ର ରତନଙ୍କ ଛାତିରେ ଧକ୍‌କା ବାଜିଲା । କ’ଣ ଯେପରି ଆଶଙ୍କା ଅପେକ୍ଷା କରି ବସିଲେ । ନୂଆବୋଉ କେଉଁକଥାଟି ଉଦ୍‌ଘାଟନ କରିବେ ତା’ରି ଚିନ୍ତାରେ ସେ ବ୍ୟାକୁଳ ହେଲେ । କେତେ ଏପାଖ ସେପାଖ ହେଲେ । ତଥାପି ଯାହା ପାଇବାକୁ ଆଶା କରିଥିଲେ ତାହା ସେ ପାଇଲେ ନାହିଁ । ନିଜର ନିରର୍ଥକ ଦୁର୍ଭାବନାଗୁଡ଼ା ନିଜର ଛାତିକୁ ଭୁଶିଲା ।

 

ମଝି ଦରଜା ଡେଇଁଯାଇ ଦାଣ୍ଡ ଦୁଆର ଟପିଯିବାକୁ ବସିଲେଣି, ପଛରୁ ଶୁଭିଲା ନୂଆବୋଉଙ୍କ ଡାକ । ଘୂର୍ଣ୍ଣିବାତ୍ୟା ଭଳି ଓଲଟି ଚାହିଁଲେ ରତନ ।

 

କ’ଣ ?

 

ଶୁଣିଗଲ ଏଣେ ।

 

କାହିଁକି ?

 

ପୂର୍ବପରି ଆଗ୍ରହରେ ହସ ହସ ମୁହଁରେ ଶାନ୍ତିଲତା କହିଲେ–ତମଠେଇଁ ଆଜି ଗୋଟିଏ ଭାରି ଜରୁରୀ କାମ ଅଛି ।

 

କ’ଣ ସୋରିଷ ଚାଇଁ ଛୋଟ ନାଁ ପୃଥିବୀ ଚାଇଁ ବଡ଼ ?

 

ନ’ଟି ଗ୍ରହର ପରିଧି ଯେତେ ତା’ଠାରୁ ଆହୁରି ଅଧିକ ।

 

ନୂଆବୋଉଙ୍କ ସାଙ୍ଗରେ ରତନ ତାଙ୍କ ଶୋଇଲା ଘରକୁ ଗଲେ । ଖଟଉପରେ ବସିଲେ-। ପାଖରେ ବସିଲେ ନୂଆବୋଉ । ମଝି ଅଗଣାରେ ଖେଳୁଥାଏ ଲିଲି । ଦିଅର ଭାଉଜ । ଥଟ୍ଟା ନକଲ । ହାସ ପରିହାସ କଥାର ଛନ୍ଦରେ ନୂଆବୋଉ କହିଲେ–ଭାଇ କହିଯାଇଚନ୍ତି, ଆଜି ଆଉ ଥରେ ସେ ଗାଁକୁ ଯାଅ । ଏଇ ନିଅ ଖଣ୍ଡିଏ ଶାଢ଼ି, ଆଉ ଗୋଟିଏ ସିନ୍ଦୁର ଡବା । ଭାଇ କହିଚନ୍ତି ଯଦି ସେ ଝିଅଟା ଥାଏ ତେବେ ଏ ଶାଢ଼ି ଓ ସିନ୍ଦୁର ଡବାଟି ଦେଇ ଏକାଥରେ ଜବାବ ଦେଇଆସିବ-

 

ରତନଙ୍କ ମୁଣ୍ଡ ଉପରୁ ଖୁବ୍ ଗୋଟାଏ ଭାରୀ ଜିନିଷ ଖସିପଡ଼ିଲା କିମିତି । ସେ ଆଶ୍ୱସ୍ତିର ନିଶ୍ୱାସଟିଏ ମାରିଲେ । ଅନ୍ତର ଭିତରେ ତାଙ୍କର ମହକିଉଠିଲା ହେନାର ସୁରଭି । ମନେମନେ ମୁରୁକି ହସିଲେ ରତନ । ସତେ କ’ଣ ଆଶା ତାଙ୍କର ମେଣ୍ଟିବ ? ନୂଆବୋଉଙ୍କୁ ପ୍ରଶାନ୍ତ ମୁହଁରେ ଆଶ୍ୱାସନାର ମୃଦୁ ସଙ୍ଗୀତ କୃତଜ୍ଞତାରେ ଝରିପଡ଼ିଲେ ରତନ ।

 

ଦିଅର ଭାଉଜ ସମ୍ପର୍କ–ଯେତିକି ମଧୁର ସେତିକି ତିକ୍ତ । ପାଚିଲା ଲୁହା ଉପରେ ଚାଲିବାକୁ ହୁଏ ବଡ଼ ହୁସିଆରରେ । ନିଜର ଅସାବଧାନତାରେ କଥା କହୁଁ କହୁଁ ପଦିଏ ବେଆଡ଼ା କଥା ଖସିଗଲା ଦାନ୍ତ ନିକୁଟି ଚାହାନ୍ତି ନୂଆବୋଉ । ସେଥିପାଇଁ କଥା ରୋକି ରୋକି ରତନ କହିଲେ–ଅମାବାସ୍ୟାର ଘନଅନ୍ଧାର ଭିତରେ ଚାନ୍ଦକୁ ଖୋଜିଲେ ଆଉ କି ଚାନ୍ଦର ଦେଖାମିଳେ ?

 

ରତନଙ୍କ ଦୁଇ ବାହାକୁ ହଲେଇଦେଇ ମିଠାଳିଆ ସ୍ୱରରେ ନୂଆବୋଉ କହିଲେ–ଅନ୍ଧାର ହୋଇନାହିଁ କି ଚାନ୍ଦ ଲୁଚିନାହିଁ । ଢଙ୍କା ବାଦଲର ଆରପଟରୁ ଚାନ୍ଦ ଆସିବ । ନିଶ୍ଚୟ ଆସିବ । ତମେ ଆଗ କୁହ ଯିବ କି ନାହିଁ ।

 

ତାଙ୍କ କଥା ଶୁଣି ନୀରବ ରହିଲେ ରତନ ।

 

ନୂଆବୋଉ ଚାହିଁ ରହିଲେ ଉତ୍ତର ଆଶାରେ । ସେ ଚାହାନ୍ତି ଏକ ନିର୍ଭୀକ ଉତ୍ତର ।

 

ରତନ ମନେମନେ ଭାବିଲେ-ରେଣୁ ଯଦି ତାଙ୍କର ପଥକୁ ଚାହିଁ ବସିଥିବ, ଝରାଫୁଲ ପରି ସେ ଯଦି ତାକୁ ଫିଙ୍ଗି ଦିଅନ୍ତି, ତା’ହେଲେ ତା’ର ଶେଷ ପରିଣତି କ’ଣ ନ ହବ ? ରାସ୍ତାର ଆବର୍ଜନା ସହିତ ମିଶି ନିଜର ନିଜତ୍ୱ ହଜାଇବସିବ ସିନା ? ତାଙ୍କରି ପାଇଁ ।

 

ଥରିଉଠିଲେ ରତନ ।

 

ନୂଆବୋଉଙ୍କ ସେଇ ଗୋଟିଏ ଜିଗର କୁହ, ତମେ ଯିବ କି ନାହିଁ ।

 

ରତନଙ୍କ ଉନ୍ନତ ମୁଖମଣ୍ଡଳକୁ ଢାଙ୍କିଦେଲା ଏକ ଲାଜର ଅରୁଣିମା । ସେ ତଳକୁ ମୁହଁ ପୋତିଲେ । କିଛିସମୟ ନୀରବତା ରକ୍ଷା କରିବା ପରେ ଧୀରେ ଧୀରେ ପାଟିରୁ ଖସିଆସିଲା ହଉ ଯିବି ।

 

X X X

 

ସକାଳର କଅଁଳ ଖରା ପାକଳ ହେଲାଣି । ଦୁମୁଦୁମିଆ ଦ୍ୱିପ୍ରହର ଖରାବେଳ । ସୂରୁଯ ଦେବତାଙ୍କ ସଳଖ କିରଣ ଚାଳ ଗୋଟାକ ଛାଇହେଇ ପଡ଼ିଚି । ଶୋଇଲାଘର ଦଉଡ଼ିଆଖଟଟି ଉପରେ ହଜିଲା ଦେହଟାକୁ ଲମ୍ୱେଇ ଭାବନାର କୂଳ ଅକୂଳ ଲଙ୍ଘି ଛୁଟି ଚାଲିଛନ୍ତି ରତନ । ଓଳି ଗୋଟାଏ ବିତିଗଲାଣି, ତଥାପି ଭାବନାର ଗୋଲକଧନ୍ଦା ଗିତରୁ ମୁକୁଳାଇ ପାରୁନାହାନ୍ତି ନିଜକୁ । ଆଉ କିଛି ନାହିଁ । ଖାଲି ସେଇ ଗୋଟାଏ କଥା । ସେଇ ଗୋଟାଏ ପ୍ରଶ୍ନ । ଯିବେ କି ନ ଯିବେ । ଭାବୁଚନ୍ତି ଯିବେ, ପୁଣି କାହିଁକି ଯିବେ । ବଢ଼ିଲା ଝିଅ–ଛଣ ଛପର ଚାଳ । ସେ କ’ଣ ଆଜିଯାଏଁ ଥିବ ? ଯଦି ଥିବ ସେ କ’ଣ ଆଜିଯାଏଁ ତାଙ୍କୁ ମନରେ ରଖିଥିବ ? ସଙ୍ଗେ ସଙ୍ଗେ ଓଲଟି ଯାଇଚି ଭାବନା । ନା–ନା ରେଣୁ ସେମିତିକା ନୁହେଁ । ଦିନକର ଅଦର୍ଶନରେ ଯିଏ ଗୋଟିଏ ଦିନକୁ ଗୋଟିଏ ଯୁଗ ବୋଲି ଭାବୁଥିଲା ସେ କ’ଣ ସହଜରେ ଭୁଲିପାରିବ ତାଙ୍କୁ ?

 

ରେଣୁ ସହିତ ତାଙ୍କର ତ ଦିନ ଓଳିକର ମମତା ନୁହେଁ ବା ଥରେ ଅଧେର ଦେଖାଚାହାଁ ନୁହେଁ । ତେଲ ସହିତ ନିଆଁର ମିଳନ, ଦୁଧ ସହିତ ପାଣିର ସମ୍ପର୍କ । ନିର୍ଜନ ନିକାଞ୍ଚନରେ ସେ ଅନେକଥର ଭେଟିଚନ୍ତି ତାକୁ । ସେ ବି ଭେଟିଚି ତାଙ୍କୁ । ହସ ପରିହାସର ଫୁଆର ଭିତରେ କେତେ କେତେ ଚନ୍ଦ୍ର ଚକିତ ରାତି ପାହିଚି । କେତେ ଶୀତରାତିର ମହୁଆ ନିଶା କଟିଛି......

 

ବିତପରୀତ ଆତ୍ମାଦୁଇଟି ଭିତରେ ଏକ ଅଫୁରନ୍ତ ଅନୁଗତ୍ୟ ଯେଉଁ ଶଙ୍ଖ ମଲ୍ ମଲ୍ ମାର୍ବଲର ତାଜମହଲ ତୋଳିଥିଲା ତାହା ଆଜି ଏ କଦାକରେ ଦୁନିଆରେ ସତ୍ତା ହରାଇ ବସିଚି । ମଳିନ ପିୟାସୀ ଦୁଇଟି ଆତ୍ମାର କରୁଣ ରାଗିଣୀ ଦିଗ ଦିଗନ୍ତରେ ମୂର୍ଚ୍ଛନା ତୋଳିଛି । ତା’ରି ମୋହରେ ରତନ ଆଜି ଗୋଟିଏ କୋମଳ ପ୍ରାଣ ସରଳା ଝିଅର ସରଳ ବିଶ୍ୱାସରେ ସଳିତା ଜାଳିଛନ୍ତି । ଜଳିଲା ନିଆଁରେ ଅନ୍ୟଜଣକୁ ଜଳେଇ ବଞ୍ଚେଇଚନ୍ତି । ଭାବିଥିଲେ ଖସିଯିବେ ବୋଲି ସେଥିରୁ, କିନ୍ତୁ ସେଇ ନିଆଁରେ ଆକର୍ଷଣ ତାକୁହିଁ ଟାଣିଲା ।

 

ସେଇ ରତନ ବଦଳିଯାଇଚନ୍ତି ଆଜି । ଦୃଢ଼ତା ତାଙ୍କର ଝାଉଁଳିପଡ଼ଚି । ନିଜକୁ ନିଜେ ସେ ଦୋଷୀ ବୋଲି ସ୍ୱୀକାର କରିଚନ୍ତି । ଏବେବି ରେଣୁର ଦେହଛୁଆଁ ଆନନ୍ଦ ଅତି ନିବିଡ଼ ଭାବରେ ଜଡ଼ି ରହିଛି ତାଙ୍କ ଦେହର ପ୍ରତି ରକ୍ତଣିକା ଭିତରେ ସେ ଭୁଲିପାରୁନାହାନ୍ତି ।

 

ଉତ୍ତପ୍ତ ନିଆଁ ପିଣ୍ଡୁଳା ପରି ଭାବନାର ଘନଘଟା ଭିତରେ ଆରକ୍ତ ହୋଇଉଠିଲାଣି ତାଙ୍କର ପାଂଶୁଳ ମୁହଁଟି । ରେଣୁର ସ୍ପରଶ ଦେହରେ ରୋମାଞ୍ଚ ସୃଷ୍ଟି କରୁଛି ।

 

ହଠତ୍ ଭାବନା ଚହଲିଉଠିଲା । ଘରର ଚାରିଆଡ଼େ ଆଖି ବୁଲାଉ ବୁଲାଉ ଦୃଷ୍ଟିପଡ଼ିଲା ଆଲାରାମ ଘଡ଼ି ଉପରେ । ତିନିଟା ବାଜିବାକୁ ମୋଟେ ପନ୍ଦର ମିନିଟ ବାକି । ଚାଉଁକିନା ମନରେ ଗୋଟିଏ ଅଜଣା ଆନନ୍ଦ ପଶିଗଲା । ଜଣକର ମିଳନ ପାଇଁ ଆନନ୍ଦର ଆଶା ତେଜିଉଠିଲା ଦେହସାରା । ଧଡ଼ପଡ଼ ହୋଇ ପଦାକୁ ଉଠିଆସିଲେ ରତନ । ଖରାର ତାଉ କମିଲାଣି । ଦେହରେ ତାଉ ବଢ଼ୁଚି । ଉଚ୍ଚାଟିଆ ମନଟା ତଳିପଡ଼ୁଚି ବର୍ତ୍ତମାନରୁ ଅତୀତକୁ, ଗୋଟିଏ ମନଭୁଲା ପୁରୁଣା ସ୍ମୃତି ଆଡ଼କୁ । ପୁରୁଣା ଦିନର ସକଳ, ସ୍ମୃତି ଆଖିଆଗରେ ଅତି ସ୍ପଷ୍ଟ ହୋଇ ଭାସିଉଠୁଚି । ବିସ୍ମିତ ବିଷ୍ଫାରିତ ଆଖିରେ ରେଣୁ ଚାହିଁ ରହିଚି ତାଙ୍କୁ । ଆଖି କୋଣରେ ତା’ର ଜକେଇଲା ଲୁହ । ତାଙ୍କରି ଲେଉଟିଲା ପଥକୁ ଚାହିଁ ପ୍ରତୀକ୍ଷମାଣା ରେଣୁ ଦିନ ପରେ ଦିନ ବିତାଉଛି । ଦୂରରୁ ଦେଖି ସେ ଦୌଡ଼ିଆସୁଚି ତାଙ୍କରି ପାଖକୁ । ସରଳ ବେଶ, ପ୍ରସାଧନ ଇତସ୍ତତଃ ହୋଇପଡ଼ିଚି । କାକକୃଷ୍ଣ କବରୀର ସଜଫୁଟା ପୁଷ୍ପ ସମ୍ଭାର ଝର ଝର ପଡ଼ୁଚି । ପାଖରେ ପାଇଲାକ୍ଷଣି ଛିନ୍ନ ବଲ୍ଲରୀ ଭଳି ସେ ଏକାଥରକେ ଲୋଟିପଡ଼ୁଚି ତାଙ୍କରି କୋଳରେ । ଅନୁଯୋଗ କରି କହୁଚି–ତମେ ଏମିତି ରତନାଭାଇ ?

 

ଏପାଖ ସେପାଖ ହେଉ ହେଉ ଅଧଘଣ୍ଟାଏ ବିତିଗଲାଣି । ମନକୁ କ’ଣ ଗୋଟାଏ ଖିଆଲ ଆସିଲା । ଘରକୁ ଯାଇ ସଫା ଲୁଗା ଖଣ୍ଡେ ପିନ୍ଧିଲେ । ଶିଲିକ ପଞ୍ଜାବୀଟା ପିନ୍ଧିଲେ । ଗୋଡ଼ରେ ଯୋତା ପିନ୍ଧିଲେ । ଆରସି ପାଖକୁ ଯାଇଁ ଚାହିଁଲାବେଳକୁ ମୁଣ୍ଡବାଳ ଫରଫର । ଯେତେ କୁଣ୍ଡେଇଲେ ବି ବାଳଗୁଡ଼ା ଠିଆ ଠିଆ ରହୁଚି । ରୋଷେଇ ଘରକୁ ଯାଇଁ ଦେଖିଲା ବେଳକୁ ଗରା, ବାଲ୍‌ଟି, ଢାଳ ସବୁ ଖାଲି ପଡ଼ିଚି । ଓଃ କି ହଇରାଣ । ଦରକାର ବେଳେ ଖୋଜିଲେ ପାଣି ଟୋପିଏ ବି ମିଳୁନାହିଁ ଏ ଘରେ ? ବହୁ କଷ୍ଟରେ ଗରାରୁ ବାଲଟି, ବାଲ୍‌ଟିରୁ ଢାଳ ସବୁ ନିଗାଡ଼ି ବାଳକୁ ଟିକେ ଓଦା କରିନେଲେ । ନୂଆବୋଉଙ୍କ ଶୋଇଲା ଘରୁ ପାଉଡ଼ର ଟିକେ ଆଣି ମୁହଁରେ ଛିଞ୍ଚିଲେ । ଅତର ଦି’ଠୋପା ସାଟ୍‌ରେ ପକେଇଲେ । ସୁନେଲି ଫ୍ରେମଦିଆ ଚଷମାଟି ଆଖିରେ ଦେଇ ପୁଣିଥରେ ଆରସିକୁ ଅନେଇଲେ । ଓଃ କି ଚମତ୍କାର । ନାକତଳେ ଗଜୁରି ଆସୁଥିବା ନିଶଟି ବେଶ୍ ମାନୁଚି । ନିଜକୁ ନିଜେ ଲୋଭେଇପଡ଼ିଲେ ରତନ ।

 

ମନଟା ବଡ଼ ଦହଗଞ୍ଜ କଲା । ଦରଜା ବନ୍ଦକରି ବାହାରିଆସୁଥିଲେ ପଦାକୁ । ପାଦ କାହିଁକି ଚଳିଲାନାହିଁ । ପୁଣି ଦରଜା ଖୋଲି ଘର ଭିତରକୁ ପଶିଲେ । ଝରକା ଖୋଲି ଚାରିଆଡ଼କୁ ଚାହିଁଲେ । ଯିମିତି ସେ କାହାର ଆଦେଶକୁ ଅପେକ୍ଷା କରିଛନ୍ତି । ମନେମନେ ଭାବୁଥାନ୍ତି ନୂଆବୋଉଟା ଏଡ଼େ ଓଲ୍ଲୁ । ଥରେ ଯିବାକୁ କହିଦେଇ ଚୁପ୍ । ମୁଁ ଉପର ମନରେ ନାହିଁ ନାହିଁ କରୁଥିଲେ ବି ସେ ସିନା ଆସି ବାଧ୍ୟ କରନ୍ତେ ଯିବାକୁ । ଜଣକର ମିଳନ ମୋହରେ ମନଟା ଖାଲି ଉଡ଼ୁଛି କି ବୁଡ଼ୁଛି । ଦେହର ଉଚ୍ଚାଟରେ ଘରର ଚାରିପାଖ ବୁଲିଲେ । ଚାରିଆଡ଼କୁ ଚାହିଁଲେ । ନୂଆବୋଉଙ୍କର ଦେଖାନାହିଁ ।

 

ଘର ଭିତରେ କାମ କରୁଥିଲା ଗୋବିନ୍ଦା । ଏ ସବୁ ଦେଖି କ’ଣ ଲକ୍ଷ୍ୟକଲା କେଜାଣି, ପାଖକୁ ଆସି କହିଲା–ମା’ଙ୍କୁ ଡାକିଦେବି କି ସାନବାବୁ ?

 

ନା, ଦରକାର ନାହିଁ ।

 

ସେତେବେଳେ ରାଗରେ ଜରଜର । ମନ ହେଉଥାଏ ସାଟ୍‌ଫାଟ୍ ସବୁ ଚିରି ଫିଙ୍ଗିଦିଅନ୍ତି-। ଘରଦୁଆର ସବୁ ଭାଙ୍ଗି ପୁଣି ସେ ପଳେଇଯାଆନ୍ତେ ଯୁଆଡ଼େ ଯାଇଥିଲେ । ନୂଆବୋଉଟା କିମିତିକା ଲୋକ ? କାନରେ ବାଜିଲା । ଦାଣ୍ଡ ଦୁଆରେ ନୂଆବୋଉ ଗୋବିନ୍ଦାକୁ କହୁଚନ୍ତି–ସାନବାବୁ କୁଆଡ଼େ ଗଲେଣି ନା ଅଛନ୍ତିରେ ?

 

କେତେବେଳୁ ତ ଲୁଗାପଟା ପିନ୍ଧି ବସିଚନ୍ତି ।

 

ଧୀର ପବନରେ ଝରିପଡ଼େ ଯିମିତି କଦମ୍ୱ ଫୁଲର ମଉଳା କେଶର, ରତନଙ୍କ ମୁହଁରେ ସିମିତି ହସରେଖା ଝରିପଡ଼ିଲା । ଝରିଲା ମହୁଲ ଫୁଲପରି ରତନଙ୍କ ମୁହଁ ହସ ହସ । ସତେକି ଯମରାଜାଙ୍କ କବଳରୁ ସତ୍ୟବାନଙ୍କୁ ଫେରେଇଆଣିଲା ସାବିତ୍ରୀ ।

 

ନୂଆବୋଉ ଆସି କହିଲେ–କ’ଣ ଏତେବେଳଯାଏଁ ଯାଇନାହିଁ ରତନ ?

 

କ’ଣ କହିବେ ? ଲାଜର କଥା । ଏଣେ ପୁଣି ମନ ପୋଡ଼ିଯାଉଚି । କଥା ଖୋଜୁ ଖୋଜୁ ବାଁରେଇ କହିଦେଲେ–ଶୋଉ ଶୋଉ ତ ପଡ଼ିଲି ଏଯାଏଁ ।

 

ମୁଁ ଭାବିଲି ସିନା ଚାଲିଯିବଣି ?

 

ସେତେବେଳକୁ ଦାଣ୍ଡ ଦୁଆରେ ନେଇ ସାଇକେଲ୍ ଠିଆ କରିଥିଲା ଗୋବିନ୍ଦ । ଚଢ଼ିବା ପୂର୍ବରୁ ନୂଆବୋଉ ନେଇ କ୍ୟାରିଏଲ୍‌ରେ ବାନ୍ଧିଦେଲେ ଖଣ୍ଡିଏ ଭାଗଲପୁରା ଶାଢ଼ି । ପକେଟ୍‌ରେ ସିନ୍ଦୁର ଡିବାଟି ପକେଇଦେଲେ । ହାତକୁ ବଢ଼େଇଦେଲେ ଖଣ୍ଡିଏ ଦଶଟଙ୍କିଆ ନୋଟ୍ । କହିଲେ ଉଠାଣିଆ ଉଠାଣିଆ ମେଘଟା ବାହାରିଚି । କାଳେ ହବକି କ’ଣ ? ଚଞ୍ଚଳ ପଳେଇଆସିବ ।

 

ବିନୟରେ ମୁଣ୍ଡ ନୋଇଁଲେ ରତନ । କିଛି କହିଲେ ନାହିଁ ।

 

ଲିଲି କୁଆଡ଼େ ଖେଳୁଥିଲା । ଦୌଡ଼ିଆସି କୁଣ୍ଢେଇ ଧରିଲା ରତନଙ୍କୁ । କହିଲା–ମୁଁ ସାଇକଲ ପଛରେ ବସିବି ସାନବାପା ।

 

ସେତେବେଳକୁ ପ୍ରେମର ନିଶା ଘାରିସାରିଲାଣି ରତନଙ୍କ ମୁଣ୍ଡକୁ । କମ୍ପିଉଠି କ’ଣ କହିଆସୁଥିଲେ । କହିବା ପୂର୍ବରୁ ଶାନ୍ତିଲତା ଯାଇଁ ଛଡ଼େଇ ଆଣିଲେ ଲିଲିକୁ ।

 

ରତନ ଚାଲିଗଲେ ।

 

କାନ୍ଦିଉଠିଲା ଲିଲି ।

 

ତା’ କଅଁଳ ଗାଲରେ ଛୋଟିଆ ଚୁମାଟିଏ ଦେଇ, ତା’ କାନପାଖରେ ଚୁପ୍ ଚୁପ୍ କରି କହିଦେଲେ ଶାନ୍ତିଲତା–ସାନବାପା ଯାଇଚନ୍ତି, ତୋ ପାଇଁ ନୂଆ ଖୁଡ଼ି ଆଣିବେ–ନୂଆଖୁଡ଼ି ।

 

ଧୁଳି ଧୁସରୀତ ପଲ୍ଲୀ ପଥର ଧାରେ ଧାରେ ବୁଦି ବୁଦି ସବୁଜ ଘାସର ଶୋଭା । ଦୁଇପାଖରେ ଟିକି ଟିକି ଚଳଚଞ୍ଚଳ–କୂଳଉଚ୍ଛଳ ଜଳବେଣୀ ଦୁଇଟି, କବିତାର ଢେଉ ତୋଳି ବହିଯାଉଥିଲା ଆଗକୁ । ତା’ରି ଉପରେ ବିଛୁଡ଼ି ହୋଇପଡ଼ିଥିଲା ଶୁଆଁମ ଫୁଲର ଧବଳ ଆସ୍ତରଣ । ଦୁଇପାଖର ଢିପ ଜମିମାନଙ୍କରେ ହସିଉଠୁଥିଲା କନକ ଦେହୀ ସୋରିଷଫୁଲ । ଛୁଟିଆସୁଥିଲା ମହକ । ଚକ୍ରବାଳର ମଥା ଛୁଇଁଉଠେଇ ଆସୁଥିଲା ଖଣ୍ଡେ ଝଡ଼ରଙ୍କା ମେଘ । ସେଇଝଡ଼ର ତାଳେ ତାଳେ ଅତି ଦୃଢ଼ଗତିରେ ଆଗେଇ ଚାଲିଥାନ୍ତି ରତନ । ସାଇକେଲ୍‌ର କର୍‌ର କର୍‌ର ଶବ୍ଦ ଧୀରେ ଧୀରେ ମିଳେଇ ଯାଉଥିଲା ରାସ୍ତାର ଧୂଳିରେ ।

 

ସତେକି ଅଯୋଧ୍ୟାର ନୃପନନ୍ଦନ ରାମଚନ୍ଦ୍ର ସୀତା ଦେବୀଙ୍କର ସାମାନ୍ୟ ଇଙ୍ଗିତରେ ଧାଇଁଛନ୍ତି ସ୍ୱର୍ଣ୍ଣମୃଗ ଧରିବାକୁ । ଚିତ୍ତ ତଳେ ସ୍ୱର୍ଣ୍ଣମୟୀ ଲଙ୍କା ନଗରୀର ଚିତ୍ରପଟ । କହିହେଉନାହିଁ ସେ ସ୍ୱର୍ଣ୍ଣ ମୃଗ ଧରାଦେବ କି ମାରିଚ ରାକ୍ଷସ ରୂପରେ ଆର୍ତ୍ତନାଦ କରିବ । କିଏ କହିବ ସେ ପ୍ରକୃତ ସ୍ୱର୍ଣ୍ଣମୃଗ କି ମରୁ ଧରଣୀର ମୃଗତୃଷ୍ଣା । ତଥାପି ସେ ଧାଇଁଛନ୍ତି ସ୍ୱର୍ଣ୍ଣମୃଗ ଭାବି । ରାମାୟଣ ଯୁଗରେ ରାମଚନ୍ଦ୍ର ଧାଇଁଲେ ସ୍ୱର୍ଣ୍ଣମୃଗ ଧରିବାକୁ କିନ୍ତୁ ସେ ରାମଚନ୍ଦ୍ର ନୁହଁନ୍ତି । ସେ ଧାଇଁଛନ୍ତି ରେଣୁରୂପୀ ସ୍ୱର୍ଣ୍ଣମୃଗ ସନ୍ଧାନରେ......

 

ଦୁଇପାଖ ସୁନାରଙ୍ଗର ଧାନ କିଆରି ମଝିରେ ସେଇ ଅତିପରିଚିତ ନାଲିଆ ସଡ଼କଟି ନିହାତି ପୁରୁଣା ତଥାପି ନୂଆ ନୂଆ ଲାଗୁଚି । ତାରି ଉପରେ ସେ ଜୀବନରେ କେତେଥର ଯାଇଛନ୍ତି, କେତେଥର ଫେରିଛନ୍ତି । ତା’ରି ଧୂଳିକୁ ଦେହରେ ବିଭୂତିପରି ବୋଳିଛନ୍ତି । ସେଇ ବାଟ, ଦୁଇପାଖେ ସେଇସବୁ ଗଛଲତା ପୂର୍ବପରି ରହିଚି । ସବୁଦିନେ ସେଇବାଟ ଆଖିର ପିଛୁଡ଼ାକେ ସରିଯାଏ କିନ୍ତୁ ସେଦିନ ଯେ ସେ କାହିଁକି ଏତେ ଏତେ ଲମ୍ୱି ଯାଇଥାଏ ତାହା ଭାବି ରତନ ଆଶ୍ଚର୍ଯ୍ୟ ହେଲେ ।

 

ଆକାଶର ତୀରେ ତୀରେ କୃଷ୍ଣକୁଞ୍ଚିତ ମେଘାଡ଼ମ୍ବର । ମଝିରେ ମଝିରେ ବିଜୁଳିର ହସ, ଘଡ଼ଘଡ଼ିର ଚମକ । ସୁନାରଙ୍ଗର ଧାନ କିଆରି ଉପରେ ଖର ପ୍ରଖର ହିଲ୍ଲୋଳ ଲହରୀ ଭାଙ୍ଗି ଭାଙ୍ଗି ଛୁଟି ଯାଉଥାଏ । ଅଧାବାଟରୁ ତାକୁ ଅଭିବାଦନ କରି ପାଛୋଟି ନେଉଥାଏ କାଶତଣ୍ଡି ଫୁଲ । ଗହୀର ଏ ପାରିରୁ ମେଘବାଉଳା ଆକାଶକୁ ଚାହିଁ ବଇଁଶୀରେ ବେତାଳ ସ୍ୱର ଧରି ଗୀତଗାଇ ଚାଲିଥାଏ ଗୋଷ୍ଠ ଫେରନ୍ତା ଗୋପାଳ ବାଳକ......ସେପାରିର ଶୂନ୍ୟତା ପ୍ରତିଧ୍ୱନି କରୁଥାଏ । ଅନିଳପନ୍ତିର ଅମୃତ ପରଶରେ ଶିଉଳି ଶାଉଁଳା ବେଳାପରେ ଝରିପଡ଼ୁଥାଏ ଦିନର ମାଳତୀ–କଣ୍ଟେଇ କୋଳିର ପାଚିଲା ଫଳ । ଶୁଭ୍ର ବଳାକାମାଳା ଉଡ଼ିଯାଉଥାନ୍ତି ଯେତିକି ଯେତିକି ଦୂରକୁ ରତନଙ୍କର ସ୍ୱପ୍ନାତୁର ଶିଥୀଳ ମନ ଆତ୍ମହରା ହୋଇଉଠୁଥାଏ ସେତିକି ସେତିକି । ମନରେ ପରତେ ହେଉନଥାଏ–ସତେ କ’ଣ ରେଣୁ ଥିବ ? ନିରାଶାରେ ଝାଉଁଳି ପଡ଼ୁଥାଏ ପିପାଶିତ ଆତ୍ମାଟି ।

 

ବାଦୁଡ଼ି ଛନ୍ଦା ନଈବନ୍ଧ ଗଡ଼ାଣି ଉପରକୁ ସାଇକେଲ ଉଠାଇ ଆଗେଇ ଚାଲିଲେ ରତନ-। ଦେହର ଝାଳରେ କାମିଜ୍ ଖଣ୍ଡିକ ଭିଜିଗଲାଣି । ଅତି ନିରୀକ୍ଷଣ କରି ଚାହିଁଲେ ଧୂଆଁଳିଆ ଆକାଶ ଭିତରେ ଟିକିଏ ଟିକିଏ ଦିଶୁଚି ସେଇ ଗାଁ ଖଣ୍ଡିକ । ମନପବନ ଘୋଡ଼ା ଛୁଟାଇ ଯେତେଶୀଘ୍ର ଚାଲିଯିବାକୁ ଇଚ୍ଛାହେଉଚି ସାଇକେଲଟା ଚାଲୁନାହିଁ । ମନେମନେ ଶ୍ୟାମସୁନ୍ଦରଙ୍କୁ ମୁଣ୍ଡିଆଟିଏ ମାରି ବଡ଼ସିଂହାର ଜାଚିଲେ । ପକ୍ଷୀରାଜ ଘୋଡ଼ାରେ ଚଢ଼ି ଭ୍ରମରବର ଯିମିତି ଯାଇଁ ପୋଖରୀ ତୁଠରେ ରଙ୍ଗବତୀ ପାଖରେ ପହଞ୍ଚି ଯାଇଥିଲା ସେଇମିତି ସେ ଯାଇ ପହଞ୍ଚି ଯାଆନ୍ତେ କି-?

 

ପାଖେଇ ଆସିଲାଣି ଗାଁ ଖଣ୍ଡିକ । ଦିଶିଲାଣି ସ୍ମୃତି ବିଜଡ଼ିତ ବାଂଶ କୁଞ୍ଜ ଆଉ ଲୋଟଣୀ ବର ଗୋଟିକ । ଚାରିପାଖକୁ ଆଖି ବୁଲେଇନେଲେ ରତନ । ଆଖିଆଗରେ ତାଙ୍କର ଜୀର୍ଣ୍ଣ କଙ୍କାଳମାଳ ନାଚିଉଠିଲା । ବରଗଛ ମୁଳେ ଚିରାକନାର ବିଜୁଳି ଓ ଖଣ୍ଡେ ଖଣ୍ଡେ ଫଟା ଛେଲୁଆ ଧରି କାଙ୍ଗାଳ ଦଳେ ବସିଚନ୍ତି । ମନଟା ଦୋ–ଦୋ ପାଞ୍ଚ ହେଲା । କାଳେ ତା’ରି ଭିତରେ ରେଣୁ ଥିବ କି ? କେତେ ଖୋଜିଲେ । ସନ୍ଦେହ ଦୃଷ୍ଟିରେ କେତେ କାହାକୁ ଅନେଇଲେ । ରେଣୁ ନାହିଁ ।

 

ଆଖିଦୁଇଟି ଲାଖି ରହିଲା ବାଂଶ କୁଞ୍ଜ ଉପରେ । ମନଟା ଅତୀତ ସ୍ମୃତିରେ ଗହ୍ୱର ଭିତରକୁ ଟାଣି ହୋଇଗଲା । ମନଭିତରୁ ଉତୁରିପଡ଼ିଲା କେତୋଟି ଅଭୁଲା କଥା । ଗୋଟିଏ ଦିନର କଥା–ସ୍ପଷ୍ଟ ମନେଅଛି ଆଜିଯାଏଁ । ସେଇ ବାଂଶ କୁଞ୍ଜର ମଞ୍ଜୁଳ ଛାୟାରେ ପ୍ରେମରେ କଣ୍ଠଲଗ୍ନା ହୋଇ ରେଣୁ ଲୋଟି ପଡ଼ିଥିଲା ରତନଙ୍କ କୋଳକୁ, ତୋଳି ଧରିଥିଲେ ରତନ । ଚାରିପାଖ ବେଢ଼ିଥିଲା ଷଷ୍ଠି ଚନ୍ଦ୍ରର ରାତ୍ରି । ବହୁ ଫୁଲର ସୁଗନ୍ଧ ବହିନେଉଥିଲା ଅନିଳ । ଗୋଟିଏ ନଇଁଲା ବାଉଁଶ ଉପରେ ବସିଥିଲେ ରତନ । ତାଙ୍କ ଛାତିରେ ମୁଣ୍ଡ ପୋତି ପାଖକୁ ଲାଗି ବସିଥିଲା ରେଣୁ । ସୁବାସିତ କବରି ଲମ୍ବି ଆସିଥିଲା ତଳକୁ । ନୀଳ ରଙ୍ଗର ପଣତକାନି ଚଞ୍ଚଳ ପବନରେ ଉଡ଼ିବୁଲୁଥିଲା । ତା’ ସାଥିରେ ଦୁହିଁଙ୍କର ମନଯାଇ ଉଡ଼ିବୁଲୁଥିଲା ସ୍ୱପ୍ନ ରାଜ୍ୟରେ । ରତନଙ୍କ ଛାତିରେ ଏକ ଅଜଣା ଭୟ । ରେଣୁର ଦେହରେ କିମିତି ଏକ ଅନନୁଭୂତ ରୋମାଞ୍ଚ ।

 

ଅନ୍ଧାରିଆ ଗଛଡାଳରେ ଲାଗି ଲାଗି ପକ୍ଷୀ ଯୋଡ଼ିଏ ବସିଥିଲେ । ନିରୀକ୍ଷଣ କରି ରତନ କହିଲେ–ଦେଖିଲୁ ରେଣୁ, ପାଖ ଗଛଡାଳରେ କିମିତି ଟିକି ଟିକି ପକ୍ଷୀ ଯୋଡ଼ିଏ ଆମରି ଆଡ଼କୁ ଚାହିଁ ରହିଛନ୍ତି ।

 

ପ୍ରେମର ଆଦ୍ୟ ସଙ୍କେତ ପାଇ ଉତ୍ତେଜନାରେ ଜୁଡ଼ୁବୁଡ଼ୁ ହୋଇପଡ଼ିଥିଲା ରେଣୁ । ମନର ଉଚ୍ଚାଟରେ ରତନଙ୍କୁ ଜାବୁଡ଼ିଧରି କହିଲା–ପ୍ରେମର କି ଅସାଧାରଣ ଦୁନିଆ ରତନ ଭାଇ ?

 

ଗୋଟିଏ ଦିନର କଥା । ଯୁଗ ଯୁଗର ସ୍ମୃତି । ସବୁ ମନେଅଛି । ସେଇ ବାଂଶ କୁଞ୍ଜ ଅଛି-। ସେଇପରି ଫୁଲର ମହକ ନେଇ ପବନ ବହୁଚି । ସେଇପରି ଷଷ୍ଠି ଚନ୍ଦ୍ରର ରାତ୍ରି କେତେ ଆସି କେତେ ଗଲାଣି । କେତେ ପୁଣି ଆସୁଚି । ତଥାପି ସବୁଥାଇ ଶୂନ୍ୟ ଲାଗୁଚି ସବୁ । ଖାଲିପଡ଼ିଚି ବାଂଶ କୁଞ୍ଜ । ରେଣୁ ନାହିଁ କି ରତନ ନାହାନ୍ତି । କିଏ ଯାଇଁ କେଉଁଠି ।

 

ସେଇ ବାଂଶକୁଞ୍ଜକୁ ଚାହିଁ ରତନ ମନେମନେ ରେଣୁର ରୂପ ଆଉ ଯୌବନର ଏକ ମଧୁମୟ ସମ୍ମିଶ୍ରଣର ଫଟୋ ଆଙ୍କୁଚନ୍ତି । ତାଙ୍କରି ପାଖ ହେଇ ଗୋଟିଏ ଚଳମାନ କିପଗାଡ଼ି ଧୂଳି ଉଡ଼ାଇ ଚାଲିଗଲା । ଗାଡ଼ି ଭିତରେ ଗୋଟିଏ ସ୍ତ୍ରୀ କଣ୍ଠର କାନ୍ଦଣା ଲହର । ସେହି ଲହର ଭିତରେ ଯିମିତି କୋଟି କୋଟି ଯୁଗର ଅସ୍ଫୁଟ ବେଦନା ପୂରି ରହିଛି । ତାରି ଭିତରୁ ସେ ଶୁଣିପାରିଲେ ତାଙ୍କରି ନାଁର ଡାକ ପଦିଏ । ରତନ ଭାଇ...... । ଆଉକିଛି ଶୁଭିଲା ନାହିଁ । ଛାତି ଭିତରେ ସମୟ ତୋଫାନ ଯିମିତି ହଠାତ୍ କେଉଁ ଅଶରୀର ଶକ୍ତିର ସ୍ପର୍ଶରେ ଥମିଗଲା । ଜୀବନର ସନ୍ଧିକ୍ଷଣରେ ସେଇ ଡାକ ପଦିକ ଶୁଣି ଚିତ୍କାର କରିଉଠିଲେ ରତନ–ଏଁ......ରେଣୁ ?

 

ରେଣୁକୁ କ’ଣ......

 

ଅଧୈର୍ଯ୍ୟରେ ଗଛ କାଟିଲା ପରି ଭୂଇଁରେ ଲୋଟିପଡ଼ିଲେ ରତନ । ଜ୍ଞାନ ତାଙ୍କର ହଜିଗଲା । କେତେବେଳେକେ ଆଖିଖୋଲି ଚାହିଁଲେ । ଚାରିଆଡ଼ କିଟିମିଟି ଅନ୍ଧାର । ସେଇ ଅନ୍ଧାର ଭିତରେ ଦେଖିଲେ ଗୋଟିଏ ମୁହଁ ଚକ୍‌ଚକ୍ । ଦୁଇଟି ଆଖି ଛଳଛଳ, ଅଶ୍ରୁଳ ।

 

ସେତେବେଳକୁ ତାଙ୍କ ଚାରିପାଖ ଲୋକ ଘେରିଗଲେଣି । ଛେପ ଢୋକି ଢୋକି ରତନ କହିବାକୁ ଚେଷ୍ଟାକଲେ–ରେଣୁ କାହିଁ ? କିନ୍ତୁ କହିହେଲା ନାହିଁ । ବଲବଲ କରି ସମସ୍ତଙ୍କ ମୁହଁକୁ ଅନେଇଗଲେ । ପାଣ୍ଡୁର ଭୀତତ୍ରସ୍ତ ଚାହାଁଣି । ଦୋ ଦୋ ଚିହ୍ନା ହୋଇ ସମସ୍ତେ କାନି ପଣତରେ ମୁହଁ ଲୁଚେଇଲେ । ରେଣୁ ସାଙ୍ଗରେ ଗୋଟିଏ ପାଠ ପଢ଼ୁଆ ଝିଅ ପାଖକୁ ଆସି କହିଲା–ରତନବାବୁ, ଜୀବନର ଶେଷ ସନ୍ଧ୍ୟାରେ କାହିଁକି ଆଉ ଆସିଲ ? ରେଣୁ ଦେଈ ତମରି ମଶାଲର ବଳିତା ଜାଳି ତା’ର ବିଭ୍ରାନ୍ତ ମନତଳେ ଆଜିଯାଏଁ ଆଶାର ଦୀପ ଜାଳିଥିଲା । ଭାବିଥିଲା ପୁଣି ସେଇ ଚନ୍ଦ୍ରୋଦୟ ଦେଖି କଇଁବଧୂ ପରି ତମରି ପ୍ରେମ ଛନ୍ଦରେ ଛନ୍ଦମୟ ହେବବୋଲି । କିନ୍ତୁ ବତୀଟି ଲିଭିଗଲା । ତାହା ହୋଇପାରିଲା ନାହିଁ । ଆଶା କେବଳ ଆଶାରେହିଁ ରହିଲା । ରେଣୁ ଦେଈ ଆଉ ଏ ଗାଁରେ ନାହିଁ । ଠିକ୍ ଏହି ମୁହୂର୍ତ୍ତରେ ସେ ଚାଲିଗଲା ଜମିଦାରଙ୍କ ଜିପ୍ ଗାଡ଼ିରେ ।

 

କଥାଗୁଡ଼ିକ ଶୁଣି ବିବ୍ରତ ହୋଇପଡ଼ିଲେ ରତନ । ସାରା ପୃଥିବୀର ଗଛପତ୍ର ଲତାଆଦି ସମସ୍ତେ ଯିମିତି ତାଙ୍କୁ ଉପହାସ କରିଉଠୁଚନ୍ତି । ସେ ଅବିଶ୍ୱାସୀ । ସେ ବିଶ୍ୱାସଘାତକ–ସ୍ୱାର୍ଥପର ।

 

ମାତ୍ର ଉପାୟ ? ଉପାୟ କ’ଣ ?

 

କୌଣସି ଉପାୟ ନ ପାଇ ଜିପ୍ ଗାଡ଼ିର ପିଛା ଧରିଲେ ରତନ । ଗାଡ଼ି ଚାଲି ଗଲାଣି । ଚକ ଚିହ୍ନ ପଡ଼ିଚି । ସେଇଆକୁ ଚାହିଁ ସାଇକେଲ ଛୁଟେଇଲେ । ବାଁପାଖରେ କାଏମା ଗାଁ । ଡାହାଣ ପାଖରେ କେଲୁଅ ନଈ । ମଝି ବନ୍ଧରେ ସାଇକେଲ୍‌ର ଚକ ଘୂରି ଘୂରି ଚାଲିଚି ପବନ ବେଗରେ ।

 

ଆଖିର ପିଛୁଡ଼ାକେ କିମିରିଆ ଘାଇ, ଗୋଗଳ ପାହାଡ଼, ଭରା ପୋଲ ସବୁ ପାର ହୋଇଗଲେ । ତଥାପି ମଟରର ଦେଖାନାହିଁ । ହତାଶରେ ପ୍ରାଣ ଭରପୂର ହୋଇଯାଉଚି । ସେ କ’ଣ ରେଣୁକୁ ଦେଖିବେ ନାହିଁ ? ପାଞ୍ଚମନ ଭିତରୁ କେତେକଙ୍କର ହାତ କେତେକଙ୍କର ନାହିଁ । ଏହି ହଁ ନାହିଁର ପ୍ରତିଯୋଗିତା ଭିତରେ ଆଉଟିକେ ଜୋରରେ ପେଡାଲ୍ ଦାବିଲେ ରତନ । ସାଇକଲ୍ ଛୁଟିଚାଲିଲା ଆଗକୁ ଆଗକୁ ।

 

କାଏମା ଛକଠି ହେଣ୍ଡଲ୍ ମୋଡ଼ିଲା ବେଳକୁ ଆଗରେ ଦିଶିଲା ମଟର ଧୂଳି । ଛାତିରେ ଟିକେ ହୋସ୍ ପଶିଲା । ସଞ୍ଜ ମାଡ଼ିଆସୁଚି । ଅନ୍ଧାର ହୋଇନି । ଜଗନ୍ନାଥ ସଡ଼କର ବିରାଟ ପିଚୁଢଳା ରାସ୍ତାଉପରେ ସେ ଚାଲିଛନ୍ତି ଆଗର ମଟର ଧୂଳିକୁ ଲକ୍ଷ୍ୟକରି । ମନରେ ଚିରି ତୃପ୍ତି ପାଇଁ କେତେ ରକମର ଭାବନା ଖେଳିଯାଉଚି । ଛାତିଭିତରେ ଜଳୁଚି ପ୍ରତିଶୋଧର ନିଆଁ । ମହାଜନର ଅତ୍ୟାଚାର । ଗରିବର ଆର୍ତ୍ତନାଦ । ଆଉ ରେଣୁର ଆସନ୍ନ ବିପଦ । ସେହି ଚିନ୍ତାରେ ସେ ଆତ୍ମହରା ହୋଇପଡ଼ିଲେ ।

 

ସାଇକେଲ୍‌ର ଗତି ମନ୍ଥର ହୋଇଆସୁଥିଲା । ଜୋରରେ ପେଡ଼ାଲ୍ ମାରିଲେ ।

 

ଏହା ଭିତରେ ସେ ନେଉଳପୁର ବଡ଼ଚଣା ପାରହୋଇ ଗଲେଣି ବୋଲି ତାଙ୍କର ଖିଆଲ ନାହିଁ । ଆଗକୁ ଚାହିଁଲା ବେଳକୁ ଛତିଆ ଦେଉଳ, ବରଗଛ ଉପରେ ଫର୍ ଫର୍ ହୋଇ ପତାକା ଉଡ଼ୁଚି । ଦେଉଳର ଠିକ୍ ସାମନାକୁ ଠିଆ ହୋଇଛି ଗୋଟିଏ ଜିପ୍‍ଗାଡ଼ି । ଚାରିପାଖ ଘେରିଛନ୍ତି କେତେଜଣ ପୁଲିସ । ସେ ଯେଉଁ ଗାଡ଼ିର ପିଛା ଧରିଥିଲେ ଠିକ୍ ସେହି ଗାଡ଼ିର ରଙ୍ଗ, ସେଇ ଗାଡ଼ିର ରୂପ କିନ୍ତୁ ସେ ଗାଡ଼ିଟି ନୁହେଁ । ସେ ଗାଡ଼ିର ନମ୍ୱର ଥିଲା ୧୪୭୩, ଏ ଗାଡ଼ିର ନମ୍ବର ହେଉଚି ୧୩୬୪ । ପୁଲିସକୁ ଠକାଇବା ପାଇଁ ଜମିଦାରଙ୍କ ଏ କାରସାଦି ।

 

ଦେଖୁ ଦେଖୁ ରତନଙ୍କ ମୁଣ୍ଡ ବିଗିଡ଼ିଗଲା । ତାଙ୍କ ମୁଣ୍ଡ ଉପରେ ହିମାଳୟ ପର୍ବତର ସବୁଯାକ ପଥର ଆଣି କିଏ ଏକାଥରକେ ଓଜାଡ଼ିଦେଲା ଯିମିତି । ସେ ନିଜକୁ ନିଜର ଆୟତ୍ତରେ ରଖିପାରିଲେ ନାହିଁ । ତାପରେ ସାହି ଜିପ୍‌ଗାଡ଼ି ସହିତ ତାଙ୍କର ହେଲା ସାଇକେଲ୍ ଧକ୍‌କା । ସେ ହତଜ୍ଞାନ ହୋଇ ପଡ଼ିଗଲେ ।

 

ସେହି ଗାଡ଼ିରେ ବସିଥିଲା ରେଣୁ । ଲୋକ ଗହଳି ଭିତରେ ସେ ଚିହ୍ନିଲା ତା’ର ରତନଭାଇ । ସେ ଚିତ୍କାର କରିଉଠିଲା ରତନଭାଇ–ରତନଭାଇ । ଅଶ୍ରୁଳ ମୁହଁରେ ଅଧୀର ହୋଇ ସେ ଯାଇ ଲୋଟିପଡ଼ିଲା ରତନଙ୍କ ଉନରେ ।

 

ରତନ ହତଜ୍ଞାନ । ଭୀଷଣ ଆଘାତରେ ତାଙ୍କ ଦେହରୁ ରକ୍ତ ଝର ଝର ବହିଯାଉଥାଏ । ସମସ୍ତେ ଅବାକ୍ ହୋଇ ଚାହିଁଥାନ୍ତି । ନିଜର ଲୁଗାକାନିରେ ଦେହରୁ ଧୂଳି ଝାଡ଼ିଦେଇ ରେଣୁ ରକ୍ତ ପୋଛିଲା ।

 

ହଠାତ୍ ବିଜୁଳି ଆଲୁଅ ଝଟକିଉଠିଲା । ରତନ ଆଖି ଖୋଲିଲେ । ଦୀର୍ଘ ଚାରିବର୍ଷ ତଳର ଠିକ୍ ସେହି ଅବିକଳ ମୁହଁଟିକୁ ଦେଖି ସେ ଚମକିପଡ଼ିଲେ । ଠିକ୍ ସେହି ହାତର ସ୍ପର୍ଶ ପାଇ ଦେହଟା ତାଙ୍କର ଥରିଉଠିଲା । ଆପେ ଆପେ ତାଙ୍କ ଆଖିରୁ କେତେଟୋପା ତତଲା ଲୁହ ନିଗିଡ଼ିପଡ଼ି ମାଟିରେ ମିଳେଇଗଲା । ଜଳ ଜଳ କରି ଚାହିଁଲେ ରେଣୁର ମୁହଁକୁ । ଅର୍ଦ୍ଧନିମୀଳିତ ତାଙ୍କର ଚକ୍ଷୁ । ରେଣୁର ଆଖି କୋଣରେ ଅଶ୍ରୁ । ଏହି ଅର୍ଦ୍ଧନିମୀଳିତ ଚକ୍ଷୁ ଦୁଇଟି ସହିତ ଅଶ୍ରୁଭରା ଚକ୍ଷୁ ଦୁଇଟିର ବିନିମୟରେ ଉଭୟ ଯିମିତି ଉଭୟଙ୍କର ଭାଷା ବୁଝିପାରିଲେ ।

 

ରେଣୁର ଆଖିପତାରେ କାହାଣୀ । ରତନଙ୍କ ଚାହାଣୀରେ କାରୁଣ୍ୟ ।

 

ରତନ ଦେଖିଲେ ରେଣୁର ସେହି ପୂର୍ବପରି ହସ ହସ ମୁହଁର ଆଭରଣ ତଳେ ଯେପରି ବିଷାଦର ଅତି ପତଳା ପରଦାଟିଏ ଝୁଲୁଚି । ତା’ର ଆଗର ଝଟକିଲା ମୁହଁ ଉପରେ ସରସ ମନ ମତାଣିଆ ରହସ୍ୟ ପୂର୍ଣ୍ଣ ଭାବ ଉକୁଟାଇଦବାକୁ ରତନ ହସିଲେ ।

 

ରେଣୁ ମନରେ ସାମାନ୍ୟ ପୁଲକ ।

 

ପୋଲିସ ଇନିସ୍‌ପେକ୍‌ଟର ଲାଲମୋହନ ପଟ୍ଟନାୟକ ରତନଙ୍କ ପହଞ୍ଚିଲା ପୂର୍ବରୁ ରେଣୁଠାରୁ ସବୁ କଥା ପଚାରି ନେଇଥିଲେ । ପ୍ରାଣ ଗଲାବେଳେ ଦୁବଘାସ ଭରସା ହେଲାଭଳି ଜୀବନ ବିକଳରେ ରେଣୁ ତାଙ୍କ ଆଗରେ ତା’ ଜୀବନର ସମସ୍ତ ଘଟଣା ଖୋଲି ଦେଇଥିଲା । ରତନ ଯେତେବେଳେ ଭୂଇଁରେ ପଡ଼ିଗଲେ ତାଙ୍କ ଛାତି ପକେଟରୁ ତାଙ୍କ ଦୁହିଁଙ୍କର ଯୁଗଳ ଫଟୋ ଆଉ ଦୁହିଁଙ୍କର ସମସ୍ତ ଚିଠିଗୁଡ଼ିକ ଚାରିଆଡ଼େ ବିଛୁଡ଼ି ହୋଇ ପଡ଼ିଯାଇଥିଲା । ସେଗୁଡ଼ିକ ଅତି ଆଗ୍ରହରେ ସାଉଣ୍ଟି ଆଣି ଇନିସ୍‌ପେକ୍‌ଟରଙ୍କ ହାତକୁ ବଢ଼ାଇ ଦେଉ ଦେଉ ରେଣୁ କହିଲା–ଏଇ ନିଅନ୍ତୁ । ଏଇ ଗୁଡ଼ିକ ଆମ ଦୁଇଟି ପ୍ରାଣ ଦିଆନିଆର ଜୀବନ୍ତ ସାକ୍ଷୀ ।

 

ତରତରରେ ରତନ କହିଲେ–ଖାଲି ସେତିକି ନୁହେଁ । ଆହୁରି ଅଛି । ଏଇ ନିଅନ୍ତୁ ଗୋଟିଏ ମଉଳା ଗୋଲାପ ।

 

ଅତି ଯତନରେ ସାଇତି ରଖିଥିବା ଫୁଲଟିକୁ ରତନ ତାଙ୍କ ହାତକୁ ଦେଲେ । ଇନିସ୍‌ପେକ୍‌ଟର ସବୁ ରହସ୍ୟ ବୁଝିପାରିଲେ ।

 

ରେଣୁର ଆଖିରେ ପ୍ରଶ୍ନବାଚକ ଚିହ୍ନ !

 

ଏଁ, ମଉଳା ଗୋଲାପ ?

 

ରତନ କହିଲେ–ଏହି ମଉଳା ଗୋଲାପ ସକଳ ସ୍ମୃତିର ନିଶାଣଦାର । ପହିଲି ମିଳନର ପହିଲି ସନ୍ତକ । ଜଡ଼ ହେଲେହେଁ ଜୀବନ୍ତ ସାକ୍ଷୀ । ଅଭୁଲା ପ୍ରେମର ସ୍ମୃତି । ମନେଥିବକି ନାହିଁ ପୁରୀ ସମୁଦ୍ର କୂଳର କଥା । ଯେଉଁଦିନ ସମୁଦ୍ରର ଜଳଢ଼େଉ ଦୁଇ ଦେହକୁ ଗୋଟିଏ ଦେହରେ ପରିଣତ କରି ପାଣି କୂଳରୁ ହସ କରତାଳି ଛୁଟାଇ ଆଣିଥିଲା ଠିକ୍ ସେହିଦିନ ସନ୍ଧ୍ୟାରେ ଯେତେବେଳେ ଶ୍ରୀକୃଷ୍ଣ ସିନେମାରେ ଦ୍ୱିତୀୟ ଧାଡ଼ିରେ ଆମେ ଦୁହେଁ ପାଖାପାଖି ହୋଇ ବସିଥିଲେ, ସେହି ବେଳର ଚୁମ୍ବକୀୟ ଆକର୍ଷଣରେ ଏ ମନଭିତରେ ଯେଉଁ ଯୌବନର ମତୁଆଲା ଝରଣାଟିଏ ବହି ଯାଇଥିଲା, ସେହି ଭୋକିଲା ଯୌବନର ଦାଉ ଓ ଉଛୁଳା ପ୍ରେମର ମୋହ ସମ୍ଭାଳିନପାରି ବେଣୀ ଅଗରୁ ଏ ଫୁଟିଲା ଫୁଲଟିକୁ ଛିଣ୍ଡାଇ ଆଣିଥିଲି । ସେଦିନ ଗଲାଣି । ଫୁଲଟି ମଉଳିଗଲାଣି କିନ୍ତୁ କଥା ଗୁଡ଼ିକ ସିମିତି ଜୀବନ୍ତ ହୋଇ ରହିଛି ।

 

ସରମରେ ରେଣୁ ମୁଣ୍ଡ ନୋଇଁଲା ତଳକୁ ।

 

ସେତିକିବେଳେ ମନ୍ଦିର ବେଢ଼ାରେ ଆଳତି ଘଣ୍ଟା ବାଜିଉଠିଲା । ରତନ ଉଠିଲେ । ରେଣୁ ଉଠିଲା । ଦୁହେଁ ହାତ ଧରାଧରି ହୋଇ ଚାଲିଲେ ମନ୍ଦିର ଭିତରକୁ । ବାଇଶି ପାହାଚ ପାର ହେବା ପରେ ଦୁହେଁ ପଛକୁ ଚାହିଁ ଦେଖିଲେ ଯେଉଁ ଜମିଦାର ବଳାତ୍କାର କରି ରେଣୁକୁ ଘେନି ଯାଉଥିଲା ସେହି ଜମିଦାର କୃଷ୍ଣଚନ୍ଦ୍ର ଲେଙ୍କାଙ୍କ ହାତରେ ପଡ଼ିଛି ଲୁହାର ବେଡ଼ି ।

 

ରତନ କହିଲା, ଦେଖୁଛ ରେଣୁ, ଭଗବାନ ଦୋଷୀକୁ କିପରି ଉଚିତ ଶାସ୍ତି ଦେଇଛନ୍ତି । ଦୂରାଚାରୀ ଚେଷ୍ଟାକରେ ସମସ୍ତଙ୍କ ଉପରେ ଅତ୍ୟାଚାର କରାଯିବ କିନ୍ତୁ ବିଚାର ଭାବ ପାରେନା......ଆଉ ଜଣେ ସର୍ବଶକ୍ତିମାନ ପୁରୁଷ ଉପରେ ଅଛନ୍ତି ।

 

ରେଣୁ ଧୀର କଣ୍ଠରେ କହିଲା, ନିଶ୍ଚୟ...ତା’ ନହେଲେ ତୁମେ ଆଜି ଦୂର ଗଗନର ଚାନ୍ଦ ହୋଇ ରହିଥାନ୍ତ...କୁମୁଦିନୀ ଖାଲି ବିରହରେ ଝୁରିଝୁରି ମରିଥାନ୍ତା...ଆଜି ଦେବତା ହିଁ ମୋ ଆତୁର ପ୍ରାର୍ଥନା ଶୁଣୁଛନ୍ତି । ଜାଣିଛ ତୁମେ ?

 

କିପରି ?

 

ହସି ହସି କହିଲେ ରତନ ।

 

ମୁଁ କେତେଥର ପାଷାଣ ଦେବତା ପାଖରେ ଛିଡ଼ାହୋଇ ମୋର ଅନ୍ତର କଥା ଜଣାଇଛି-। ମାତ୍ର କେବେ ହେଲେ ପ୍ରତିମା ମୋରି କାମନା ପୂର୍ଣ୍ଣ କରିନାହାନ୍ତି । ମୋର ଆଖିଝରା ଲୁହରେ କେତେଥର ତାଙ୍କର ଚରଣ ପଖାଳିଛି କିନ୍ତୁ ପାଷାଣ ଦେବତା ମୋର ସମସ୍ତ କାକୁତିମିନତିକୁ ପାଦରେ ଠେଲିଦେଇଛନ୍ତି । ମୁଁ ତାଙ୍କୁ ରାଗରେ କେତେଥର କହିଛି...ଦେବତା...ତୁମେ ଦେବତା ନୁହେଁ...ତୁମେ ପାଷାଣ...ତୁମେ ବଧୀର...ତୁମେ ନିର୍ଜୀବ ଶିଳାଖଣ୍ଡ ମାତ୍ର...

 

ରତନ ରେଣୁର ଅଣ୍ଟାରେ ହାତ ବୁଲାଇ ଈଷତ୍ ହସି କହିଲେ, ଆଉ ଆଜି.... ?

 

ରେଣୁର ମୁହଁ ଲାଲ୍ ପଡ଼ିଗଲା । ସେ ମୁଣ୍ଡ ତଳକୁ କରି କହିଲେ...ଆଜି ବୁଝିଛି, ସେ ପାଷାଣ ଦେବତା ନୁହନ୍ତି...ସେ ଗରିବର ଦେବତା......ଭକ୍ତର ଭଗବାନ, ସେ ମୋର ବୀନତି ଶୁଣିଛନ୍ତି । ମୁଁ ମୋର ମନର ମଣିଷ ପାଇଛି ।

 

ରତନ ଆହୁରି ନିବିଡ଼ ଭାବରେ ରେଣୁକୁ ଭିଡ଼ି ଆଣୁଥିଲେ...

 

ରେଣୁ ବାଧାଦେଇ କହିଲା...ମନ୍ଦିର ପରା ।

Image